tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୪୪ ଶ୍ଳୋକ:ଉତ୍ସନ୍ନକୁଲଧର୍ମାଣାଂ ମନୁଷ୍ୟାଣାଂ…

1 min read

ଉତ୍ସନ୍ନକୁଲଧର୍ମାଣାଂ ମନୁଷ୍ୟାଣାଂ ଜନାର୍ଦ୍ଦନ ।
ନରକେ ନିୟତଂ ବାସୋ ଭବତୀତ୍ୟନୁଶୁଶ୍ରୁମ ॥

ହେ ଜନାର୍ଦ୍ଦନ (ଶ୍ରୀକୃଷ୍ଣ) ! ଆମେ ପୂର୍ବରୁ ଶୁଣିଛୁ ଯେ, ଯେଉଁମାନେ କୁଳଧର୍ମ ନଷ୍ଟ କରନ୍ତି ସେମାନେ ନର୍କରେ ବାସ କରିବା ନିଶ୍ଚିତ ।
ଭାରତୀୟ ପରମ୍ପରାରେ କୁଳଧର୍ମ କେବଳ ଆଚାର-ବିଚାର ନୁହେଁ, ଏହା ପିଢ଼ୀରୁ ପିଢ଼ୀକୁ ଚାଲିଆସୁଥିବା ନୈତିକ ଓ ଆତ୍ମିକ ଶିକ୍ଷାର ଧାରା ।

ଯେତେବେଳେ ଯୁଦ୍ଧ, ହିଂସା ଓ ଲୋଭରେ ପରିବାରର ବୃଦ୍ଧ, ଗୁରୁ ଓ ନେତୃତ୍ୱନେଉଥିବା ବ୍ୟକ୍ତି ନାଶ ହୁଅନ୍ତି, ସେତେବେଳେ ଏହି ଧାର୍ମିକ ଧାରା ବିଚ୍ଛିନ୍ନ ହୋଇଯାଏ । ଅର୍ଜୁନ ଏଠାରେ “ନରକ”କୁ କେବଳ ପରଲୋକର ସ୍ଥାନ ଭାବେ ନୁହେଁ, ବରଂ ଧର୍ମହୀନ, ମୂଲ୍ୟବୋଧଶୂନ୍ୟ ଜୀବନ ଭାବେ ଦେଖୁଛନ୍ତି । ଯେଉଁ ସମାଜରେ ପରମ୍ପରା, ଦାୟିତ୍ୱ ଓ ନୈତିକତା ନାହିଁ, ସେ ସମାଜ ଜୀବନ୍ତ ଥିଲେ ମଧ୍ୟ ଏକ ପ୍ରକାର “ନରକ” ଅନୁଭବ କରେ ।
ଆଜିର ସମାଜରେ ମଧ୍ୟ ଯେତେବେଳେ ପରିବାରରେ ନୈତିକ ଶିକ୍ଷା ଓ ସାମାଜିକ ଦାୟିତ୍ୱ ଅବହେଳିତ ହୁଏ, ସେତେବେଳେ ଅଶାନ୍ତି, ଅସ୍ଥିରତା ଓ ମାନସିକ “ନରକ” ସୃଷ୍ଟି ହୁଏ । ଏହି ଶ୍ଳୋକ ଆମକୁ ସତର୍କ କରେ ଯେ – ଧର୍ମର ସୁରକ୍ଷା ମାନେ କେବଳ ପୂଜା ଆରାଧନା ନୁହେଁ, ବରଂ ମୂଲ୍ୟବୋଧର ସୁରକ୍ଷା ।

“ନରକ” ଏଠାରେ ଏକ ମାନସିକ ଅବସ୍ଥା – ଅଶାନ୍ତି, ଅନୁତାପ ଓ ଅର୍ଥହୀନତାର ପ୍ରତୀକ । ଅର୍ଜୁନ ଭୟ କରୁଛନ୍ତି ଯେ ଯୁଦ୍ଧଜନିତ ଧର୍ମନାଶ ତାଙ୍କୁ ସାରାଜୀବନ ମାନସିକ ନରକରେ ରଖିଦେବ ।


ଭାରତୀୟ ସଭ୍ୟତାରେ କୁଳଧର୍ମ ମାନେ ପରିବାର ମାଧ୍ୟମରେ ନୈତିକତାର ସଂଚାର । ବୃଦ୍ଧ, ଗୁରୁ ଓ ପିତୃପୁରୁଷମାନେ ଧର୍ମର ବାହକ । ଯୁଦ୍ଧରେ ସେମାନଙ୍କ ନାଶ ହେଲେ ପାରିବାରିକ ସଂସ୍କାର ଭାଙ୍ଗିଯାଏ । ଅର୍ଜୁନ କହୁଛନ୍ତି – ଏମିତି ପରିବାରର ସଦସ୍ୟମାନେ ଜୀବନ୍ତ ଥିଲେ ମଧ୍ୟ ମୂଲ୍ୟହୀନ ଜୀବନ ବ୍ୟତୀତ କରନ୍ତି, ଯାହାକୁ ସେ “ନରକବାସ” ସହ ତୁଳନା କରୁଛନ୍ତି । କୁଳଧର୍ମ ଭାଙ୍ଗିଲେ ସମାଜର ନୈତିକ ଢାଞ୍ଚା ମଧ୍ୟ ଧ୍ୱଂସ ହୁଏ । ଏମିତି ସମାଜରେ ହିଂସା, ଅନ୍ୟାୟ, ଶୋଷଣ ଓ ଅବ୍ୟବସ୍ଥା ବୃଦ୍ଧି ପାଏ – ଏହାହିଁ ସାମୂହିକ “ନରକ” । ଅର୍ଜୁନଙ୍କ ଭୟ ହେଉଛି ଯେ ଏହି ଯୁଦ୍ଧ ସମାଜକୁ ଏହି ଦିଗରେ ନେଇଯିବ ।


