tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଜୁନାଗଡ଼ : ଇତିହାସ ଯେତେ ସମୃଦ୍ଧ, ଐତିହ୍ୟ ସେତେ ବଳିଷ୍ଠ

1 min read

Oplus_16908288

  • ପ୍ରତିଟି ଧୂଳିକଣା ପ୍ରଣବ ଓଁକାରରେ ଗୁଞ୍ଜରିତ

  • ++++++++++++++
  • ସିଦ୍ଧାର୍ଥ ଶାଶ୍ଵତ ପଣ୍ଡା
  • ++++++++++++++
  • ଗବେଷକ

ପୁରାତନ କଳାହାଣ୍ଡି ନଗର ର ପୁରାତନ ରାଜଧାନୀ ହେଉଛି ପ୍ରାକ୍ତନ ଜେନବଳୀ ପାଟଣା ତଥା ଆଧୁନିକ ଜୁନାଗଡ ସହର । ଐତିହାସିକଙ୍କ ମତ ରେ ପୁରାତନ କାଳରେ କଳାହାଣ୍ଡି ନଗରର ଚତୁରପାର୍ଶ୍ଵରେ ଅଠର ଟି ଗଡ ପରିବେଷ୍ଟିତ ହୋଇ ରହି ଥିଲା। ଆଉ ସେ ଗଡ ମଧ୍ୟରୁ ସର୍ବଶ୍ରେଷ୍ଠ ଗଡ ଥିଲା ଜୁନାଗଡ ତଥା ପ୍ରାକ୍ତନ ଜେନାବଳି ପାଟଣା। ଏହି ଗଡରେ ଶାରଳା ମହାଭାରତ ରେ ଉଲ୍ଲିଖିତ ଗୋ ସିଂ ଦୈତ୍ୟ ତଥା ବ୍ୟାଘ୍ରରାଜା , କାଳଛୁରୀ , ସୋମ ବଂଶୀ, ନାଗ ବଂଶୀ, ଗଙ୍ଗ ବଂଶୀ, ବିଭିନ୍ନ ଶାସକଙ୍କ ରାଜୁତି ଥିବା କଥା ଇତିହାସ ପୃଷ୍ଠାରୁ ମିଳେ। ଏହାର ଇତିହାସ ଓ ପ୍ରତ୍ନତାତ୍ଵିକ ଖନନ ରୁ ମିଳିଥିବା ଅବଶେଷ ଏହାର ଐତିହାସିକ ଯଥାର୍ଥତା ପ୍ରତିପାଦନ କରି ଥାଏ।


ଶାରଳା ମହାଭାରତ ର ମୁଶଳୀ ପର୍ବ ରେ ଜେନାବଳି ପାଟଣା ର ଉଲ୍ଲେଖ ରହିଛି, ଶୂଦ୍ର ମୁନି ଙ୍କ ବର୍ଣିତ ତଥ୍ୟ ମୁତବକ ଏହି ଜୁନାଗଡ ତଥା ପ୍ରାକ୍ତନ ଜେନବଳୀ ପାଟଣା ରେ ଗୋ ସିଂହ ଦୈତ୍ୟ ନାମକ ଏକ କ୍ରୂର ତଥା ପରାକ୍ରମୀ ରାଜା ର ଶାସନ ଥିଲା । ସେହି ସମୟ ରେ ଏହି ଅଞ୍ଚଳ ରେ ଘୋର ମରୁଡି ପଡିଲା, ସେହି ଘଡି ସନ୍ଧି ମୁହୂର୍ତ ରେ ଗୋ ସିଂହ ଦୈତ୍ୟ କିଛି ଉପାୟ ନ ପାଇ ସ୍ଵର୍ଗ ଲୋକ କୁ ଆକ୍ରମଣ କରି ଦେବରାଜ ଇନ୍ଦ୍ର ଙ୍କୁ ପରାସ୍ତ କରି ବାନ୍ଧି ଆଣି ଜେନାବଳି ପାଟଣା ର ଗୋଟିଏ ଖୁଣ୍ଟି ରେ ଆବଦ୍ଧ କରି ରଖି ଥିଲା। ଯାହାକୁ ପରବର୍ତୀ ସମୟ ର ଇନ୍ଦ୍ର ଖୁଣ୍ଟି କୁହାଗଲା। ଏହି ତଥ୍ୟ କୁ ପ୍ରମାଣିତ କରିବା ପାଇଁ ଲୋକ କଥା ତଥା କଳାହାଣ୍ଡି ଉପରେ ଅନୁସନ୍ଧାନ କରୁଥିବା ଅନେକ ଶିକ୍ଷାବିଦ ତଥା ଗବେଷକ ମତ ବ୍ୟକ୍ତ କରନ୍ତି ଯେ ଏହି ଇନ୍ଦ୍ର ଖୁଣ୍ଟି ଆଧୁନିକ ଜୁନାଗଡ ସ୍ଥିତ କନକ ଦୁର୍ଗା ମନ୍ଦିର ର ଦକ୍ଷିଣ ପାର୍ଶ୍ବ ର ଗଡଖାଇ ନିକଟ ରେ ଅବସ୍ଥିତ ଓ ଏହା ଏବେ ବି ଲୋକ ଲୋଚନ ରେ ଦୃଶ୍ୟାମାନ ହୋଇ ରହିଛି।


ଚକ୍ରକୋଟ ମଣ୍ଡଳ ଅର୍ଥାତ କୋରାପୁଟ , ଛତିଶଗଡ ର ବସ୍ତର ଓ ଅଭିଭକ୍ତ କଳାହାଣ୍ଡି ଅଞ୍ଚଳ ରେ ୧୪୪୪ ଖ୍ରୀଷ୍ଟାବ୍ଦ ରେ ଜୁନାଗଡ ସୁବୁଦ୍ଧି ନଗର ଭାବେ ପରିଚିତ ଥିଲା ବୋଲି ଐତିହାସିକ ମତ ବ୍ୟକ୍ତ କରନ୍ତି, କାରଣ ଏଠାରେ କାଲଛୁରୀ ବଂଶର ରାଜା ସୁବୁଦ୍ଧି ସିଂ ଶାସନ କରୁଥିଲା ଓ ଏହାର ରାଜଧାନୀ ପ୍ରାକ୍ତନ ସୁବୁଦ୍ଧି ନଗର ତଥା ଆଧୁନିକ ଜୁନାଗଡ ସହର ଥିଲା ବୋଲି ଅନେକ ଐତିହାସିକ ମତ ବ୍ୟକ୍ତ କରନ୍ତି ଓ ଏହାର ଐତିହାସିକ ପ୍ରମାଣ ଜୁନାଗଡ ସହର ର ବିଭିନ୍ନ ସ୍ଥାନରୁ ମିଳିଥିବା ସତୀ ଓ ବୀର ପଥର ରୁ ପ୍ରାପ୍ତ ପାଣ୍ଡୁ ଲିପି ରୁ କରି ହୁଏ। ମହାରାଜା ସୁବୁଦ୍ଧି ସିଂ ଙ୍କ ଶାସନ କାଳ ରେ ଗଡ ର ଚାରି ପଟେ ତଥା ବାହ୍ୟ ଶତ୍ରୁ ଆକ୍ରମଣ ରୁ ରକ୍ଷା ପାଇବା ପାଇଁ ଗଡ ର ଚାରି ପଟେ ଗଡ ଖାଇ ନିର୍ମାଣ ହୋଇଥିବା ଅନେକ ଶିଳାଲେଖ ଓ ଐତିହାସିକ ଦସ୍ତାବେଜ ରୁ ପ୍ରମାଣ ମିଳେ। ଅନେକ ଐତିହାସିକଙ୍କ ମତାନୁସାରେ ଆଧୁନିକ ଜୁନାଗଡ ସହର ଇତିହାସ ୧୦୦୫ ଖ୍ରୀଷ୍ଟାବ୍ଦ ରୁ ଆରମ୍ଭ । ନାଗ ବଂଶୀ ମାନଙ୍କ ପୂର୍ବ ରୁ ଗଙ୍ଗ, କାଲାଛୁରୀ, ଓ ଅନ୍ୟାନ୍ୟ ରାଜା ବଂଶ ଏହାକୁ ଶାସନ କରି ଆସୁଥିଲେ ଓ ଜୁନାଗଡ ସହର କୁ ତାଙ୍କ ରାଜାଧନୀ ରୂପେ ଗ୍ରହଣ କରି ସେଇଠୁ ତାଙ୍କ ଶାସନ କରୁଥିଲେ। ଜୁନାଗଡ ରେ ବିଦ୍ୟମାନ ସୋମେଶ୍ଵର ମହାଦେବ ଙ୍କ ମନ୍ଦିର ରୁ ପ୍ରାପ୍ତ ଶିଳାଲେଖ ରୁ ଏହାର ପ୍ରମାଣ ମିଳେ।


