ଶ୍ରୀମଦ୍ ଭଗବଦ୍ ଗୀତା ୧: ୨୩ ଶ୍ଳୋକ : ଯୋତ୍ସ୍ୟମାନାନବେକ୍ଷେଽହଂ..
1 min read
ଯୋତ୍ସ୍ୟମାନାନବେକ୍ଷେଽହଂ ୟ ଏତେଽତ୍ର ସମାଗତାଃ ।
ଧାର୍ତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେର୍ୟୁଦ୍ଧେ ପ୍ରିୟଚିକୀର୍ଷବଃ ॥
- ଅର୍ଜୁନ କହୁଛନ୍ତି – “ଧୃତରାଷ୍ଟ୍ରଙ୍କ ଦୁର୍ବୁଦ୍ଧି ପୁତ୍ର (ଦୁର୍ଯ୍ୟୋଧନ)ଙ୍କ ଇଚ୍ଛା ପୂରଣ ପାଇଁ ଯେଉଁମାନେ ଯୁଦ୍ଧ କରିବାକୁ ଏହି ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ଅଛନ୍ତି, ସେମାନଙ୍କୁ ମୁଁ ଭଲଭାବେ ଦେଖିବାକୁ ଚାହୁଁଛି।”
ଏହି ଶ୍ଳୋକରେ ଅର୍ଜୁନଙ୍କ ମନୋଭାବର ଏକ ଗଭୀର ପରିବର୍ତ୍ତନ ଦେଖାଯାଏ । ସେ କେବଳ ଶତ୍ରୁ ସେନାକୁ ନୁହେଁ, ବରଂ କିଏ ଏବଂ କାହିଁକି ଯୁଦ୍ଧ କରୁଛି, ଏହା ଜାଣିବାକୁ ଚାହୁଁଛନ୍ତି । “ଧାର୍ତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେଃ” ବାକ୍ୟ ଦ୍ୱାରା ଅର୍ଜୁନ ଦୁର୍ଯୋଧନଙ୍କ ଅନ୍ୟାୟ, ଅହଂକାର ଓ ଦୁର୍ବୁଦ୍ଧିକୁ ସୂଚିତ କରୁଛନ୍ତି । ଏହା ସହିତ ସେ ଏହି ପ୍ରଶ୍ନ ଉଠାଉଛନ୍ତି – ଅନ୍ୟାୟ ପକ୍ଷରେ ଦଣ୍ଡାୟମାନ ହୋଇଥିବା ଲୋକମାନେ କ’ଣ ସତ୍ୟରେ ନ୍ୟାୟବାନ ? ଏହି ଶ୍ଳୋକ ମାନବଜୀବନର ଏକ ଗଭୀର ସତ୍ୟକୁ ଦର୍ଶାଏ । କେବଳ କର୍ତ୍ତବ୍ୟ ନୁହେଁ, କର୍ତ୍ତବ୍ୟର ପଛରେ ଥିବା ଉଦ୍ଦେଶ୍ୟକୁ ବୁଝିବା ଆବଶ୍ୟକ ।
ସାମାଜିକ ଦୃଷ୍ଟିରୁ ଏହି ଶ୍ଳୋକ ଦର୍ଶାଏ ଯେ ସମାଜର ଅନେକ ଲୋକ ନ୍ୟାୟ–ଅନ୍ୟାୟ ବିଚାର ଛାଡ଼ି ଶକ୍ତିଶାଳୀର ପକ୍ଷରେ ସାମିଲ ହୁଅନ୍ତି । ଅର୍ଜୁନ “ଧାର୍ତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେଃ” ବୋଲି ଉଲ୍ଲେଖ କରି ସେହି ସାମାଜିକ ମନୋଭାବକୁ ଉଦ୍ଘାଟନ କରନ୍ତି, ଯେଉଁଠି ଲୋକେ ନୀତିକୁ ନୁହେଁ, ଲାଭକୁ ଆଗରେ ରଖନ୍ତି ।
ପାରିବାରିକ ଦୃଷ୍ଟିକୋଣରୁ ଏହି ଶ୍ଳୋକ ଏକ ଗଭୀର ବିଷାଦର ସୂଚନା ଦିଏ । କୌରବ ଓ ପାଣ୍ଡବ ଉଭୟେ ଗୋଟିଏ ରକ୍ତସମ୍ପର୍କରେ ବନ୍ଧା । ଅର୍ଜୁନ ଯେତେବେଳେ ଯୁଦ୍ଧ କରିବାକୁ ଆସିଥିବା ଲୋକମାନଙ୍କୁ ଦେଖିବାକୁ ଚାହୁଁଛନ୍ତି, ସେତେବେଳେ ତାଙ୍କ ମନରେ ଗୋଟିଏ ଗଭୀର ପ୍ରଶ୍ନ ଜାଗୃତ ହେଉଅଛି – ପାରିବାରିକ ନିଷ୍ଠା କଣ ନୈତିକତାଠାରୁ ଉପରେ ? ଏଠାରେ ପାରିବାରିକ ସମ୍ପର୍କ ରାଜନୈତିକ ଆକାଂକ୍ଷାରେ ବଳିଦାନ ହେଉଛି, ଯାହା ପରିବାର ବିନାଶର ପ୍ରଥମ ସୂଚନା । ଅର୍ଜୁନଙ୍କ ଦୃଷ୍ଟି ଆମକୁ ଏହି ଶିକ୍ଷା ଦେଉଛି ଯେ – ଯେଉଁଠି ନ୍ୟାୟ ନାହିଁ, ସେଠି ନିଷ୍ଠା ଅନ୍ଧ ହେଲେ ସମାଜ ଓ ପରିବାର ଦୁହେଁ ଧ୍ୱଂସର ଦିଗକୁ ଅଗ୍ରସର ହୁଅନ୍ତି ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