ଶ୍ଳୋକ ୧.୪୪ରେ ଅର୍ଜୁନ କହୁଛନ୍ତି – ଯେଉଁଠାରେ କୁଳଧର୍ମ ନଷ୍ଟ ହୁଏ, ସେଠାରେ ନରକବାସ ନିଶ୍ଚିତ । ଏହି କଥା କେବଳ ପୁରାତନ ଯୁଗର ସତର୍କବାଣୀ ନୁହେଁ; ଆଧୁନିକ ଭାରତୀୟ ସମାଜ ଓ ପରିବାର ଗଠନ ସହ ଏହାର ଗଭୀର ସମ୍ପର୍କ ରହିଛି । ପାରମ୍ପରିକ ଭାରତୀୟ ପରିବାର ଯୌଥ ପରିବାର ପ୍ରଣାଳୀ ଉପରେ ଭିତ୍ତିକରିଥିଲା । ବୃଦ୍ଧମାନେ ନୀତି, ଧର୍ମ ଓ ଜୀବନମୂଲ୍ୟର ଶିକ୍ଷକ ଥିଲେ । ପରିବାର ଥିଲା ଶିକ୍ଷାର ପ୍ରଥମ ବିଦ୍ୟାଳୟ । ଆଜିର ଭାରତରେ ନ୍ୟୁକ୍ଲିଅର ପରିବାର, ସହରୀକରଣ, ପେଶାଗତ ଚାପ ଓ ବ୍ୟକ୍ତିବାଦ ଦ୍ରୁତ ଭାବେ ବୃଦ୍ଧି ପାଇଛି । ଏହା ଫଳରେ ବୃଦ୍ଧମାନଙ୍କର ଭୂମିକା କମିଛି । ପରିବାର ମାଧ୍ୟମରେ ମୂଲ୍ୟଭିତିକ ଶିକ୍ଷା ଦୁର୍ବଳ ହୋଇଛି । ସମ୍ପର୍କ, ଦାୟିତ୍ୱ ଠାରୁ ଅଧିକ ଆଶାକୁ କେନ୍ଦ୍ର କରିଛି । ଏହି ପରିବର୍ତ୍ତନକୁ ଗୀତାର ଭାଷାରେ “କୁଳଧର୍ମ ଉତ୍ସନ୍ନ” ବୋଲି କୁହାଯାଇପାରେ ।


ଆଧୁନିକ ଭାଷାରେ ଗୀତାର “ନରକ”କୁ ବୁଝିଲେ – ବୃଦ୍ଧାଶ୍ରମରେ ଏକାକୀ ବୃଦ୍ଧ ପିତାମାତା ବସବାସ କରିବା, ପରିବାର ଥିଲେ ମଧ୍ୟ ଭାବନାତ୍ମକ ଏକାନ୍ତବୋଧତା, ଉଚ୍ଚ ଶିକ୍ଷା ଓ ଚାକିରି ଏବଂ ପ୍ରଚୁର ସମ୍ପତ୍ତି ଥିବା ସତ୍ତ୍ୱେ ମାନସିକ ଅଶାନ୍ତି, ପାରିବାରିକ ବିଖଣ୍ଡନ ଓ ବିବାହ ବିଚ୍ଛେଦର ସଂଖ୍ୟାବୃଦ୍ଧି ଏହି ସବୁ ଆଧୁନିକ ଜୀବନ୍ତ ନରକର ଉଦାହରଣ । ଯେତେବେଳେ ପାରିବାରିକ ମୂଲ୍ୟ ଦୁର୍ବଳ ହୁଏ, ସମାଜରେ ହିଂସା ଓ ଅପରାଧ ବୃଦ୍ଧି ପାଏ, ନୀତିହୀନତା, ଶୋଷଣ ଓ ଅନ୍ୟାୟ ଦେଖାଯାଏ । ଏହାହିଁ ଅର୍ଜୁନ କହିଥିବା “ନରକେ ନିୟତଂ ବାସଃ”ର ସାମୂହିକ ରୂପ ।


ଗୀତା ଆଧୁନିକ ପରିବାରକୁ ପଛକୁ ଫେରିଯିବାକୁ କୁହେ ନାହିଁ, ବରଂ ଏହା ଆଧୁନିକତା ସହ ମୂଲ୍ୟବୋଧର ସମନ୍ୱୟ, ପରିବାର ସଦସ୍ୟମାନଙ୍କ ମଧ୍ୟରେ ସୌହାର୍ଦ୍ଦ, ବୃଦ୍ଧ ଓ ଯୁବପିଢ଼ୀର ମଧ୍ୟରେ ସମନ୍ୱୟ, ଶିକ୍ଷାରେ ନୀତି ଓ ସଂସ୍କାରକୁ ଗୁରୁତ୍ୱ ଦିଏ । ଏହାହିଁ ଆଧୁନିକ “ନରକ”ରୁ ମୁକ୍ତିର ପଥ । ଆଧୁନିକ ଭାରତ ଯଦି ମାନବିକ ଓ ସମତୁଳିତ ଭବିଷ୍ୟତ ଚାହେଁ, ତେବେ ଗୀତାର ଏହି ସତର୍କବାଣୀକୁ କେବଳ ଶୁଣିବା ନୁହେଁ, ଜୀବନରେ ଅନୁଷ୍ଠାନ କରିବା ଆବଶ୍ୟକ ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply