tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨:୬ ଶ୍ଳୋକ : ନ ଚୈତଦ୍‌ବିଦ୍ମଃ କତରନ୍ନୋ..

1 min read

Oplus_16908288

ନ ଚୈତଦ୍‌ବିଦ୍ମଃ କତରନ୍ନୋ ଗରୀୟୋ ଯଦ୍ୱା ଜୟେମ ୟଦି ବା ନୋ ଜୟେୟୁଃ ।
ୟାନେବ ହତ୍ୱା ନ ଜିଜୀବିଷାମଃ ତେଽବସ୍ଥିତାଃ ପ୍ରମୁଖେ ଧାର୍ତରାଷ୍ଟ୍ରାଃ ॥

ଅର୍ଜୁନ କହୁଛନ୍ତି – “କ’ଣ ଆମ ପାଇଁ ଭଲ, ତାହା ଆମେ ଜାଣିନାହୁଁ । ଏହା ମଧ୍ୟ ଜାଣି ନାହୁଁ କି ଆମେ ଜିତିବୁ କି ସେମାନେ ଜିତିବେ । ଯାହାଙ୍କୁ ହତ୍ୟା କରି ଆମେ ବଞ୍ଚିବାକୁ ଚାହୁଁନାହୁଁ, ସେହି ଧୃତରାଷ୍ଟ୍ରଙ୍କ ପୁଅମାନେ ଆଜି ଯୁଦ୍ଧଭୂମିରେ ଆମ ସମ୍ମୁଖରେ ଦଣ୍ଡାୟମାନ।”


ଗୀତାର ଦ୍ଵିତୀୟ ଅଧ୍ୟାୟର ଏହି ଶ୍ଳୋକଟି ଅର୍ଜୁନଙ୍କ ମାନସିକ ସଂଘର୍ଷର ଏକ ଶୀର୍ଷବିନ୍ଦୁ । ଏଠାରେ ଅର୍ଜୁନ କେବଳ ଯୋଦ୍ଧା ନୁହେଁ, ଜଣେ ସଂବେଦନଶୀଳ ମନୁଷ୍ୟ ଭାବେ ଉପସ୍ଥିତ ହୋଇଛନ୍ତି । ଯୁଦ୍ଧର ଫଳାଫଳ ନେଇ ତାଙ୍କ ମନରେ ଅସ୍ପଷ୍ଟତା, ଏବଂ ନୀତି – ଅନୀତିର ଦ୍ୱନ୍ଦ୍ୱ ତାଙ୍କୁ ଅଚଳ କରିଦେଇଛି ।


ଅର୍ଜୁନ କହୁଛନ୍ତି – “କେଉଁଟି ଭଲ, ଆମେ ଜାଣିନାହୁଁ ।” ଏହା ମାନବ ଜୀବନର ଏକ ସାର୍ବଜନୀନ ସତ୍ୟ । ଯେତେବେଳେ ମନୁଷ୍ୟ ଜୀବନର ନିଷ୍ପତ୍ତି; ନୀତି, ସମ୍ପର୍କ ଓ କର୍ତ୍ତବ୍ୟ ସହିତ ସଂଘର୍ଷର ସମ୍ମୁଖୀନ ହୁଏ, ସେତେବେଳେ ତାହାର ବୁଦ୍ଧି ଅସାର ହୋଇଯାଏ। ଅର୍ଜୁନଙ୍କ ଦ୍ୱନ୍ଦ୍ୱ ହେଉଛି – ଜୟ ଯଦି ଆତ୍ମୀୟଙ୍କ ରକ୍ତରେ ରଞ୍ଜିତ, ତେବେ ସେହି ଜୟର ମୂଲ୍ୟ କ’ଣ ? ଏଠାରେ ଧୃତରାଷ୍ଟ୍ରଙ୍କ ପୁଅମାନେ କେବଳ ଶତ୍ରୁ ନୁହେଁ; ସେମାନେ ଆତ୍ମୀୟ, ପରିଚିତ, ସମ୍ପର୍କୀୟ । ତେଣୁ ତାଙ୍କୁ ହତ୍ୟା କରି ଜୀବନ ଧାରଣ କରିବା ଅର୍ଜୁନଙ୍କୁ ଅର୍ଥହୀନ ଲାଗୁଛି । ଏହା ମାନବ ନୀତିବୋଧର ଏକ ଉଚ୍ଚ ସ୍ତର – ଯେଉଁଠାରେ ଜୀବନ କେବଳ ବଞ୍ଚିବା ନୁହେଁ, ବରଂ ମୂଲ୍ୟବୋଧ ସହିତ ବଞ୍ଚିବାକୁ ଶିଖାଏ ।