ପଶ୍ଚିମ ଓଡ଼ିଶାରେ ଇତିହାସ, ସଂସ୍କୃତି ଏବଂ ପବିତ୍ର ପରମ୍ପରାର ଏକ ଉଲ୍ଲେଖନୀୟ ସଙ୍ଗମ ଭାବରେ କଳାହାଣ୍ଡିର ଜୁନାଗଡ଼ ଠିଆ ହୋଇଛି। ତେଲ ନଦୀର ଉର୍ବର ଉପତ୍ୟକାରେ ଏବଂ ହାତୀ ନଦୀର ପ୍ରାଚୀନ ପ୍ରବାହ ନିକଟରେ ଅବସ୍ଥିତ, ଜୁନାଗଡ଼ ଦୀର୍ଘକାଳ ଧରି ରାଜନୈତିକ ଶକ୍ତି, ଧାର୍ମିକ ଭକ୍ତି ଏବଂ ସାଂସ୍କୃତିକ ବିକାଶର ଏକ ପ୍ରାଣବନ୍ତ କେନ୍ଦ୍ର ଭାବରେ କାର୍ଯ୍ୟ କରିଆସିଛି। କଳାଚୁରୀ ରାଜବଂଶ, ଚିନ୍ଦକ ନାଗ ରାଜବଂଶ ଏବଂ ପୂର୍ବ ଗଙ୍ଗ ରାଜବଂଶ ଭଳି ପ୍ରାଚୀନ ରାଜବଂଶର ଚିହ୍ନ ଏବେ ବି ଏହାର ପ୍ରତ୍ନତାତ୍ତ୍ୱିକ ଅବଶେଷ, ମନ୍ଦିର ଏବଂ ମୂର୍ତ୍ତିକଳା ପରମ୍ପରାରେ ଦୃଶ୍ୟମାନ।

ଜୁନାଗଡ଼ର ପବିତ୍ର ଭୂଦୃଶ୍ୟ ମା ଲଙ୍କେଶ୍ୱରୀଙ୍କ ଭଳି ଶକ୍ତିଶାଳୀ ସ୍ଥାନୀୟ ଦେବତାଙ୍କ ପୂଜା ଦ୍ୱାରା ଆହୁରି ସମୃଦ୍ଧ ହୋଇଛି, ଯାହାଙ୍କ ମନ୍ଦିର ଭକ୍ତମାନଙ୍କୁ ଆକର୍ଷିତ କରି ଆସୁଛି ଏବଂ ଅଞ୍ଚଳର ଆଧ୍ୟାତ୍ମିକ ଐତିହ୍ୟକୁ ସଂରକ୍ଷଣ କରୁଛି। ଏହି ଧାର୍ମିକ ପରମ୍ପରା ସହିତ, ଏହି ଅଞ୍ଚଳ ପଥର କାରୁକାର୍ଯ୍ୟ, ପ୍ରାଚୀନ ମନ୍ଦିର ସ୍ଥାପତ୍ୟ ଏବଂ ଶତାବ୍ଦୀ ଧରି ବଞ୍ଚି ରହିଥିବା ଲୋକ ପରମ୍ପରାର କଳାତ୍ମକ ଚମକକୁ ପ୍ରତିଫଳିତ କରେ।

ତେଣୁ, ଜୁନାଗଡ଼ କେବଳ ଏକ ଭୌଗୋଳିକ ବସତି ନୁହେଁ ବରଂ କଳାହାଣ୍ଡିର ଗୌରବମୟ ଅତୀତର ଏକ ଜୀବନ୍ତ ସାକ୍ଷ୍ୟ। ଏହାର ଧ୍ୱଂସାବଶେଷ, ପବିତ୍ର ମନ୍ଦିର ଏବଂ ସାଂସ୍କୃତିକ ସ୍ମୃତି ଏକ ସଭ୍ୟତାର କାହାଣୀ ବର୍ଣ୍ଣନା କରେ ଯାହା ଏକଦା ଇନ୍ଦ୍ରବନର କିମ୍ବଦନ୍ତୀ ଜଙ୍ଗଲ ଏବଂ ମହାକାନ୍ତାର ବିସ୍ତୃତ ଅଞ୍ଚଳ ସହିତ ଜଡିତ ପ୍ରାଚୀନ ଭୂମିରେ ସମୃଦ୍ଧ ହୋଇଥିଲା। ତେଣୁ ଜୁନାଗଡ଼ର ଐତିହ୍ୟକୁ ସଂରକ୍ଷଣ ଏବଂ ଅଧ୍ୟୟନ କରିବା ଅତ୍ୟନ୍ତ ଜରୁରୀ, କାରଣ ଏହା ଆମକୁ କଳାହାଣ୍ଡିର ଐତିହାସିକ ପରିଚୟ ଏବଂ ସାଂସ୍କୃତିକ ସମୃଦ୍ଧିକୁ ବୁଝିବାରେ ସାହାଯ୍ୟ କରେ ଏବଂ ଓଡ଼ିଶାର ପ୍ରାଚୀନ ସଭ୍ୟତାର ବ୍ୟାପକ ବର୍ଣ୍ଣନାରେ ଅବଦାନ ରଖେ ।

                                                                                   ଜୁନାଗଡ 
                                              +୯୧ ୯୯୩୮୩୬୭୦୨୯ / +୯୧ ୯୪୩୮୩୯୭୦୨୯
Share

Leave a Reply