03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଝୁଲଣ ଯାତ୍ରା

1 min read

ଝୁଲଣ ଯାତ୍ରା.
ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ପ୍ରତିପଦା ଯାଏଁ ସାତଦିନ ହୁଏ| ସାତଦିନ ପାଳନ ହେବା ଵିଧି ଥିବାରୁ ଦଶମୀ ଠାରୁ ପ୍ରତିପଦା ମଧ୍ୟରେ ତିଥି କ୍ଷୟ ଥିଲେ ନବମୀ ତିଥିରୁ ପାଳନ କରାଯାଇ ପାରେ, କିନ୍ତୁ ଛଅ ଦିନ ଯାତ୍ରା କେବେ ହୁଏନାହିଁ |
ଏହି ଯାତ୍ରାର ପ୍ରଥମ ଦିନ ମାଧ୍ୟାହ୍ନ ଧୂପ ଶେଷ ହୋଇ ଭିତର ଧୋପଖାଳ ହେବା ପରେ ମଇଲମ ହୁଏ | ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ହୁଏ | ଏହି ସମୟରେ ଲକ୍ଷ୍ମୀ (ଶ୍ରୀଦେବୀ)ଓ ଭୁଦେବୀ ଦକ୍ଷିଣ ଘରେ ଖଟ ଶେଯ ଉପରେ ବିଜେ କଲେ ଦକ୍ଷିଣ ଘରୁ ମଦନ ମୋହନଙ୍କୁ ଏହାଙ୍କ ସଙ୍ଗେ ବିଜେ କରାଯାଏ |ତା ପରେ ସମସ୍ତଙ୍କୁ ଅଳଙ୍କାର ଲାଗି ହୁଏ |ଭିତର ବେଶ ବଢିଲା ପରେ ଶ୍ରୀଜଗନ୍ନାଥଙ୍କର ଉତ୍ତର ଭୁଜରେ ଦୁଇ ଖଣ୍ଡି ଓ ଦକ୍ଷିଣ ଭୁଜରେ ଖଣ୍ଡିଏ -ଏହିପରି ତିନି ଖଣ୍ଡି ମାଳାଆଜ୍ଞା ମାଳ ନିମନ୍ତେ ଲାଗି କରାଯାଏ | ଦକ୍ଷିଣ ଘରେ ପାଣି ପଡି ପୂଜା ଠା’ ସରିଲେ ବାହାର ଦେଉକି ରୋଷରୁ ଭୋଗ ଛାମୁକୁ ଆସେ |ଜଣେ ପୂଜାପଣ୍ଡା ତିନିଗୋଟି ସରାରେ ପ୍ରସ୍ତୁତ ଥିବା ତିନି ଗୋଟି ମାଣ୍ଡୁଅ ସର୍ପାମଣୋହି (ସମର୍ପଣ) କରନ୍ତି |ଏହାପରେ ଦକ୍ଷିଣ ଘରର ଅନ୍ୟ ଠାକୁର ମାନଙ୍କର ଭୋଗ ବଢିଥାଏ | ତା’ପରେ ଲକ୍ଷ୍ମୀ, ଭୁଦେବୀ,ଓ ମଦନମୋହନଙ୍କୁ ମହାଜନମାନେ ଭିତର ସିଂହାସନକୁ ବିଜେ କରାନ୍ତି | ତିନି ବାଡ଼ରେ କର୍ପୁର ଲାଗି ପରେ ସନ୍ଧ୍ୟା ଆଳତି ହୋଇଥାଏ |ପରେ ଜଣେ ପୂଜାପଣ୍ଡା ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞାମାଳ ମଦନମୋହନଙ୍କୁ ଓ ବାମ ଭୁଜରୁ ଆଜ୍ଞାମାଳ ଲକ୍ଷ୍ମୀ ଓ ଭୁଦେବୀଙ୍କୁ ଦିଅନ୍ତି | ଛାମୁ ଦିହୁଡି ସହ ଏହି ତିନି ଦେବଦେବୀଙ୍କୁ ମହାଜନ ମାନେ ଜଗମୋହନ ଦେଇ ବଟଦ୍ୱାର ବାଟେ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାନ୍ତି |ମୁକ୍ତି ମଣ୍ଡପରେ ଝୁଲଣ କୁଞ୍ଜ ଓ ଝୁଲଣ ଦୋଳା ନିର୍ମାଣ କରାଯାଇଥାଏ |ଦୋଳାରେ ଦେବଦେବୀ ବିଜେ କଲାପରେ ବିଡ଼ିଆ ମଣୋହି ହୁଏ ଓ ଦେବଦେବୀ ଦୋଳି ଖେଳନ୍ତି | ସନ୍ଧ୍ୟା ଧୂପ ଶେଷ ପରେ ଝୁଲଣ ମଣ୍ଡପ କୁଞ୍ଜରେ ପାଣି ପଡି ଟେରା ବନ୍ଧାଯାଇ ଶୀତଳ ଭୋଗ ଜଣେ ପୂଜାପଣ୍ଡା ପଞ୍ଚ ଉପଚାରରେ କରନ୍ତି |ଭିତରେ ଚନ୍ଦନ ଲାଗି ନୀତି ପରେ ମହାଜନ ମାନେ ମଇଲମ କରି ମଦନମୋହନଙ୍କୁ ଦକ୍ଷିଣ ଘରକୁ ଓ ଲକ୍ଷ୍ମୀ ଓ ଭୁଦେଵୀଙ୍କୁ ରତ୍ନ ସିଂହାସନକୁ ବିଜେ କରାଇ ନିଅନ୍ତି |
ଏହି ଝୁଲଣ ଯାତ୍ରା ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଜଣାଯାଏ |ଏହି ସାତ ଡିନର ଯାତ୍ରା ମଧ୍ୟରେ ଝୁଲଣ ଏକାଦଶୀ ଓ ଝୁଲଣ ପୂର୍ଣ୍ଣିମାରେ ସ୍ୱତନ୍ତ୍ର ପର୍ବ ପାଳିତ ହୁଏ |
ଜୟ ଜଗନ୍ନାଥ 🙏🙏
ଶ୍ରୀକାନ୍ତ ଦାଶ
ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ
Email: srikantadash.bpc@gmail.com

Share

Leave a Reply