tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍ ଭଗବଦ୍‌ ଗୀତା ୨:୪୬ ଶ୍ଳୋକ :ୟାବାନର୍ଥ ଉଦପାନେ..

1 min read

ୟାବାନର୍ଥ ଉଦପାନେ ସର୍ବତଃ ସମ୍ପ୍ଲତୋଦକେ ।
ତାବାନ୍ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ ॥

ଯେପରି ଜଳରେ ସମ୍ପୂର୍ଣ୍ଣ ଭରିଥିବା ବଡ଼ ଜଳାଶୟ ଥିବାବେଳେ ଛୋଟ କୂଅର ଆବଶ୍ୟକତା ପଡେନାହିଁ, ସେହିପରି ଜ୍ଞାନରେ ପରିପୂର୍ଣ୍ଣ ବ୍ରାହ୍ମଣ (ଜ୍ଞାନୀ)ଙ୍କ ପାଇଁ ସମସ୍ତ ବୈଦିକ କର୍ମକାଣ୍ଡର ଉପଯୋଗିତା ସୀମିତ ହୋଇଯାଏ ।
ବେଦରେ ଅନେକ ପ୍ରକାର କର୍ମକାଣ୍ଡ, ଯଜ୍ଞ, ବ୍ରତ ଓ ଏହାର ଫଳାଫଳ ବର୍ଣ୍ଣନା ରହିଅଛି । ଏଗୁଡିକ ମନୁଷ୍ୟକୁ ଧୀରେ ଧୀରେ ଉନ୍ନତି ପଥରେ ଆଣେ – ଏହା ଛୋଟ କୂଅ ପରି । କିନ୍ତୁ ଯେତେବେଳେ ଜଣେ ମଣିଷ ଆତ୍ମଜ୍ଞାନ ଲାଭ କରେ, ସେ ନିଜେ ଏକ ବିଶାଳ ଜଳାଶୟ ପରି ହୋଇଯାଏ । ସେଥିରେ ପୁନଃ ଛୋଟ କୂଅର ଆବଶ୍ୟକତା ରହିନଥାଏ । ଏଠାରେ “ବ୍ରାହ୍ମଣ” ଅର୍ଥ ଜାତି ନୁହେଁ, ବରଂ ବ୍ରହ୍ମଜ୍ଞାନୀ – ଯିଏ ସତ୍ୟକୁ ଅନୁଭବ କରିଛି ।
ଯେପର୍ଯ୍ୟନ୍ତ ମନୁଷ୍ୟ ତା’ର ଆନନ୍ଦ ସ୍ୱରୂପକୁ ଚିହ୍ନି ନାହିଁ, ସେ ପର୍ଯ୍ୟନ୍ତ ମୋହବଶତଃ ବିଷୟଗୁଡିକରେ ସେ ସୁଖକୁ ଖୋଜୁଥାଏ। ସେତେବେଳେ ବେଦ ଅର୍ଥାତ୍ କର୍ମକାଣ୍ଡ ତାକୁ ଅତ୍ୟନ୍ତ ଉପଯୋଗୀ ଜଣାପଡେ । କାରଣ, ସେଥିରେ ସ୍ୱର୍ଗାଦି ସୁଖ ପାଇବାର ଅନେକ ଉପାୟ ନିର୍ଦ୍ଦେଶ କରାଯାଇଛି । ଯଦି ଜଣେ ସାଧକ ଉପନିଷଦ ପ୍ରତିପାଦିତ ଆନନ୍ଦସ୍ୱରୂପ ଆତ୍ମାର ଅପରୋକ୍ଷ ଭାବରେ ଜ୍ଞାନ ପ୍ରାପ୍ତ କରିପାରେ, ତେବେ ତାକୁ କର୍ମକାଣ୍ଡରେ କୌଣସି ପ୍ରୟୋଜନ ଅଥବା ରୁଚି ରହେ ନାହିଁ । ଉପଭୋଗଜନିତ ସବୁ ଛୋଟ ଛୋଟ ସୁଖ ତା’ର ଆନନ୍ଦ ସ୍ୱରୂପରେ ହିଁ ସମାବିଷ୍ଟ ହୋଇଯାଏ । ଜ୍ଞାନ ଆସିଲେ ଆଚାର-ଅନୁଷ୍ଠାନ ସ୍ୱତଃସିଦ୍ଧ ଭାବେ ତାହାର ମଧ୍ୟରେ ଲୀନ ହୋଇଯାଏ ।


ସମାଜରେ ଅନେକ ସମୟ ମନୁଷ୍ୟ ରୀତି-ନୀତିକୁ ଏତେ ଗୁରୁତ୍ୱ ଦିଆଯାଏ ଯେ ମାନବିକତା ଓ ବିବେକ ଅଣଦେଖା ହୋଇଯାଏ। ଏହି ଶ୍ଳୋକ ଏହାକୁ ସୁଚିତ କରେ ଯେ – ଯଦି ସମାଜ ଜ୍ଞାନ, ବିବେକ ଓ ନ୍ୟାୟ ଦ୍ୱାରା ପରିପୂର୍ଣ୍ଣ ହୋଇଯାଏ, ତେବେ କଠୋର ଆଚାର-ବନ୍ଧନର ଆବଶ୍ୟକତା ଅପେକ୍ଷାକୃତ କମିଯାଏ । ଯେପରି ବଡ଼ ଜଳାଶୟ ଥିଲେ ଛୋଟ କୂଅର ମୂଲ୍ୟ ଅଳ୍ପ ହୋଇଯାଏ, ସେପରି ଜାଗୃତ ସମାଜରେ ଆଇନ ଓ ନିୟମ ଆତ୍ମସଂଯମରେ ଲୀନ ହୋଇଯାଏ ।
ସେହିପରି ପରିବାରରେ ମଧ୍ୟ ଅନେକ ରୀତି-ନୀତି, ପରମ୍ପରା ଓ ଆଚାର ରହିଛି । କିନ୍ତୁ ଗୀତା କହେ – ନିୟମ ପରିବାରକୁ ଚଲାଇଥାଏ, ଜ୍ଞାନ ପରିବାରକୁ ଜୀବନ୍ତ କରେ । ଯେଉଁ ପରିବାରରେ କେବଳ “କଣ କରିବା ଉଚିତ” ଉପରେ ଜୋର ଦିଏ, କିନ୍ତୁ “କାହିଁକି କରିବା ଉଚିତ” ଉପରେ ବିବେକ ଖଟାଇ ନଥାଏ, ସେଠାରେ ଦ୍ୱନ୍ଦ୍ୱ, ଭୟ ଓ ଅସନ୍ତୋଷ ଜନ୍ମ ନେଇଥାଏ । ଜ୍ଞାନସମ୍ପନ୍ନ ପରିବାରରେ ନିୟମ ଥାଏ, କିନ୍ତୁ ଦମନଭିତିକ ନୁହେଁ । ପରମ୍ପରା ଥାଏ, କିନ୍ତୁ ଅନ୍ଧବିଶ୍ୱାସ କବଳିତ ନୁହେଁ । ଆଦର ଥାଏ, କିନ୍ତୁ ଭୟ ଆଧାରିତ ନୁହେଁ । ଏପରି ପରିବାର ଏକ ପୂର୍ଣ୍ଣ ଜଳାଶୟ ପରି – ଯେଉଁଠାରେ ସମସ୍ତଙ୍କ ଆବଶ୍ୟକତା ସ୍ୱାଭାବିକ ଭାବେ ପୂରଣ ହୁଏ ।
