ଶ୍ରୀମଦ୍ ଭଗବଦ୍ ଗୀତା ୨:୫୫ ଶ୍ଳୋକ : ପ୍ରଜହାତି ଯଦା କାମାନ୍…
1 min read
ଶ୍ରୀଭଗବାନୁବାଚ
ପ୍ରଜହାତି ଯଦା କାମାନ୍ ସର୍ବାନ୍ ପାର୍ଥ ମନୋଗତାନ୍ ।
ଆତ୍ମନ୍ୟେବାତ୍ମନା ତୁଷ୍ଟଃ ସ୍ଥିତପ୍ରଜ୍ଞସ୍ତଦୋଚ୍ୟତେ ॥
ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି – ହେ ଅର୍ଜୁନ ! ଯେତେବେଳେ ମନରେ ଉତ୍ପନ୍ନ ସମସ୍ତ କାମନାକୁ ମନୁଷ୍ୟ ପରିତ୍ୟାଗ କରେ ଏବଂ ଆତ୍ମା ଦ୍ୱାରା ହିଁ ଆତ୍ମାରେ ସନ୍ତୁଷ୍ଟ ରହେ, ସେତେବେଳେ ତାକୁ ସ୍ଥିତପ୍ରଜ୍ଞ ବୋଲି କୁହାଯାଏ ।
ଏହି ଶ୍ଳୋକରେ ଭଗବାନ କୃଷ୍ଣ ‘ସ୍ଥିତପ୍ରଜ୍ଞ’ ମନୁଷ୍ୟଙ୍କର ପ୍ରଥମ ଏବଂ ମୂଳ ଲକ୍ଷଣ ବର୍ଣ୍ଣନା କରିଛନ୍ତି । ସାଧାରଣ ମନୁଷ୍ୟର ମନ ସଦା କାମନା, ଆକାଂକ୍ଷା, ଭୋଗ ଓ ଆଶା-ଆକାଂକ୍ଷାରେ ଆବୃତ ଥାଏ । ଏହି କାମନାମାନେ ମନୁଷ୍ୟକୁ ଅଶାନ୍ତ, ଅସ୍ଥିର ଓ ଦୁଃଖୀ କରନ୍ତି । କିନ୍ତୁ ଯେଉଁ ମନୁଷ୍ୟ ସମସ୍ତ ମନୋଜନିତ କାମନାକୁ ପରିତ୍ୟାଗ କରିପାରେ, ସେ ଆତ୍ମାର ସତ୍ୟ ସ୍ୱରୂପକୁ ଅନୁଭବ କରେ । ଏହି ଅବସ୍ଥାରେ ସେ ବାହ୍ୟ ବିଷୟ, ଭୋଗ ବା ପ୍ରଶଂସା ଉପରେ ନିର୍ଭର କରେ ନାହିଁ । ତାହାର ସୁଖ ଆତ୍ମନିଭୃତ, ଅର୍ଥାତ୍ ନିଜ ଭିତରୁ ଉଦ୍ଭୂତ ହୋଇଥାଏ । ସ୍ଥିତପ୍ରଜ୍ଞ ମନୁଷ୍ୟ ଜଗତକୁ ତ୍ୟାଗ କରେ ନାହିଁ, ବରଂ ଜଗତ ଉପରେ ନିର୍ଭରତାକୁ ତ୍ୟାଗ କରେ ।

ସ୍ଥିତପ୍ରଜ୍ଞ ମନୁଷ୍ୟର କେବଳ ଧ୍ୟାନୀ ବା ସନ୍ନ୍ୟାସୀ ନୁହେଁ; ସେ ଗୃହସ୍ଥ, କର୍ମଜୀବୀ, ପିତା, ମାତା, ପୁତ୍ର ବା ନାଗରିକ ମଧ୍ୟ ହୋଇପାରେ । ଏ ପରିବାର ମଧ୍ୟରେ ଅଧିକାଂଶ କଳହ, ଅସନ୍ତୋଷ ଓ ଦୂରତାର ମୂଳ କାରଣ ହେଉଛି ଅତ୍ୟଧିକ କାମନା ଓ ଆଶା । ପୁତ୍ର-ପୁତ୍ରୀଙ୍କଠାରୁ ଅତିଆଶା, ଜୀବନସାଥୀଠାରୁ ସଦା ସ୍ୱୀକୃତି,ଏବଂ ଆତ୍ମସମ୍ମାନକୁ ଅନ୍ୟଙ୍କ ଆଚରଣ ସହ ଯୋଡ଼ିଦେବା ଆଦି କାମନା ।“ପ୍ରଜହାତି ଯଦା କାମାନ୍”- ଏହି ଶିକ୍ଷା ପରିବାରରେ ଲାଗୁ ହେଲେ, ମନୁଷ୍ୟ ଆଶାକୁ ତ୍ୟାଗ କରେ ନାହିଁ, କିନ୍ତୁ ଆଶାର ଆସକ୍ତିକୁ ତ୍ୟାଗ କରେ । ଫଳସ୍ୱରୂପ, ସମ୍ପର୍କ ଦାବି ଭିତ୍ତିକ ନୁହେଁ, ବୁଝାମଣା ଓ କରୁଣା ଭିତ୍ତିକ ହୁଏ । ଆତ୍ମନ୍ୟେବାତ୍ମନା ତୁଷ୍ଟଃ ପାରିବାରୀକ ଜୀବନରେ ଅର୍ଥ – ନିଜ ମନୋସନ୍ତୁଷ୍ଟି ପାଇଁ ସଦା ଅନ୍ୟଙ୍କ ଉପରେ ନିର୍ଭର ନ ହେବା । ଏମିତି ବ୍ୟକ୍ତି ପରିବାରରେ ଭାର ନୁହେଁ, ଭରସା ହୋଇଥାଏ ।
