tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୨୦୨୭ ମାର୍ଚ୍ଚ ସୁଦ୍ଧା ୨୨୦୦ ସ୍କୁଲ ପାଇଁ ଜମି ଚିହ୍ନଟ

1 min read
  • ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରସ୍ତୁତି
  • ମୁଖ୍ୟମନ୍ତ୍ରୀ ପ୍ରତି ମାସରେ ଥରେ ସମୀକ୍ଷା କରିବେ
  • ସାପ୍ତାହିକ ରିପୋର୍ଟ ପ୍ରଦାନ କରିବେ ଜିଲ୍ଲାପାଳ
    ଭୁବନେଶ୍ୱର,/TATKAL ODISHA//
    ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ପ୍ରକଳ୍ପ ପାଇଁ ମାର୍ଚ୍ଚ ୨୦୨୭ ସୁଦ୍ଧା ଜମି ଚିହ୍ନଟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେଉଁ ୨୨୦୦ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ସ୍ଥିରୀକୃତ ହୋଇଛି। କାରଣ,ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଏହାକୁ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଭାବେ ସରକାର କାର୍ଯ୍ୟକାରୀ କରୁଛନ୍ତି।
  • ବୁଧବାର ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟର ଅଗ୍ରଗତି ପାଇଁ ଜିଲ୍ଲାପାଳମାନେ ପ୍ରତି ସପ୍ତାହରେ ଏହାର ତଦାରଖ କରିବେ। ଏକ ସାପ୍ତାହିକ ରିପୋର୍ଟ ପ୍ରସ୍ତୁତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ପ୍ରଦାନ କରିବେ। ଏହା ସହିତ ମୁଖ୍ୟମନ୍ତ୍ରୀ ନିଜେ ପ୍ରତି ମାସରେ ଏହି ପ୍ରକଳ୍ପର ସମୀକ୍ଷା କରିବେ।
  • ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଚଳିତ ଆର୍ôଥକ ବର୍ଷରେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପ୍ରାୟ ୨୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା କରିଛନ୍ତି। ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି- ୨୦୨୦ ଓ ଶିକ୍ଷା ଅଧିକାର- ୨୦୦୯ ର ଲକ୍ଷ୍ୟ ପୂରଣ ପାଇଁ ପଞ୍ଚାୟତ ସ୍ତରରେ ବିଶ୍ୱସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ଏହି ଯୋଜନାର ମୂଳ ଲକ୍ଷ୍ୟ। ବର୍ତ୍ତମାନ ସୁଦ୍ଧା ୩୨୨ଟି ସ୍କୁଲ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇ କାମ ଆରମ୍ଭ ହୋଇଛି। ତେଣୁ, ବାକିତକ ବିଦ୍ୟାଳୟ ପାଇଁ ତୁରନ୍ତ ଜମିର ଚିହ୍ନଟ କରିବା ପାଇଁ ଜିଲ୍ଲାପାଳମାନେ ଗୁରୁତ୍ୱ ଦେଇ ଉଦ୍ୟମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜମି ଚିହ୍ନଟ ପ୍ରକ୍ରିୟାରେ ସ୍ଥାନୀୟ ବିଧାୟକମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହାଦ୍ୱାରା ଜମି ଚିହ୍ନଟ ପ୍ରକ୍ରିୟା ସହଜ ଏବଂ ତ୍ୱରାନ୍ୱିତ ହେବ।
    ମୁଖ୍ୟମନ୍ତ୍ରୀ ପୁଣି ଜିଲ୍ଲାପାଳମାନଙ୍କୁ କହିଛନ୍ତି ଯେ, ଏହି ପ୍ରକଳ୍ପର ସଫଳତା ପାଇଁ ଜିଲ୍ଲାପାଳମାନଙ୍କ ସକ୍ରିୟ ଉଦ୍ୟମ ଏକାନ୍ତ ଜରୁରୀ। ସମସ୍ତେ ଏହାକୁ ଗୁରୁତ୍ୱର ସହ ନେଇ ଧାର୍ଯ୍ୟ ଟାର୍ଗେଟ ପୂରଣ କରନ୍ତୁ। ୨୨୦୦ ବିଦ୍ୟାଳୟକୁ ଖୁବ୍ ଶୀଘ୍ର ନିର୍ମାଣ କରିବା ପାଇଁ ପ୍ରଶାସନିକ କଳ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବାର ଲକ୍ଷ୍ୟ ରହିଛି।
    ଉକ୍ତ ବୈଠକରେ ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡିକେ ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଏନ୍‌. ତିରୁମାଲା ଏବଂ ଓସେପାର ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳମାନେ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ।

Share

Leave a Reply