tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆନ୍ତର୍ଜାତୀୟ ମଞ୍ଚରେ ଓଡ଼ିଆ ଝିଅ ଡ଼. ବିଜୟାଶ୍ରୀ ସାମଲଙ୍କ ନୂଆ ଆଲବମ୍ “Gold Leaf”

1 min read

Oplus_16908288

  • କେନ୍ଦ୍ରାପଡ଼ାର ଝିଅ ଓ ନୀଳଗିରିର ବୋହୁଙ୍କ ସଫଳ ସଙ୍ଗୀତ ଯାତ୍ରା, ଓଡ଼ିଶା ପାଇଁ ଗର୍ବ 

ଜୁରିଚ, ବନ (ସ୍ୱିଜରଲାଣ୍ଡ)//TATKAL ODISHA //

“ଆଉ ଜଣେ ଓଡ଼ିଆ ଝିଅ ଓଡ଼ିଶାର ଟେକ ରଖିଛନ୍ତି I ଆନ୍ତର୍ଜାତିକ ମଞ୍ଚରେ ତାଙ୍କର ସଙ୍ଗୀତ ଯାତ୍ରା ଏବେ ଓଡ଼ିଶାକୁ ଗର୍ବିତ କରିଛି I ଇଣ୍ଡୋ–ଜାଜ୍ ଆଲବମ୍ “Gold Leaf” ତାଙ୍କର ମୁକ୍ତିଲାଭ କରିଛି I ସୁଇଜରଲାଣ୍ଡରେ ଅବସ୍ଥାନ କରିଥିବା କେନ୍ଦ୍ରାପଡ଼ାର ଝିଅ ଓ ନୀଳଗିରିର ବୋହୁ ସେ I ତାଙ୍କ ନାଁ ହେଉଛି ଡ଼. ବିଜୟାଶ୍ରୀ ସାମଲ I”

ପ୍ରସିଦ୍ଧ ସଙ୍ଗୀତଶିଳ୍ପୀ ଡ଼. ବିଜୟାଶ୍ରୀ ସାମଲଙ୍କ ନୂତନ ଇଣ୍ଡୋ–ଜାଜ୍ ସଙ୍ଗୀତ ଆଲବମ୍ “Gold Leaf” ସମ୍ପ୍ରତି ମୁକ୍ତି ପାଇଛି। ଏହି ଆଲବମ୍‌ରେ ଭାରତୀୟ ସଙ୍ଗୀତର ସୁର ଓ ଆଧୁନିକ ଜାଜ୍ ସଙ୍ଗୀତର ମିଶ୍ରଣ ଶୁଣିବାକୁ ମିଳିଛି।

ଓଡ଼ିଶାର ଆନ୍ତର୍ଜାତୀୟ ଗାୟିକା ଡ଼. ବିଜୟାଶ୍ରୀ ସାମଲଙ୍କ ଇଣ୍ଡୋ–ଜାଜ୍ ଆଲବମ୍ “Gold Leaf” ମୁକ୍ତିଲାଭ କରିଛି I 

ଓଡ଼ିଶାରୁ ଆସି ଆନ୍ତର୍ଜାତୀୟ ସଙ୍ଗୀତ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭାରତୀୟ ଗାୟିକା ଓ ସଙ୍ଗୀତ ରଚୟିତା ଡ଼. ବିଜୟାଶ୍ରୀ ସାମଲ ତାଙ୍କର ନୂତନ ଡୁଓ ଆଲବମ୍ “Gold Leaf” ସହ ଶ୍ରୋତାମାନଙ୍କ ସମ୍ମୁଖରେ ଆସିଛନ୍ତି।

ସ୍ୱିଜରଲ୍ୟାଣ୍ଡରେ କାର୍ଯ୍ୟରତ ବିଜୟାଶ୍ରୀ ସାମଲ ଓ ନ୍ୟୁୟର୍କରେ କାର୍ଯ୍ୟରତ ଇସ୍ରାଇଲୀ ଜାଜ୍ ପିଆନିଷ୍ଟ ମୋଶେ ଏଲମାକିଆସଙ୍କ ସଂଯୁକ୍ତ ପ୍ରୟାସରେ ସୃଷ୍ଟି ହୋଇଥିବା ଏହି ଆଲବମ୍ ପୂର୍ବ ଓ ପଶ୍ଚିମ ସଙ୍ଗୀତର ଏକ ଅନନ୍ୟ ସମ୍ମିଳନକୁ ପ୍ରତିବିମ୍ବିତ କରିଛି। 

