ଆପାର୍ଟମେଣ୍ଟରେ ନିଆଁ : ଦାୟୀ କିଏ?
1 min read
Oplus_16908288
- ସର୍ଟସର୍କିଟ ଅଗ୍ନି ଦୁର୍ଘଟଣା ରୋକିବାରେ ସରକାର ସମ୍ପୂର୍ଣ ବିଫଳ?
- ଲକ୍ଷ୍ମୀସାଗର ବାସନ୍ତୀ ଅପାର୍ଟମେଣ୍ଟ ଅଗ୍ନି ଦୁର୍ଘଟଣା
- ++++++++++
- ଆନନ୍ଦ ମହାପାତ୍ର
- ++++++++++
ଡାକ୍ତରଖାନା, ଅପାର୍ଟମେଣ୍ଟ, ସରକାରୀ ଅନୁଷ୍ଠାନ, ଶିଳ୍ପ ଓ ବାଣିଜ୍ୟ ସଂସ୍ଥାମାନଙ୍କ ପାଇଁ ଓଡିଶାର ନିର୍ମାଣ ହୋଇଥିବା ବୃହତ ବୃହତ ଅଟ୍ଟାଳିକା ଗୁଡିକରେ ଦିନକୁ ଦିନ ଅଗ୍ନି ଦୁର୍ଘଟଣା ବୃଦ୍ଧି ପାଉଛି। ସେଥିପାଇଁ ପ୍ରବଳ ମାତ୍ରାରେ ଧନଜୀବନ ହାନିହେବା ଗୋଟିଏ ନିୟମିତ ଘଟଣାରେ ପରିଣତ ହେଲାଣି।
ଦୁର୍ଘଟଣା ଘଟିବା ପରେ ସରକାର ସଂଶୋଧନାତ୍ମକ ପଦକ୍ଷେପ ସ୍ୱରୂପ ଅଗ୍ନି ନିରାପତ୍ତା ବ୍ୟବସ୍ତାକୁ ସୁଦୃଢ କରିବା ପାଇଁ କହି ଆସୁଥିଲେବି ଆଶାନୁରୂପ ସଫଳତା ମିଳିନାହି। କିନ୍ତୁ ପ୍ରତିଷେଧକ ବ୍ୟବସ୍ତାକୁ ସୁଦୃଢ କରି ଅଗ୍ନି ଦୁର୍ଘଟଣାକୁ କିପରି ନିରାକରଣ କରାଯାଇ ପାରିବ ତା ଉପରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ସେଥିପାଇଁ ଲକ୍ଷ୍ମୀସାଗର ବାସନ୍ତୀ ଅପାର୍ଟମେଣ୍ଟରେ ଘଟିଥିବା ସର୍ଟ ସର୍କିଟ ଅଗ୍ନି ଦୁର୍ଘଟଣା ଆଜି ଆମକୁ ବିଚଳିତ କରୁଛି।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ଅଗ୍ନି ଦୁର୍ଘଟଣା ପଛର କାରଣ କଣ?
