03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨: ୧୨ ଶ୍ଳୋକ : ନ ତ୍ୱେବାହଂ ଜାତୁ ନାସଂ..

1 min read

ନ ତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେମେ ଜନାଧିପାଃ ।
ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍ ॥

ହେ ଅର୍ଜୁନ ! କେବେ ଏମିତି ସମୟ ନ ଥିଲା ଯେତେବେଳେ ମୁଁ ନ ଥିଲି, ତୁମେ ନ ଥିଲେ କିମ୍ବା ଏହି ସମସ୍ତ ରାଜାମାନେ ନ ଥିଲେ । ଏବଂ ଆଗାମୀ ଏପରି ଏମିତି ଦିନ ଆସିବ ନାହିଁ ଯେତେବେଳେ ଆମେ ସମସ୍ତେ ରହି ନଥିବା ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଆତ୍ମାର ଚିରନ୍ତନ ଅସ୍ତିତ୍ୱ ବିଷୟରେ ଘୋଷଣା କରୁଛନ୍ତି । ଶରୀର ଜନ୍ମ ନେଇଥାଏ, ବୃଦ୍ଧି ହୁଏ ଓ ନଶ୍ୱର ହୁଏ; କିନ୍ତୁ ଆତ୍ମା କେବେ ଜନ୍ମ ନିଏନାହିଁ, କେବେ ମୃତ୍ୟୁ ବରଣ କରେନାହିଁ । ଅର୍ଜୁନ ଯେଉଁ ଶୋକରେ ରହିଥିଲେ, ସେ ଶୋକର ମୂଳ କାରଣ ଥିଲା – ଶରୀରକୁ ଆତ୍ମା ରୂପେ ଭାବିବା । ଶ୍ରୀକୃଷ୍ଣ କେବଳ ନିଜର ବା ଅର୍ଜୁନଙ୍କ ନୁହେଁ, ସମସ୍ତ ଜନଙ୍କ ଆତ୍ମାର ନିତ୍ୟତାକୁ ସ୍ପଷ୍ଟ କରିଛନ୍ତି । ଏହା ଦ୍ୱାରା ସେ କହୁଛନ୍ତି – ଜୀବନ ଏକ ଧାରା, ଯାହା ରୂପ ବଦଳାଏ, କିନ୍ତୁ ସତ୍ତା ନଷ୍ଟ ହୁଏନାହିଁ । ଯେହେତୁ ଆତ୍ମା କେବେ ନଷ୍ଟ ହୁଏନାହିଁ, ତେଣୁ ମୃତ୍ୟୁ ପାଇଁ ଶୋକ କରିବା ଅବିବେକପୂର୍ଣ୍ଣ । ଆଜିର ମଣିଷ ଭୟ, ଅନିଶ୍ଚିତତା ଓ ମୃତ୍ୟୁଭୀତିରେ ଆକ୍ରାନ୍ତ । ଏହି ଶ୍ଳୋକ ଆମକୁ ଶିଖାଏ – “ତୁମେ ଶରୀର ନୁହେଁ, ତୁମେ ଚିରନ୍ତନ ସଚେତନ ସତ୍ତା । ”ଏହି ବୋଧ ଜୀବନକୁ ଭୟହୀନ, କର୍ତ୍ତବ୍ୟନିଷ୍ଠ ଓ ସମତାମୟ କରେ ।
