ଘଇତାମାରି ପାଟ

ମନୋଜ କୁମାର ମହାପାତ୍ର
ଘରର ଉପର ତାଲା ବାଲକୋନିରୁ ଶୁଭୁଥିଲା ଇନ୍ଦ୍ର ଓ ମନୁଙ୍କର ହୃଦୟଖୋଲା ହସର ପ୍ରତିଧ୍ୱନି l ଏ ଶତାବ୍ଦୀର ମଣିଷର ହସ ନିଶ୍ଚିତ ନୁହେଁ l ଆଜିକାଲି ଏପରି ହସ କିଏ ହସୁଛି ? ହ୍ଵାଟ୍ସଆପ, ଫେସବୂକ, ୟୁଟ୍ୟୁବ,ଟୁଇଟର ତ ମଣିଷ ଓଠରୁ ହସକୁ ଚୋରେଇ ନେଇଛି ?
ଆଖି ଅପରେସନ ପାଇଁ କିଛିଦିନ ହେବ ଆସିଛନ୍ତି ଜେଜେଙ୍କର ପିଲାଦିନର ସାଙ୍ଗ ଇନ୍ଦ୍ର ଜେଜେ l ଆଉ ତାଙ୍କର ଗପସପ ଭିତରୁ ଉଛୁଳି ପଡୁଛି ଏଇ ଦୁର୍ଲଭ ହସ l ଏ କଥା ବୁଝିବାକୁ ଇଞ୍ଜିନିଅରିଂ ପଢ଼ୁଥିବା ନାତୁଣୀକୁ ବେଶୀ ସମୟ ଲାଗିଲାନି l
ସେ ତଳମହଲାକୁ ଓହ୍ଲାଇ ଆସି ଚିଗୁଲେଇ କହିଲା – ଜେଜେ, ତୁମ ଦୁଇଜଣ ବୁଢାଙ୍କ ହସ କେବେ ବି ଏ ଶତାବ୍ଦୀର ମଣିଷର ହସ ହେବନି l
କଳା ଚଷମା ପିନ୍ଧା ଇନ୍ଦ୍ର ଜେଜେ କହିଲେ – ତୋର ଅନ୍ଦାଜ ଠିକ ଲୋ ଝିଅ l ଗତ ଶତାବ୍ଦୀର ହସ ଇଏ,ଷାଠିଏ ଦଶକର ହସ ଇଏ ,ଆମ ପିଲାଦିନର ଏକ ଅଭୁଲା ସ୍ମୃତିର ସଂଳାପ ଭିତରୁ ଉଛୁଳିପଡ଼ିଥିବା ହସ ଇଏ l
ମୋ ଜେଜେ ମନୁଆଙ୍କର ପାକୁଆ ପାଟିରେ ହସ ଆଉ ଥୟ ଧରିପାରିଲାନି l ଫେଁ କିନା ହସି କହିଲେ – ଆଲୋ ଟୁଇଙ୍କିଲ ! ଆମ ହସ ଭୁଆଁ-ବୁଲେଇବାର ହସ l ଆଉ ଘଇତାମାରି ପାଟ ଲୋକକଥାର ହସ l
ଏଁ..ଏଁ .. ଘଇତାମାରି ପାଟ ? କଣ ସେଟା ମଃ ଜେଜେ ?????
