ଶ୍ରୀମଦ୍ ଭଗବଦ୍ ଗୀତା ୧: ୧୫ ଶ୍ଳୋକ :ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ…
1 min read
ଶ୍ରୀମଦ୍ ଭଗବଦ୍ ଗୀତା ୧: ୧୫ ଶ୍ଳୋକ :
ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟଃ ।
ପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖଂ ଭୀମକର୍ମା ବୃକୋଦରଃ ॥
- ଏହାପରେ ହୃଷୀକେଶ (ଶ୍ରୀକୃଷ୍ଣ) ତାଙ୍କର ପାଞ୍ଚଜନ୍ୟ ଶଙ୍ଖନାଦ କଲେ । ଧନଞ୍ଜୟ (ଅର୍ଜୁନ) ତାଙ୍କର ଦେବଦତ୍ତ ଶଙ୍ଖ ବଜାଇଲେ। ଭୀମ (ବୃକୋଦର) ତାଙ୍କର ପୌଣ୍ଡ୍ର ନାମକ ବିଶାଳ ଶଙ୍ଖ ବଜାଇଲେ ।
ଏହି ଶ୍ଳୋକରେ ଶଙ୍ଖନାଦ କେବଳ ଯୁଦ୍ଧ ଆରମ୍ଭର ସୂଚନା ନୁହେଁ, ବରଂ ଧର୍ମର ସଂଘୋଷ ପ୍ରକାଶିତ ହୋଇଅଛି । କୃଷ୍ଣ ଏଠାରେ କେବଳ ସାରଥୀ ନୁହେଁ, ସେ ଚେତନାର ନେତୃତ୍ୱ । ଶ୍ରୀକୃଷ୍ଣଙ୍କ ପାଞ୍ଚଜନ୍ୟ ମାନେ – ପଞ୍ଚଇନ୍ଦ୍ରିୟକୁ ନିୟନ୍ତ୍ରଣ କରି ଧର୍ମପଥରେ ଆଗେଇବା । ଅର୍ଜୁନଙ୍କ ଦେବଦତ୍ତ – ଦେବଦତ୍ତ ଅର୍ଥାତ୍ ଇଶ୍ୱରଦତ୍ତ କର୍ତ୍ତବ୍ୟ । ଅର୍ଜୁନଙ୍କ ଜୀବନସଂଘର୍ଷ ପ୍ରତ୍ୟେକ ମନୁଷ୍ୟଙ୍କ ମଧ୍ୟରେ ଥିବା ନୀତି-ଅନୀତିର ଦ୍ୱନ୍ଦ୍ୱକୁ ପ୍ରତିବିମ୍ବିତ କରେ । ଭୀମଙ୍କ ପୌଣ୍ଡ୍ର – ଶକ୍ତି, ସାହସ ଓ ନ୍ୟାୟର ପ୍ରତୀକ । ଏହା ସୂଚିତ କରାଏ ଯେ, ଧର୍ମକୁ କେବଳ ଉପଦେଶ ନୁହେଁ, ଆବଶ୍ୟକ ହେଲେ ଦୃଢ଼ କାର୍ଯ୍ୟ ମାଧ୍ୟମରେ ମଧ୍ୟ ସ୍ଥାପନ କରାଯାଏ । - ପାରିବାରିକ କ୍ଷେତ୍ରରେ କୃଷ୍ଣଙ୍କ ପାଞ୍ଚଜନ୍ୟ – ସୁସଂଯମ ଓ ବିବେକ । ମା-ବାପାଙ୍କ ଜୀବନରେ ବିବେକପୂର୍ଣ୍ଣ ନିଷ୍ପତ୍ତି ପରିବାରକୁ ରକ୍ଷା କରେ । ଅର୍ଜୁନଙ୍କ ଦେବଦତ୍ତ – କର୍ତ୍ତବ୍ୟବୋଧ । ସନ୍ତାନମାନେ ନିଜ କର୍ତ୍ତବ୍ୟକୁ ବୁଝିଲେ ପିଢ଼ି ରୁ ପିଢ଼ି ମଧ୍ୟରେ ସମ୍ପର୍କ ଦୃଢ଼ ହୁଏ । ପରିବାର ହେଉଛି ଏକ କ୍ଷୁଦ୍ର କୁରୁକ୍ଷେତ୍ର, ଯେଉଁଠି ପ୍ରତିଦିନ ନୀତି-ଅନୀତିର ଯୁଦ୍ଧ ଚାଲିଥାଏ । ଯେଉଁ ପରିବାରରେ ବିବେକ, କର୍ତ୍ତବ୍ୟ ଓ ସାହସ ଏକସାଥିରେ ଥାଏ, ସେ ପରିବାର ଧର୍ମରେ ଦୃଢ଼ ।
