ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟବୈରିଣା ।କାମରୂପେଣ କୌନ୍ତେୟ ଦୁଷ୍ପୂରେଣାନଲେନ ଚ ॥
1 min read
Oplus_16908288
ଶ୍ରୀମଦ୍ ଭଗବଦ୍ ଗୀତା ୩:୩୯ ଶ୍ଳୋକ :
ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟବୈରିଣା ।
କାମରୂପେଣ କୌନ୍ତେୟ ଦୁଷ୍ପୂରେଣାନଲେନ ଚ ॥
ହେ କୌନ୍ତେୟ ! ଏହି ଅଗ୍ନି ସଦୃଶ ଚିରଶତ୍ରୁ କାମ, ଯାହାକୁ ତୃପ୍ତ କରିବା କଠିନ, ଜ୍ଞାନକୁ ଆବୃତ କରି ରହିଛି ।
କାମ ମନୁଷ୍ୟର ଜ୍ଞାନକୁ ଢାଙ୍କି ଦିଏ । ଯେପରି ଧୂଆଁ ଅଗ୍ନିକୁ ଆବୃତ କରେ କିମ୍ବା ଧୂଳି ଆଇନାକୁ ଢାଙ୍କି ଦିଏ, ସେପରି କାମ ମନୁଷ୍ୟର ବିବେକ ଓ ଜ୍ଞାନକୁ ଆବୃତ କରିଦିଏ । କାମ ମାନେ କେବଳ ଇନ୍ଦ୍ରିୟସୁଖ ପ୍ରତି ଆକାଂକ୍ଷା ନୁହେଁ; ଏହା ସମସ୍ତ ପ୍ରକାରର ଅତିରିକ୍ତ ଇଚ୍ଛା, ଲୋଭ, ଆସକ୍ତି ଓ ଅହଂକାରର ମୂଳ । ମନୁଷ୍ୟ ଯେତେବେଳେ ଅତ୍ୟଧିକ ଇଚ୍ଛାରେ ବନ୍ଧିତ ହୁଏ, ସେତେବେଳେ ତାହାର ନୈତିକ ବିଚାରଶକ୍ତି କ୍ଷୀଣ ହୁଏ । ଜାଣିଥିଲେ ମଧ୍ୟ କିଛି କାର୍ଯ୍ୟ ଅଶୁଭ, ତଥାପି ସେ ଏହାକୁ କରିଥାଏ । ଏହାହିଁ ଜ୍ଞାନ ଆବୃତ ହେବାର ଅବସ୍ଥା । ଏହା ମନୁଷ୍ୟର ଚିରଶତ୍ରୁ । ବାହ୍ୟ ଶତ୍ରୁ କେବେ ଆସେ କେବେ ଯାଏ, କିନ୍ତୁ ଏହି ଅନ୍ତର୍ନିହିତ ଶତ୍ରୁ ସଦା ସଚେତନ ଅବସ୍ଥାରେ ରହେ ।

ଶ୍ରୀକୃଷ୍ଣ କାମକୁ “ଦୁଷ୍ପୂରେଣ ଅନଳେନ” ବୋଲି କହିଛନ୍ତି – ଅପୂରଣୀୟ ଅଗ୍ନି ସଦୃଶ । ଅଗ୍ନିକୁ ଯେତେ ଇନ୍ଧନ ଦିଆଯାଏ ସେତେ ବଢ଼େ, କେବେ ଶାନ୍ତ ହୁଏନାହିଁ । ତେଣୁ ଇଚ୍ଛା ପୂରଣ କରିଲେ ଇଚ୍ଛା ଶେଷ ହୁଏନାହିଁ; ବରଂ ଆହୁରି ବଢ଼ିଥାଏ । ଏହି କାରଣରୁ ମନୁଷ୍ୟ ଅଶାନ୍ତ ଓ ଅସନ୍ତୁଷ୍ଟ ରହେ । ଉପଭୋଗ ଦ୍ୱାରା କାମନାଗୁଡିକ ପୂର୍ତ୍ତି ହୁଏ ନାହିଁ, ବରଂ ସେଥିରେ ଅଗ୍ନିରେ ଘିଅ ଢ଼ାଳିଲା ଭଳି ଅଧିକ ବୃଦ୍ଧି ହୁଏ । ଆତ୍ମଜ୍ଞାନ ପାଇବା ପାଇଁ ଏହି କାମନାକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ସଂଯମ, ଧ୍ୟାନ, ଆତ୍ମଚିନ୍ତନ ଓ ନିଷ୍କାମ କର୍ମ ଏହାର ଉପାୟ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