ଏଇଠି ବୃଦ୍ଧଦ୍ୱୟଙ୍କର ହସ ବିରାମ ନେଉ,ହସର ଉପାଖ୍ୟାନ ଆଗେଇ ଯାଉ l
ଅନେକ ବର୍ଷ ତଳର ଲୋକସ୍ମୃତିଟିଏ l ସେ ସମୟରେ ସ୍ଥାନଟି ଥିଲା- ଖାଲି ବିଲ ହିଁ ବିଲ l ଦିଗ ବାରିବା କଷ୍ଟ l ଆକାଶ ପ୍ରକାଣ୍ଡ ଢାଙ୍କୁଳି ଭଳି ଚାରିଦିଗକୁ ଆବୋରି, ଦିଗବଳୟକୁ ସତେକି କରିଛି ଗର୍ଭସାତ ! ଗଛବୃକ୍ଷ ଥିଲେ ସିନା ଜାଣିହୁଅନ୍ତା କେଉଁଟା କେଉଁ ଦିଗ l ଆଜି ପୁଣି ବୈଶାଖି ସୂର୍ଯ୍ୟ ମୁଣ୍ଡ ଉପରେ ମାର୍ତଣ୍ଡ ସାଜି ଶହଶହ ସୂର୍ଯ୍ୟକୁ ବିଛାଡି ଦେଇଛି ଧାନ ଅମଳ ହେଇସାରିଥିବା ଟାଙ୍ଗରା ଜମି ଉପରେ l ଖରାର ଟାଇଁ ଟାଇଁ ଦଂଶନ ଛାଲ ଉତାରି ଦେବନା କଣ ? କେଉଁଠି ଛାଇ ନାହିଁ, କେବଳ ନିଜର ଏକମାତ୍ର ଛାଇ ଚାରିପଟେ ବୁଲୁଛି l
ଠେକିର ସବୁତକ ପାଣି ଶେଷ l ଦି’ଟା ବଳଦ ପାଟିରୁ ଫେଣ ବାହାରିଲାଣି l ବେକରୁ ଜୁଆଳି ଖୋଲିଦେବା ମାତ୍ରେ ଦି’ଟା ବଳଦ ଠେକିଫନ୍ଦରେ ଲାଗିଥିବା ଟୋପା ଟୋପା ଜଳକୁ ବିକଳରେ ଚାଟି ଚାଟି,ଶେଷରେ ଠେକିକୁ ଭାଙ୍ଗିଦେଲେ l ଲଙ୍ଗଳଟା ଜୁଆଳି ପାଖରେ ପଡିରହିଥାଏ ତତଲା ମାଟିରେ l
ମଙ୍ଗଳିଆର ହଂସା ଉଡିଗଲାଣି l ମୁଣ୍ଡରେ ଠେକା ମାରି କିଆରୀ ଭିତରେ ପାଞ୍ଚଣ ଧରି ବାତୁଳ ପରାୟେ ଟଳ ଟଳ ପାଦରେ ଘୁରି ବୁଲୁଥାଏ l ଗୋଟେ ଗୋଟେ ମୁହୂର୍ତ୍ତର ଅପେକ୍ଷା ଯୁଗ ଭଳି ଲାଗୁଥାଏ l ସକାଳେ ଯେଉଁ ଦାଣ୍ଡିହିଡ଼ରେ ଗାଁରୁ ଆସିଥିଲା ନିଜର କିଆରୀକୁ ସେଇ ଆଡ଼େ ବିକଳରେ ବାରମ୍ବାର ଚାହୁଁଥିଲା l
କିନ୍ତୁ ଦୂରରେ ଖରାଗୁଡାକ ଢଳ ଢଳ ନାଚୁଥିଲେ,ସତେକି ସମୁଦ୍ରଟେ ଝିଲିମିଲ୍ଲି ଢେଉରେ ଦୋଳି ଖେଳୁଛି ! ମଝିରେ ମଝିରେ ଝିଲମିଲି ଭିତରୁ କେହି ଜଣେ ଆସିବାର ଛାଇଟେ ଦେଖି ଭାବିନେଉଥିଲା ଯେ ଚେମି-ବୋଉ ବୋଧେ ଆସୁଛି l ସେ ଶୁଖିଲା କଣ୍ଠରେ ଚିତ୍କାର କରି ଡାକୁଥିଲା – ଆଲୋ ଝଅଟ ଆସେ, ମୋ ହଂସା ଉଡିଲାଣି l
ପୁଣି ଛାଇଟି ନାଚୁଥିବା ଝିଲିମିଲି ଖରା ଭିତରେ କେଉଁଠି ଲୁଚିଯାଉଥିଲା l ଏମନ୍ତ ଆଶା ଓ ନିରାଶାର ଲୁଚକାଳିର ପ୍ରହଳିକା ଭିତରେ କଅଁଳି ଉଠୁଥିଲା ଚେମିବୋଉ ଆସୁଥିବାର ଆଶା l
ଇଏ କି ଦୃଶ୍ୟ !!! ଦି’ଟା ବଳଦ ଖୁରାରେ ଜମିର ମାଟିକୁ ଆମ୍ପୁଡ଼ି ଆମ୍ପୁଡ଼ି,ଆଖି ତରାଟି ଚିତପଟାଙ୍ଗ ହେଇଗଲେ l ଆହାଃ…. ଆହାଃ ମୋ ଭେଳା ବୁଡ଼ିଲା ହୋ l କଉଠି ଗଲୁ ଲୋ ଚେମିବୋଉ l ଏମିତି ନିଛାଟିଆ ଭୂଇଁ, ଆକାଶ ଓ ବାୟୁର ଉତ୍ତପ୍ତତା ଭିତରେ ଡହଳ ବିକଳ ହେଇ ଚାହୁଁଥିଲା ବାରମ୍ବାର ଚେମିବୋଉର ଆସିବା ବାଟକୁ l
ହଁ ହଁ ସେ ଆସୁଛି…. ଝିଲମିଲିର ପର୍ଦାକୁ ପଛ କରି ମୁଣ୍ଡରେ ଓଢଣା ଟାଣି ସେ ଆସୁଛି l ହଁ ପରା ଠେକି ଓ କଂସାବେଲା ହାତରେ ଧରିଛି !
ଝିଲିମିଲି ଖରା ଚେମିବୋଉ ପଛପଟରେ ରହିଗଲାଣି l ତାର କଂସେ ପଖାଳ ମୋର ଡହଳ ବିକଳ ଆତ୍ମାକୁ ଥଣ୍ଡା କରିଦେବ l ମଙ୍ଗଳିଆ ତାର ତାତିଲା ଦେହ ଭିତରେ ଆଶାର ମାଙ୍କଡ଼ ନାଚରେ ଏବେ ଉଲ୍ଲସିତ l ମଙ୍ଗଳିଆ ପାଞ୍ଚଣ ଧରିଥିବା ହାତକୁ ବାରମ୍ବାର ଚେମିବୋଉ ଆଡକୁ ହଲାଇ ହଲାଇ କହୁଥିଲା – ଆ… ଆ l
ଚେମିବୋଉ ଡରରେ ହାଉଳି ଖାଇଲା l ଡେରି ହେଇଗଲା ବୋଲି ବୋଧେ ରାଗିଗଲେଣି,ଏଇନେ ମୋ ପିଠିକୁ ପାଞ୍ଚଣରେ ସେକି ଦେବ ପୋଡ଼ାମୁହାଁ l ଦାଣ୍ଡିହିଡ଼ରେ ସେ ଦପ କିନା ଠିଆ ହେଇଗଲା, ହଁ ହଁ ଭୟରେ l ଗୋଡ଼ ଆଗକୁ ପାଦେ ବଢିଲାନି l
ସେ ଦେଖିଲା ଆଖି ପାଉନଥିବା ବିଲ ମଝିରୁ ଗେରସ୍ତ ପାଞ୍ଚଣ ଧରି ତା ଆଡକୁ କ୍ଷେପି ଆସୁଛି l ସେ ଭୟରେ ସଅଳ ପାଦରେ ପୁଣି ଝିଲିମିଲି ଖରା ପଛପଟକୁ ପଳାଇଲା l
ଦାଣ୍ଡିହିଡ଼ରୁ ହଠାତ ଚେମିବୋଉର ଅନ୍ତର୍ଦ୍ଧାନ,ମଙ୍ଗଳିଆ ଆଖିରେ ସହସ୍ର ସୂର୍ଯ୍ୟର ଉଦୟ ଘଟେଇ ଦେଲା,ତାର ଶେଷ ଆଶା ଟିକକ ଜଳିପୋଡି ପାଉଁଶ ହେଲା l ମଙ୍ଗଳିଆ ଶେଷରେ ବିଲ ମଝିରେ ମୁହଁ ମାଡି, ତତଲା ଡହ ଡହ ମେଞ୍ଚାଏ ମାଟିକୁ କାମୁଡି ପକାଇଲା l ସହସ୍ର ସୂର୍ଯ୍ୟର ଜ୍ୱଳନ୍ତ ଆଲୋକ ଭିତରେ ଘୋର ଅନ୍ଧକାର ତାକୁ ମାଡ଼ିବସିଲା l ସେ ଆଉ ଉଠିଲାନି l.
ପରେ ଚେମିବୋଉ ମୁଣ୍ଡ ପିଟି ଯେତେ କାନ୍ଦିଲେ କଣ ହେବ ? ? ?
କଥାଟି ଏଇଠି ଥାଉ, ସମୟ ଟିକେ ପଛଘୁଞ୍ଚା ଦେଉ l
ମେଟ୍ରିକ ପରୀକ୍ଷା ଜଷ୍ଟ ସରିଥାଏ,ଫଳ ବାହାରିବାକୁ ପାଖାପାଖି ତିନିମାସ ଲାଗିବ l ଆମେ ତିନିଜଣ ସାଙ୍ଗ ଚୁଡା,ଗୁଡ଼ ଇତ୍ୟାଦିରେ ଭର୍ତି ଝୁଲା ଗୋଟିଏ ଲେଖାଏଁ କାନ୍ଧରେ ଝୁଲାଇ ଆରଡ଼ି ଆଖଣ୍ଡଳମଣି ଦର୍ଶନ ପାଇଁ ବାହାରିପଡିଲୁ l ବାଟ ଅବଶ୍ୟ ଜଣାନଥିଲା କିନ୍ତୁ ଲୋକଙ୍କୁ ପଚାରି ପଚାରି ଗାଁ, ବିଲ,ତୋଟା, ନଈ, ନାଳ ଅତିକ୍ରମ କରି କୋଡିଏ କିଲୋମିଟର ଦୂରସ୍ଥ ଆରଡ଼ିରେ ସନ୍ଧ୍ୟା ପୂର୍ବରୁ ପହଂଚି ଯାଇଥିଲୁ l ବାଟସାରା ବିଲରୁ ଖେସାରି,ମୁଗ ଛୁଇଁ ତୋଳି ଖାଉଥିଲୁ,ତା ସାଙ୍ଗକୁ ଆଖୁ ଖଣ୍ଡେ ଖଣ୍ଡେ ପାଟିରେ ପୁରାଇ ମଉଜ କରି ବାଟ ଚାଲିବାର ଥକ୍କାପଣକୁ ପାସୋରି ଯାଉଥିଲୁ l
ତା ପରଦିନ ବାବା ଆଖଣ୍ଡଳମଣିଙ୍କ ଭାଙ୍ଗ-ମିଶା ଘର୍ଷଣ ଆକଣ୍ଠ ପାନ କରି,ଖରା ଲେଉଟାଣି ବେଳକୁ ଆରମ୍ଭ ହେଲା ଆମର ଫେରନ୍ତା ଯାତ୍ରା l
ଖରା ଦିନ, ଜହ୍ନ ରାତି l ତା ସାଙ୍ଗକୁ ମଜା ଗପସପ l ବାଟ ଚାଲୁଥିଲୁ କିନ୍ତୁ ଚାଲିବାଟା ମୋତେ ଉଡିବା ଭଳି ଲାଗୁଥିଲା l ଇୟା ଭିତରେ ବାଟ ହୁଡ଼ି ଆମେ କେତେବେଳେ ଦିଗନ୍ତ ବିସ୍ତାରି ଟାଙ୍ଗରା ମାଳମାଳ ବିଲ ମଝିରେ ପଶି ଗଲୁଣି ଜଣା ନ ଥିଲା l ତିନି ଜଣଯାକ କିଏ କେଉଁ ଦିଗକୁ ଯାଉଥିଲେ ତାର ଠିକଣା ନ ଥିଲା l କିନ୍ତୁ କିଛି ସମୟ ପରେ ପୁଣି ଗୋଟିଏ ଜାଗାରେ ଭେଟ ହେଉଯାଉଥିଲା l
ଭକ୍ତ କହିଲା – ଆମକୁ ବୋଧେ ଭୁଆଁ ବୁଲାଇଲେଣି l ଚାଲ ଏଇଠି ଏକାଠି ସିନ୍ଦୁରା ଫାଟିବା ପର୍ଯ୍ୟନ୍ତ ବସିବା l
ଆଉ ଜଣେ ସାଙ୍ଗ ଇନ୍ଦ୍ର କହିଲା – ନା ମଃ l ହେଇପାରେ ଆମେ ବାଟ ହୁଡ଼ି ଘଇତାମାରି ପାଟ ଭିତରକୁ ପଶି ଆସିଛେ l
