ହୀରାକୁଦରେ ମହାନଦୀ ଟ୍ରିବ୍ୟୁନାଲ: ଫିଟୁଛି ସମାଧାନ ବାଟ
1 min read
Oplus_16908288
- ସମ୍ବଲପୁର//TATKAL ODISHA//
- ରିପୋର୍ଟ :ସିଦ୍ଧିପ୍ରଦା ଦାଶ
ଦୀର୍ଘ ସାତ ବର୍ଷ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ଏକ ସ୍ଥାୟୀ ସମାଧାନ ପାଇଁ ବାଟ ଫିଟିବା ଆରମ୍ଭ ହୋଇଛି । ମାନ୍ୟବର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଚେୟାରମ୍ୟାନ ଜଷ୍ଟିସ ବେଲା ତ୍ରିବେଦୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବର୍ତ୍ତମାନ ଓଡିଶା ଗସ୍ତରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଟ୍ରିବ୍ୟୁନାଲ ସଦସ୍ୟମାନେ ପ୍ରଥମେ ଏକ ସମୀକ୍ଷା ବୈଠକ କରିଥିଲେ।
ବୈଠକରେ ଛତିଶଗଡ ଜଲସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ, ଓଡିଶା ଜଳସମ୍ପଦ ବିଭାଗର ଅଧିକାରୀ ଓ ସମ୍ବଲପୁର ଜ଼ିଲ୍ଲା ପ୍ରଶାସନ ର ଅଧିକାରୀ ମାନେ ଉପସ୍ଥିତ ଥିଲେ l ବୈଠକରେ ଏକ ମ୍ୟାପ ମାଧ୍ୟମରେ ଟ୍ରିବ୍ୟୁନାଲ ସଦସ୍ୟ ମାନଙ୍କୁ ମହାନଦୀର ସ୍ଥିତି ସମ୍ପର୍କ ରେ ଅଧିକାରୀ ମାନେ ବୁଝାଇଥିଲେ l ଏହାପରେ ହୀରାକୁଦ ଜଳଭଣ୍ଡାର ଓ ବୁର୍ଲା ପାୱାର ହାଉସ ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ ।

ଟ୍ରିବ୍ୟୁନାଲଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ, ଓଡ଼ିଶା ପିତାମ୍ବର ଆଚାର୍ଯ୍ଯ କହିଛନ୍ତି ଯେ, ଅଣମୌସୁମୀ ସମୟରେ ହୀରାକୁଦରେ ଜଳର ସ୍ଥିତି ଏବଂ ବିଦ୍ୟୁତ ଉତ୍ପାଦନ ପ୍ରକ୍ରିୟାକୁ ଟ୍ରିବ୍ୟୁନାଲ ନିଜ ଆଖିରେ ଦେଖିବା ଦ୍ୱାରା ଓଡିଶାର ପକ୍ଷ ଅଧିକ ମଜବୁତ ହୋଇଛି। ପୂର୍ବରୁ ଏହି ବିବାଦ କେବଳ ଆଇନଗତ ଓ ରାଜନୈତିକ ସ୍ତରରେ ଅଟକି ରହିଥିବା ବେଳେ, ବର୍ତ୍ତମାନ ଉଭୟ ଓଡିଶା ଏବଂ ଛତିଶଗଡ଼ ଆପୋଷ ବୁଝାମଣା ଜରିଆରେ ଏହାର ସମାଧାନ ପାଇଁ ରାଜି ହୋଇଛନ୍ତି। ବିଶେଷ କରି ଜୁଲାଇ ୨୦୨୫ ପରଠାରୁ ହୋଇଥିବା ବିଭିନ୍ନ ପର୍ଯ୍ୟାୟ ଶୁଣାଣିରେ ସକାରାତ୍ମକ ଦିଗ ସାମ୍ନାକୁ ଆସିଛି।
ଏହି ସମାଧାନ ପ୍ରକ୍ରିୟା ଦ୍ୱାରା ଓଡିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଟକି ରହିଥିବା କାମ ଆଗକୁ ବଢ଼ିପାରିବ। ବିଶେଷ କରି ୩୦ ହଜାର କୋଟି ଟଙ୍କାର ‘ଇବ୍’ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଚାଷୀମାନେ ବ୍ୟାପକ ଭାବେ ଉପକୃତ ହେବେ। ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୬ ଏପ୍ରିଲରେ ଶେଷ ହେବାକୁ ଥିବା ବେଳେ, ଏହି ସମୟ ମଧ୍ୟରେ ଏକ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ବିରୋଧୀଙ୍କ ‘ପିକନିକ’ ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରି ସରକାର କହିଛନ୍ତି ଯେ, ଏହା ଓଡିଶାବାସୀଙ୍କ ହକର ଲଢ଼େଇ ଏବଂ ମହାନଦୀର ଜଳରାଶି ଉପରେ ଓଡିଶାର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଏଜି କହିଥିଲେ l
ReplyForward
Add reaction
