20/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପ୍ରତ୍ୟେକ ମନୁଷ୍ୟର ନିଜସ୍ୱ ସ୍ଵଭାଵ ‘ପୂର୍ବ ସଂସ୍କାର, ଅଭ୍ୟାସ, ଓ ଗୁଣ’ ଦ୍ୱାରା ଗଠିତ

1 min read

Oplus_16908288

ଶ୍ରୀମଦ୍ ଭଗବଦ୍‌ ଗୀତା ୩:୩୩ ଶ୍ଳୋକ

ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେର୍ଜ୍ଞାନବାନପି ।
ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି ॥

ଜ୍ଞାନୀ ମନୁଷ୍ୟ ମଧ୍ୟ ନିଜ ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରେ । ସମସ୍ତ ପ୍ରାଣୀ ନିଜ ପ୍ରକୃତିକୁ ଅନୁସରଣ କରନ୍ତି । କେବଳ ବଳପୂର୍ବକ ଏହାକୁ ଦମନ କରିଲେ କ’ଣ ଲାଭ ?


ଏହି ଶ୍ଳୋକରେ ମନୁଷ୍ୟର ପ୍ରକୃତିର ଅପରିହାର୍ଯ୍ୟ ଶକ୍ତିକୁ ବ୍ୟାଖ୍ୟା କରାଯାଇଛି । ପ୍ରତ୍ୟେକ ମନୁଷ୍ୟର ନିଜସ୍ୱ ସ୍ୱଭାବ (ପ୍ରକୃତି) ରହିଅଛି, ଯାହା ତାହାର ପୂର୍ବ ସଂସ୍କାର, ଅଭ୍ୟାସ, ଓ ଗୁଣ ଦ୍ୱାରା ଗଠିତ । ଯେଉଁ ପ୍ରକାର ଆମେ ବିଚାର ବା ଚିନ୍ତନ କରୁ, ସେହିପ୍ରକାର ଆମର କର୍ମ ନିଶ୍ଚିତ ହୁଏ । ସେଗୁଡିକ ଆମ ଭିତରେ ସ୍ଥାୟୀରୂପ ନେଇ ଚିତ୍ତରେ ସଂସ୍କାର ବା ବାସନାରୂପା ଧାରଣ କରନ୍ତି, ଯାହାକୁ ଆମେ ସ୍ଵଭାଵ ବା ପ୍ରକୃତି କହିଥାଉ । ଯେକୌଣସି ସମୟରେ ବ୍ୟକ୍ତି ମନରେ ଉଠୁଥିବା ବିଚାର ବା ଇଚ୍ଛାଗୁଡିକୁ ତାର ସ୍ଵଭାଵ ଅନୁରୂପ ନିଶ୍ଚିତ କରାଯାଏ । ଜ୍ଞାନ ଥିଲେ ମଧ୍ୟ ମନୁଷ୍ୟ ନିଜ ସ୍ୱଭାବର ପ୍ରଭାବରେ କାର୍ଯ୍ୟ କରେ । ଉଦାହରଣ ସ୍ୱରୂପ, ଶାନ୍ତ ସ୍ୱଭାବର ଲୋକ ଶାନ୍ତ ହୁଅନ୍ତି, କ୍ରୋଧୀ ସ୍ୱଭାବର ଲୋକ ସହଜରେ କ୍ରୋଧିତ ହୁଅନ୍ତି । ଏହା ପ୍ରକୃତିର ନିୟମ । କେବଳ ବାହ୍ୟ ଦମନ କିମ୍ବା ଜୋରକରି ନିୟନ୍ତ୍ରଣ କଲେ ସ୍ୱଭାବ ପରିବର୍ତ୍ତନ ହୁଏନାହିଁ । ଯଦି ମନରେ ପରିବର୍ତ୍ତନ ନ ହୁଏ, ତେବେ ସେହି ବାହ୍ୟ ନିୟନ୍ତ୍ରଣ ଅସ୍ଥାୟୀ ହୁଏ ।