- ଆଧୁନିକ ସମାଜରେ ଶଙ୍ଖନାଦ ମାନେ – ସତ୍ୟ ପାଇଁ ନିର୍ଭୟ କଥା, ନୀତିସମ୍ମତ ନେତୃତ୍ୱ, ଅନ୍ୟାୟ ବିରୋଧରେ ସ୍ପଷ୍ଟ ଅବସ୍ଥାନ। ଯେଉଁଠି ଶକ୍ତି ଓ ନୀତି ଏକାସାଙ୍ଗରେ ଗତି କରେ, ସେଠାରେ ଧର୍ମ ଜୟୀ ହୁଏ । ସମାଜ ଯେତେବେଳେ ଅନ୍ୟାୟ, ଶୋଷଣ ଓ ଭେଦଭାବକୁ ଦେଖି ମୌନ ରହେ, ସେତେବେଳେ ଅଧର୍ମ ଶକ୍ତିଶାଳୀ ହୁଏ । ଗୀତା ୧.୧୫ର ଶଙ୍ଖନାଦ ସେହି ମୌନତାକୁ ଭାଙ୍ଗିବାର ପ୍ରତୀକ । ଏହା କୁହେ- ସମାଜର ପ୍ରତ୍ୟେକ ସଚେତନ ନାଗରିକଙ୍କ ଦାୟିତ୍ୱ ଅଛି, ସେ ନୀତି ପାଇଁ ସ୍ୱର ଉଠାଇବେ।
- କୃଷ୍ଣଙ୍କ ପାଞ୍ଚଜନ୍ୟ ଏଠାରେ ସାମୂହିକ ବିବେକର ପ୍ରତୀକ । ସମାଜ ଯଦି ବିବେକ ହରାଏ, ତେବେ ଆଇନ ଥିଲେ ମଧ୍ୟ ନ୍ୟାୟ ମିଳେ ନାହିଁ । ଆଜିର ସମୟରେ ମିଥ୍ୟା ପ୍ରଚାର, ଘୃଣା ରାଜନୀତି ଓ ଭୟର ପରିବେଶ ମଧ୍ୟରେ ବିବେକର ଶଙ୍ଖନାଦ ସବୁଠୁଁ ବେଶୀ ଆବଶ୍ୟକ । ଅର୍ଜୁନଙ୍କ ‘ଦେବଦତ୍ତ’ ଶଙ୍ଖ ରାଜନୈତିକ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ ନେତୃତ୍ୱର ପ୍ରତୀକ । ଯେତେବେଳେ ଜନପ୍ରତିନିଧି ନିଜ ସ୍ୱାର୍ଥକୁ ଜନସ୍ୱାର୍ଥଠାରୁ ଉପରେ ରଖନ୍ତି, ସେତେବେଳେ ଗଣତନ୍ତ୍ର କୁରୁକ୍ଷେତ୍ରରେ ପରିଣତ ହୁଏ । ଗୀତା ଏଠାରେ ସ୍ପଷ୍ଟ କରେ – ନୀତିହୀନ ରାଜନୀତି ଦୀର୍ଘକାଳ ଚାଲିପାରେ ନାହିଁ । ଶଙ୍ଖନାଦ ମାନେ ନିର୍ବାଚନୀ ଘୋଷଣା ନୁହେଁ, ବରଂ ସତ୍ୟ ଓ ନ୍ୟାୟ ପ୍ରତି ପ୍ରତିବଦ୍ଧତା । ଭୀମଙ୍କ ‘ପୌଣ୍ଡ୍ର’ ଶଙ୍ଖ ରାଜ୍ୟର ଶକ୍ତି ଓ ପ୍ରଶାସନର ପ୍ରତୀକ ।
- ଆଧୁନିକ ଭାରତୀୟ ରାଜନୀତିରେ ଗୀତା ୧.୧୫ ସ୍ମରଣ କରାଏ – ନାଗରିକ ମୌନ ରହିଲେ ଲୋକତନ୍ତ୍ର ଦୁର୍ବଳ ହୁଏ । ନେତୃତ୍ୱ ନୀତିହୀନ ହେଲେ ସଂବିଧାନ ଅସାର ହୁଏ । ଶକ୍ତି ନ୍ୟାୟ ବିହୀନ ହେଲେ ଶାସନ ଦମନକାରୀ ହୁଏ । ଗୀତାର ଶଙ୍ଖନାଦ ଆମକୁ କୁହେ – ସଚେତନ ନାଗରିକ, ନୀତିଶୀଳ ନେତା ଓ ନ୍ୟାୟପୂର୍ଣ୍ଣ ଶକ୍ତି – ଏହି ତିନୋଟି ମିଶିଲେ ହିଁ ସ୍ୱସ୍ଥ ଗଣତନ୍ତ୍ର ଗଢ଼ିଉଠେ ।
🌹🙏🌹 - ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
