ଶ୍ରୀମଦ୍ ଭଗବଦ୍ ଗୀତା ୨:୨ ଶ୍ଳୋକ : କୁତସ୍ତ୍ୱା କଶ୍ମଳମିଦଂ..
1 min read
ଶ୍ରୀଭଗବାନୁବାଚ
କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ୍ ।
ଅନାର୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତ୍ତିକରମର୍ଜୁନ ॥
ଶ୍ରୀକୃଷ୍ଣ କହିଲେ – ହେ ଅର୍ଜୁନ ! ଏହି ବିଷମ ପରିସ୍ଥିତିରେ ଏଭଳି ଅଶୁଦ୍ଧ ମନସ୍ଥିତି ତୁମ ପାଖକୁ କେଉଁଠୁ ଆସିଲା ? ଏହା ଆର୍ଯ୍ୟମାନଙ୍କ ଆଚରଣର ବିପରୀତ । ଏହା ସ୍ୱର୍ଗପ୍ରଦାୟକ ନୁହେଁ ଏବଂ କୀର୍ତ୍ତିପ୍ରଦାୟକ ମଧ୍ୟ ନୁହେଁ ।
ଏହି ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ମାନସିକ ଦୌର୍ବଲ୍ୟତା ସଂକ୍ରାନ୍ତରେ ସ୍ପଷ୍ଟ ଭାବେ ପ୍ରଶ୍ନ କରୁଛନ୍ତି । ଅର୍ଜୁନ ଯୁଦ୍ଧକ୍ଷେତ୍ରରେ ନିଜ କର୍ତ୍ତବ୍ୟରୁ ବିମୁଖ ହୋଇ ଦୟା, ମୋହ ଓ ଭୟରେ ଆକ୍ରାନ୍ତ ହୋଇଛନ୍ତି । ଶ୍ରୀକୃଷ୍ଣ ଏହାକୁ “କଶ୍ମଳ” ବୋଲି କହିଛନ୍ତି – ଅର୍ଥାତ୍ ମନର ଅଶୌଚତା, ନୀତିହୀନ ଭ୍ରମ ।
ଶ୍ରୀକୃଷ୍ଣ ତିନୋଟି ଶବ୍ଦ ଦ୍ୱାରା ଏହି ମନସ୍ଥିତିକୁ ସମାଲୋଚନା କରୁଛନ୍ତି । ଅନାର୍ୟଜୁଷ୍ଟମ୍ – ଏହା ଆର୍ଯ୍ୟମାନଙ୍କର ଅର୍ଥାତ୍ ଉଚ୍ଚ ନୀତିବାନ୍, ଧର୍ମପରାୟଣ ଲୋକଙ୍କ ଆଚରଣ ନୁହେଁ । ଅସ୍ୱର୍ଗ୍ୟମ୍ – ଏହା ଧର୍ମମୟ କର୍ମ ନୁହେଁ, ଯାହା ସ୍ୱର୍ଗ କିମ୍ବା ଆତ୍ମୋନ୍ନତି ଦିଗକୁ ନେଇଯିବ । ଅକୀର୍ତ୍ତିକରମ୍ – ଏହା ଯଶ ନୁହେଁ, ବରଂ ଅପକୀର୍ତ୍ତି ପ୍ରଦାୟକ । ଏଠାରେ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟ ଅର୍ଜୁନଙ୍କୁ ନିନ୍ଦା କରିବା ନୁହେଁ, ବରଂ ତାଙ୍କୁ ଜାଗ୍ରତ କରିବା – ସଂକଟ ସମୟରେ ଭାବୁକତା ନୁହେଁ, କର୍ତ୍ତବ୍ୟବୋଧ ଓ ଧର୍ମଜ୍ଞାନ ଆବଶ୍ୟକ।
ଆଜିର ସମାଜରେ ମଧ୍ୟ, ଯେତେବେଳେ ଆମେ ଦାୟିତ୍ୱ ଓ କର୍ତ୍ତବ୍ୟରୁ ଦୁରେଇ ଯାଇ ଭାବୁକତାରେ ନିଷ୍ପତ୍ତି ନେଉ, ସେହି ସମୟରେ ଏହି ଶ୍ଳୋକ ଆମକୁ ସ୍ମରଣ କରାଏ – ଧର୍ମହୀନ କରୁଣା ମଧ୍ୟ ଦୁର୍ବଳତା । ପରିବାର ହେଉଛି ମନୁଷ୍ୟର ପ୍ରଥମ କର୍ମକ୍ଷେତ୍ର । ଅର୍ଜୁନ ଯେପରି ନିଜ ଗୁରୁ, ଭାଇ, ଆତ୍ମୀୟଙ୍କୁ ଦେଖି ଯୁଦ୍ଧରୁ ପଛକୁ ହଟିଯାଉଛନ୍ତି, ସେହିପରି ଆଧୁନିକ ପରିବାରରେ ମଧ୍ୟ ଅନେକ ସମୟରେ ଭାବୁକତା ଦାୟିତ୍ୱକୁ ଆଚ୍ଛାଦିତ କରିଦେଇଥାଏ ।