ଏହି ଆଲବମ୍‌ର ସଙ୍ଗୀତରେ ଭାରତୀୟ ଶାସ୍ତ୍ରୀୟ ରାଗ, ଇସ୍ରାଇଲୀ ସଙ୍ଗୀତ ଓ ଜାଜ୍ ଇମ୍ପ୍ରୋଭିଜେସନ୍‌ର ଏକ ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳେ।  ସୁମଧୁର ସୁର, ସମୃଦ୍ଧ ହାର୍ମୋନି ଏବଂ ଆକର୍ଷଣୀୟ ରିଦମ୍‌ର ସମନ୍ୱୟ ଏହି ସଙ୍ଗୀତକୁ ଏକ ବିଶିଷ୍ଟ ମାଧୁର୍ୟ ପ୍ରଦାନ କରିଛି।

ଡ଼. ବିଜୟାଶ୍ରୀ ସାମଲ କେନ୍ଦ୍ରାପଡ଼ା ଜିଲ୍ଲାର ଝିଅ ଓ ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳର ବୋହୁ ଭାବେ ଓଡ଼ିଶା ସହ ଗଭୀର ସମ୍ପର୍କ ରଖିଛନ୍ତି।

ଦୁଇ ଶିଳ୍ପୀଙ୍କ ସଙ୍ଗୀତିକ ପରିଚୟ ୨୦୧୯ ମସିହାରେ ଫ୍ରାନ୍ସର ମାରସେଇ ସହରରେ ହୋଇଥିଲା। ସେମାନେ ସେଠାରେ ଏକାଧିକ ଗ୍ରାମି ପୁରସ୍କାର ବିଜେତା ପ୍ରସିଦ୍ଧ ସଙ୍ଗୀତ ନିର୍ମାତା Larry Kleinଙ୍କ ନିର୍ଦ୍ଦେଶନାରେ Beyond Music ପ୍ରକଳ୍ପର ଏକ ଆଲବମ୍ ରେକର୍ଡିଂ ସମୟରେ ସାଙ୍ଗେ ସାଙ୍ଗେ କାମ କରିଥିଲେ। ସେଠାରୁ ଆରମ୍ଭ ହୋଇଥିବା ଏହି ସଙ୍ଗୀତିକ ସମ୍ପର୍କ ପରେ ଏକ ଗଭୀର ସୃଜନାତ୍ମକ ସହଯୋଗରେ ପରିଣତ ହୋଇ “Gold Leaf” ଆଲବମ୍ ରୂପେ ପ୍ରକାଶ ପାଇଛି।

  • ଆଲବମ୍‌ର କିଛି ଗୀତ ଶ୍ରୋତାମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରୁଛି। ବିଜୟାଶ୍ରୀଙ୍କ ଦ୍ୱାରା ରଚିତ ଭାରତୀୟ ରାଗ ମଲ୍ହାର ଉପରେ ଆଧାରିତ “Rimjhim – A Rain Song” ଗୀତଟି ଦ୍ରୁତ ତ୍ରିତାଳରେ ଏକ ସରଗମ୍ ଗୀତ , ଯାହା ଜାଜ୍ ପିଆନୋ ହାର୍ମୋନି ଓ ତବଲା ବାଦ୍ୟ ସହ ପରିବେଷିତ ହୋଇଛି। ବର୍ଷାର ମାଧୁର୍ୟ ଓ ପ୍ରକୃତିର ରସକୁ ଏହି ଗୀତ ଅତ୍ୟନ୍ତ ସୁନ୍ଦର ଭାବେ ଉପସ୍ଥାପନ କରେ।
  • Bhairavi Tarana – Geneva Scents” ଗୀତଟି ଭାରତୀୟ ରାଗ ଭୈରବୀର ଏକ ଦ୍ରୁତ ତାରାନା, ଯାହା ଜାଜ୍ ପିଆନୋର ସୃଜନାତ୍ମକ ଇମ୍ପ୍ରୋଭିଜେସନ୍‌ ସହିତ ଏକ ଅଲଗା ଶ୍ରବଣ ଅନୁଭୂତି ପ୍ରଦାନ କରେ।

