ଅକ୍ଟୋବର ସୁଦ୍ଧା ବକେୟା ବାର୍ଦ୍ଧକ୍ୟ ଭତ୍ତା
1 min read
- ରାଜ୍ୟରେ ମୋଟ୍ ୨୦,୩୩,୯୫୯ ହିତାଧିକାରୀ: ମନ୍ତ୍ରୀ
ଭୁବନେଶ୍ୱର,/TATKAL ODISHA//
ଆଗାମୀ ଅକ୍ଟୋବର ମାସ ସୁଦ୍ଧା ବକେୟା ଭତ୍ତା ମିଳିଯିବ। ଶୁକ୍ରବାର ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମୋଟ୍ ୨୦,୩୩,୯୫୯ ଜଣ ହିତାଧିକାରୀ ‘ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା’ ଅଧୀନରେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ଓଡ଼ିଶାର ହିତାଧିକାରୀଙ୍କୁ ଗତ ପାଞ୍ଚ ମାସ ଧରି ଭତ୍ତା ମିଳିନାହିଁ।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ଅର୍ଥ ବିଭାଗ, କେନ୍ଦ୍ର ସରକାର ଏବଂ ଟ୍ରେଜେରୀ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ରାଜ୍ୟ ସରକାର ବୈଷୟିକ ସମସ୍ୟାର ସମାଧାନ କରିବା ଏବଂ ବକେୟା ଅର୍ଥ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ବୈଷୟିକ ସମସ୍ୟା ଯୋଗୁଁ କିଛି ହିତାଧିକାରୀଙ୍କୁ ଗତ ପାଞ୍ଚ ମାସ ଧରି ଭତ୍ତା ପ୍ରଦାନ କରାଯାଇପାରିନାହିଁ। ରାଜ୍ୟ ସରକାର ଏହି ସମସ୍ୟା ବିଷୟରେ ଅବଗତ ଅଛନ୍ତି ଏବଂ ଏହାର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ପ୍ରଭାବିତ ସମସ୍ତ ହିତାଧିକାରୀ ଯେପରି ଅକ୍ଟୋବର ମାସ ସୁଦ୍ଧା ନିୟମିତ ଭତ୍ତା ସହିତ ସେମାନଙ୍କର ବକେୟା ଅର୍ଥ ମଧ୍ୟ ପାଇପାରିବେ। ତାହା ସୁନିଶ୍ଚିତ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି।
