ଗୌହାଟୀରେ ତିନିଦିନ ଧରି ହେବ ‘ଦ୍ୱିତୀୟ ଓଡିଶା ପରବ’
1 min read- ଓଡିଶା ପରବ ପାଇଁ ପର୍ଯ୍ୟଟନ ବିଭାଗର ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ
- ପ୍ରଦର୍ଶିତ ହେବ ବିଭିନ୍ନ ବିଭାଗର ୨୦ଟି ଷ୍ଟଲ୍ ଏବଂ ୧୦ଟି ଫୁଡ଼ ଷ୍ଟଲ
- ଉତ୍ତରପୂର୍ବ ରାଜ୍ୟରେ ପ୍ରଚାର ହେବ ଓଡିଶାର ସାଂସ୍କୃତିକ ଐତିହ୍ୟ
ଭୁବନେଶ୍ୱର, //TATKAL ODISHA//
ଆସାମର ଗୌହାଟୀର ରାଡିସନ ବ୍ଲୁ ହୋଟେଲରେ ଆସନ୍ତା ଜାନୁୟାରୀ ୩୦ରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେବ ‘ଦ୍ୱିତୀୟ ଓଡ଼ିଶା ପରବ`1 ‘ଦ୍ୱିତୀୟ ଓଡ଼ିଶା ପରବ’ରେ ମୋଟ ୬ଟି ବିଭାଗ ତରଫରୁ ୨୦ ଟି ଷ୍ଟଲ ଏବଂ ୧୦ଟି ଫୁଡ଼ ଷ୍ଟଲ ପ୍ରଦର୍ଶିତ ହେବ 1 ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ତରଫରୁ ସର୍ବାଧିକ ୬ଟି ଷ୍ଟଲ ପ୍ରଦର୍ଶନ ହେବ । ହସ୍ତକଳା ବିଭାଗ ତରଫରୁ ୬ଟି ଷ୍ଟଲ, ଓର୍ମାସ୍ ତରଫରୁ ୩ଟି ଷ୍ଟଲ, ମିଶନ ଶକ୍ତି ବିଭାଗ ତରଫରୁ ୩ଟି ଷ୍ଟଲ ସହ ଆଦିଶା ତରଫରୁ କୋରାପୁଟ କଫିର ପ୍ରଦର୍ଶନ ହେବାକୁ ଥିବାବେଳେ କାର୍ଯ୍ୟକ୍ରମକୁ ସୁନ୍ଦର ଏବଂ ଆକର୍ଷିତ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।
ପର୍ଯ୍ୟଟନ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରା, ଓଡ଼ିଆ ଖାଦ୍ୟ, ହସ୍ତଶିଳ୍ପ, ହସ୍ତକଳା ଓ ପର୍ଯ୍ୟଟନର ପ୍ରଚାରପ୍ରସାର ଓ ସଫଳ ଆୟୋଜନ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ଶ୍ରୀ ମହାପାତ୍ର ଉପସ୍ଥିତ ଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମକୁ ସୁନ୍ଦର ଓ ସଫଳତାର ସହ ଆୟୋଜନ କରିବାକୁ ଆଲୋଚନା କରିଥିଲେ ।
ଉତ୍ତର-ପୂର୍ବ ରାଜ୍ୟରେ କିଭଳି ଓଡ଼ିଶାର ଐତିହ୍ୟ, ପରମ୍ପରା ଅଧିକରୁ ଅଧିକ ପ୍ରଚାର ହେବ ଏବଂ ବାହାର ରାଜ୍ୟରୁ ଶିଳ୍ପପତିମାନେ ଓଡିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ହେବେ, ସେ ଦିଗରେ ମଧ୍ୟ ଆଲୋଚନା କରାଯାଇଥିଲା । ସେଠାରେ ବସବାସ କରୁଥିବା ଓଡ଼ିଆ ସମାଜର ଅଧିବାସୀମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ କରି ପରବକୁ ସଭିଙ୍କ ପାଇଁ ସ୍ମରଣୀୟ କରିବା ଉପରେ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଗୁରୁତ୍ୱ ଦେଇଥିଲେ ।
ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ବିଭାଗ, ମିଶନ ଶକ୍ତି ବିଭାଗ, ହସ୍ତତନ୍ତ ଏବଂ ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଓର୍ମାସ୍ ,ଓଡିଶା ପର୍ଯ୍ୟଟନ ବିକାଶ ନିଗମ, ଫିକି ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସେମାନଙ୍କ ବିଭାଗର ପ୍ରଦର୍ଶିତ ହେବାକୁ ଥିବା ଷ୍ଟଲ ବିଷୟରେ ଅବଗତ କରାଇଥିଲେ ।