ଗୀତା ୨:୪୬ କହେ – କର୍ମକାଣ୍ଡ ହେଉଛି ସାଧନ, ଜ୍ଞାନକାଣ୍ଡ ହେଉଛି ସିଦ୍ଧି । ଯେତେବେଳେ ସିଦ୍ଧି ଲାଭ ହୁଏ, ସାଧନ ସ୍ୱତଃସିଦ୍ଧ ଭାବେ ଅତିକ୍ରମିତ ହୋଇଯାଏ । ଏହା ହେଉଛି “ଛୋଟ କୂଅ” ଓ “ବଡ଼ ଜଳାଶୟ”ର ଦାର୍ଶନିକ ଉପମା । ଗୀତା ୨:୪୬ର “ବ୍ରାହ୍ମଣସ୍ୟ ବିଜାନତଃ” ଅର୍ଥ – ଯେଉଁ ବ୍ୟକ୍ତି ବ୍ରହ୍ମଜ୍ଞାନ ଲାଭ କରିଛି, ତା’ ପାଇଁ କର୍ମର ଆବଶ୍ୟକତା ନାହିଁ; କାରଣ କର୍ତ୍ତାଭାବ ହିଁ ଲୀନ ହୋଇଯାଇଛି । ଏଠାରେ ମୁକ୍ତି କୌଣସି କାର୍ଯ୍ୟର ଫଳ ନୁହେଁ, ବରଂ ଅଜ୍ଞାନର ନାଶ । ଗୀତା କର୍ମକୁ ସମ୍ପୂର୍ଣ୍ଣ ବାଦ କରେ ନାହିଁ। ଶ୍ରୀକୃଷ୍ଣ କହନ୍ତି – କର୍ମକୁ ଅନାସକ୍ତ ଭାବେ କର । ଦାର୍ଶନିକ ଭାବେ ଏହା – କର୍ମର ତ୍ୟାଗ ନୁହେଁ, କର୍ମଫଳ ଆଶାର ତ୍ୟାଗ।
ପ୍ଲାଟୋଙ୍କ Theory of Forms ଅନୁସାରେ – ଇନ୍ଦ୍ରିୟଗୋଚର ଜଗତ ଅପୂର୍ଣ୍ଣ ଓ ଛାୟାମାତ୍ର,ଯେଉଁଠାରେ ଆଦର୍ଶ ଜଗତ (Forms) ହେଉଛି ସତ୍ୟ । ଗୀତାର କର୍ମକାଣ୍ଡ ହେଉଛି ପ୍ଲାଟୋଙ୍କର ଛାୟା । ଗୀତାର ଜ୍ଞାନ ହେଉଛି Forms ର ସାକ୍ଷାତ୍କାର । ଯେତେବେଳେ ଦାର୍ଶନିକ Forms କୁ ଜାଣିନେଇଥାଏ, ସେ ଛାୟାକୁ ଆଶ୍ରୟ କରେ ନାହିଁ – ଏହା ଗୀତା ୨:୪୬ ସହ ସମାନ।
ସ୍ପିନୋଜା (Spinoza) କହନ୍ତି – ମନୁଷ୍ୟ ଦାସତ୍ୱରେ ରହେ କାରଣ ସେ ଅଜ୍ଞାନରେ ରହେ । ଯଥାର୍ଥ ଜ୍ଞାନ ମିଳିଲେ ମନୁଷ୍ୟ ମୁକ୍ତ ହୁଏ । ଗୀତାର ଜ୍ଞାନୀ ହେଉଛି ସ୍ପିନୋଜାର Free Man। କର୍ମକାଣ୍ଡ ହେଉଛି ଅପର୍ଯ୍ୟାପ୍ତ ଜ୍ଞାନ ଦ୍ୱାରା ସମ୍ପାଦିତ କାର୍ଯ୍ୟ ।
ହେଗେଲଙ୍କ ଦର୍ଶନରେ ନୀତି (Sittlichkeit) ଆଚାରରୁ ଆରମ୍ଭ ହୁଏ, କିନ୍ତୁ ଶେଷରେ Absolute Spirit ରେ ଲୀନ ହୁଏ । ଏହାର ଅର୍ଥ- ଆଚାର ଅତିକ୍ରମ ହୋଇ ଆତ୍ମଚେତନା ଆସେ । ଏହା ଗୀତାର ଜ୍ଞାନ ପରି ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply