ଶିବ ମୁନିଙ୍କ ଅମୃତବାଣୀ-“ନିରୋଗ ରହିବାର ଅଦ୍ଭୁତ ଉପାୟ”
1 min read
ସୁସ୍ଥ, ସୁଖ, ଶାନ୍ତି, ସମୃଦ୍ଧି ତଥା ସିଦ୍ଧିପୂର୍ଣ୍ଣ
ଜୀବନ ଯାପନ ପାଇଁ ଶିବମୁନିଙ୍କ ଦର୍ଶନ
ଓ ଯୋଗ ସାଧନ ଏକ ସତ୍ୟ ସିଦ୍ଧ ମାର୍ଗ ।
ସଦଗୁରୁ ଶିବମୁନି ମହାରାଜ ଯୋଗଜନ୍ମା ଥିଲେ । ସେ ଏକାଧାରରେ ଜଣେ ଯୋଗୀ, ଦାର୍ଶନିକ, ଦିବ୍ୟ ଚିନ୍ତାନାୟକ ତଥା ସମାଜ ସଂସ୍କାରକ । ତିଥି ଅନୁଯାୟୀ ସେ ପବିତ୍ର କୁମାର ପୂର୍ଣ୍ଣିମୀ ଦିନ ଇଂରାଜୀ ୧୮୮୪ ମସିହା ଅକ୍ଟୋବର ୪ ତାରିଖରେ ଭାରତବର୍ଷ ଉତ୍ତର ପ୍ରଦେଶର ଗୋରଖପୁର ସନ୍ନିକଟ ଜଗନ୍ନାଥପୁରରେ ପିତା ପଣ୍ଡିତ ଶ୍ରୀକାନ୍ତ ଓଝା ଓ ମାତା ଶିବରାଣୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ମହାନ ଦର୍ଶନକୁ ସର୍ବଜନ ବିଦିତ କରିବା ପାଇଁ ସେ ଅତ୍ୟନ୍ତ ସରଳ ତଥା ବୋଧଗମ୍ୟ ଭାଷା ଓ ଭାବରେ ଅନେକ ପୁସ୍ତକ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ଲୋକ ତାହାକୁ ଉପଯୋଗ କରି ବସ୍ତୁତଃ କିପରି ନିଜ ଆଚରଣ, ଉଚ୍ଚାରଣରେ ପ୍ରତିଫଳିତ କରି ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ଭାବେ ବଞ୍ଚି-ବଞ୍ଚାଇ ପାରିବେ, ସେଥିପାଇଁ ସହଜ ଯୋଗ ଦର୍ଶନ ଓ ଯୋଗ ସାଧନା ଶିକ୍ଷା ଦେଇଯାଇଛନ୍ତି । ଶେଷରେ ୧୯୬୨ ମସିହା ଫେବୃୟାରୀ ୧୨ ତାରିଖରେ, ଏକ ସତସଙ୍ଗ ଗସ୍ତରେ ଥିବା ବେଳେ ଲକ୍ଷ୍ନୌ ରେଳ ଷ୍ଟେସନର ପ୍ଳାଟଫର୍ମରେ ଧ୍ୟାନମଗ୍ନ ଅବସ୍ଥାରେ ଆତ୍ମଲୋକ ଗମନ କରିଥିଲେ । ସେ ଆୟୁର୍ବେଦାଚାର୍ଯ୍ୟ ଥିଲେ ଏବଂ ମହାନ ଆତ୍ମଜ୍ଞାନରେ ଅଗାଧ ପାଣ୍ଡିତ୍ୟର ଅଧିକାରୀ ଥିଲେ । ବେଦ, ଉପନିଷଦ, ଗୀତା, ଭାଗବତ ତଥା କୋରାନ, ବାଇବେଲ ଇତ୍ୟାଦି ବିଭିନ୍ନ ଗ୍ରନ୍ଥସ୍ଥ ବିଚାର ଉପରେ ମଧ୍ୟ ସେ ସଠିକ ଜ୍ଞାନର ଅଧିକାରୀ ଥିଲେ । ସେ ପିଲା ଦିନରୁ ଅତ୍ୟନ୍ତ ରୋଗାକ୍ରାନ୍ତ ଥିଲେ । ପିତାମାତାଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ, ତାଙ୍କ ଅବନତି ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେଲା ନାହିଁ । ସେଥିପାଇଁ ତାଙ୍କ ପିତାମାତା ହତୋତ୍ସାହିତ ହୋଇ ପଡିଥିଲେ । କିନ୍ତୁ ଶିବମୁନି ନିଜକୁ ନିଜେ ନିରୋଗ କରି ପାରିଥିଲେ । ପରବର୍ତ୍ତୀ କାଳରେ ନିଜ ଜ୍ଞାନଶକ୍ତି, ଶୁଭ ଭାବନା ଓ ସତ୍ ସାଧନା ବଳରେ ସାରା ଜୀବଜଗତ କିପରି ନିରୋଗ ତଥା ଆନନ୍ଦ ଓ ଆହ୍ଲାଦପୂର୍ଣ୍ଣ ଜୀବନ ଯାପନ କରି ପାରିବେ ସେଥିପାଇଁ ଏକ ସତ୍ୟଜ୍ଞାନପୂର୍ଣ୍ଣ, କଲ୍ୟାଣମୟ ଯୋଗ ଦର୍ଶନ ଓ ଯୋଗ ସାଧନ ଭଳି ଅନନ୍ୟ ସତ୍ ମାର୍ଗ ବିଶ୍ୱ ସମାଜ ପାଇଁ ଦେଇଗଲେ ।
ନିରୋଗ ରହିବା ଏକ ଅମୃତପମ ଉପଲବ୍ଧି । ନିରୋଗୀ ହେବା ପାଇଁ ନିରୋଗ ଭାବନା ଜରୁରୀ । ନିରୋଗ ଭାବନା ହିଁ ଅମୃତ ଭାବନାରୁ ଉଦ୍ଭବ । ଅମୃତ ଭାବନା ସତ୍ ଭାବ ଓ ସତ୍ କର୍ମ ଫଳରୁ ପ୍ରାପ୍ତ ହୋଇଥାଏ । ସତ୍ ଭାବନା ଓ ସତ୍ କର୍ମ କରି ମନୁଷ୍ୟ ନିରୋଗ ତଥା ଆନନ୍ଦମୟ ପଥର ଆହ୍ଲାଦିତ ଯାତ୍ରୀ ହୋଇଥାଏ । ଶିବମୁନିଙ୍କ
ଯୋଗ ଦର୍ଶନ ଓ ଯୋଗ ସାଧନ ମାର୍ଗ ଏକ ପ୍ରମାଣସିଦ୍ଧ ସତ୍ ମାର୍ଗ । ଅପୁଷ୍ଟ ତଥା ନିଷ୍କ୍ରିୟ ତନ ଏବଂ ଅଶାନ୍ତ ତଥା ଅମୂଳକ ବିଚାରରେ ଆନ୍ଦୋଳିତ ମନରୁ ହିଁ ରୋଗ ସୃଷ୍ଟି ହୋଇଥାଏ । ସୁସ୍ଥ ତନ ପାଇଁ ପୁଷ୍ଟିକର ତଥା ସାତ୍ତ୍ଵିକ ଆହାର ତ ନିତାନ୍ତ ଆବଶ୍ୟକ, ତା’ ସହିତ ସତ୍ୟପୂର୍ଣ୍ଣ ବିଚାରରେ ପୂର୍ତ୍ତି ହେବା ମଧ୍ୟ ଆବଶ୍ୟକ । ଅତଏବ ସତ୍ ବିଚାର ଓ ସତ୍ କର୍ମରେ ଅନୁସରିତ ହେବା ସଙ୍ଗେ ସଙ୍ଗେ ସତ୍ୟ ଜ୍ଞାନ ଆଧାରିତ ବିଚାରରେ ମନକୁ ଅବଧାରିତ କରିବା ଜରୁରୀ । ସେଥିପାଇଁ ସଦାସର୍ବଦା ଅନୁପ୍ରେରିତ ହେବା ଆବଶ୍ୟକ । କାରଣ ସୁସ୍ଥ ତନ ତଥା ସ୍ଥିର ଓ ଶାନ୍ତ ମନ ପାଇଁ ସତ ବିଚାର ହିଁ ଆବଶ୍ୟକ । ସତ୍ୟାନୁସରିତ ହୋଇ, ସତ୍ ବିଚାରରେ ସତ୍ କର୍ମ କଲେ ମନ ସ୍ଥିର ତଥା ଶାନ୍ତ ହୋଇଥାଏ । ସୁସ୍ଥ ତନ ପାଇଁ ସୁସ୍ଥ ମନ ଯେପରି ଅନିବାର୍ଯ୍ୟ, ସୁସ୍ଥ ମନ ପାଇଁ ସୁସ୍ଥ ତନ ମଧ୍ୟ ସେପରି ଅପରିହାର୍ଯ୍ୟ । ସୁତରାଂ ସୁସ୍ଥ ତନ ଓ ସ୍ୱଛ ଅବା ସତ୍ ଅନୁସରିତ ମନ ହିଁ ମନୁଷ୍ୟର ଅମୂଲ୍ୟ ଧନ । ଏହି ଦୁଇ ଧନ ଉପାର୍ଜନ କରିବା ପ୍ରତ୍ୟେକ ମନୁଷ୍ୟର ଧେୟ ହେବା ଉଚିତ । କିନ୍ତୁ ମନୁଷ୍ୟ ତା’ର ବିଚଳିତ ତଥା କୁପ୍ରଭାବିତ ମନ ଦ୍ୱାରା ବିପଥଗାମୀ ହୋଇଯାଏ । ଏହି ବାସ୍ତବତାକୁ ହୃଦୟଙ୍ଗମ କରି ଯୋଗଜନ୍ମା ଯୋଗେଶ୍ଵର ତଥା ଆଦି ମୁନୀଶ୍ୱର ସଦଗୁରୁ ଶିବମୁନି ମହାରାଜଙ୍କ ଦ୍ୱାରା ସଂସ୍ଥାପିତ ଅଖିଳ ଭୂମଣ୍ଡଳୀୟ ସର୍ବ ଶିରୋମଣି ମୁନି ସମାଜ, ଗୋରଖପୁର ମାଧ୍ୟମରେ ବିଶ୍ୱ ବିରଳ ଯୋଗ ଦର୍ଶନ ଶିକ୍ଷା ଦିଆଯିବା ସଙ୍ଗେ ସଙ୍ଗେ ଅଷ୍ଟାଙ୍ଗ ଯୋଗ ସାଧନ ମଧ୍ୟ ଶିକ୍ଷା ଦିଆଯାଏ । ଏହି ଯୋଗ ଦର୍ଶନ ଓ ଯୋଗ ସାଧନ, ବିଜ୍ଞାନ ସମ୍ମତ ହୋଇଥିବା କାରଣରୁ ପ୍ରମାଣସିଦ୍ଧ ଅଟେ ।
ଏବେ ଲୋକମାନେ ବିଭିନ୍ନ ରୋଗ, ଶୋକ, ସନ୍ତାପରେ ଜର୍ଜରିତ । ମନୁଷ୍ୟକୁ ସେସବୁର କାରଣ ଓ ନିରାକରଣ ସମ୍ପର୍କରେ ପୂର୍ଣ୍ଣ ଜ୍ଞାନ ହେବା ଉଚିତ । କିନ୍ତୁ ଆଜିର ମନୁଷ୍ୟ ଅଳିକ ସୁଖ ପାଇବା ଲୋଭରେ ଜଡଧନ ବା ବସ୍ତୁଧନ ଠୁଳ କରିବାରେ ଏତେ ମାତ୍ରାରେ ଜଡି ଯାଇଛନ୍ତି ଯେ ପ୍ରକୃତ ଅମୂଲ୍ୟ ଧନ ( ଆତ୍ମଜ୍ଞାନ ) ଆହରଣ କରିବା ଏବଂ ସୁସ୍ଥ ତନ ଓ ଶାନ୍ତ ମନ ବଜାୟ ରଖିବା ପାଇଁ ପବିତ୍ର ଅଷ୍ଟାଙ୍ଗ ଯୋଗ ନିତ୍ୟ ସାଧନା କ୍ରିୟାକୁ ଅଜ୍ଞାନ ଭାବରେ ଭୁଲ କରି ଭୁଲି ଚାଲିଛନ୍ତି । ଭୟାତୁର ମନ ହିଁ ଲୋକଙ୍କ ତନକୁ ଭୀତତ୍ରସ୍ତ ତଥା ଦୁର୍ବଳ କରି ପକାଏ । ବାସ୍ତବରେ, ଦୁର୍ବଳମନା ବ୍ୟକ୍ତିର ଶରୀର ହିଁ ଦୁର୍ବଳ ହୋଇଯାଏ, ଆଉ ଦୁର୍ବଳ ଶରୀର ହିଁ ଶିଘ୍ର ରୋଗଗ୍ରସ୍ତ ହୋଇଯାଏ । ବାସ୍ତବରେ, ଅସତ୍ୟ ଆଧାରିତ କର୍ମ ଏବଂ ନକାରାତ୍ମକ ମନର ଭାବରୁ, ବିଶେଷ କରି ସଚ୍ୟ ଜ୍ଞାନ ଅଭାବରୁ ଭୟ ସୃଷ୍ଟି ହୋଇଥାଏ ଏବଂ ଭୟ ହିଁ ସମସ୍ତ ରୋଗ, ଶୋକ, ପରିତାପ ଇତ୍ୟାଦି ସୃଷ୍ଟି ହେବାର ମୂଳ କାରଣ ହୋଇଥାଏ । ଅତଏବ ମନକୁ ଦୃଢ ରଖିବା ଉଚିତ ଏବଂ ସେଥିପାଇଁ ଆତ୍ମଜ୍ଞାନରେ ପୂର୍ତ୍ତି ହେବା ନିହାତି ଆବଶ୍ୟକ। ଆତ୍ମଜ୍ଞାନରେ ପୂର୍ତ୍ତି ହେବା ପାଇଁ ସମୁଚିତ ପଦକ୍ଷେପ ନେବା ବାଞ୍ଛନୀୟ । ସକାରାତ୍ମକ ମନୋଭାବ ତଥା ଦୃଢ ମନୋବଳ ଶରୀର ବଳକୁ ବହୁଗୁଣିତ କରିବାରେ ପ୍ରଭାବ ପକାଇଥାଏ । ସବଳ ଶରୀର ଅର୍ଥାତ୍ ପୁଷ୍ଟିପୂର୍ଣ୍ଣ ଏବଂ ରୋଗ ପ୍ରତିରୋଧଶକ୍ତିପୂର୍ଣ୍ଣ ଶରୀର ହିଁ ଶକ୍ତିବାନ ତଥା ସୁସ୍ଥବାନ ହୋଇଥାଏ, କିନ୍ତୁ ଏହା ସହିତ ମନ, ବୁଦ୍ଧି ଓ ବିଚାରକୁ ସତ୍ୟ ଜ୍ଞାନ ବା ଆତ୍ମ ଜ୍ଞାନ ଆହରଣ କରିବା ବାଞ୍ଛନୀୟ । ସଦଗୁରୁ ଶିବମୁନି ଯୋଗ ଦର୍ଶନ ଓ ସାଧନ ଦ୍ୱାରା ମନକୁ ଅନ୍ଧ ବିଶ୍ବାସ ଶୁଦ୍ଧ କରି ଆତ୍ମଜ୍ଞାନ ଧାରଣ କରିବା ଏକ ଅନନ୍ୟ ବାସ୍ତବ ମାର୍ଗ । ଆତ୍ମଜ୍ଞାନ ପୂର୍ତ୍ତି ଦ୍ୱାରା ମନର ଦୃଢ଼ତା ବଜାୟ ରଖିବା ସମ୍ଭବ ହୋଇଥାଏ ।
“ମହାନ ଆତ୍ମଜ୍ଞାନୀ
ସଦଗୁରୁ ଶିବମୁନି
.