ଘଇତାମାରି ପାଟ ନାଁ ମୋ ଛାତିକୁ ଧଡ଼ପଡ଼ କଲା l ଧାନ କଟା ପରେ କଳେଇ,କଚଡ଼ା ବିଲରୁ ଉଠିଯିବା ପରେ ଟାଆଁସିଆ ଧାନମୂଳିଗୁଡାକ ଆମର ପାଦକୁ ସେତେବେଳକୁ ରକ୍ତାକ୍ତ କରିସାରିଲେଣି l ହିଡ଼ର କୋଇଲି କଣ୍ଟା ଏପରି ପାଦକୁ ଫୋଡି ଦେଉଥାଏ ଯେ ଖଣ୍ଡିଆ ଘାଆରେ ସତେକି କିଏ ଲୁଣ ବିଞ୍ଚି ଦେଉଛି ? ବାପରେ ବାପ କି ଯନ୍ତ୍ରଣା l ବିଲ ମଝିରେ ରାତିଟା କଟେଇ ଦେବାକୁ ଇଛା ଥିଲେ ବି ଘଇତାମାରି ପାଟ ନାଁ ମୋର କ୍ଷତାକ୍ତ ପାଦର ଯନ୍ତ୍ରଣା ଜର୍ଜରିତ ମନ ଭିତରେ ଆଙ୍କି ଦେଉଥିଲା ଚାଷୀ ବାପୁଡ଼ାର ଭୟଙ୍କର ବିକଳ ଦୃଶ୍ୟ l
ପୁଣି ଚାଲିଲୁ ଆଗକୁ l ଏଥର ବି କେଉଁ ଆଡେ କିଏ ଯାଉଥିଲା ଢ଼ୋଲେଇ ଢ଼ୋଲେଇ, କିଏ କାହାକୁ ବୁଝିପାରୁନଥିଲେ l ଭୁଆଁ-ବୁଲା ଭିତରେ ଜହ୍ନଟା ଦାଉ ସାଧିଲା,ଦୂର ଦିଗବଳୟରେ ହୁତ କିନା ଲିଭିଗଲା l ଚାରିଆଡେ ଅନ୍ଧାର l
ଅନ୍ଧକାର ଭିତରେ ମୁଁ ଭୟରେ ଦୁଇଜଣ ସାଙ୍ଗକୁ ଡାକ ଛାଡୁଥିଲି – “ଅଖିଆ”, “ଇନ୍ଦ୍ର” ବୋଲି l କିଛି ଉତ୍ତର ନାହିଁ, କେବଳ ପ୍ରତିଧ୍ୱନି,ବଡ଼ ଭୟଙ୍କର l କିନ୍ତୁ ମୋ ନାଁର ଡାକ “ମନୁଆ “ବୋଲି ଏକ ଅନୁ୍ଚ୍ଚ ସ୍ୱର ଖୁବ ଦୂରରୁ ଶୁଭୁଥିଲା l ତାପରେ କଣ ହେଲା ଜାଣିନି l
ସିନ୍ଦୁରା ଫାଟିବାର ଫର୍ଚ୍ଚା ଭିତରେ ଚେମିବୋଉର ମୁଣ୍ଡ ପିଟି ବାହୁନୁଥିବାର କରୁଣ ବିଳାପ ଦପ କିନା ହଜିଗଲା l ଧଡ଼ପଡ଼ ଛାତିରେ ଉଠି ଦେଖେତ ଖଣ୍ଡେ ଦୂରରେ ଇନ୍ଦ୍ର ହିଡ଼ କଡରେ ଚିତ ହେଇ ଶୋଇଛି ତ ଆଉ ଗୋଟିଏ କିଆରୀ ମଝିରେ ଅଖିଆ ଶୋଇଛି l
ମୋ ଡାକରେ ସେ ଦୁହେଁ ଉଠିପଡିଲେ l ଦୌଡ଼ି ଆସି ଅଖିଆ କହିଲା – ଶଃ… ଦୁନିଆ ସାରା ଡାକି ଡାକି ତତେ ହନ୍ତାଳି ସାରିଲିଣି, ତୁ ଏଇ ପାଖରେ ଶୋଇଛୁ, ଜବାବ ଦେଉନୁ ?
ଇନ୍ଦ୍ର କହିଲା – ତୁ ଏଠି ଭଦ୍ରଲୋକି ଦେଖାନା l ଅଖିଆ ଅଖିଆ କେତେ ନ ଡାକିଛି ତତେ, ତୁ ଏଇଠି ଶୋଇଛୁ, ଟିକେ ଜବାବ ଦଉନୁ ?
ସେ ଦୁହେଁ ପରସ୍ପରକୁ ଅନେଇ କହିଲେ – ଏବେ ବୁଝିଲୁ ତ ? ଆମକୁ ଭୁଆଁବୁଲା ରାକ୍ଷସ ଘୋଟିଥିଲା l ଦେଖୁନୁ ମନୁଆଟା ବି କିଛି ଦୂରରେ ଆମ ପାଖରେ ପଡିଛି, କେତେ ତାକୁ ମୁଁ ନ ଖୋଜିଛି ହୋ ?
ଅଖିଆ କହିଲା – ତିନିହେଁ ଯାକ ପାଖାପାଖି ଶୋଇଛନ୍ତି ଅଥଚ ପରସ୍ପରକୁ ପୁଣି ଖୋଜୁଛନ୍ତି, ବାପରେ ବାପ କି ଘର୍ଷଣ ନିଶା ହୋ ସତେ ! ବୋଧେ ବାବାମଣି ଆମ ଉପରେ ସବାର ହେଇଗଲେ ?
ଇନ୍ଦ୍ର ଓ ଅଖିଆ ଆଉ କଣ କହିବାକୁ ଯାଉଥିଲେ, କିନ୍ତୁ ମନୁଆର ଛଳଛଳ ଆଖି ଓ କାନ୍ଦୁରା ଶୁଖିଲା ମୁହଁ ଦେଖି ସେ ଦୁହେଁ ପଚାରିଲେ – ଆବେ ତୁ କଣ ଆମକୁ ନ ପାଇବାରୁ କାନ୍ଦୁଥିଲୁ ନା କଣ ?
ମନୁଆ କହିଲା – ନା ରେ ସାଙ୍ଗ !!! ମଙ୍ଗଳିଆର ପାଣି ମୁନ୍ଦେ ପାଇଁ ପ୍ରତୀକ୍ଷାର ବିକଳ ମରଣ ଏବଂ ତା’ର ଛାତି ଉପରେ ମୁଣ୍ଡ କୋଡ଼ି ଚେମିବୋଉର କାନ୍ଦର କରୁଣ ଛବି ମୋତେ ରାତିସାରା ସ୍ୱପ୍ନରେ ଏମିତି ଦହଗଞ୍ଜା କରିଛି ଯେ ଏ ପର୍ଯ୍ୟନ୍ତ ବି ଭୁଲି ପାରୁନି l
ଅଖିଆ ଓ ଇନ୍ଦ୍ର ଏକ ସ୍ୱରରେ କହିଉଠିଲେ — ଓହୋଃ…..ତା’ହେଲେ ଆମେ ଭୁଲରେ ଘଇତାମାରି ପାଟ ଭିତରକୁ ପଶି ଆସିଛେ !!!!!
ମନୁଆ ବାଷ୍ପରୁଦ୍ଧ କଣ୍ଠରେ କହିଲା – ମଙ୍ଗଳିଆ ଓ ତାର ସ୍ତ୍ରୀ ଚେମିବୋଉ ନାଁକୁ ଲୋକେ ଆଜ ଭୁଲିଗଲେଣି କିନ୍ତୁ ଘଇତାମାରି ପାଟ ଛାତିରେ ସେ ଦୁହେଁ ଏବେ ବି ଜୀବନ୍ତ l
ଏତକହି ଦୁଇ ସାଙ୍ଗ ଟୁଇଙ୍କିଲକୁ ଚାହିଁଲେ l ସେ ଖୁବ ହସୁଥିଲା l
ଏପରିକି ଟୁଇଙ୍କିଲ ହସି ହସି ବେଦମ ହେଇଗଲା l ଜେଜେଙ୍କୁ କୁଣ୍ଢାଇ ପକାଇ କହିଲା – ଜେଜେ, ରିଅଲି ଫାଣ୍ଟାଷ୍ଟିକ ଷ୍ଟୋରି l
ଆଲୋ ଝିଅ ତୋର ଏ ହସ କେଉଁ ଶତାବ୍ଦୀର କହତ ? ଇନ୍ଦ୍ର ଜେଜେ ମୁରୁକି ହସି ପଚାରିଲେ l
ଟୁଇଙ୍କିଲ କହିଲା – ବିଗତ ଷାଠିଏ ଦଶକର ହଜିଲା ହସର ଏହା ମୋର ଆଜିର ଏକବିଂଶ ଶତାବ୍ଦୀର ଏକ ନୂଆ ରୂପାନ୍ତରିତ ହସ l ସତରେ ଜେଜେ,ତୁମେମାନେ ଅଛ ବୋଲି ଆମେ ଜୀବନ୍ତ-ହସ ଶୁଣିପାରୁଛୁ ଏବଂ ହସିପାରୁଛୁ ବି ଜୀବନ୍ତ ହସଟିଏ l
ଆଉ ତୁମ ଅନ୍ତେ…….????
————-000000—————
© ମନୋଜ କୁମାର ମହାପାତ୍ର