ଶ୍ରୀମଦ୍ ଭଗବଦ୍ ଗୀତା ୨: ୨୬ ଶ୍ଳୋକ :ଅଥ ଚୈନଂ ନିତ୍ୟଜାତଂ..
1 min read
ଅଥ ଚୈନଂ ନିତ୍ୟଜାତଂ ନିତ୍ୟଂ ବା ମନ୍ୟସେ ମୃତମ୍ ।
ତଥାପି ତ୍ୱଂ ମହାବାହୋ ନୈନଂ ଶୋଚିତୁମର୍ହସି ॥
ହେ ମହାବାହୁ ଅର୍ଜୁନ ! ଯଦି ତୁମେ ଭାବୁଛ ଯେ ଆତ୍ମା ସଦା ଜନ୍ମ ନେଇଥାଏ ଓ ସଦା ମରେ, ତଥାପି ମଧ୍ୟ ତୁମେ ଶୋକ କରିବା ଉଚିତ ନୁହେଁ ।
ଜଣେ ସାଧାରଣ ମନୁଷ୍ୟ ଶରୀରକୁ ମରଣଶୀଳ ଓ ଆତ୍ମାକୁ ଅବିନାଶୀ ରୂପେ କଳ୍ପନା କରିବା କଷ୍ଟକର । ତେଣୁ ପୂର୍ବ ଶ୍ଳୋକମାନଙ୍କରେ ଆତ୍ମାର ଅମରତ୍ୱ ବିଷୟରେ କହିଥିବା ଶ୍ରୀକୃଷ୍ଣ ବିପରୀତ ଧାରଣା ଅର୍ଥାତ୍ – ଆତ୍ମା ନଶ୍ୱର ବୋଲି କହି ମଧ୍ୟ ଅର୍ଜୁନଙ୍କ ଶୋକକୁ ଅଯୁକ୍ତିସଙ୍ଗତ ବୋଲି ପ୍ରମାଣ କରୁଛନ୍ତି । ଯଦି ଆତ୍ମା ପ୍ରତି ଜନ୍ମରେ ଉତ୍ପନ୍ନ ହୁଏ ଓ ମୃତ୍ୟୁ ସହ ନଷ୍ଟ ହୋଇଯାଏ, ତେବେ ମଧ୍ୟ ଜନ୍ମ ଓ ମୃତ୍ୟୁ ଜୀବନର ସ୍ୱାଭାବିକ ନିୟମ । ତେଣୁ ସ୍ୱାଭାବିକ ଘଟଣା ପାଇଁ ଶୋକ କରିବା ଅଯୁକ୍ତିକର ।
ମନୁଷ୍ୟ ଶୋକ କରେ କାରଣ ସେ ପରିବର୍ତ୍ତନକୁ ଗ୍ରହଣ କରିପାରେ ନାହିଁ । ଏହି ଶ୍ଳୋକ ଶିଖାଏ – ପରିବର୍ତ୍ତନ ଅଟଳ, ତେଣୁ ତାହାକୁ ନେଇ ଶୋକ ଅନାବଶ୍ୟକ । ଜୀବନକୁ ଯଦି ଜନ୍ମ–ମୃତ୍ୟୁର ଏକ ଧାରା ବୋଲି ମାନିନିଆଯାଏ, ତେବେ କର୍ତ୍ତବ୍ୟ କରିବା ହିଁ ପ୍ରଧାନ । ଫଳ କିମ୍ବା ବିନାଶ ଭୟରେ କର୍ମ ବନ୍ଦ କରିଦେବା ଉଚିତ ନୁହେଁ – ଏହା ଏହି ଶ୍ଳୋକର ମୂଳ ଶିକ୍ଷା ।
ଗୀତା ୨:୨୬ ରେ ଶ୍ରୀକୃଷ୍ଣ ଜନ୍ମ–ମୃତ୍ୟୁକୁ ଜୀବନର ଏକ ସ୍ୱାଭାବିକ ଓ ନିୟମିତ ପ୍ରକ୍ରିୟା ବୋଲି ଦେଖାଇଛନ୍ତି । ସାମାଜିକ ଦୃଷ୍ଟିରୁ ଏହାର ଅର୍ଥ ହେଉଛି – ସମାଜ ଯଦି ମୃତ୍ୟୁକୁ ଏକ ଅପରିହାର୍ଯ୍ୟ ସତ୍ୟ ଭାବେ ଗ୍ରହଣ କରିନିଏ, ତେବେ ଅତିରିକ୍ତ ଶୋକ, ଭୟ ଓ ହତାଶା ସମାଜିକ କାର୍ଯ୍ୟକୁ ଅବରୋଧ କରିପାରିବ ନାହିଁ । ପରିବାର ହେଉଛି ମନୁଷ୍ୟର ପ୍ରଥମ ସାମାଜିକ ଏକକ । ଏଠାରେ ମୃତ୍ୟୁ, ବିଚ୍ଛେଦ ସବୁଠୁ ଗଭୀର ଆଘାତ ଦେଇଥାଏ । ଗୀତା ୨:୨୬ ର ଶିକ୍ଷା ପାରିବାରିକ ସମ୍ବନ୍ଧରେ କୁହେ – ଶୋକ ସ୍ୱାଭାବିକ, କିନ୍ତୁ ଶୋକରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିବା ପାରିବାରିକ ଦାୟିତ୍ୱକୁ ନଷ୍ଟ କରେ । ଏକ ପରିବାରରେ ଯଦି ଜଣେ ମୁଖ୍ୟ ସଦସ୍ୟ ମୃତ୍ୟୁବରଣ କରନ୍ତି, ଏବଂ ଅନ୍ୟ ସଦସ୍ୟମାନେ ଯଦି ଦୀର୍ଘ ସମୟ ଶୋକରେ ଅଚଳ ରହିଯାଆନ୍ତି, ତେବେ ପରିବାରର ଆର୍ଥିକ, ମାନସିକ ଓ ନୈତିକ ଗଠନ ଭାଙ୍ଗିପଡିବ । ଏହି ଶ୍ଳୋକ ପରୋକ୍ଷରେ ଶିଖାଏ – ଶୋକକୁ ସ୍ୱୀକାର କର, କିନ୍ତୁ ଦାୟିତ୍ୱକୁ ତ୍ୟାଗ କରନାହିଁ ।
ଦାର୍ଶନିକ ଭାବେ ଏହି ଶ୍ଳୋକ ସତ୍ତା (Being) ଓ ପରିବର୍ତ୍ତନ (Becoming) ମଧ୍ୟରେ ଥିବା ସମ୍ପର୍କକୁ ପ୍ରତିପାଦନ କରେ । ଯଦି ଆତ୍ମା ଜନ୍ମ ଓ ମୃତ୍ୟୁର ଚକ୍ରରେ ରୁହେ, ତେବେ ପରିବର୍ତ୍ତନ ହିଁ ସତ୍ୟ । ଏହି ପରିବର୍ତ୍ତନକୁ ଅସ୍ୱୀକାର କରି ଶୋକ କରିବା ମନୁଷ୍ୟର ଅଜ୍ଞାନତାର ପରିଚୟ । ହେରାକ୍ଲିଟସ୍ କହିଥିଲେ -“Everything flows” (ପରିବର୍ତ୍ତନ ହିଁ ଏକମାତ୍ର ସ୍ଥାୟୀ ସତ୍ୟ)। ଗୀତା ୨:୨୬ ମଧ୍ୟ ଏହି ଧାରଣାକୁ ସ୍ୱୀକାର କରେ – ଯଦି ଆତ୍ମା ନିତ୍ୟଜାତ ଓ ନିତ୍ୟମୃତ, ତେବେ ଜନ୍ମ–ମୃତ୍ୟୁ ଏକ ଅବିରତ ପ୍ରବାହ । ତେଣୁ ପରିବର୍ତ୍ତନକୁ ସ୍ୱାଭାବିକ ଭାବେ ଗ୍ରହଣ କରିନେବା ଉଚିତ । ଏପିକ୍ୟୁରସ୍ (Epicurus) କହିଥିଲେ – “ମୃତ୍ୟୁ ଆସିଲେ ଆମେ ନଥାଉ, ଆମେ ଥିଲେ ମୃତ୍ୟୁ ନଥାଏ।”ଗୀତା ୨:୨୬ ମଧ୍ୟ ଏହି ତର୍କକୁ ସ୍ୱୀକାର କରେ – ମୃତ୍ୟୁ ଯଦି ନିତ୍ୟ, ତେବେ ତାହାକୁ ନେଇ ଶୋକ ଅର୍ଥହୀନ ।
ଶ୍ରୀକୃଷ୍ଣ ଏହି ଶ୍ଳୋକରେ କହୁନାହାନ୍ତି – “ଆତ୍ମା ଅମର, ତେଣୁ ଶୋକ କରନି”। ସେ କହୁଛନ୍ତି – “ଧରନିଆଯାଉ ଯେ ଆତ୍ମା ନଶ୍ୱର, ତଥାପି ଶୋକ ଯୁକ୍ତିସଙ୍ଗତ ନୁହେଁ।” Freud ଙ୍କ ମତରେ ଅତ୍ୟଧିକ ଶୋକ ମାନସିକ ଅସନ୍ତୁଳନର କାରଣ । ଗୀତା ୨:୨୬ ଏହି ମନୋବିଶ୍ଳେଷଣାତ୍ମକ ଧାରଣା ସହ ଏକମତ ହୋଇ କହିଥାଏ – ଶୋକ ଯଦି ଜୀବନକୁ ଅଚଳ କରେ, ସେ ଅସ୍ୱାସ୍ଥ୍ୟକର । ଗୀତା ଶୋକକୁ ଅସ୍ୱୀକାର କରେ ନାହିଁ, କିନ୍ତୁ ଶୋକର ଆଧିପତ୍ୟକୁ ଅସ୍ୱୀକାର କରେ ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