ଆଦି ମୁନୀଶ୍ୱର ଯୋଗେଶ୍ଵର
ସଦଗୁରୁ ଶିବମୁନ ଜନ୍ମ
ପବିତ୍ର କୁମାର ପୂର୍ଣ୍ଣିମୀ
୪ ଅକ୍ଟୋବର, ୧୮୮୪
ମୋହଲ୍ଲା ଜଗନ୍ନାଥପୁର, ଗୋରଖପୁର, ଆତ୍ମଲୋକ ଗମନ-
୧୨ ଫେବୃୟାରୀ ୧୯୬୨
ଲକ୍ଷ୍ନୌ ରେଳ ଷ୍ଟେସନ, ଉତ୍ତର ପ୍ରଦେଶ”
ସଦଗୁରୁ ଶିବମୁନିଙ୍କ ଦ୍ୱାରା ସଂସ୍ଥାପିତ ମୁନି ସମାଜ ମାଧ୍ୟମରେ ସତ୍ୟାନୁସରିତ ଓ ବୋଧଗମ୍ୟ ବ୍ୟକ୍ତି ମାନଙ୍କୁ ଏଭଳି ଏକ ଦୁର୍ଲଭ ଯୋଗ ଶିକ୍ଷା ଓ ସାଧନାରେ ଶିକ୍ଷିତ କରାଯାଏ, ଯାହା ଦ୍ୱାରା ତନକୁ ସମ୍ପୂର୍ଣ୍ଣ ସୁସ୍ଥ ଓ ଧୀର କରିବା ସହିତ ମନକୁ ସ୍ଥିର ତଥା ଶାନ୍ତ କରାଯାଇଥାଏ । ଜୀବନକୁ ଅତ୍ୟନ୍ତ ଶୁଦ୍ଧ, ସାତ୍ତ୍ୱିକ ତଥା ଶାସ୍ୱତ ପୂର୍ଣ୍ଣ ଭାବରେ ଜୀଇବା ପାଇଁ ଏଇ ମୁନି ସମାଜ ମାଧ୍ୟମରେ ସମୁଚିତ ଆତ୍ମଜ୍ଞାନ ଓ ସାଧନ ମଧ୍ୟ ଶିକ୍ଷା ଦିଆଯାଏ ଏବଂ ତତ୍ ସଙ୍ଗେ ସଙ୍ଗେ ଜୀବନମୁକ୍ତ ହେବାର ଅନନ୍ୟ ଦର୍ଶନ ଓ ସାଧନ କ୍ରିୟା ଶିକ୍ଷା ମଧ୍ୟ ପ୍ରଦାନ କରାଯାଏ । ଏହି ଅଭିନବ, ଅନୁପମ, ଅମୂଲ୍ୟ ତଥା ଅମୃତମୟ ଯୋଗଦର୍ଶନ ଓ ଯୋଗସାଧନ, ଯାହା ଯୋଗେଶ୍ଵର ସଦଗୁରୁ ଶିବମୁନି ମହାରାଜା ତାଙ୍କର ନିତ୍ୟ ସାଧନା ବଳରେ ନିରୋଗ, ଆନନ୍ଦପୂର୍ଣ୍ଣ ତଥା ଆହ୍ଲାଦପୂର୍ଣ୍ଣ ଜୀବନ ଜୀଇଥିଲେ ଏବଂ ଜୀବନର ମହାନ୍ ଲକ୍ଷ୍ୟ ପୂର୍ତ୍ତି କରିବାର ସଫଳ ପଥ ହାସଲ କରିଥିଲେ, ସେହି ବାସ୍ତବ ଜ୍ଞାନ ବା ଅନୁଭୂତି ଜ୍ଞାନ ଓ ସାଧନ ବିଶ୍ୱ କଲ୍ୟାଣ ହିତରେ ପ୍ରଦର୍ଶନ କରିଥିଲେ ।
