ପ୍ରଶାସନ ଏଣିକି ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ଶୁଣିବ
1 min read
- ଦୂରଦୁରାନ୍ତରୁ ଲୋକେ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଆସିବେ ନାହିଁ
ଭୁବନେଶ୍ୱର,/TATKAL ODISHA//
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ଟିକେ କମ୍ ଅଛି। ଗ୍ରୀଷ୍ମ ଋତୁ ପରେ ଏହାକୁ ଆହୁରି ବ୍ୟାପକ କରାଯିବ। ଭୁବନେଶ୍ୱର ବାହାରେ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ଦ୍ୱାରା ଦୂରଦୁରାନ୍ତରୁ ଲୋକମାନେ ଆଉ ଖର୍ଚ୍ଚାନ୍ତ ଓ ହଇରାଣ ହୋଇ ଭୁବନେଶ୍ୱର ଆସିବେ ନାହିଁ। ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ଶୁଣିବ। ଏଭଳି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀମଣ୍ଡଳର ୧୩ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି। ଆମର ଏହି ଜନାଭିମୁଖୀ କାର୍ଯ୍ୟକ୍ରମଯୋଗୁ ସାଧାରଣ ଲୋକଟିଏ ତା’ର ସମସ୍ୟା ଓ ଅଭିଯୋଗକୁ ସିଧାସଳଖ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇ ପାରୁଛି।

- ସବୁଥର ପରି ମୁଖ୍ୟମନ୍ତ୍ରୀ ପ୍ରଥମେ ବାହାରେ ଅପେକ୍ଷା କରିଥିବା ୩୦ ଜଣ ଦିବ୍ୟାଙ୍ଗ ଓ ଦୂରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଛନ୍ତି।
- ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
- ଏହା ପରେ ପ୍ରକୋଷ୍ଠ ଭିତରେ ଥିବା ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ଜରିଆରେ ୬୦୦ରୁ ଉର୍ଦ୍ଧ୍ୱ ପଞ୍ଜିକୃତ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଛନ୍ତି।
- ବିଭିନ୍ନ ରୋଗରେ ପୀଡ଼ିତ ପ୍ରାୟ ୧୩ ଜଣ ଅଭିଯୋଗକାରୀଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ୩.୬୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି।
- ସେହିଭଳି ପୁଅର ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ନୟାଗଡ଼ ଜିଲ୍ଲାର କାମାକ୍ଷୀ ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମଞ୍ଜୁର କରିଛନ୍ତି।