ସମାଜରେ ମଣିଷ ପ୍ରାୟତଃ ପଦ, ଧନ, ଜାତି, ଧର୍ମ ଓ ପରିଚୟକୁ ନେଇ ଭେଦଭାବ ସୃଷ୍ଟି କରେ । କିନ୍ତୁ ଗୀତା ୨:୧୨ ଆମକୁ ସୂଚିତ କରେ ଯେ ସମସ୍ତ ମଣିଷଙ୍କ ମୂଳ ସତ୍ତା ଏକ, ସେହି ଅବିନାଶୀ ଆତ୍ମା । ଯଦି ସମାଜ ଏହି ସତ୍ୟକୁ ଅନୁଭବ କରିବ, ତେବେ ଉଚ୍ଚ-ନୀଚ, ଶକ୍ତିଶାଳୀ-ଦୁର୍ବଳ ଭେଦ ଅର୍ଥହୀନ ହୋଇଯିବ । ଏହି ଶ୍ଳୋକ ସାମାଜିକ ସମତା, ସହଅସ୍ତିତ୍ୱ ଓ ମାନବିକତାର ଆଧାର ସୃଷ୍ଟି କରେ ।
ପରିବାର ମଣିଷର ପ୍ରଥମ ସାମାଜିକ ଏକକ । ପରିବାରରେ ମୋହ, ଆସକ୍ତି ଓ ଅତିରିକ୍ତ ମମତା ଅନେକ ସମୟ ଦୁଃଖ ଓ ସଂଘର୍ଷର କାରଣ ହୁଏ । ଅର୍ଜୁନଙ୍କ ଦ୍ୱନ୍ଦ୍ୱ ମଧ୍ୟ ପାରିବାରିକ ସମ୍ପର୍କରୁ ଜନ୍ମିଥିଲା – ପିତାମହ, ଗୁରୁ, ଭାଇମାନଙ୍କ ପ୍ରତି ଆସକ୍ତି । ଗୀତା ୨:୧୨ ପାରିବାରିକ ଜୀବନକୁ ଏହି ଶିକ୍ଷା ଦିଏ ଯେ ସମ୍ପର୍କ ରଖିବା ସହିତ ଆତ୍ମିକ ବିବେକ ରଖିବା ଆବଶ୍ୟକ । ଯେଉଁଠାରେ ଆତ୍ମା ଚିରନ୍ତନ, ସେଠାରେ ମୃତ୍ୟୁକାଳୀନ ବିଦାୟ ଭୟଙ୍କର ନୁହେଁ; ଏହି ବୋଧ ପରିବାରକୁ ଶୋକରୁ ଶାନ୍ତି ଦିଗକୁ ନେଇଯାଏ । ଆତ୍ମାର ନିତ୍ୟତାକୁ ମନେ ରଖିଲେ, ମଣିଷ ଶୋକ ଓ ଭୟକୁ ଜୟ କରି ଏକ ଉତ୍ତମ, ସୁସଂସ୍କୃତ ସମାଜ ଗଢ଼ିପାରିବ।
ଶ୍ରୀକୃଷ୍ଣ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ – ତିନି କାଳକୁ ଏକ ସୂତ୍ରରେ ବାନ୍ଧି ଆତ୍ମାର ଚିରନ୍ତନ ସ୍ୱରୂପକୁ ଉଦ୍‌ଘାଟିତ କରିଛନ୍ତି । ଏହା କେବଳ ଅର୍ଜୁନଙ୍କ ଶୋକ ନିବାରଣ ନୁହେଁ, ମାନବ ଅସ୍ତିତ୍ୱର ମୂଳ ପ୍ରଶ୍ନର ଦାର୍ଶନିକ ଉତ୍ତର । ଆତ୍ମା କାଳର ଅଧୀନ ନୁହେଁ। “ନ ତ୍ୱେବାହଂ ଜାତୁ ନାସଂ” କହି ଶ୍ରୀକୃଷ୍ଣ ସ୍ପଷ୍ଟ କରନ୍ତି ଯେ ଆତ୍ମା କାଳର ଅଧୀନ ନୁହେଁ, ସେ ନାଶବାନ୍ ହୋଇପାରେ ନାହିଁ । ସେ ଅବିନାଶୀ । ଆତ୍ମା ନିତ୍ୟ ହୋଇଥିବାରୁ କର୍ତ୍ତବ୍ୟ ମଧ୍ୟ ନିତ୍ୟ । ଏହି ଶ୍ଳୋକ ନିଷ୍କ୍ରିୟତାକୁ ନୁହେଁ, ବରଂ କର୍ମକୁ ଆତ୍ମିକ ଆଧାର ଦେଇଥାଏ । ଆତ୍ମା ଅମର ଥିବାରୁ କର୍ମ ଅର୍ଥହୀନ ହୁଏନାହିଁ; ବରଂ ଭୟହୀନ ଓ ନିଷ୍କାମ ହୋଇ କର୍ମ କରିବାକୁ ପ୍ରେରଣା ମିଳେ।