ମନୋବୈଜ୍ଞାନିକ ଦୃଷ୍ଟିରୁ, ଏହି ଶ୍ଳୋକ ଅର୍ଜୁନଙ୍କ ନିଷ୍ପତ୍ତି ନେବାରେ ଅସମର୍ଥତାକୁ ପ୍ରକାଶ କରେ । ଅତ୍ୟଧିକ ଭାବନା, ଭୟ ଓ ଦୋଷବୋଧ ମଣିଷକୁ କର୍ତ୍ତବ୍ୟପଥରୁ ଦୂରେଇ ନେଇଯାଏ । ଗୀତାର ଏହି ଶ୍ଳୋକଟି କେବଳ ଯୁଦ୍ଧଭୂମିର ଏକ ମୁହୂର୍ତ୍ତ ନୁହେଁ; ଏହା ମାନବ ଜୀବନର ସବୁଠୁ ଗଭୀର ସଂକଟକୁ ଉଦ୍‌ଘାଟିତ କରେ । “କ’ଣ ଭଲ, କ’ଣ ମନ୍ଦ”- ଏହି ପ୍ରଶ୍ନ ଯେତେବେଳେ ନିଜ ଲୋକଙ୍କ ସହ ସଂଘର୍ଷ ସମୟରେ ଆସିଯାଏ, ସେତେବେଳେ ମଣିଷ ଅର୍ଜୁନ ଭଳି ଅସହାୟ ହୋଇପଡ଼େ।


ସମାଜରେ ଅନେକ ସମୟରେ ନ୍ୟାୟ ଓ ସମ୍ପର୍କ ମୁହାଁମୁହିଁ ହୁଏ। ଅର୍ଜୁନଙ୍କ ଦ୍ୱନ୍ଦ୍ୱ ଆଜିର ସମାଜରେ ଏହି ପ୍ରଶ୍ନ ଉଠାଏ – ସମାଜର ମଙ୍ଗଳ ପାଇଁ ଯଦି ନିଜ ଲୋକଙ୍କ ବିରୋଧାଚରଣ କରିବାକୁ ପଡିବ, ତେବେ କ’ଣ କରିବା ଉଚିତ ? ଦୁର୍ନୀତି, ଅନ୍ୟାୟ, କିମ୍ବା ଅପରାଧ ଯଦି ନିଜ ପରିବାର କିମ୍ବା ପରିଚିତଙ୍କ ଦ୍ୱାରା ହୁଏ, ସମାଜ ପ୍ରାୟ ସମୟରେ ନୀରବ ରହିଯାଏ । ଏହି ନୀରବତା ଅର୍ଜୁନଙ୍କ “ନ ଚୈତଦ୍‌ବିଦ୍ମଃ” ମନୋଭାବର ସାମାଜିକ ରୂପ ।
ଭଗବଦ୍‌ଗୀତାର ଦ୍ୱିତୀୟ ଅଧ୍ୟାୟର ଷଷ୍ଠ ଶ୍ଳୋକଟି ଭାରତୀୟ ଦାର୍ଶନିକ ପରମ୍ପରାର ଏକ ଅତ୍ୟନ୍ତ ସୂକ୍ଷ୍ମ ମୁହୂର୍ତ୍ତକୁ ଚିହ୍ନଟ କରେ। ଏଠାରେ ଅର୍ଜୁନ କେବଳ ଯୁଦ୍ଧ କରିବେ କି ନାହିଁ – ସେ ପ୍ରଶ୍ନ କରୁନାହାନ୍ତି; ସେ ପ୍ରଶ୍ନ କରୁଛନ୍ତି ଜୀବନର ଅର୍ଥ କ’ଣ, ଏବଂ କର୍ମର ସୀମା କେଉଁଠି । ଅର୍ଜୁନଙ୍କ ଏହି ମୁହୂର୍ତ୍ତ ମାନବ ଚେତନାର ସବୁଠୁ ଉଚ୍ଚ ଦାର୍ଶନିକ ଅବସ୍ଥା – ଯେଉଁଠାରେ ସେ ପଚାରିଥିବା ପ୍ରଶ୍ନରୁ ହିଁ ଗୀତାର ସୃଷ୍ଟି ହୁଏ ।


ଅର୍ଜୁନଙ୍କ ଦ୍ୱନ୍ଦ୍ୱ ନୀତିଗତ ଦ୍ୱନ୍ଦ୍ୱ ମାତ୍ର ନୁହେଁ; ଏହା ଏକ ଅସ୍ତିତ୍ୱମୂଳକ ଦ୍ୱନ୍ଦ୍ୱ । ଜୟ ଓ ପରାଜୟ – ଏହି ଦୁଇଟି ମଧ୍ୟରେ ସେ କୌଣସି ମୂଲ୍ୟ ଦେଖୁନାହାନ୍ତି, କାରଣ ଦୁହିଁର ମୂଳରେ ଅଛି ହିଂସା । ଏଠାରେ ଅର୍ଜୁନଙ୍କ ଦୃଷ୍ଟି କର୍ମର ଫଳ ଉପରେ ନୁହେଁ, କର୍ମର ଅର୍ଥ ଉପରେ । ଯୁଦ୍ଧ କ୍ଷତ୍ରିୟ ଧର୍ମ, କିନ୍ତୁ ଆତ୍ମୀୟ ହତ୍ୟା ଅଧର୍ମ – ଏହି ଦୁଇଟି ଧାରଣା ଅର୍ଜୁନଙ୍କ ମନରେ ମୁହାଁମୁହିଁ ହୋଇଛି । ଏଠାରେ ଗୀତା ସ୍ପଷ୍ଟ କରେ – ଧର୍ମ କୌଣସି ସ୍ଥିର ସୂତ୍ର ନୁହେଁ; ଏହା ପରିସ୍ଥିତି, ଚେତନା ଓ ଉଦ୍ଦେଶ୍ୟ ସହିତ ଜଡିତ ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯

Share

Leave a Reply