03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବାହୁଡ଼ିଲେ ମହାପ୍ରଭୁ

1 min read

Oplus_16908288

ଆଡପ ମଣ୍ଡପ ଓ ବାହୁଡା଼ ଯାତ୍ରା


ଗୁଣ୍ଡିଚା ମନ୍ଦିର ଗର୍ଭ ଗୃହର ମଧ୍ୟ ଭାଗରେ କଳା ମୁଗୁନି ପଥରରେ ନିର୍ମିତ ବିରାଟ ସିଂହାସନକୁ ଅଟୋପ ମଣ୍ଡପ, ଆଡପ ମଣ୍ଡପ ବା ମହାବେଦୀ ବୋଲି କୁହାଯାଏ |ଏହା 4ଫୁଟ ଉଚ୍ଚ ଓ 19ଫୁଟ ଲମ୍ବ |

ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଏହି ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରନ୍ତି | ଏହି ମଣ୍ଡପ ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡାଇ ନିର୍ମିତ ହୋଇଛି |ଶ୍ରୀଗୁଣ୍ଡିଚା ମନ୍ଦିରରେ ଠାକୁର ମାନେ 7ଦିନ ଅବସ୍ଥାନ କରନ୍ତି ଓ ଏହିଠାରେ ଦିଅଁ ମାନଙ୍କର ସମସ୍ତ ନୀତି ଅନୁଷ୍ଠିତ ହୁଏ |


ନୀଳାଚଳନାଥ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଜନ୍ମଭୂମି ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର | ନୃସିଂହ ଭଗବାନ ଏହି ପବିତ୍ର କ୍ଷେତ୍ରର କ୍ଷେତ୍ରପାଳ |


ଆଡପ ମଣ୍ଡପରେ ଦିଅଁମାନେ ସାତ ଦିନ ଅବସ୍ଥାନ କରନ୍ତି |ସେ ସମୟରେ ରାତିରେ ପ୍ରଭୁଙ୍କର ଦର୍ଶନ କଲେ ଦଶଗୁଣ ପୁଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି | ସପ୍ତମୀ, ଅଷ୍ଟମୀ ଓ ନବମୀରେ ସନ୍ଧ୍ୟା ଧୂପ ପରେ ଦିଅଁ ମାନେ ରାହାସକୁ ଯା’ନ୍ତି | ରାହାସ ହେଉଛି ଏକ ନୀତି |ସେଥିପାଇଁ ଏ ମଣ୍ଡପକୁ ରାସ ମଣ୍ଡପ କୁହାଯାଏ |କଥିତ ଅଛି ଇନ୍ଦ୍ରଦ୍ୟୁମ୍ନ ମହାରାଜ ସହସ୍ର ଅଶ୍ୱମେଧ ଯଜ୍ଞ ଏହି ମହାବେଢା ଉପରେ ସମାପନ କରିଥିଲେ | ମହାପ୍ରଭୁ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କୁ ବରଦାନ କରି ପ୍ରତିବର୍ଷ ଆଡପ ମଣ୍ଡପରେ ସାତ ଦିନ ଅବସ୍ଥାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ |ଗଙ୍ଗ ବଂଶର ରାଜା ନରସିଂହ ଦେବ 2ୟ (1778 ରୁ 1806)ଙ୍କ ସମୟରେ ଗୁଣ୍ଡିଚା ମନ୍ଦିରର କାଠ ମଣ୍ଡପଟି ପ୍ରସ୍ତର ମଣ୍ଡପ କରାଗଲା |ସେ ମଧ୍ୟ ମନ୍ଦିର ଚାରିପଟେ ବେଢା ନିର୍ମାଣ କରେଇଥିଲେ |


ଆଷାଢ଼ ଶୁକ୍ଳ ଦଶମୀ ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୁଏ |ଶ୍ରୀଗୁଣ୍ଡିଚା ପରି ବାହୁଡା଼ ଦିନ ପହଣ୍ଡି, ଟାହିଆ ଲାଗି, ଓ ବନ୍ଦାପନା ଇତ୍ୟାଦି ନୀତି ଅନୁଷ୍ଠିତ ହେଲାପରେ ଚାରି ଠାକୁର ରଥରେ ଅବସ୍ଥାନ କରନ୍ତି |ମଦନ ମୋହନ ଓ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯାଏ | ଗଜପତି ଶୋଭାଯାତ୍ରାରେ ଆସି ପ୍ରତ୍ୟେକ ରଥରେ ଛେରା ପହଁରା କରନ୍ତି |ତାପରେ ରଥରୁ ଚାରମାଳ ଫିଟା ଯାଇ ଘୋଡା, ସାରଥୀ ଯୋଚାଯାଏ |ଦଉଚି ବନ୍ଧାଯାଏ |ଘଣ୍ଟ, ମାଦଳ, କାହାଳି ବାଜି ରଥଟଣା ଆରମ୍ଭ ହୁଏ |


ମାଉସୀ ମା’ଙ୍କ ପୋଡପିଠା*

ବାହୁଡା଼ ଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବା ବାଟରେ ପ୍ରଭୁ ମାଉସୀ ମା ‘ଙ୍କ ହାତରୁ ପୋଡ଼ପିଠା ଖା’ନ୍ତି |ପୋଡ଼ ପିଠା ତିନୋଟି କୁଡୁଆରେ ତିନି ଠାକୁରଙ୍କୁ ଅଲଗା ଅଲଗା ସମର୍ପଣ କରାଯାଏ |ଛେନା, ଅଟା,ଚିନି, ପେସ୍ତା, ବାଦାମ, ଅଳେଇଚ,ଲବଙ୍ଗ, ଓ ଦେଶୀ ଘିଅ ଆଦିରେ ପୋଡ଼ ପିଠା ପ୍ରସ୍ତୁତ ହୋଇଥାଏ | କିମ୍ବଦନ୍ତୀ ଅନୁସାରେ ପ୍ରଳୟ ସମୟରେ ଶ୍ରୀକ୍ଷେତ୍ର ଯେତେବେଳେ ଜଳମଗ୍ନ ହେଲା ଭୁବନେଶ୍ୱରୀ ଜଗଦମ୍ବା ମା’ସୁଭଦ୍ରାଙ୍କ ଅଙ୍ଗରୁ ଉତ୍ପନ୍ନ ହୋଇ ମା’ଅର୍ଦ୍ଧାଶନୀ ଜଳର ଅଧା ଶୋଷି ନେଇଥିଲେ | ତା ପରେ ସେ ମାଉସୀ ମା’ରୂପରେ ପରିଚିତ ହେଲେ ବୋଲି କୁହାଯାଏ |

🌹ସୁଭଦ୍ରାଙ୍କ ଶକ୍ତିରୁ ଉତ୍ପନ୍ନ ହୋଇଥିବାରୁ ସେ ସୁଭଦ୍ରାଙ୍କ ଭଳି ଦେଖାଯା’ନ୍ତି |ସେ ଖମ୍ବାକୃତି | ତାଙ୍କ ଉଭୟ ପାର୍ଶ୍ଵରେ ଛାୟା ଓ ମାୟାଦେବୀ ବିଦ୍ୟମାନ ଥା’ନ୍ତି |ଗୁଣ୍ଡିଚା ଘର ଓ ବଡଦେଉଳ ମଝିରେ ବଳଗଣ୍ଡି ନିକଟରେ ବଡଦାଣ୍ଡର ପୂର୍ବ ଦିଗରେ ମାଉସୀ ମା’ଙ୍କ ମନ୍ଦିର ଅବସ୍ଥିତ |


ବାହୁଡା଼ ଯାତ୍ରରେ ଶ୍ରୀ ନଅର ରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ଅନୁଷ୍ଠିତ ହୁଏ | ବିବାହ ପରେ ମା’ଲକ୍ଷ୍ମୀ ଠାକୁରାଣୀ ଙ୍କ ଅଗୋଚରରେ ଭାଇ ଭଉଣଙ୍କୁ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁ ନଅ ଦିନ ଯାତ୍ରରେ ଯାଆନ୍ତି| ଏହା ଜାଣି ମହାପ୍ରଭଙ୍କୁ ଦର୍ଶନ କରିବାକୁ ଲକ୍ଷ୍ମୀ ଗୋପନ ଭାବରେ ଯାଆନ୍ତି | ପ୍ରଭଙ୍କ ଦର୍ଶନ ନ ପାଇ ମା’ଅପମାନିତା ବୋଧ କରନ୍ତି ଓ ପ୍ରଭୁଙ୍କ ଉପରେ ଅଭିମାନ କରନ୍ତି | ନଅ ଦିନ ଧରି ପ୍ରଭୁଙ୍କର ଦର୍ଶନ କରି ନଥିବା ମା’ଲକ୍ଷ୍ମୀ ବିମଳାଙ୍କ ଅନୁରୋଧ ରକ୍ଷାକରି ମହାପ୍ରଭଙ୍କୁ ଦର୍ଶନ ଦିଅନ୍ତି| ଗଜପତି ମାନ ଭଞ୍ଜନ ପାଇଁ ମଧ୍ୟସ୍ଥି ସାଜି ଉଦ୍ୟମ କରନ୍ତି | ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀମନ୍ଦିରରୁ ସୁସଜ୍ଜିତ ବିମାନରେ ଆଣି ଗଜପତି ମହାରାଜ ମହାପ୍ରଭଙ୍କ ଦର୍ଶନ କରାନ୍ତି |

ଏଥିପାଇଁ ରଥରେ ସ୍ୱତନ୍ତ୍ର ନୀତି ହୁଏ| ବାହୁଡା଼ ଯାତ୍ରାରେ ନନ୍ଦିଘୋଷ ରଥ ରାଜ ନଅର ପାଖରେ ଅଟକିବା ପରେ ଏହି ଅନନ୍ୟ “ଲକ୍ଷ୍ମୀ ନାରାୟଣ”ଭେଟ ସୁନ୍ଦର ଭାବରେ ଅନୁଷ୍ଠିତ ହୁଏ | ରାଜ ନଅର ଠାରୁ ମ”ଠାକୁରାଣୀ ମହାପ୍ରଭଙ୍କ ଆଜ୍ଞମାଳ ପାଇ ଶ୍ରୀମନ୍ଦିରକୁ ଫେରିଆସନ୍ତି |

ଜୟ ଜଗନ୍ନାଥ 🙏🙏

ଶ୍ରୀକାନ୍ତ ଦାଶ, ସଭାପତି, ‘ଅବି’ ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
Email : srikantadashbpc@gmail.com

Share

Leave a Reply