ଉଷୁନା ଚାଉଳ ଉଠାଣ ପରିମାଣ ୨୦ରୁ ୨୫ ଲକ୍ଷ ମେଟ୍ରିକ ଟନ ବୃଦ୍ଧି ହେଉ : ଧର୍ମେନ୍ଦ୍ର
1 min read
- ପୂର୍ବରୁ ଓଡ଼ିଶାର ଧାନ ସଂଗ୍ରହ ପରିମାଣକୁ ୫୦ ଲକ୍ଷ ମେଟ୍ରିକ ଟନରୁ ୫୮ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରିଥିବାରୁ ଧନ୍ୟବାଦ
ନୂଆଦିଲ୍ଲୀ/ଭୁବନେଶ୍ୱର,//TATKAL ODISHA//
ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରେ ଉଷୁନା ଚାଉଳ ଉଠାଣ ପରିମାଣ ୨୦ ଲକ୍ଷ ମେଟ୍ରିକ ଟନରୁ ବଢାଇ ୨୫ ଲକ୍ଷ ମେଟ୍ରିକ ଟନ କରାଯାଉ I ବଳକା ଉଷୁନା ଚାଉଳର ଶୀଘ୍ର ଉଠାଣ ଦ୍ୱାରା ଚାଷୀମାନେ ବିଶେଷ ଲାଭବାନ ହେବେ ଏବଂ ଜାତୀୟ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଆହୁରି ମଜବୁତ୍ ହେବ I
ମଙ୍ଗଳବାର ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସାଂସଦ, ବିଧାୟକ ତଥା ବିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ଅନୁରୋଧ କରିଛନ୍ତି ।
ବିଭାଗୀୟ ମନ୍ତ୍ରୀଙ୍କୁ ଏକ ପତ୍ର ପ୍ରଦାନ ଶ୍ରୀ ପ୍ରଧାନ କହିଛନ୍ତି ଯେ, କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ୨୦୨୪-୨୫ ବର୍ଷ ପାଇଁ ଖରିଫ ଓ ରବି ଋତୁ ପାଇଁ ଓଡ଼ିଶାର ଧାନ ସଂଗ୍ରହ ପରିମାଣକୁ ୫୦ ଲକ୍ଷ ମେଟ୍ରିକ ଟନରୁ ୫୮ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରାଯାଇଛି । ଏଥିପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଏହି ଧାନ ସଂଗ୍ରହ ପରିମାଣ ବୃଦ୍ଧି ରାଜ୍ୟର ଚାଷୀ ସମାଜର ଆତ୍ମବିଶ୍ୱାସକୁ ବଢାଇବା ସହ ସୁରୁଖୁରୁରେ ସଂଗ୍ରହ କାର୍ଯ୍ୟକୁ ସୁନିଶ୍ଚିତ କରିଛି ।
ତେବେ ଓଡ଼ିଶାରେ ବିଶେଷ ଭାବରେ ଉଷୁନା ଚାଉଳ ଅଧିକ ଉତ୍ପାଦନ ହେଉଥିବା ବେଳେ ୨୦୨୫-୨୬ ଖରିଫ ଋତୁ ପାଇଁ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ଉଷୁନା ଚାଉଳର ତୁରନ୍ତ ଉଠାଣ ନିତ୍ୟାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ, କେନ୍ଦ୍ରୀୟ ପୁଲ ଅଧୀନରେ ଉଭୟ ଖରିଫ ଓ ରବି ଋତୁ ପାଇଁ ଓଡ଼ିଶାର ଉଷୁନା ଚାଉଳ ଉଠାଣ ପରିମାଣକୁ ବର୍ତ୍ତମାନର ୨୦ ଲକ୍ଷ ମେଟ୍ରିକ୍ ଟନକୁ ବଢାଇ ୨୫ ଲକ୍ଷ ମେଟ୍ରିକ୍ ଟନ କରିବା ପାଇଁ ଅନୁରୋଧ କରିଛନ୍ତି । ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ବଳକା ଥିବା ଏହି ଉଷୁନା ଚାଉଳର ଶୀଘ୍ର ଉଠାଣ ହେଲେ ଓଡ଼ିଶାର ଚାଷୀମାନେ ବିଶେଷ ଭାବରେ ଲାଭବାନ ହେବେ ଏବଂ ଜାତୀୟ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଆହୁରି ମଜବୁତ୍ ହେବ ।