ଶ୍ରୀକୃଷ୍ଣ ଏଠାରେ ସୂଚନା ଦେଉଛନ୍ତି – ପରିବାର ପ୍ରତି ମମତା ଆବଶ୍ୟକ, କିନ୍ତୁ ସେଇ ମମତା ଯଦି ଧର୍ମ ଓ ନ୍ୟାୟକୁ ଅବରୋଧ କରେ, ତେବେ ସେହି ମମତା କଶ୍ମଳ (ମାନସିକ ଅଶୁଦ୍ଧତା) ହୋଇଯାଏ ।
ସମାଜର ଭିତ୍ତି ହେଉଛି ନ୍ୟାୟ ଓ ଧର୍ମ । ଅର୍ଜୁନଙ୍କ ପଛକୁ ହଟିବା ସମଗ୍ର ସାମାଜିକ ବ୍ୟବସ୍ଥାକୁ ଅସ୍ଥିର କରିଦେବାର ସମ୍ଭାବନା ଥିଲା । ସେଥିପାଇଁ କୃଷ୍ଣ କହୁଛନ୍ତି – ଏହା ଅସ୍ୱର୍ଗ୍ୟମ୍ । ଆଜିର ସମାଜରେ ଯେତେବେଳେ ବୁଦ୍ଧିଜୀବୀ, ଶିକ୍ଷିତ ବର୍ଗ କିମ୍ବା ନେତୃତ୍ୱ ଦେବାକୁ ଥିବା ଲୋକ ଭୟ ବା ସ୍ୱାର୍ଥରେ ନୀରବ ରହନ୍ତି, ସମାଜ ଅନ୍ୟାୟର ଶିକାର ହୁଏ । ଗୀତା ଏଠାରେ ସଚେତନ କରୁଛି – ନିରବତା ମଧ୍ୟ ଅନ୍ୟାୟର ସହଯୋଗୀ । ଅର୍ଜୁନ ଏକ ସେନାନାୟକ, ଏକ ନେତା । ତାଙ୍କ ଦୌର୍ବଲ୍ୟତା ସମଗ୍ର ସେନାର ମନୋବଳ ଭାଙ୍ଗି ଦେଇଥାନ୍ତା । ସେଥିପାଇଁ ଶ୍ରୀକୃଷ୍ଣ କହୁଛନ୍ତି, ଏହା ଅକୀର୍ତ୍ତିକରମ୍ । ରାଜନୀତିରେ ଯଦି ନେତା ନିଷ୍ପତ୍ତିହୀନ ହୁଏ, ଭାବୁକତାରେ ନୀତିକୁ ତ୍ୟାଗ କରେ, ତେବେ ରାଷ୍ଟ୍ର ଦୁର୍ବଳ ହୁଏ । ଗୀତାର ଏହି ଶ୍ଳୋକ ନେତୃତ୍ୱ ପାଇଁ ଏକ ଶାଶ୍ୱତ ଶିକ୍ଷା – ନେତାଙ୍କର ବ୍ୟକ୍ତିଗତ ଦୁଃଖ ଠାରୁ ଦେଶର ଧର୍ମ ବଡ଼ ।
କୃଷ୍ଣ ଅର୍ଜୁନଙ୍କ ଅବସ୍ଥାକୁ “କଶ୍ମଳ” ବୋଲି କହିଛନ୍ତି । ମନୋବୈଜ୍ଞାନିକ ଭାଷାରେ ଏହାକୁ ‘ମନୋବୃତ୍ତିର ପ୍ରଦୂଷଣ’ କୁହାଯାଏ – ଯେତେବେଳେ ଭାବନା (emotion) ବୁଦ୍ଧି (reason) କୁ ଦୂଷିତ କରେ । ଅର୍ଜୁନ ଦୟାକୁ ନୀତି ବୋଲି ଭାବୁଛନ୍ତି, କିନ୍ତୁ ସେହି ଦୟା ତାଙ୍କୁ ନିଜ କର୍ତ୍ତବ୍ୟ ଠାରୁ ଦୂରେଇ ନେଇଯାଉଛି । ଅର୍ଜୁନଙ୍କ ଦୟା ଦେଖିବାକୁ ସାତ୍ତ୍ୱିକ ଲାଗୁଥିଲେ ମଧ୍ୟ, ତାହାର ମୂଳରେ ଥିଲା ମୋହ । ମୋହରୁ ଜନ୍ମ ନେଇଥିବା କରୁଣା, ମୁକ୍ତି ନୁହେଁ ବନ୍ଧନ । ଗୀତା ୨.୨ କେବଳ ଅର୍ଜୁନଙ୍କ ପାଇଁ ନୁହେଁ, ପ୍ରତ୍ୟେକ ଯୁଗର ମନୁଷ୍ୟ ପାଇଁ ଏକ ଚେତାବନୀ । ସଂକଟ ସମୟରେ ଭାବୁକତା ନୁହେଁ, ବୋଧ ଓ କର୍ତ୍ତବ୍ୟ ଆବଶ୍ୟକ ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