ଜ୍ଞାନୀ ମନୁଷ୍ୟ ମଧ୍ୟ ନିଜ ପ୍ରକୃତି ଅନୁଯାୟୀ କାର୍ଯ୍ୟ କରେ । ଯଦିଓ ସେହି ବ୍ୟକ୍ତି କର୍ମଯୋଗ ସିଦ୍ଧାନ୍ତକୁ ଭଲଭାବରେ ବୁଝିଥାଏ, ତେବେ ତାକୁ କ୍ରିୟା ରୂପ ଦେବାରେ କଠିନତା ଅନୁଭବ କରେ । କାରଣ ତାର ସ୍ଵଭାଵ ସେହି କାର୍ଯ୍ୟରେ ବାଧା ସୃଷ୍ଟି କରେ । ସ୍ଵଭାଵ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବାରୁ, ତାକୁ ନିଗ୍ରହ କରିବା କଷ୍ଟକର ହୁଏ । ସମସ୍ତ ପ୍ରାଣୀ ନିଜର ସ୍ୱଭାବ ଅନୁସାରେ ଆଚରଣ କରନ୍ତି । ତେଣୁ କେବଳ ବାହ୍ୟ ଦମନ କିମ୍ବା ବଳପୂର୍ବକ ନିୟନ୍ତ୍ରଣ ଦ୍ୱାରା ଏହାର ସ୍ଥାୟୀ ପରିବର୍ତ୍ତନ ଆଣିହେବ ନାହିଁ । ଯଦି ମନରେ କୌଣସି ଇଚ୍ଛା କିମ୍ବା ପ୍ରବୃତ୍ତି ରହିଥାଏ, ତେବେ ବାହ୍ୟ ନିୟନ୍ତ୍ରଣ ଦ୍ୱାରା ତାହାକୁ କେବଳ ଅସ୍ଥାୟୀ ଭାବରେ ତାହାକୁ ନିୟନ୍ତ୍ରଣ କରାଯିବ ସମ୍ଭବ । କିନ୍ତୁ ସେହି ପ୍ରବୃତ୍ତି ପୁଣି ସୁଯୋଗ ପାଇଲେ ପ୍ରକାଶ ପାଏ । ତେଣୁ ପରିବର୍ତ୍ତନ ପାଇଁ ମନର ଶୁଦ୍ଧି ଓ ଜ୍ଞାନର ଆବଶ୍ୟକତା ରହିଛି ।

Oplus_16908288


ମନୋବିଜ୍ଞାନ ଅନୁସାରେ, ମନୁଷ୍ୟର ଆଚରଣ ତାହାର ଅନ୍ତର୍ନିହିତ ପ୍ରବୃତ୍ତି, ଅଭ୍ୟାସ ଓ ଅବଚେତନ ମନ ଦ୍ୱାରା ନିର୍ଦ୍ଧାରିତ ହୁଏ । ଶିଶୁକାଳରୁ ଆରମ୍ଭ କରି ଜୀବନର ବିଭିନ୍ନ ଅନୁଭବ ମନରେ ଏକ ଗଭୀର ଛାପ (conditioning) ସୃଷ୍ଟି କରେ । ଏହି conditioning ମନୁଷ୍ୟର ସ୍ୱଭାବର ଅଂଶ ହୋଇଯାଏ ଓ ସେ ତାହା ଅନୁଯାୟୀ ଚିନ୍ତା ଓ କାର୍ଯ୍ୟ କରେ । ଏହି କାରଣରୁ ଜଣେ ଲୋକ ଚାହିଁଲେ ମଧ୍ୟ କୌଣସି ଖରାପ ଅଭ୍ୟାସକୁ ସହଜରେ ଛାଡ଼ିପାରେନାହିଁ । ଯେତେବେଳେ ମନୁଷ୍ୟ ନିଜର ଭାବନା କିମ୍ବା ଇଚ୍ଛାକୁ ଦମନ କରେ, କିନ୍ତୁ ସେଗୁଡ଼ିକ ମନରେ “repression” ରୂପରେ ରହିଯାଏ ଓ ପରେ ତାହା ଚିନ୍ତା, ଭୟ, କ୍ରୋଧ କିମ୍ବା ମନୋଦୂଃଖ ରୂପରେ ପ୍ରକାଶ ପାଏ । ଯେତେବେଳେ ମନୁଷ୍ୟ ନିଜ ସ୍ୱଭାବ ଓ ମନର ପ୍ରବୃତ୍ତିକୁ ବୁଝେ, ସେତେବେଳେ ସେ ତାହାକୁ ଧୀରେ ଧୀରେ ପରିବର୍ତ୍ତନ କରିପାରେ । ଅଭ୍ୟାସ ମନରେ ଗଭୀର ଭାବରେ ରହିଥାଏ ଓ ସେଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଧୈର୍ଯ୍ୟ, ସଚେତନତା ଓ ନିରନ୍ତର ଅଭ୍ୟାସ ଆବଶ୍ୟକ । ଏହା ପ୍ରମାଣ କରେ ଯେ ମନୁଷ୍ୟର ଆଚରଣ କେବଳ ବୁଦ୍ଧି ଦ୍ୱାରା ନୁହେଁ, ବରଂ ମନର ଗଭୀର ସଂସ୍କାର ଦ୍ୱାରା ପ୍ରଭାବିତ ।


