tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ବିନା ସତ୍ୟତାରେ ମିଥ୍ୟା ପ୍ରଚାର କରାଯାଉଛି: ହରିଚନ୍ଦନ

1 min read

ଭୁବନେଶ୍ୱର //TATKAL ODISHA//

ସୋସିଆଲ ମିଡ଼ିଆ ଆକାଉଣ୍ଟଗୁଡ଼ିକରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ବିନା ସତ୍ୟତାରେ ମିଥ୍ୟା ପ୍ରଚାର କରାଯାଉଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି I ଘଟଣାର ପ୍ରକୃତ ସତ୍ୟାସତ୍ୟ ଖୁବ୍ ଶୀଘ୍ର ପଦାକୁ ଆସିବ, ଯେଉଁମାନେ ବିନା ସ୍ପଷ୍ଟତାରେ ସୋସିଆଲ ମିଡିଆରେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା କରୁଛନ୍ତି, ସେମାନେ ଏଥିରୁ ଦୂରେଇ ରୁହିବାକୁ ପରାମର୍ଶ ଦେଇଛନ୍ତି I

  • ନିଜ ସୋସିଆଲ ମିଡିଆ ଆଇଡିରେ ସବୁ ତଥ୍ୟ ଓ ପ୍ରମାଣ ରଖିବା ସହ ଅପପ୍ରଚାର ଠାରୁ ଦୂରେଇ ରହି ସତ୍ୟ ଖବରକୁ ବିଶ୍ୱାସ କରିବା ପାଇଁ ପରାମର୍ଶ ଦେଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଲ
    • ପ୍ରଥମେ ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଯେଉଁ ମହିଳାଙ୍କ ଫୋଟୋ ଭାଇରାଲ କରାଯାଇ NEET ଅଭିଯୁକ୍ତ ବୋଲି ଦାବି କରାଯାଉଥିଲା, ତାହା ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ
    • କ୍ରୋଏସିଆରୁ ପରିଚାଳିତ ଏକ ଆକାଉଣ୍ଟ ଦ୍ୱାରା ଆମେରିକା ଥିବା ଏକ ଘର ସହ
    କେନ୍ଦ୍ରମନ୍ତ୍ରୀଙ୍କୁ ଯୋଡ଼ି ପ୍ରଚାର କରାଯାଉଥିବା ଖବର ତଥ୍ୟ ଅନୁଯାୟୀ ସମ୍ପୂର୍ଣ୍ଣ କାଳ୍ପନିକ ଓ ଭିତ୍ତିହୀନ
    • ଆମେରିକାରେ ରହୁଥିବା ଦମ୍ପତ୍ତି ରାଜେନ୍ଦ୍ର ମହାପାତ୍ର ଓ କୋମଳ ମହାପାତ୍ରଙ୍କ ସହ ମନ୍ତ୍ରୀଙ୍କର କୌଣସି ସମ୍ପର୍କ ନାହିଁ
    • ଭ୍ରମ ସୃଷ୍ଟି କରାଯାଉଥିବା ତଥା ଆମେରିକାରେ ରହୁଥିବା ରାଜେନ୍ଦ୍ର ମହାପାତ୍ର ଏବଂ ତାଳଚେର ମାଣିକମରାର ରାଜେନ୍ଦ୍ର କୁମାର ମହାପାତ୍ର ସମ୍ପୂର୍ଣ୍ଣ ଭିନ୍ନ ବ୍ୟକ୍ତି, ଯିଏ କେବେ ଜୀବନରେ ଆମେରିକା ଯାଇନାହାନ୍ତି
    • ଡକ୍ଟର ଆର୍. ଜୟରାମନ ଭିଡିଓ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ, ସେ କେବେ ମେଲରୋଜ୍ ଯାଇନାହାନ୍ତି କିମ୍ବା ମନ୍ତ୍ରୀ ଓ ତାଙ୍କ ପରିବାରକୁ କେବେ ଭେଟିନାହାନ୍ତି
    • ଅଯଥାରେ ତାଙ୍କ ନାଁ ଟଣାଯାଇଥିବା ଦର୍ଶାଇ ସେ ‘ଏକ୍ସ’ ପ୍ଲାଟଫର୍ମରୁ ମିଥ୍ୟା ପୋଷ୍ଟ ହଟାଇବା ସହ ଅପପ୍ରଚାରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ କଲେ ନିବେଦନ
    • ରାଜନୈତିକ ସଫଳତା ପ୍ରତି ଇର୍ଷାପରାୟଣ ହୋଇ ଛବି ମଳିନ କରିବା ପାଇଁ ହୋଇଛି ପ୍ରୟାସ