ଓଡିଶାରେ ଯେଉଁ ବଡ ବଡ ଅଗ୍ନି ଦୁର୍ଘଟଣା ଘଟିଛି, ତା’ର ୯୦ ପ୍ରତିଶତ ବିଦ୍ୟୁତ ସର୍ଟସର୍କିଟ ପାଇଁ ହୋଇଛି। ସର୍ଟସର୍କିଟ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ୨୦୦୧ରୁ ଏନର୍ଜି କଞ୍ଜରଭେସନ ଆଇନ ପ୍ରଣିତ ହୋଇଥିଲେ ବି ସଚେତନତା ଅଭାବ ତଥା କାର୍ଯ୍ୟକାରୀ ନହେବା କାରଣରୁ ସର୍ଟସର୍କିଟ ଅଗ୍ନି ଦୁର୍ଘଟଣା ଓଡିଶାରେ ବୃଦ୍ଧି ପାଇବାରେ ଲାଗିଛି।

ଏନର୍ଜି କଞ୍ଜରଭେସନ ଆଇନ, ୨୦୦୧ ଅନୁସାରେ ରାଜ୍ୟର ପ୍ରତେକ ବୃହତ ଅଟ୍ଟାଳିକାଗୁଡିକୁ ତିନି ବର୍ଷରେ ଥରେ ଏନର୍ଜି ଅଡିଟର ଦ୍ଵାରା ସେଫଟି ଓ ଗ୍ରୀନ ଅଡିଟ କରାଯିବା ବାଧ୍ୟତାମୂଳକ ହୋଇଥିଲେବି ତାହାକୁ ଓଡିଶାରେ ପାଳନ କରାଯାଉ ନାହି। ବୃହତ ଅଟ୍ଟାଳିକାର ମାଲିକ ଯଦି ନିଜ ବିଦ୍ୟୁତ ବ୍ୟବସ୍ତାକୁ ତିନି ବର୍ଷ ଅନ୍ତରରେ ଥରେ ଅଡିଟ ନକରନ୍ତି ତେବେ ଉକ୍ତ ଆଇନ ଅନୁସାରେ ଦଣ୍ଡ ବ୍ୟବସ୍ତା ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଓଡିଶାରେ ଏନର୍ଜି ଅଡିଟ ନହେବା ପାଇଁ କୌଣସି ବୃହତ ଅଟ୍ଟାଳିକା ମାଲିକଙ୍କୁ ଆଜି ପର୍ଯ୍ୟନ୍ତ ଦଣ୍ଡିତ କରାଯାଇ ନାହି। ଏନର୍ଜି ଅଡିଟର ମାନକୁ ବୁରୋ ଅଫ ଏନର୍ଜି ଏଫିସୀଏନ୍ସି (ବିଇଇ) ଲାଇସେନ୍ସ ଦେଇଥାନ୍ତି। ଓଡିଶାରେ ଆମର ବହୁତ ବନ୍ଧୁ ଓ ବାନ୍ଧବୀଙ୍କ ପାଖରେ ଏନର୍ଜି ଅଡିଟର ଲାଇସେନ୍ସ ଥିଲେବି ସେମାନଙ୍କୁ କୌଣସି ବୃହତ ଅଟ୍ଟାଳିକା ମାଲିକ ଖୋଜନ୍ତି ନାହି। ଏଥିରୁ ସ୍ପଷ୍ଟ ଅନୁମେୟ ଓଡିଶାରେ ଥିବା ବୃହତ ଅଟ୍ଟାଳିକା ଗୁଡିକରେ ବିଦ୍ୟୁତ ଯୋଗାଣ ବ୍ୟବସ୍ତା ଦୁର୍ବଳ ରହିଛି। ତେଣୁ ବାରମ୍ବାର ସର୍ଟସର୍କିଟ ହୋଇ ଅଗ୍ନି ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଛି।
ଲକ୍ଷ୍ମୀସାଗର ବାସନ୍ତୀ ଆପାର୍ଟମେଣ୍ଟର ସର୍ଟସର୍କିଟ ଅଗ୍ନି ଦୁର୍ଘଟଣା (ଦ୍ୱିତୀୟ ଭାଗ-ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ)
“ଓଡ଼ିଶା ସରକାରଙ୍କ ଅଗ୍ନି ନିରାପତ୍ତା ବାବୁମାନେ ବୃହତ୍ ଅଟ୍ଟାଳିକାଗୁଡିକୁ ଯାଞ୍ଚ କଲାବେଳେ, ଅଟ୍ଟାଳିକାର ବିଦ୍ୟୁତ୍ ବ୍ୟବସ୍ଥା ଯାଞ୍ଚ ସାର୍ଟିଫିକେଟ ଏନର୍ଜି ଅଡିଟର୍ ଠାରୁ କେବେ ଅପେକ୍ଷା କରିଛନ୍ତି କି? ଯଦି କରିନାହାନ୍ତି, ତେବେ ଏପରି ଆଇନ ବିଷୟରେ ସେମାନଙ୍କର ଜ୍ଞାନ ଅଛି କି? ଯଦି ଅଛି ତେବେ ସେମାନେ ଏନର୍ଜି ଅଡିଟର୍ ମାନଙ୍କର ବୈଠକ କେବେ ଡାକିଛନ୍ତି କି? ଏସବୁ ପ୍ରଶ୍ନର ଉତ୍ତର ଆବଶ୍ୟକ ହୋଇ ପଡିଛି।”
ସର୍ଟସର୍କିଟ ପାଇଁ ଅଗ୍ନି ଦୁର୍ଘଟଣା ଘଟିବାର ଅନ୍ୟ ଏକ କାରଣ ହେଉଛି ବିଦ୍ୟୁତଯାନ (ଇଭି) ଚାରଜିଙ୍ଗ ବ୍ୟାଟେରୀ। ଇଭି ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ଓଡିଶାରେ ବହୁତଗୁଡିଏ ସୁଲଭମୂଲ୍ୟର ଚାରଜିଙ୍ଗ ଷ୍ଟେସନ ପ୍ରତିଷ୍ଠା ହୋଇଥିଲେବି ସଚେତନତା ଅଭାବରୁ ଇଭି ମାଲିକମାନେ ତାର ଲାଭ ଉଠାଉ ନାହାନ୍ତି। ଅଧିକ ମୂଲ୍ୟ ପରିଶୋଧ କରି ବେଆଇନ ଭାବେ ନିଜ ଘରେ ଚାର୍ଜ କରୁଛନ୍ତି। ଇଭି ବ୍ୟାଟେରୀକୁ ନିଜ ଘରେ ଚାର୍ଜ କରିବା ପାଇଁ ସ୍ଵତନ୍ତ୍ର ଭାବେ ବିଦ୍ୟୁତ ସଂଯୋଗ ଓ ମିଟର ଆବଶ୍ୟକ ହୋଇଥିଲେବି ଇଭି ମାଲିକମାନେ ତାହା କରୁନାହାନ୍ତି।
ନିଜ ଘର ପାଇଁ ଉଦ୍ଧିଷ୍ଟ ଗ୍ରୀଡ ବିଦ୍ୟୁତ ସଂଯୋଗରେ ଇଭି ବ୍ୟାଟେରୀ ଚାର୍ଜ କରିବା ଦ୍ଵାରା ହଠାତ ଲୋଡ ବୃଦ୍ଧିଯାଇ ସର୍ଟସର୍କିଟ ଆଶଙ୍କା ସୃଷ୍ଟି କରୁଛି କିନ୍ତୁ ସଚେତନତା ଅଭାବରୁ ଇଭି ମାଲିକମାନେ ତାହା ଜାଣି ନାହାନ୍ତି।
ବାସନ୍ତୀ ଅପାର୍ଟମେଣ୍ଟରେ ଘଟିଥିବା ଅଗ୍ନି ଦୁର୍ଘଟଣା ପଛରେ ଥିବା ଅନ୍ୟ ଏକ କାରଣ ହେଉଛି, ସ୍ଵତନ୍ତ୍ର ବିଦ୍ୟୁତ ସଂଯୋଗ ନଥାଇ ଇଭି ବ୍ୟାଟେରୀ ଚାର୍ଜ କରିବା।
ସାମ୍ପ୍ରତିକ ପରିସ୍ଥିତିରେ ଓଡିଶାରେ ସର୍ଟସର୍କିଟ ଅଗ୍ନି ଦୁର୍ଘଟଣାକୁ ନିରାକରଣ କରିବା ପାଇଁ ରାଜ୍ୟସରକାର ବୃହତ ଅଟ୍ଟାଳିକା ଗୁଡିକର ଏନର୍ଜି ଅଡିଟ ବାଧ୍ୟତାମୂଳକ କରନ୍ତୁ ଓ କେହି ଅମାନ୍ୟ କଲେ ତାଙ୍କୁ ଦଣ୍ଡିତ କରନ୍ତୁ। ଏହା ହୋଇପାରିଲେ ଓଡିଶାରେ ଘଟୁଥିବା ଅଗ୍ନି ଦୁର୍ଘଟଣା ନିରାକରଣ ହୋଇପାରିବ। ଜୟ ଜଗନ୍ନାଥ। ନମସ୍ତେ।
ଶକ୍ତି ସମୀକ୍ଷକ, ଆନନ୍ଦ ମହାପାତ୍ର
