tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ରାଜନୀତିରେ ସ୍ୱଚ୍ଛତା, ନିରପେକ୍ଷତାର ପ୍ରତୀକ ଥିଲେ ନୀଳମଣି ରାଉତରାୟ  

1 min read

oplus_136314880

  • ୧୦୬ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର//TATKAL ODISHA//

ରାଜନୀତିରେ ସ୍ୱଚ୍ଛତା, ନିରପେକ୍ଷତାର ପ୍ରତୀକ ଥିଲେ ନୀଳମଣି ରାଉତରାୟ I ସ୍ରୋତ ବିରୋଧରେ ପହଁରିବାର କଳାର ଶିକ୍ଷା ସେ ଦେଇଥିଲେ I ଏକ ନିଷ୍କଲଙ୍କ ମଣିଷ I କର୍ମଯୋଗୀ I ତାଙ୍କର ଜୀବନାଦର୍ଶ ବିଷୟରେ ଯୁବ ପୀଢ଼ି ଅନୁପ୍ରାଣିତ ହେବା ଆବଶ୍ୟକ I

     ରବିବାର ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୬ ତମ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ଏହି ମତ ପ୍ରକାଶ କରିଛନ୍ତି I 

ପୂର୍ବତନ ପୋଲିସ ମହାନିର୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ କହିଛନ୍ତି ଯେ, ନୀଳମଣି ବାବୁଙ୍କ ଭଳି ବ୍ୟକ୍ତିତ୍ୱ ଆଉ ଜନ୍ମ ହେବେ ନାହିଁ I ତାଙ୍କର ଜୀବନାଦର୍ଶ ବିଷୟରେ ଯୁବ ସମାଜ ଜାଣିବା ଉଚିତ I ସାରା ବର୍ଷ ତାଙ୍କର ଜୟନ୍ତୀ ପାଳନ ହେବା ଜରୁରୀ I 

   ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ କହିଛନ୍ତି ଯେ, ନୀଳମଣି ବାବୁ ରାଜନୀତିରେ ଯେଉଁ ଛାପ ଛାଡି ଯାଇଛନ୍ତି, ତାହା ଅନନ୍ୟ I ଏବର କଳୁଷିତ ରାଜନୀତିକ ସ୍ଥିତିରେ ତାଙ୍କ ନୀତିରେ ପ୍ରାସଙ୍ଗିକତା ରହିଛି I 

ଜୟଦେବ ଭବନରେ ଜୟନ୍ତୀ ମହୋତ୍ସବ

    ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ସମ୍ବାଦର ପୂର୍ବତନ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ନୀଳମଣି ବାବୁ ଜଣେ ସଫଳ ନାୟକ I ତାଙ୍କର ଜୀବନ ବେଶ ଘଟଣା ବହୁଳ I ସେ ଥିଲେ ପୂର୍ଣ୍ଣ ମଣିଷ I ସେ ରେଭେନ୍ସା କଲେଜରେ ପାଠ ପଢୁଥିଲାବେଳେ ପିଲାମାନଙ୍କୁ ଏକାଠି କରି ବ୍ରିଟିଶ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ I ସେତେବେଳେ ରେଭେନ୍ସା ଥିଲା ଏକ ନେତା ତିଆରି କାରଖାନା I ନୀଳମଣିବାବୁଙ୍କ ଭଳି ବହୁ ଭଲ ନେତା ସୃଷ୍ଟି ହୋଇଥିଲେ I ତେଣୁ ପୁଣି ଥରେ କଲେଜ ଗୁଡିକରେ ଛାତ୍ର ରାଜନୀତି ଆରମ୍ଭ ହେଲେ ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି  I ‘

ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟକାନ୍ତ ମିଶ୍ର କହିଛନ୍ତି ଯେ, ତାଙ୍କ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା I ଅତି ଭଲ ମଣିଷ I ସେ ଏପରି ବ୍ୟକ୍ତି ଥିଲେ ତାହା ଯୁବ ପିଢ଼ି ଜାଣିବା ଉଚିତ I

ପୂର୍ବତନ ମନ୍ତ୍ରୀ ତଥା ଏବର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ସେ ସ୍ରୋତ ବିରୋଧରେ ପହଁରିବାର କଳାର ଶିକ୍ଷା ଆମକୁ ଦେଇଥିଲେ I ସେଭଳି ବ୍ୟକ୍ତି ଓଡ଼ିଶାରେ ଆଉ ଥରେ ଜନ୍ମ ହେବା ଆବଶ୍ୟକ I’

ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ଆଜିର ରାଜନୀତି ବାତାବରଣ ବଦଳିଛି I ହଜିଯାଇଛି ମୂଲ୍ୟବୋଧ I ହେଲେ ନୀଳମଣି ବାବୁ ଥିଲେ ନିଆରା I ସେ ଥିଲେ ଏକ ନିଷ୍କଲଙ୍କ ମଣିଷ I କର୍ମଯୋଗୀ I ତାଙ୍କର ଜୀବନାଦର୍ଶ ବିଷୟରେ ଯୁବ ପୀଢ଼ି ଅନୁପ୍ରାଣିତ ହେବା ଆବଶ୍ୟକI

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି I

Share

Leave a Reply