ବିଗତ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଢୁଥିବା ସୁନାମ ଓ ସ୍ୱଚ୍ଛ ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ନ୍ୟସ୍ତ ସ୍ୱାର୍ଥ ରଖିଥିବା ବିରୋଧୀ ଗୋଷ୍ଠୀ ଓ ସୋସିଆଲ ମିଡିଆ ମାଫିଆଙ୍କ ଦ୍ୱାରା ଏକ ଯୋଜନାବଦ୍ଧ ଅପପ୍ରଚାର କରାଯାଉଛି । ଶ୍ରୀ ପ୍ରଧାନଙ୍କ ବ୍ୟକ୍ତିତ୍ୱ ଏବଂ ସାମାଜିକ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବା ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ମନଗଢ଼ା ଓ ଭିତ୍ତିହୀନ ତଥ୍ୟ ସାଧାରଣରେ ପ୍ରସାର କରାଯାଉଛି, ଯାହା ପ୍ରକୃତ ଅନୁସନ୍ଧାନ ଓ ତଥ୍ୟ ଆଧାରରେ ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଛି ।

ଓଡ଼ିଶାର ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିବା ସହ ଘଟଣାର ପ୍ରକୃତ ସତ୍ୟାସତ୍ୟ ଖୁବ୍ ଶୀଘ୍ର ପଦାକୁ ଆସିବ ବୋଲି କହିଛନ୍ତି । ସେହିପରି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଲ ମଧ୍ୟ ଏ ସମ୍ପର୍କରେ ନିଜ ସୋସିଆଲ ମିଡିଆ ଆଇଡିରେ ଅପପ୍ରଚାରର ସବୁ ତଥ୍ୟ ଓ ପ୍ରମାଣ ରଖିବା ସହ ଅପପ୍ରଚାର ଠାରୁ ଦୂରେଇ ରହି ସତ୍ୟକୁ ବିଶ୍ୱାସ କରିବା ପାଇଁ କହିଛନ୍ତି ।

ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ହେଉଥିବା ଅପପ୍ରଚାର ଉପରେ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି “କଂଗ୍ରେସ ଏବଂ କିଛି ନିର୍ଦ୍ଦିଷ୍ଟ ଦଳ ବିଭିନ୍ନ ସମୟରେ ‘ଟୁଲ୍‌କିଟ୍’ ବ୍ୟବହାର କରି ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଅପପ୍ରଚାର କରନ୍ତି ଓ ଅପଶବ୍ଦ ମଧ୍ୟ କୁହନ୍ତି । ଅତୀତରେ ଏଭଳି ହୀନ ପ୍ରୟାସ କରି ମଧ୍ୟ ସେମାନେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ।

ପୁଣି ଥରେ ସେହିଭଳି ଏକ ମିଥ୍ୟା ପ୍ରଚାର କରି କେନ୍ଦ୍ର ସରକାରଙ୍କୁ ବଦନାମ କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି । କିନ୍ତୁ ମୋର ଦୃଢ ବିଶ୍ୱାସ, ଏଥିରେ ସେମାନେ ପୂର୍ବଭଳି କେବେ ମଧ୍ୟ ସଫଳ ହେବେ ନାହିଁ।”

ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯେ, ଏଭଳି ମିଥ୍ୟା ଅବତରଣ ଦ୍ୱାରା ଏକ କଦର୍ଯ୍ୟ ରାଜନୈତିକ ପରମ୍ପରା ସୃଷ୍ଟି କରାଯାଉଛି । ଯଦି ସୋସିଆଲ ମିଡ଼ିଆ ଆକାଉଣ୍ଟଗୁଡ଼ିକରେ ବିନା ସତ୍ୟତାରେ ଏଭଳି ମିଥ୍ୟା ଖବର ପ୍ରଚାର କରାଯିବ, ତେବେ ରାଜନୀତିର ଦିଗ କଳୁଷିତ ହେବ ଏବଂ ଭବିଷ୍ୟତରେ ଭଲ ଲୋକମାନେ ରାଜନୀତିକୁ ଆସିବାକୁ ସଙ୍କୋଚ କରିବେ । ଘଟଣାର ପ୍ରକୃତ ସତ୍ୟାସତ୍ୟ ଖୁବ୍ ଶୀଘ୍ର ପଦାକୁ ଆସିବ । ସେଥିପାଇଁ ଯେଉଁମାନେ ବିନା ସ୍ପଷ୍ଟତାରେ ସୋସିଆଲ ମିଡିଆରେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା ବା ଆଲୋଚନା କରୁଛନ୍ତି, ସେମାନେ ଏଥିରୁ ଦୂରେଇ ରୁହନ୍ତୁ ଏବଂ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀଙ୍କ ବାବଦରେ ମିଥ୍ୟା ପ୍ରଚାର କରିବାରୁ ସମ୍ପୂର୍ଣ୍ଣ ବିରତ ରୁହନ୍ତୁ ।