ତେବେ ଆତ୍ମା କ’ଣ ? ଶ୍ରୀମଦ୍ଭଗବଦ୍‌ଗୀତା ଦ୍ଵିତୀୟ ଅଧ୍ୟାୟର ୧୨ତମ ଶ୍ଳୋକକୁ ସାଧାରଣତଃ ଆତ୍ମାର ଅମରତାର ଧାର୍ମିକ ଘୋଷଣା ଭାବେ ବୁଝାଯାଏ । କିନ୍ତୁ ଯଦି “ଆତ୍ମା”କୁ ଆମେ କେବଳ ଅଦୃଶ୍ୟ, ଅଲୌକିକ ତତ୍ତ୍ୱ ଭାବେ ନୁହେଁ, ବରଂ ମାନବ ଚେତନା, ମୂଲ୍ୟବୋଧ, ନୀତିବୋଧ ଓ ସଚେତନ ସତ୍ତା ଭାବେ ବୁଝିବା ଆବଶ୍ୟକ । “ଆତ୍ମା” ଅର୍ଥ ହେଉଛି – ମଣିଷର ଚେତନ ଅସ୍ତିତ୍ୱ, ଯାହା ଶରୀରର ପରିବର୍ତ୍ତନ, ବୟସ, ପଦ ବା ପରିସ୍ଥିତି ସହ ନଷ୍ଟ ହୁଏନାହିଁ । ଶ୍ରୀକୃଷ୍ଣ ଯେତେବେଳେ କହୁଛନ୍ତି – “କେବେ ଏମିତି ସମୟ ଥିଲା ନାହିଁ ଯେ ମୁଁ, ତୁମେ ବା ଏହି ସମସ୍ତେ ନ ଥିଲେ” – ସେତେବେଳେ ଏହାକୁ ଏଭଳି ବୁଝାଯାଇ ପାରିବ ଯେ ମାନବ ଚେତନା ଐତିହାସିକ ଧାରାରେ ଅବିଚ୍ଛିନ୍ନ । ପିଢ଼ି ବଦଳିଯାଏ, ଚେହେରା ବଦଳିଯାଏ, କିନ୍ତୁ ଚିନ୍ତା, ଭୟ, ଆଶା ଓ ସନ୍ଧାନ ଅବିରତ ଚାଲିଥାଏ ।
ଆତ୍ମାକୁ ମଣିଷର ନୀତିଗତ ସ୍ୱରୂପ ଭାବେ ମଧ୍ୟ ବୁଝାଯାଇପାରେ । ସତ୍ୟ, ନ୍ୟାୟ, କରୁଣା, ଦାୟିତ୍ୱ – ଏମାନେ ଶରୀର ସହ ମରିଯାଆନ୍ତି ନାହିଁ । ଗୋଟିଏ ମଣିଷ ମରିଯାଇପାରେ, କିନ୍ତୁ ତା’ର ଧାରଣା, ଆଦର୍ଶ ଓ ମୂଲ୍ୟବୋଧ ସମାଜରେ ବଞ୍ଚି ରହିଥାଏ। ଏହି ଶ୍ଳୋକରେ “ମୁଁ”, “ତୁମେ” ଓ “ସମସ୍ତେ” କହିବା ଦ୍ୱାରା କୃଷ୍ଣ ଏକ ମୌଳିକ ମାନବ ସତ୍ୟକୁ ସୂଚାଇଛନ୍ତି – ମଣିଷର ମୂଳ ସତ୍ତା ସାଧାରଣ । ଭୂମିକା, ପଦବୀ, ଶକ୍ତି ବଦଳିଯାଇପାରେ, କିନ୍ତୁ ମାନବୀୟ ଅନୁଭବ – ଦୁଃଖ, ଆନନ୍ଦ, ଦ୍ୱନ୍ଦ୍ୱ, ଆଶା ଚିରନ୍ତନ । ଏହି ଅର୍ଥରେ ଆତ୍ମା ହେଉଛି ସାଧାରଣ ମାନବ ଅନୁଭୂତିର ଧାରା । ଶୋକ ହୁଏ ଶରୀର ବା ସମ୍ପର୍କ ହରାଇବାରୁ, କିନ୍ତୁ ଯାହା ଚିରନ୍ତନ – ଚେତନା, ମୂଲ୍ୟ, ଅନୁଭବ – ସେଗୁଡ଼ିକ ନଷ୍ଟ ହୁଏନାହିଁ । ଏହି ବୋଧ ମଣିଷକୁ ନିଷ୍ଠୁର କରେନାହିଁ, ବରଂ ଶୋକକୁ ବୁଝିବାର ଶକ୍ତି ଦିଏ ।
🙏🌹🙏
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply