tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସୀମା ପୁନଃ ନିର୍ଦ୍ଧାରଣ, କ୍ଷତି ସହିବ ଓଡ଼ିଶା

1 min read
  • ଓଡ଼ିଶା ସରକାର ରାଜ୍ୟର ସ୍ୱାର୍ଥ ଅପେକ୍ଷା ବିଜେପିର ସ୍ୱାର୍ଥ ପାଇଁ ଅଧିକ ଆଗ୍ରହୀ
  • ଭୁବନେଶ୍ୱର,//TATKAL ODISHA//
    ବିପଦରେ ଓଡିଶାର ସ୍ୱାଭିମାନ। ସୀମା ପୁନଃ ନିର୍ଦ୍ଧାରଣ ଯୋଗୁଁ କ୍ଷତି ସହିବ ଓଡ଼ିଶା। ହେଲେ, ଓଡିଶା ସରକାର ଓଡିଶାର ସ୍ୱାର୍ଥ ଅପେକ୍ଷା ବିଜେପିର ସ୍ୱାର୍ଥ ପାଇଁ ଅଧିକ ଆଗ୍ରହୀ। ମୁଖାର ଆବରଣ ପାପକୁ ବେଶୀ ଦିନ ଲୁଚାଇ ପାରିବ ନାହିଁ। ଇତିହାସ କେବେ କ୍ଷମା ଦେବନି।
    ଶୁକ୍ରବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ଦିଲ୍ଲୀରୁ ଆଭାସୀ ଜରିଆରେ ଯୋଗ ଦେଇ ଏହା କହିଛନ୍ତି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଯେ, ବିଜୁ ବାବୁଙ୍କ ଦେଶଭକ୍ତି, ସାହସ ଓ ସ୍ୱାଭିମାନ ପାଇଁ ସେ ଆଜି ଅମର ରହିଛନ୍ତି, ରହିଥିବେ। ବିଜୁ ବାବୁ ମହିଳାମାନଙ୍କ ସଶକ୍ତିକରଣର ଅଗ୍ରଦୂତ ଥିଲେ। ସେମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ।
    ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜୁ ବାବୁ ଥିଲେ ଆକାଶ ପରି ବିଶାଳ। ମାଟି ପରି ସହିଷ୍ଣୁ ଓ ହିମାଳୟ ପରି ତୁଙ୍ଗ। କିନ୍ତୁ ଆପଣ ଜାଣନ୍ତି, ଓଡ଼ିଶା ରାଜନୀତିରେ କିଛି ଲୋକ ସବୁବେଳେ ବିଟ୍ରେଆଲରେ ଖୁସି ହୁଅନ୍ତି। ସେମାନେ ମନେ ରଖିବା ଉଚିତ ଯେ, ମୁଖାର ଆବରଣ ତଳେ ସେମାନଙ୍କ ପାପ ଦୀର୍ଘଦିନ ଧରି ଲୁଚି ପାରିବ ନାହିଁ। କିଏ କଣ କରୁଛି ଓଡ଼ିଶା ବାସୀ ଭଲ ଭାବରେ ଜାଣନ୍ତି।
    ସୀମା ପୁନଃ ନିର୍ଦ୍ଧାରଣ ବିଲ ସମ୍ପର୍କରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ସବୁବେଳେ କେନ୍ଦ୍ରର ଭିନ୍ନ ଭିନ୍ନ ସରକାରଙ୍କ ଦ୍ୱାରା ଉପେକ୍ଷିତ ହୋଇଆସିଛି। ବର୍ତ୍ତମାନର ସୀମା ପୁନଃ ନିର୍ଦ୍ଧାରଣ ବିଲ ଓଡ଼ିଶାର ରାଜନୈତିକ ଅସ୍ତିତ୍ୱ ପ୍ରତି,ଓଡ଼ିଆ ସ୍ୱାଭିମାନ ପ୍ରତି ବଡ଼ ବିପଦ ଭାବରେ ଉଭା ହୋଇଛି। ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ୪୮ ଘଣ୍ଟା ମଧ୍ୟରେ ଆହୁତ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କିଛି ହେଲା ନାହିଁ। ଓଡ଼ିଶାର ବିଜେପି ସରକାର ଓଡ଼ିଶା ଅପେକ୍ଷା ବିଜେପିର ସ୍ୱାର୍ଥ ରକ୍ଷା ପାଇଁ ଅଧିକ ଯତ୍ନଶୀଳ ପରି ଜଣାପଡୁଛି। ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରି ଆମେ ଯଦି ଏବେ ଏକାଠି ଏହି ଅନ୍ୟାୟ ବିରୁଦ୍ଧରେ ନ ଲଢ଼ିବା ତେବେ, ଇତିହାସ ଆମକୁ କେବେ କ୍ଷମା ଦେବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

Share

Leave a Reply