ପ୍ରଥମେ ସୋସିଆଲ ମିଡିଆରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଜଣେ ମହିଳାଙ୍କ ଫୋଟୋକୁ ଭାଇରାଲ କରି ଦାବି କରାଯାଉଥିଲା ଯେ, ସେହି ମହିଳା ଜଣକ ହେଉଛନ୍ତି ନିଟ୍ ପେପର ଲିକ୍ ମାମଲାର ଅଭିଯୁକ୍ତ ମନୀଷା ମନ୍ଧାରେ । କିନ୍ତୁ ଯାଞ୍ଚ ପରେ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଛି । ଫୋଟୋରେ ଥିବା ମହିଳା ଜଣକ ପ୍ରକୃତରେ ମହାରାଷ୍ଟ୍ର ବିଜେପି ଯୁବମୋର୍ଚ୍ଚାର ଉପାଧ୍ୟକ୍ଷ ତଥା ମଡର୍ଣ୍ଣ ପବ୍ଲିକ୍ ସ୍କୁଲର ପ୍ରିନ୍ସିପାଲ ନିବେଦିତା ଏକବୋଟେ ଅଟନ୍ତି, ଯାହା ଉପରେ ସେ ମଧ୍ୟ ସୋସିଆଲ ମିଡିଆରେ ନିଜ ସ୍ପଷ୍ଟୀକରଣ ରଖିସାରିଛନ୍ତି ।

ସେହିପରି କ୍ରୋଏସିଆରୁ ପରିଚାଳିତ “McLeanToQuantico” ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଆମେରିକାର ମେଲରୋଜ୍‌ରେ ଥିବା ଏକ ଘର ସହ କେନ୍ଦ୍ରମନ୍ତ୍ରୀଙ୍କୁ ଯୋଡ଼ି ଆଉ ଏକ ମିଥ୍ୟା କାହାଣୀ ପ୍ରସ୍ତୁତ କରାଯାଇଥିଲା । ସରକାରୀ ରେକର୍ଡ ଅନୁଯାୟୀ, ମେଲରୋଜ୍‌ରେ ରହୁଥିବା ବ୍ୟବସାୟୀ ଦମ୍ପତ୍ତି ରାଜେନ୍ଦ୍ର ମହାପାତ୍ର ଓ କୋମଳ ମହାପାତ୍ରଙ୍କ ସହ ମନ୍ତ୍ରୀଙ୍କର କୌଣସି ଆର୍ଥିକ ବା ବ୍ୟକ୍ତିଗତ ସମ୍ପର୍କ ନାହିଁ । ସେହିପରି ତାଳଚେରର ମାଣିକମରା ଅଞ୍ଚଳରେ ରହୁଥିବା ରାଜେନ୍ଦ୍ର କୁମାର ମହାପାତ୍ର କେନ୍ଦ୍ରମନ୍ତ୍ରୀଙ୍କ ସହ ପରିଚିତ ଥିଲେ ମଧ୍ୟ ସେ ଜୀବନରେ କେବେ ଆମେରିକା ଯାଇନାହାନ୍ତି କିମ୍ବା ଆମେରିକା ମେଲରୋଜରେ ରହୁଥିବା ଦମ୍ପତିଙ୍କ ସହ ତାଙ୍କର କୌଣସି ସମ୍ପର୍କ ଥିବାର ଠୋସ୍ ପ୍ରମାଣ ନାହିଁ ବୋଲି ତଥ୍ୟ ସାମ୍ନାକୁ ଆସିଛି ।