ସଦଗୁରୁ ଶିବମୁନି ପ୍ରାୟ ୪୦ ଖଣ୍ଡ ଆତ୍ମଜ୍ଞାନ ଆଧାରିତ ପୁସ୍ତକ ହିନ୍ଦି ଭାଷାରେ ରଚନା କରିଯାଇଛନ୍ତି । “ବେଦାନ୍ତ ସିଦ୍ଧାନ୍ତ” ତାଙ୍କର ସର୍ବ ପ୍ରଥମ ରଚନା । “ଶାନ୍ତିଦାୟୀ ବିଚାର”, “ନିରୋଗ ହୋନେକା ଅଦ୍ଭୁତ ଉପାୟ”, “ଆତ୍ମବଳ, ମନୋବଳ ଇଛାଶକ୍ତି”, “ଯୋଗ ଦର୍ଶନ ଶାସ୍ତ୍ର”, “ସଚିତ୍ର ଯୋଗ ସାଧନ” ଇତ୍ୟାଦି ତାଙ୍କ ରଚିତ ପୁସ୍ତକ ଗୁଡିକ ଆତ୍ମଜ୍ଞାନ ସମ୍ବନ୍ଧୀୟ ଅନବଦ୍ୟ ସୃଷ୍ଟି । ଆଜିକାଲିର ଅଶାନ୍ତ ବାତାବରଣରେ ଲୋକେ ଶାନ୍ତି ଖୋଜୁଛନ୍ତି; ହେଲେ ଲୋକେ ଯଦି ଅଶାନ୍ତି ପଥର ଯାତ୍ରୀ ଭାବରେ ଅସତ, ଅନ୍ୟାୟ, ଅନୀତି ଚିନ୍ତାଧାରା ଏବଂ ତତ୍ ପ୍ରଭାବିତ କାର୍ଯ୍ୟରେ ଲିପ୍ତ ରହୁଥିବେ, ତେବେ ସେମାନଙ୍କୁ ଶାନ୍ତି ମିଳିବ କେମିତି ? ଶାନ୍ତି କେବଳ ସଂପୂର୍ଣ୍ଣ ସତ୍ୟ ଆଧାରିତ ବିଚାର, ଭାବ ଓ କର୍ମ ଫଳରୁ ମିଳିଥାଏ । ସଦଗୁରୁଦେବ ଶିବମୁନି ମହାରାଜ ହିଁ ସ୍ୱତନ୍ତ୍ର ବା ସତ୍ ବିଚାର ଆଧାରିତ ଭାବ ଓ କର୍ମରେ ଅନୁସ୍ରୋତା ଜଣେ ଅସାମାନ୍ୟ ଆତ୍ମଜ୍ଞାନୀ, ଯିଏ ପ୍ରକୃତ ଶାନ୍ତିର ମାର୍ଗ ତାଙ୍କ “ଶାନ୍ତିଦାୟୀ ବିଚାର” ପୁସ୍ତକରେ ଅନୁଭବୀର ତଥ୍ୟ ଓ ତର୍କ ଦେଇ ବିଶଦ ଆଲୋଚନା କରିଛନ୍ତି ।
ଏତଦ୍ ଭିନ୍ନ, ସେ ରଚନା କରିଥିବା “ଶୁଭ ଭାବନା” ଅତ୍ୟନ୍ତ ଅନୁପମ ତଥା ଅନବଦ୍ୟ ଆତ୍ମ ବନ୍ଦନା । ଏହା ମଧ୍ୟ ଏକ ଅନନ୍ୟ ଭାବୋଦ୍ଦୀପକ ରଚନା । ଏହା ସତ୍ୟ ସିଦ୍ଧାନ୍ତ ଏବଂ ସକାରାତ୍ମକ ଭାବ ସମ୍ବଳିତ ଆତ୍ମଜ୍ଞାନ ତତ୍ତ୍ୱର ଏକ ସଂକ୍ଷିପ୍ତ ତଥା ସଂପୂର୍ଣ୍ଣ ଶ୍ଳୋକ । ସଦଗୁରୁ ଶିବମୁନି ଏହି ଶୁଭ ଭାବନାରେ ପ୍ରକୃତ ଆତ୍ମ ଦର୍ଶନ ତତ୍ତ୍ୱ ସ୍ପଷ୍ଟ ଭାବରେ ପ୍ରତିଫଳନ କରିଛନ୍ତି । ସଦଗୁରୁ ଶିବମୁନିଙ୍କ ଏହି ଶୁଭ ଭାବନାକୁ ଆତ୍ମନିମଗ୍ନ ଭାବରେ ଚିନ୍ତନ ଓ ମନନ କଲେ ତାହା ଅତ୍ୟନ୍ତ ପ୍ରଭାବୀ ଓ ପ୍ରସନ୍ନ-ପ୍ରଦାୟୀ ହୋଇଥାଏ । ଏହି ଶୁଭ ଭାବନା ଯଦି ଯୋଗାନୁସୃତ ହୁଏ, ତେବେ ସମସ୍ତ ସତ୍ ଭାବନା ଓ ସତ୍ କର୍ମଗୁଡିକ ସୁନିଶ୍ଚିତ ଭାବେ ଶୁଭ ମଙ୍ଗଳଦାୟୀ ହେବ ବୋଲି ସଦଗୁରୁ ଶିବମୁନି ପ୍ରମାଣ ସିଦ୍ଧ ଭାବେ କହିଛନ୍ତି । ଶୁଭ ଭାବନାରେ ସଦଗୁରୁ ଶିବମୁନି ଯେଉଁ ଭାବୋଦ୍ଦୀପକ ଶବ୍ଦ ପ୍ରୟୋଗ କରିଛନ୍ତି, ତାହା ଅନନ୍ୟ ତଥା ସୁଫଳଦାୟୀ ହୋଇଥିବାରୁ ଯୋଗ ସାଧନା ସମୟରେ ଆତ୍ମସ୍ଥ ହୋଇ ସେଇ ଶୁଭ ଭାବନାର ଭାବାର୍ଥରେ ନିଜ ମନକୁ ଅନୁସରିତ କରିବା ପାଇଁ ସେ ପ୍ରେରଣା ପ୍ରଦାନ କରିଛନ୍ତି । ମୁନି ସମାଜର ନିତ୍ୟ ସାଧକମାନେ ଶିବମୁନି ଯୋଗ ଦର୍ଶନ, ଯୋଗ ସାଧନ ଓ ଶୁଭ ଭାବନାରେ ନିମଗ୍ନ ହୋଇ ଯୋଗାମୃତ ଲାଭ କରି ଦିବ୍ୟ ଜୀବନ ଯାପନ କରୁଛନ୍ତି ।
ଏବେ ସଂସାରରେ ଲୋକମାନେ ସତ୍ୟ, ଧର୍ମ, ନ୍ୟାୟ ପଥ ଛାଡି ଅସତ୍ୟ, ଅଧର୍ମ, ଅନ୍ୟାୟ ପଥର ଯାତ୍ରୀ ସାଜିଛନ୍ତି, ଅଧମ ବିତ୍ତ ବଢାଇ ଚାଲିଛନ୍ତି; ଏପରିକି ସ୍ନେହ, ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବ ଆଦାନ ପ୍ରଦାନ ଠାରୁ ଢେର୍ ଦୂରେଇ ଯାଇଛନ୍ତି । ଅସୂୟା ଏବଂ ସ୍ୱାର୍ଥପର ଭାବରେ ମନୁଷ୍ୟ ନିଜେ ଜର୍ଜରିତ ହୋଇ ଚାଲିଛନ୍ତି । ଏଭଳି ପରିସ୍ଥିତିରେ ସେମାନେ ସୁସ୍ଥ, ସୁଖ, ଶାନ୍ତି, ସମୃଦ୍ଧି ଲାଭ କରିବା ଅସମ୍ଭବ । ଅତଏବ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ପାଇବାକୁ ହେଲେ ସତ୍ୟକୁ ହୃଦୟଙ୍ଗମ କରି ନିଜକୁ ସତ୍ୟଧର୍ମା ଭାବେ ପ୍ରତିଷ୍ଠିତ କରିବାକୁ ହେବ ଏବଂ ଏହି