RSSକୁ କିଏ ଟଙ୍କା ଦେଉଛି? ମନି ଲଣ୍ଡରିଂରେ ଅଛି କି : ପ୍ରିୟଙ୍କ ଖଡଗେ
1 min read
ବେଙ୍ଗଲୋର //TATKAL ODISHA //
‘ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (RSS) କାହିଁକି ଭାରତୀୟ ସମ୍ବିଧାନ ଓ ଆଇନ ଅନୁସାରେ ପଂଜୀକରଣ କରିନାହିଁ? ସେମାନେ କ’ଣ ସମ୍ବିଧାନ ଓ ଆଇନ ଉପରେ କି?
ଯଦି RSS ମୁଖ୍ୟ ମୋହନ ଭାଗବତଙ୍କ ଅନୁସାରେ RSS କିଛି ଲୋକଙ୍କ ସଂଗଠନ, ତାହାଲେ ବାଙ୍ଗାଲୋର କ୍ଲବ୍ କ’ଣ କିଛି ଲୋକଙ୍କ ସଂଗଠନ ନୁହେଁ କି? ସେମାନେ ପଂଜୀକରଣ କରି ନାହାନ୍ତି କି? ସେମାନେ ଟିକସ ଦେଉନାହାନ୍ତି କି?
ମନ୍ଦିରକୁ ଦାନ/ଚାନ୍ଦା ଦେଲେ ବି ତାର ଅଡିଟ୍ ହେଉଛି, RSS ଆୟର କାହିଁକି ଅଡିଟ୍ ହେବ ନାହିଁ?’ ଏଭଳି ପ୍ରଶ୍ନ କରିଛନ୍ତି କର୍ଣ୍ଣାଟକର କଂଗ୍ରେସ ସରକାରରେ ଆଇଟି ମନ୍ତ୍ରୀ ଥିବା ତଥା ଭାରତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ।
ସାଧାରଣ ସଭାକୁ ସମ୍ବୋଧନ କରି ପ୍ରିୟଙ୍କ ଖଡ଼ଗେ କହିଛନ୍ତି- RSSର ବିଶ୍ବରେ 2500 ଶାଖା ସଂଗଠନ ଅଛି। ଏମିତିକି ଆମେରିକା ଓ ଇଂଲଣ୍ଡରେ ରହିଛି। ଏମାନେ ତାଙ୍କଠାରୁ ଟଙ୍କା ନିଅନ୍ତି। ସେମାନେ ଆମେରିକାରେ ଲବି କରିବା ପାଇଁ କେଉଁଠୁ ଟଙ୍କା ପାଉଛନ୍ତି? ଆମେରିକାର ସରକାର କାଗଜପତ୍ର ଦେଖାଇଲେ, ଦେଶ ଗଠନ ପାଇଁ RSS ଲବି କରୁଛି। ଏମାନେ ଏମିତି ଭାବେ ମନି ଲଣ୍ଡରିଂ (ବେଆଇନ ଅର୍ଥ କାରବାର)ରେ ଜଡ଼ିତ ଅଛନ୍ତି।
ଗତ ବର୍ଷ ବେଙ୍ଗଳୁରୁ ଗସ୍ତ ସମୟରେ ମୋହନ ଭାଗବତ କହିଥିବା କଥାକୁ ଉଲ୍ଲେଖ କରି ପ୍ରିୟଙ୍କ କହିଛନ୍ତି- ଆମେ RSSକୁ ଟଙ୍କାର ସୂତ୍ର ପଚାରିଲେ ସେମାନେ କହୁଛନ୍ତି- ଏହା ଗୁରୁ ଦକ୍ଷିଣାରୁ ପାଉଛନ୍ତି। ମୁଁ ଏଭଳି କରିପାରିବି କି?
RSS କାହିଁକି ଆର୍ଥିକ ଭାବେ ଉତ୍ତରଦାୟୀ ହେବ ନାହିଁ? RSS ଚାହେଁ ଆମେ ଭଲ ନାଗରିକ ହେଉ। ଆୟକର ଦେଉ। ମାତ୍ର ସେମାନେ ପୂରା ଆଇନ ବାହାରେ ରହିବେ। ଏହା କେମିତି ସମ୍ଭବ? ଆରଏସଏସ୍ ଦେଶର ସମ୍ବିଧାନ ଓ ଆଇନ ଅନୁସାରେ ଏକ ସଂଗଠନ ଭାବେ ପଂଜୀକରଣ ନ ହେବା ଯାଏ ଏଭଳି ପ୍ରଶ୍ନ ଜାରି ରଖିବୁ।
ସେ ପୁଣି କହିଛନ୍ତି- RSS ହେଉଛି ସୈତାନ (devil) ଆଉ ବିଜେପି ହେଉଛି ତାର ଛାଇ (shadow)। ରାଜନୈତିକ ପ୍ରତିପକ୍ଷମାନେ ବିଜେପି ଅପେକ୍ଷା ଏହାର ମୂଳ ସଂଗଠନ RSSକୁ ଟାର୍ଗେଟ କରିବା ଉଚିତ।
ଆରଏସଏସର ମୁଖ୍ୟ ଦପ୍ତର ନାଗପୁରରୁ ଏପର୍ଯ୍ୟନ୍ତ ଏ ନେଇ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ କର୍ଣ୍ଣାଟକ ଆରଏସଏସ କାର୍ଯ୍ୟକର୍ତ୍ତାମାନେ କହିଛନ୍ତି- RSS ସ୍ବୟଂସେବକ (ସଭ୍ୟ)ମାନେ ଦେଶ ଗଠନ ପାଇଁ ଗୁରୁ ଦକ୍ଷିଣା ଦିଅନ୍ତି, ଚାନ୍ଦା ଦିଅନ୍ତି ନାହିଁ। ଆରଏସଏସ ବାହାରୁ ଚାନ୍ଦା ନିଏ ନାହିଁ କି କୌଣସି ଦଳ ସହ ସଂପୃକ୍ତ ନୁହେଁ। RSS ନିସ୍ବାର୍ଥପର ଭାବେ ସାମାଜିକ କାର୍ଯ୍ୟ କରି ଦେଶ ସେବାର ନିୟୋଜିତ ଥାଏ।
ଅନ୍ୟପଟରେ କର୍ଣ୍ଣାଟକର ବିଜେପି ନେତ୍ରୀ ଡ ସୁଧା ହାଲକାଇ କହିଛନ୍ତି- ସେମାନେ RSSର ଦର୍ଶନ ବୁଝିନାହାନ୍ତି। ଯେଉଁମାନେ ଦେଶ ସେବା କରୁଛନ୍ତି, ସେମାନଙ୍କୁ ସେ ସୈତାନ୍ ଭଳି ଦେଖାଯାଉଛନ୍ତି।