କେବଳ ନାମ ଓ ପଦବୀ ସମାନ ଥିବାରୁ ଏଭଳି ଭ୍ରମ ସୃଷ୍ଟି କରାଯାଇଛି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି, ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ଗଣମାଧ୍ୟମର ଏକ ପ୍ରତିନିଧି ଦଳ ନିଜର ନ୍ୟସ୍ତ ସ୍ୱାର୍ଥ ରଖି ଶ୍ରୀ ପ୍ରଧାନ ଏବଂ ତାଙ୍କ ପରିବାରର ଭଲ ଛବି ନଷ୍ଟ କରିବା ପାଇଁ ଏଭଳି ମିଥ୍ୟା ଓ ମନଗଢ଼ା କାହାଣୀ ପ୍ରଚାର କରୁଛନ୍ତି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଏହି ପ୍ରସଙ୍ଗରେ ଅଯଥାରେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ ତଥା ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ସିନିୟର ପ୍ରଫେସର ଡକ୍ଟର ଆର୍. ଜୟରାମନଙ୍କ ନାମକୁ ମଧ୍ୟ ଟଣାଯାଇଥିଲା । ଡକ୍ଟର ଜୟରାମନ ନିଜେ ଆଜି ଏକ ଭିଡିଓ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ, ସେ କେବେ ମେଲରୋଜ୍ ଯାଇନାହାନ୍ତି କିମ୍ବା ମାନ୍ୟବର ମନ୍ତ୍ରୀ କିମ୍ବା ତାଙ୍କ ପରିବାରକୁ କେବେ ଭେଟିନାହାନ୍ତି । କୋଏମପ୍ଟ ଏଡୁଟେକର ନିର୍ଦ୍ଦେଶକ ଥିବାରୁ ଅଯଥାରେ ତାଙ୍କ ନାଁ ଟଣାଯାଇଥିବା ସେ ଦର୍ଶାଇଛନ୍ତି । ସେ ‘ଏକ୍ସ’ ପ୍ଲାଟଫର୍ମରେ ଏହି ମିଥ୍ୟା ପୋଷ୍ଟକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଅନୁରୋଧ କରିବା ସହ ଅପପ୍ରଚାରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଏହି ସମସ୍ତ ସ୍ପଷ୍ଟୀକରଣକୁ ନେଇ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଲ ମଧ୍ୟ ଉଲ୍ଲେଖ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ହେଉଥିବା ହୀନ ପ୍ରୟାସକୁ ନିନ୍ଦା କରିଛନ୍ତି ।

ନିଟ୍ ଓ ଅନ୍ୟାନ୍ୟ ପରୀକ୍ଷାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବିରୋଧୀମାନେ ଏହା ଭୁଲିଯିବା ଉଚିତ ନୁହେଁ ଯେ, ଶ୍ରୀ ପ୍ରଧାନ ସର୍ବଦା ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ପରୀକ୍ଷାରେ ଅନିୟମିତତା ଜଣାପଡ଼ିବା ମାତ୍ରେ କେନ୍ଦ୍ରମନ୍ତ୍ରୀ କୌଣସି ତଥ୍ୟକୁ ନଚପାଇ ତୁରନ୍ତ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ । ବର୍ତ୍ତମାନ ସିବିଆଇ ଏହି ଘଟଣାରେ କିଛି ମୁଖ୍ୟ ସନ୍ଦିଗ୍ଧଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିସାରିଛି ଏବଂ ପେପର ସେଟିଂ ଓ ଟ୍ରାନ୍ସଲେସନ କରୁଥିବା ବ୍ୟକ୍ତିମାନେ ହିଁ ଏଥିପାଇଁ ଦାୟୀ ବୋଲି ସ୍ପଷ୍ଟ ହୋଇଛି । ଶିକ୍ଷା ମାଫିଆଙ୍କ ଷଡ଼ଯନ୍ତ୍ରକୁ ରୋକିବା ପାଇଁ ଆସନ୍ତା ବର୍ଷ ଠାରୁ ଓଏମଆର ସିଟ୍ ବଦଳରେ ସମ୍ପୂର୍ଣ୍ଣ ସିବିଟି ମୋଡ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି, ଯାହା ତାଙ୍କର ସଚ୍ଛୋଟତାକୁ ପ୍ରମାଣିତ କରୁଛି । କଂଗ୍ରେସ ସରକାର ଅମଳରେ ପେପର ଲିକ୍ ମାମଲାକୁ ଚପାଇ ଦିଆଯାଉଥିବା ବେଳେ ବର୍ତ୍ତମାନର ମନ୍ତ୍ରୀଙ୍କ କାର୍ଯ୍ୟକାଳରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନରେ ଅନେକ ବ୍ୟକ୍ତିବିଶେଷ ଓ ଶିକ୍ଷାବିତମାନେ ଏକଜୁଟ ହୋଇଛନ୍ତି । ଏଭଳି ଭିତ୍ତିହୀନ ଓ କଳ୍ପନାକଳ୍ପିତ ଅପପ୍ରଚାର ଦ୍ୱାରା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱଚ୍ଛ ଛବିକୁ କେବେ ମଧ୍ୟ ମଳିନ କରାଯାଇପାରିବ ନାହିଁ ଏବଂ ଆଗାମୀ ଦିନରେ ଏହି ଷଡ଼ଯନ୍ତ୍ରକାରୀଙ୍କ ପ୍ରକୃତ ଚେହେରା ନିଶ୍ଚୟ ଦିବାଲୋକକୁ ଆସିବ । ସାଧାରଣ ଜନତାଙ୍କୁ ଏଭଳି ଗୁଜବ ଓ ବିଦେଶୀ ଆକାଉଣ୍ଟ ଦ୍ୱାରା ପ୍ରେରିତ ମିଥ୍ୟା ଖବର ପ୍ରତି ବିଭ୍ରାନ୍ତ ନହେବାକୁ ଅନୁରୋଧ କରାଯାଇଛି ।

Share

Leave a Reply