ଆତ୍ମ ତତ୍ତ୍ୱ ଆଧାରିତ ବିଚାରକୁ ହୃଦୟ କମଳରେ ଗ୍ରହଣ କରି ସତ୍ୟ ବିଚାରରେ ସକଳ କାର୍ଯ୍ୟ କରିବାକୁ ହେବ । ଏକ ଅମୃତମୟ ତଥା ଆହ୍ଲାଦମୟ ଜୀବନ ନିର୍ବାହ ପାଇଁ ପବିତ୍ର ଅଷ୍ଟାଙ୍ଗ ଯୋଗ ସାଧନରୁ ନିର୍ଗତ ଅମୃତପମ ଆତ୍ମ ଜ୍ଞାନ ଓ ପବିତ୍ର ଯୋଗ ସାଧନ ରସ ପାନ କରିବାର ଆବଶ୍ୟକତା ଅଛି । ଅଷ୍ଟାଙ୍ଗ ଯୋଗର ଜମ, ନିୟମ ଅନୁପାଳନ କରି ଏବଂ ଏହି ଯୋଗର ପ୍ରମାଣପ୍ରାପ୍ତ ଯୋଗ ଶିକ୍ଷକଙ୍କ ଠାରୁ ସମୁଚିତ ଶିକ୍ଷା ଗ୍ରହଣ କରି, ଆତ୍ମିକ ଭାବନାରେ ନିତ୍ୟ ଯୋଗ ସାଧନା କରି ପାରିଲେ, ଏକ ଆନନ୍ଦ ଓ ଆଲ୍ହାଦପୂର୍ଣ୍ଣ ଜୀବନ ନିର୍ବାହ କରି ପାରିବା ସୁନିଶ୍ଚିତ ହୋଇପାରିବ ।
ଏହି ସତ୍ ଯୋଗ ପଥର ଯାତ୍ରୀ ହେବା ପାଇଁ ଏବେ ସମସ୍ତେ ଅନୁପ୍ରେରିତ ହେବା, ଏକ ସୁସ୍ଥ ସମାଜ ପାଇଁ ନିତାନ୍ତ ଜରୁରୀ । ଏଥିପାଇଁ ସମୟ ଆହ୍ବାନ ଦେଇ ସାରିଛି । ଆମେ କେବଳ ସଦଗୁରୁ ଶିବମୁନିଙ୍କ ଦ୍ୱାରା ସଂସ୍ଥାପିତ ଅଖିଳ ଭୁମଣ୍ଡଳୀୟ ସର୍ବ ଶିରୋମଣି ମୁନି ସମାଜ ମାଧ୍ୟମରେ ଦିଆଯାଉଥିବା ସତ୍ ଯୋଗ ଶିକ୍ଷାକୁ ଆନନ୍ଦପୂର୍ଣ୍ଣ ଭାବରେ ଗ୍ରହଣ କରି ତଦନୁସାରେ କାର୍ଯ୍ୟ କରିବାର ଜରୁରୀ ଆବଶ୍ୟକତା ଅଛି । ଯେତେବେଳେ ସମାଜରେ ଅଷ୍ଟାଙ୍ଗ ଯୋଗ ସାଧନର ପ୍ରାବଲ୍ୟ ଅନୁଭୂତ ହେବ, ସେତେବେଳେ ସତ୍ୟର ପ୍ରାବଲ୍ୟରେ ଏକ ସୁସ୍ଥ, ସୁଖ, ଶାନ୍ତି ତଥା ସମୃଦ୍ଧିପୂର୍ଣ୍ଣ ସମାଜ ଅବଶ୍ୟ ଆପେ ଆପେ ଗଠନ ହୋଇ ସାରିଥିବ – ଏହା ସୁନିଶ୍ଚିତ ।
ଶୁଭ ଭାବନା ।
ସପ୍ରେମ ଜୟ ଜୀବ ।
- ମୁନିରାଜ ସତ୍ୟବାଦୀ
ଭୁବନେଶ୍ୱର
୯୪୩୭୩୫୫୭୯୩
ଇମେଲ୍ satyabadi2012@gmail.com