ସମାଜରେ ଅସନ୍ତୋଷ, ଇର୍ଷା, ଦ୍ୱନ୍ଦ୍ୱ ଓ ଅନ୍ୟାୟର ମୂଳ କାରଣ ହେଉଛି – ଅତ୍ୟଧିକ ଭୋଗ ଆକାଂକ୍ଷା, ସ୍ୱାର୍ଥପରତା, ଏବଂ ତୁଳନାମୂଳକ ମନୋଭାବ । ଯଦି ବ୍ୟକ୍ତି ନିଜ ମନକୁ ଶାସନ କରିପାରେ, ସେ ସମାଜକୁ ମଧ୍ୟ ସଂଯମ ଓ ସମତାର ପଥରେ ନେଇଯାଇପାରେ । ସ୍ଥିତପ୍ରଜ୍ଞ ବ୍ୟକ୍ତି ସମାଜରେ ଅଶାନ୍ତି ସୃଷ୍ଟି କରେ ନାହିଁ; ସେ ଅନ୍ୟଙ୍କୁ ଦେଖି ଈର୍ଷା କରେ ନାହିଁ, ନିଜ ସ୍ଥିରତାରେ ସମାଜକୁ ଶାନ୍ତ କରେ ।
ଗୀତା ୨:୫୫ ରେ ଭଗବାନ କୃଷ୍ଣ ସ୍ଥିତପ୍ରଜ୍ଞ ମନୁଷ୍ୟଙ୍କର ଲକ୍ଷଣ ବର୍ଣ୍ଣନା କରିଛନ୍ତି। ଯେତେବେଳେ ମନୁଷ୍ୟ ମନରେ ଉତ୍ପନ୍ନ ସମସ୍ତ କାମନାକୁ ପରିତ୍ୟାଗ କରେ ଓ ଆତ୍ମାରେ ନିଜେ ନିଜେ ସନ୍ତୁଷ୍ଟ ରହେ, ସେ ସ୍ଥିତପ୍ରଜ୍ଞ ବୋଲି କୁହାଯାଏ। ଏଠାରେ କାମନାକୁ ଦୁଃଖ ଓ ଅଶାନ୍ତିର ମୂଳ ଭାବେ ଦେଖାଯାଇଛି ଏବଂ ଆତ୍ମତୃପ୍ତିକୁ ସର୍ବୋଚ୍ଚ ସୁଖର ଆଧାର ଭାବେ ସ୍ଥାପିତ କରାଯାଇଛି।
ଏହି ଧାରଣା ବୌଦ୍ଧ ଦର୍ଶନ ସହ ଗଭୀର ସାମ୍ୟ ରଖେ। ବୁଦ୍ଧଦେବ ଚତୁରାର୍ଯ୍ୟ ସତ୍ୟରେ କହିଛନ୍ତି ଯେ ତୃଷ୍ଣା ହେଉଛି ସମସ୍ତ ଦୁଃଖର ମୂଳ। ତୃଷ୍ଣାର ନିରୋଧ ହେଲେ ଦୁଃଖର ନିରୋଧ ହୁଏ, ଯାହାକୁ ନିର୍ବାଣ କୁହାଯାଏ। ଗୀତାର କାମନା-ତ୍ୟାଗ ଓ ବୌଦ୍ଧ ତୃଷ୍ଣା-ନିରୋଧ -ଏହି ଦୁଇ ଧାରଣା ମାନସିକ ଆସକ୍ତିକୁ ତ୍ୟାଗ କରି ମୁକ୍ତିର ମାର୍ଗ ଦେଖାଏ ।
ଜୈନ ଦର୍ଶନ ମଧ୍ୟ ଗୀତା ୨:୫୫ ସହ ଗଭୀର ସମ୍ପର୍କ ରଖେ । ଜୈନ ଦାର୍ଶନିକତାରେ ରାଗ ଓ ଦ୍ୱେଷ କର୍ମବନ୍ଧନର ମୂଳ କାରଣ। ଯେପର୍ଯ୍ୟନ୍ତ ଆତ୍ମା ରାଗ–ଦ୍ୱେଷରେ ଆବୃତ, ସେପର୍ଯ୍ୟନ୍ତ ମୁକ୍ତି ସମ୍ଭବ ନୁହେଁ। ଯେତେବେଳେ ଏହି ଆସକ୍ତି ଓ ବିରକ୍ତି ନଷ୍ଟ ହୁଏ, ଆତ୍ମା ଶୁଦ୍ଧ ହୋଇ କୈବଲ୍ୟ ଅବସ୍ଥାକୁ ପହଞ୍ଚେ । ଏହି କୈବଲ୍ୟ ଅବସ୍ଥା ଗୀତାର ସ୍ଥିତପ୍ରଜ୍ଞତା ସହ ଗୁଣଗତ ଭାବେ ସମାନ – ଦୁହିଁ ଅବସ୍ଥାରେ ମନୁଷ୍ୟ ଆସକ୍ତିହୀନ, ଶାନ୍ତ ଓ ସମଦୃଷ୍ଟିମୟ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