ଆଲବମ୍‌ର ଆଉ ଗୋଟିଏ ଶ୍ରୁତିମଧୁର ଗୀତ “Lamha” ଜୀବନର ଏକ ସୁକୁମାର ଓ ଦୁର୍ଲଭ ମୁହୂର୍ତ୍ତର ଭାବନାକୁ ସୁନ୍ଦର ଭାବରେ ପ୍ରକାଶ କରିଥାଏ। ବିଜୟାଶ୍ରୀଙ୍କ ସୁଲଳିତ କଣ୍ଠସ୍ୱର ଓ ମୋଶେ ଏଲମାକିଆସଙ୍କ ପିଆନୋର ସୂକ୍ଷ୍ମ ସୁରର ସମନ୍ୱୟ ଏହାକୁ ଏକ ଶାନ୍ତ, ଆତ୍ମମୁଖୀ ଓ ଭାବପୂର୍ଣ୍ଣ ସଙ୍ଗୀତ ଅନୁଭୂତିରେ ପରିଣତ କରିଛି।

  • “Gold Leaf” ଆଲବମ୍‌ରେ ମୋଟ ୧୨ଟି ମୌଳିକ ସଙ୍ଗୀତ ରଚନା ସମ୍ମିଳିତ ଅଛି। ଆଲବମ୍‌ଟିରେ ବିଜୟାଶ୍ରୀ ଗୀତ ରଚନା ସହ ସ୍ୱର ସଂଯୋଜନା କରିଥିବାବେଳେ, ମୋଶେ ଏଲମାକିଆସଙ୍କ ସହ ମିଶି ଏହାର ଆରେଞ୍ଜମେଣ୍ଟ ମଧ୍ୟ କରିଛନ୍ତି। ଜର୍ମାନୀର ବର୍ଲିନରେ ଏହାର ରେକର୍ଡିଂ Francis Stuart Milne କରିଥିବାବେଳେ, ନ୍ୟୁୟର୍କର ଗ୍ରାମୀ ପୁରସ୍କାର ବିଜେତା Dev Darlington ଏହାର ମିକ୍ସିଂ ଓ ମାଷ୍ଟରିଂ କରିଛନ୍ତି।
  • Gold Leaf” କେବଳ ଏକ ଆଲବମ୍ ନୁହେଁ; ଏହା ଏକ ଗ୍ଲୋବାଲ୍ ସଙ୍ଗୀତ ଯାତ୍ରା। ବିଗତ କିଛି ବର୍ଷ ଧରି ଭାରତୀୟ ସଙ୍ଗୀତକୁ ପଶ୍ଚିମ ସଙ୍ଗୀତ ସହିତ ସାବଲୀଳ ଭାବରେ ମିଶ୍ରଣ କରି ବିଜୟାଶ୍ରୀ ସାମଲ ବିଶ୍ୱର ଅନେକ ପ୍ରଖ୍ୟାତ ମଞ୍ଚରେ ପରିବେଷଣ କରି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଓ ସମ୍ମାନ ଅର୍ଜନ କରିଛନ୍ତି

ଡ଼. ବିଜୟାଶ୍ରୀ କେମେଷ୍ଟ୍ରିରେ ଡ଼କ୍ଟରେଟ୍ କରିଛନ୍ତି ଏବଂ କିଛି ବର୍ଷ ଧରି କେମେଷ୍ଟ୍ରି ଅଧ୍ୟାପକ ହିସାବରେ କାମ କରିଛନ୍ତି। ପରବର୍ତ୍ତୀ ସମୟରେ  କେବଳ ସଙ୍ଗୀତକୁ ନେଇ ଜୀବନ ଯାତ୍ରା କରିବା ପାଇଁ ଅଧ୍ୟାପନାରୁ ବିରତି ନେଇଛନ୍ତି।

ଶୁଣନ୍ତୁ ବିଜୟଶ୍ରୀଙ୍କ ଗୀତ…

Share

Leave a Reply