tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବାରିପଦା ଓଡ଼ିଶାର କୁଡୁମୀଙ୍କର ଅଘୋଷିତ ରାଜଧାନୀ

1 min read

କୁଡୁମୀ ସମାଜର ଜାତୀୟ ବାନ୍ଦନା ପରବ-୨୦୨୬

– କୁଡ଼ୁମୀ ଆଦିବାସୀ ତାଲିକାଭୁକ୍ତ କରିବା,କୁଡୁମାଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବି ସମ୍ପର୍କରେ ସରକାର ଅବଗତ
ଭୁବନେଶ୍ୱର,ବାରିପଦା,
କର୍ମରେ ବିଶ୍ୱାସ କରୁଥିବା କୁଡ଼ୁମୀ ସମାଜର ପ୍ରାଚୀନ ଓ ପରିଶ୍ରମୀ କୃଷକ ସମ୍ପ୍ରଦାୟ ଓଡ଼ିଶା ସମେତ ଆସାମ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ଗୁଜୁରାଟ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ବସବାସ କରୁଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ମୟୂରଭଞ୍ଜ ଓ କେନ୍ଦୁଝର ଏ ଜାତିର ମୁଖ୍ୟ ବାସସ୍ଥଳୀ ପାଲଟିଥିବାବେଳେ ବାରିପଦା ଓଡ଼ିଶାର କୁଡୁମୀମାନଙ୍କର ଅଘୋଷିତ ରାଜଧାନୀ ଭାବେ ପରିଚିତ ହୋଇଛି।

କୁଡୁମୀ ସମାଜର କଳା, ସଂସ୍କୃତିର ସଂରକ୍ଷଣ ଓ କୃଷକ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। କୁଡ଼ୁମୀଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା ଏବଂ କୁଡୁମାଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦୀର୍ଘ ଦିନରୁ ଚାଲିଆସୁଥିବା ଦାବି ସମ୍ପର୍କରେ ସରକାର ଅବଗତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

  ମୟୂରଭଞ୍ଜ ଜିଲ୍ଲାର ଆଗୁଆଡ଼ ଠାରେ ଆଜି ଆୟୋଜିତ ‘ଜାତୀୟ ବାନ୍ଦନା ପରବ – ୨୦୨୬’ର ସାଂସ୍କୃତିକ ମହାମିଳନ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଡୁମୀ ସମାଜର ପ୍ରାଚୀନ ପରମ୍ପରା, କର୍ମଠତା ଏବଂ ପ୍ରକୃତି ପ୍ରେମର ଉଚ୍ଚ ପ୍ରଶଂସା କରିଏହା ପ୍ରକାଶ କରିଛନ୍ତି। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୁଡୁମୀ ଜାତି ହେଉଛନ୍ତି ଭୂମିର ସନ୍ତାନ। ମାଟିକୁ ସ୍ୱେଦରେ ସିଞ୍ଚି ଶସ୍ୟଶ୍ୟାମଳା କରିବାର କଳା କୁଡୁମୀ ସମାଜ ଠାରୁ ଶିଖିବାକୁ ମିଳେ। ପ୍ରକୃତିକୁ ମା’ ଭାବେ ପୂଜା କରିବା, ଗଛଲତା, ପାହାଡ଼, ନଦୀ-ନାଳ ଏବଂ ପ୍ରାଣୀଜଗତ ସହ ସହବସ୍ଥାନ କରିବାର ଯେଉଁ ଅନନ୍ୟ ଶୈଳୀ ଏହି ସମାଜ ପାଖରେ ରହିଛି, ତାହା ସମଗ୍ର ମାନବ ସମାଜ ପାଇଁ ଏକ ଦିଗଦର୍ଶନ। ସେହିପରି ବାନ୍ଦନା କେବଳ ଏକ ପର୍ବ ନୁହେଁ, ବରଂ ଏହା ପ୍ରକୃତି, ମାଟି, ଗୋଧନ ଏବଂ ମାନବୀୟ ସମ୍ପର୍କର ଏକ ଜୀବନ୍ତ କାବ୍ୟ। ପ୍ରକୃତିର ପୂଜା, କୃଷି ସଂସ୍କୃତିର ଆରାଧନା ଏବଂ ମାଟି ପ୍ରତି ଆନୁଗତ୍ୟର ଏହି ନିଶାଣ ଆମ ସଂସ୍କୃତିର ଆତ୍ମା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଆଦିବାସୀ ସଂସ୍କୃତିରେ ଭାଇଚାରା ସବୁବେଳେ ପ୍ରଥମ ସ୍ଥାନରେ ରହିଆସିଛି। ବାଲ୍ୟକାଳରୁ ନିଜ ଗାଁରେ କୁଡୁମୀ ପରିବାରଗୁଡ଼ିକ ସହ ବଢ଼ିଥିବା ସ୍ମୃତିକୁ ଅନନ୍ୟ। ଢେଙ୍ଗୁଆନ ବୁଲିବା ଏବଂ ପିଠା ଖାଇବାର ନିଆରା ଅନୁଭୂତି ନିଆରା। କୁଡୁମୀ ସମ୍ପ୍ରଦାୟର ସହଯୋଗୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ସ୍ୱାଭିମାନୀ, ବିଶ୍ୱସ୍ତ ଓ ରାଷ୍ଟ୍ରଭକ୍ତ ଜାତି ଭାବେ କୁଡୁମୀମାନେ ସଂଘର୍ଷରୁ ସଫଳତା ହାସଲ କରିବାରେ ବିଶ୍ୱାସ କରନ୍ତି ଏବଂ ଆଜି କୃଷି ସହିତ ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ମଧ୍ୟ ନିଜର ପାରଦର୍ଶିତା ପ୍ରତିପାଦନ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୋ-ଜାତି ପ୍ରତି ସମ୍ମାନ ଓ କୃତଜ୍ଞତା ଅର୍ପଣ ପାଇଁ ଆବାହମାନ କାଳରୁ ଗୋଠ ପୂଜା, ଗୁହାଳ ପୂଜା ଓ ଗୋରୁ ବାନ୍ଦନା ଆଦି ପାଳନ କରାଯାଇଆସୁଛି। ଏହା ସହିତ କରମ ପର୍ବ ମାଧ୍ୟମରେ କରମ ଗଛକୁ ପୂଜା କରି ଏହି ସମାଜ ସାରା ବିଶ୍ୱକୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଥିବା ବେଳେ ଟୁସୁଦେବୀଙ୍କ ବୀରତ୍ୱର ଗାଥା କୁଡୁମୀ ମହିଳା ଓ ଝିଅମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ “ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ରାଜ୍ୟ ସରକାର “ସମାବେଶୀ ବିକାଶ’ ମଡେଲରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ପ୍ରତ୍ୟେକ ଜାତି, ସମ୍ପ୍ରଦାୟ ଓ ଅଞ୍ଚଳର ସମାନ ପ୍ରଗତି ହେଲେ ହିଁ ରାଜ୍ୟ ସମୃଦ୍ଧ ହୋଇପାରିବ ବୋଲି ମତଦେଇ କୁଡୁମୀ ସମାଜର କଳା ଓ ସଂସ୍କୃତିର ସୁରକ୍ଷା, ବିଭିନ୍ନ କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ କୃଷକଙ୍କ ଜୀବନଜୀବିକାର ଉନ୍ନତି ଏବଂ ଗୋ-ସମ୍ପଦର ଅଭିବୃଦ୍ଧି ପାଇଁ ସରକାର ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

Share

Leave a Reply