tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଓଡ଼ିଶାରେ ଭୂସ୍କଳନ: ମାଷ୍ଟରପ୍ଲାନ୍ ଖୁବ୍‌ଶୀଘ୍ର

1 min read


ଭୁବନେଶ୍ୱର,//TATKAL ODISHA//
ଗଜପତି ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବାପରେ ରାଜ୍ୟ ସରକାରଙ୍କର ଚେତା ପଶିଛି। ଏଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ସରକାର ଖୁବ୍‌ଶୀଘ୍ର ‘ମାଷ୍ଟରପ୍ଲାନ’ ପ୍ରସ୍ତୁତ କରିବେ ଏବଂ ରାଜ୍ୟର ଥିବା କିଛି ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବେ। ସେହିପରି ୨୦୦ କୋଟି ବ୍ୟୟରେ ରାଜଧାନୀରେ ନିର୍ମାଣ ହେବ ‘ବିପର୍ଯ୍ୟୟ ଭବନ’। ଉକ୍ତ ଭବନରେ ବିପର୍ଯ୍ୟୟ ସମ୍ପର୍କୀତ ସମସ୍ତ କାର୍ଯ୍ୟ ନିୟନ୍ତ୍ରିତ ହେବ।
 ଶନିବାର ଗଣମାଧ୍ୟମକୁ ଏହି ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

୨୦୦ କୋଟି ବ୍ୟୟରେ ରାଜଧାନୀରେ ‘ବିପର୍ଯ୍ୟୟ ଭବନ’

ମନ୍ତ୍ରୀ କହିଛନ୍ତି ଯେ, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ଭୂସ୍କଳନ ହେବା ସହ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପାଣି ପଶିବା ଯୋଗୁଁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିପନ୍ନଙ୍କୁ ସରକାର ସ୍ଥାନାନ୍ତରିତ କରି ଆବଶ୍ୟକୀୟ ସହାୟତା ଯୋଗାଇ ଯୋଗାଇଦେଇଛନ୍ତି। ଏବେ ବଡ଼ ବିପଦ ଟଳିିଛି। ତେବେ ଭୂସ୍ଖଳନ ରୋକିବା ପାଇଁ ସରକାର ପଦକ୍ଷେପ ନେବେ।
 ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଭୂସ୍ଖଳନ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି। ପାହାଡ଼ରୁ ପଥର ଖସି ଯେମିତି ଲୋକଙ୍କର ମୃତ୍ୟୁ ହେବ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ।

ସେହିପରି ଲଗାଣ ବର୍ଷା ଯୋଗୁଁ ବୁଡ଼ି ଯାଉଥିବା ତଳିଆ ରାସ୍ତାଗୁଡ଼ିକୁ ଚିହ୍ନଟ କରାଯାଇ ତୁରନ୍ତ ମରାମତି କରାଯିବ। ମାଲକାନଗିରି ଜିଲ୍ଲାରେ ଚିହ୍ନଟ ହୋଇଥିବା ଏମତି କିଛି ତଳିଆ ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଚ୍ଚା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତତ୍କାଳ ଏହି କାର୍ଯ୍ୟ ହେବ।
ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନରେ ଦେଶରେ ଏକ ଶ୍ରେଷ୍ଠ ରାଜ୍ୟ। ଆଗାମୀ ଦିନରେ ଏହାକୁ ଆହୁରି ସୁଦୃଢ଼ ଓ ସମୟୋପଯୋଗୀ କରାଯିବ। ସେଥିପାଇଁ ରାଜଧାନୀରେ ହେବ ‘ବିପର୍ଯ୍ୟୟ ଭବନ’। ଏଥିପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ ହେବ। ଏହି ଅତ୍ୟାଧୁନିକ ଭବନରେ ଉଡ୍ରାଫ୍‌, ଏନଡିଆରଏଫ୍‌, ଅଗ୍ନିଶମ ବିଭାଗ, ପାଣିପାଗ କାର୍ଯ୍ୟାଳୟ ଓ ଜଙ୍ଗଲ ବିଭାଗର କାର୍ଯ୍ୟାଳୟ ରହିବ। ସବୁ ବିଭାଗର ସମନ୍ୱୟ ରହିବ। ସଚିବାଳୟ ନିକଟରେ ଜମି ଚିହ୍ନଟ ହୋଇଛି। ଦୁଇ ବର୍ଷ ଅବଧି ଭିତରେ ନିର୍ମାଣ କାମ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଏନେଇ ପୂର୍ବରୁ ଆଲୋଚନା ସରିଛି। ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ନେଇ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
 ଉଲ୍ଲେଖନୀୟ ଯେ, ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଛି। ଭୂସ୍ଖଳନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି। ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାସ୍ଥଳକୁ ଟିମ ସହ ଯିବାକୁ ନିର୍ଦ୍ଦେଶ ଦେବା ପରେ ସେ ସେଠାରେ ଦୁଇ ଦିନ ରହି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

Share

Leave a Reply