ଦାର୍ଶନିକ ଭାବରେ “ପ୍ରକୃତି” ଶବ୍ଦର ଅର୍ଥ କେବଳ ବାହ୍ୟ ପ୍ରକୃତି ନୁହେଁ, ବରଂ ମନୁଷ୍ୟର ଅନ୍ତର୍ନିହିତ ଗୁଣ, ସଂସ୍କାର ଓ ପ୍ରବୃତ୍ତିମାନଙ୍କର ସମୁଚ୍ଚୟ । ସତ୍ତ୍ୱ, ରଜ ଓ ତମ ଏହି ତିନିଗୁଣ ମିଶି ମନୁଷ୍ୟର ଆଚରଣକୁ ନିର୍ଦ୍ଧାରିତ କରେ । ଯେପର୍ଯ୍ୟନ୍ତ ମନୁଷ୍ୟ ନିଜକୁ କେବଳ ଦେହ-ମନ ସହ ସମୀକୃତ କରି ରଖେ, ସେପର୍ଯ୍ୟନ୍ତ ସେ ପ୍ରକୃତିର ଗୁଣମାନଙ୍କରେ ବନ୍ଧାହୋଇ ରହିଥାଏ । ତେଣୁ ଜ୍ଞାନ ଥିଲେ ମଧ୍ୟ, ଯଦି ଆତ୍ମସାକ୍ଷାତ୍କାର ନ ହୁଏ, ସେ ପ୍ରକୃତିର ଆକର୍ଷଣରେ ଚାଲିଥାଏ । ଯଦି ସମସ୍ତେ ନିଜ ପ୍ରକୃତି ଅନୁଯାୟୀ ଚାଲନ୍ତି, ତେବେ ସ୍ୱେଚ୍ଛା କେଉଁଠି ? ଗୀତାର ଦୃଷ୍ଟିରେ, ସାଧାରଣ ଅବସ୍ଥାରେ ମନୁଷ୍ୟ ପ୍ରକୃତିର ଅଧୀନ; କିନ୍ତୁ ଆତ୍ମଜ୍ଞାନ ଦ୍ୱାରା ସେ ପ୍ରକୃତିକୁ ଉତ୍ତୀର୍ଣ୍ଣ ହୋଇପାରେ । ଏହିପରି, ସ୍ୱାଧୀନତା ବାହ୍ୟ ଦମନରେ ନୁହେଁ, ଆତ୍ମଜ୍ଞାନରେ ନିହିତ ।
ବିକାଶର ସୋପାନରେ ସବୁଠାରୁ ନିମ୍ନ ସୋପାନ ଉପରେ ଛିଡା ରହିଥିବା ଅନେକ ମନୁଷ୍ୟଙ୍କୁ ଏହି ମାର୍ଗ ଅନୁସରଣ କରିବା ଅସମ୍ଭବ ଲାଗିପାରେ । କାରଣ, ବିଷୟଗୁଡ଼ିକରେ ଆସକ୍ତି ତଥା ପାଶବିକ ପ୍ରବୃତ୍ତିଗୁଡିକରେ ସେମାନେ ଏଭଳି ବାନ୍ଧି ହୋଇଥାନ୍ତି ଯେ ସେଗୁଡିକ ହଠାତ୍ ତ୍ୟାଗ କରିବା ସେମାନଙ୍କ ପାଇଁ ସମ୍ଭବ ହୁଏ ନାହିଁ । କିନ୍ତୁ ଯେଉଁ ବ୍ୟକ୍ତି ନିକଟରେ କର୍ମ ପ୍ରତି ଉତ୍ସାହ ତଥା ଜୀବନରେ କିଛି ପାଇବାର ମହତ୍ତ୍ୱାକାଂକ୍ଷା ଅଛି, ସେହି ବ୍ୟକ୍ତି ହିଁ ଏହି ‘କର୍ମଯୋଗ’କୁ ନିଜ ଆଚରଣରେ ପ୍ରୟୋଗ କରି ସ୍ୱୟଂକୁ କୃତାର୍ଥ କରିପାରିବ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply