ବିଜେପିରେ ଯୋଗ ଦେଲେ ଜୟ ଢୋଲକିଆ: କହିଲେ, ଅଧୁରା କାମକୁ ପୁରା କରିବି
1 min read
- ବିଜେପି ସଂଗଠନ ହେବ ଅଧିକ ଶକ୍ତିଶାଳୀ : ମନମୋହନ
- ନୂଆପଡ଼ା ଜିଲ୍ଲାବାସୀଙ୍କ ଦାୟିତ୍ୱ ମୁଁ ନେବି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,//TATKAL ODISHA //
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ଦିବଂଗତ ନେତା ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ତାଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ବିଧିବିଦ୍ଧ ଭାବେ ସାମଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହି ଢ଼ୋଲକିଆଙ୍କୁ ଦଳୀୟ ଟୋପି ଉତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନ ଆସନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ତାଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପାଇଁ ନୀତିଗତ ନିଷ୍ପତି ନେଇଛନ୍ତି । ତାଙ୍କ ଯୋଗଦାନ ଦ୍ୱାରା ଭାରତୀୟ ଜନତା ପାର୍ଟି ନୂଆପଡ଼ାରେ ସମେତ ସମଗ୍ର ଓଡ଼ିଶାରେ ଆହୁରି ଅଧିକ ଶକ୍ତିଶାଳୀ ହେବ । ବିଜେପି ସରକାର ଓଡିଶାରେ ୧୬ ମାସ ଶାସନ କରିବା ଭିତରେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଛି । ଏସବୁ କାର୍ଯ୍ୟ ଲୋକଙ୍କ ମନକୁ ଆନ୍ଦୋଳିତ କରିଛି । ଲୋକଙ୍କ ଏହି ବିଶ୍ୱାସ ଆଗାମୀ ଉପନିର୍ବାଚନରେ ପ୍ରତିଫଳନ ହେବ । ବିଜେପିର ପ୍ରାର୍ଥୀ ସେଠାରେ ଯଶସ୍ୱୀ ହେବେ । ଆଗାମୀ ଦିନରେ ନୂଆପଡ଼ାର ଅଧୁରା କାମକୁ ପୂରା କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ।

ମିଶ୍ରଣ ପର୍ବରେ ଶ୍ରୀ ଜୟଙ୍କୁ ସ୍ୱାଗତ କରିବାକୁ ଯାଇ ମୁଖମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ କହିଛନ୍ତି ଯେ, ଏହି ଦଳ ହେଉଛି ବିଶ୍ୱର ସର୍ବବୃହତ୍ ଦଳ । ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିକଶିତ ପଥେ ଆଗେଇ ଚାଲିଛି । ବିଜେପି ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ । ଗତ ୧୬ ମାସରେ ଏହି ସରକାର ତାହା କାର୍ଯ୍ୟରେ କରି ଦେଖାଇଛି । ଆମ ସରକାରଙ୍କ ପ୍ରତିବଦ୍ଧତା, ସୁଶାସନ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନମଙ୍ଗଳ କାର୍ଯ୍ୟକୁ ଆଧାର କରି ସ୍ୱର୍ଗତଃ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଦେଶର ୧ ନମ୍ବର ରାଜ୍ୟ ଭାବେ ଓଡ଼ିଶାକୁ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର । ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡ଼ା ଜିଲ୍ଲାବାସୀ ଜଣେ ଭଲ ନେତାଙ୍କୁ ହରାଇଛନ୍ତି । ସେ କେବଳ ଜଣେ ଦରଦୀ ନେତା ନ ଥିଲେ, ସମାଜସେବୀ ହିସାବରେ ମଧ୍ୟ ତାଙ୍କର ପରିଚୟ ଥିଲା । ତାଙ୍କ ଅବର୍ତମାନରେ ନୂଆପଡ଼ା ଜିଲ୍ଲାର ବିକାଶ ପ୍ରକ୍ରିୟା ଜାରି ରହିବ । ଜିଲ୍ଲାବାସୀଙ୍କ ଦାୟିତ୍ୱ ମୁଁ ନେଇଛି । ଯେତେବେଳେ ଜିଲ୍ଲାବାସୀ ଚାହିଁବେ ମତେ ଭେଟି ପାରିବେ । ଜୟ ଢୋଲକିଆଙ୍କ ଯୋଗଦାନ ବିଜେପିକୁ ଆହୁରି ସଶକ୍ତ କରିବ ।