ଜନଜାତିଙ୍କ ବିକାଶ: ୩ ବର୍ଷରେ ଓଡ଼ିଶାକୁ କେନ୍ଦ୍ରର ଅନୁଦାନ ୨,୭୮୭.୩ କୋଟି
1 min read
ଭୁବନେଶ୍ୱର,//TATKAL ODISHA//
ଭାରତ ସରକାର ଗତ ୩ ବର୍ଷରେ ଜନଜାତିଙ୍କ ବିକାଶ ପାଇଁ ଓଡ଼ିଶାକୁ ଦେଇଛନ୍ତି ୨,୭୮୭.୩ କୋଟି ଟଙ୍କା। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ମୋଟ୍ ୯୫ ଲକ୍ଷ ୯୦ ହଜାର ୭୫୬ ଆଦିବାସୀ ଏହି ଅର୍ଥ ବ୍ୟୟ ହେଉଛି। ସଂସଦରେ ଏହି ତଥ୍ୟ ରଖିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ।
ବୁଧବାର ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୧୧ ଯୋଜନା ଅନ୍ତର୍ଗତ ରାଜ୍ୟକୁ ପାଣ୍ଠି ପ୍ରଦାନ କରୁଛନ୍ତି। ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ, ସମ୍ବିଧାନର ୨୭୫ଧାରା ଅନୁଯାୟୀ ଗ୍ରାଣ୍ଟ, ଧରତି ଆବା ଗ୍ରାମ ଉତ୍କର୍ଷ ଅଭିଯାନ, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ, ଏସସିଏ ଟୁ ଟିଏସଏସ, ଜନଜାତିଙ୍କ କଲ୍ୟାଣ ପାଇଁ କାମ କରୁଥିବା ସ୍ୱଚ୍ଛାସେବୀ ଅନୁଷ୍ଠାନ, ପ୍ରଧାନମନ୍ତ୍ରୀ ଜନଜାତୀୟ ବିକାଶ ମିଶନ, ଜନଜାତି ବିକାଶ ଯୋଜନା, ଏନଏସଟିଏଫଡିସି, ସପୋର୍ଟ ଟୁ ଟିଆରଆଇ ଭଳି ଯୋଜନାରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଆସୁଛନ୍ତି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
