ପରିବେଶ ଅନୁକୂଳ ଅଧିନିୟମ କରିବାରେ ଓଇଆରସି ବିଫଳ
1 min read
- ଆନନ୍ଦ ମହାପାତ୍ର
- ++++++++++
ଓଡିଶାରେ ବିଦ୍ୟୁତସେବା ମାନରେ ଉନ୍ନତି ଆଣିବାପାଇଁ ଓଇଆରସି ନିଜଆଡୁ ଗୋଟେ ମାମଲା (କେସ ନମ୍ବର ୫୧/୨୦୨୫) ଆରମ୍ଭ କରିଛନ୍ତି। ଜନଶୁଣାଣି ମାଧ୍ୟମରେ ମାମଲାଟିକୁ ଫଇସଲା କରିବା ନିଷ୍ପତି ଗ୍ରହଣ କରିବା ପରେ ଆୟୋଗ ୧୮.୦୭.୨୦୨୫ରେ ଏକ ସାଧାରଣ ବିଜ୍ଞପ୍ତି ଜରିଆରେ ଜନସାଧାରଣଙ୍କ ମତାମତ ଚାହିଁଥିଲେ।
ଓଡିଶାର ଅନେକ ବୁଦ୍ଧିଜୀବୀ, ଉପଭୋକ୍ତା ସଂଘ, ସାମାଜିକ କର୍ମୀ, ବିଦ୍ୟୁତ ଉପଭୋକ୍ତାଙ୍କ ସହିତ ଏହି ଲେଖକ ମଧ୍ୟ ଧାର୍ଯ୍ୟ ସମୟ ୧୬.୦୮.୨୦୨୫ ମଧ୍ୟରେ ନିଜ ମତାମତ ଦାଖଲ କରିଥିଲେ। ଇତିମଧ୍ୟରେ ପ୍ରଥମ ଜନଶୁଣାଣୀ ୧୦.୧୦.୨୦୨୫ରେ ଅନୁଷ୍ଟିତ ହୋଇଯାଇଛି। ତେବେ ମତାମତ ଦେଇ ଆମେ କହିଥିଲୁ ରାଜ୍ୟରେ ବିଦ୍ୟୁତସେବା ମାନରେ ଉନ୍ନତି ଆଣିବାକୁ ହେଲେ ବିତରଣ କମ୍ପାନୀମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ମୁଖ୍ୟ ପ୍ରସଙ୍ଗ ହେବା ଉଚିତ। ସେଥିପାଇଁ ବିଦ୍ୟୁତ ଆଇନ, ୨୦୦୩ ଅନୁଯାଇ ଆୟୋଗ ବିତରଣ କମ୍ପାନୀମାନଙ୍କର କାର୍ଯ୍ୟଦକ୍ଷତା ମାନଦଣ୍ଡ ଓ ସପ୍ଲାଇ କୋଡ ଅଧିନିୟମ ପ୍ରଣୟନ କରିବାର ବିଧି ରହିଛି।
ମହାରାଷ୍ଟ୍ର ଓ ଦିଲ୍ଲୀ ଭଳି ଅନ୍ୟ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆୟୋଗ ଏଥିପାଇଁ ଗୋଟିଏ ଅଧିନିୟମ ଜାରି କରିଥିବା ବେଳେ ଓଡିଶା ଆୟୋଗ ୨୦୦୪ରେ ଦୁଇଟି ଅଧିନିୟମ ଜାରି କରିଥିଲେ। କିନ୍ତୁ ପରିତାପର ବିଷୟ ହେଉଛି ଦୀର୍ଘ ୨୧ବର୍ଷ ବିତିଯାଇଥିଲେବି ଆୟୋଗ ବିତରଣ କମ୍ପାନୀମାନଙ୍କର କାର୍ଯ୍ୟଦକ୍ଷତା ଅଧିନିୟମରେ ପରିବର୍ତ୍ତନ ଆଣି ବିଦ୍ୟୁତସେବାର ଗୁଣବତ୍ତା ବୃଦ୍ଧିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି।
ଭାରତର ଅନ୍ୟ ରାଜ୍ୟରେ ଥିବା ବିଦ୍ୟୁତ ଆୟୋଗଗୁଡିକ ଏକାଧିକ ବାର ବିତରଣ କମ୍ପାନୀଗୁଡିକର କାର୍ଯ୍ୟଦକ୍ଷତା ମାନଦଣ୍ଡ ଅଧିନିୟମକୁ ସଂଶୋଧନ କରି ନୂତନ ଅଧିନିୟମ ଜାରି କରିବା ସହ ଉପଭୋକ୍ତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରୁଥିବା ବେଳେ ଓଡିଶା ଏକ୍ଷେତ୍ରରେ ପଛାଇ ଯାଇଛି। ଫଳରେ ଓଡିଶାର ବିଦ୍ୟୁତସେବା ନିମ୍ନମାନର ରହିଛି।

ନିମ୍ନମାନର ବିଦ୍ୟୁତସେବା ପାଇଁ ଓଇଆରସି ଅଧିନିୟମ-୨୦୦୪ରେ ବିତରଣ କମ୍ପାନୀକୁ ଦଣ୍ଡିତ କରିବା ସହିତ ଉପଭୋକ୍ତାଙ୍କୁ କ୍ଷତିପୂରଣ ରାଶି ଦେବା ବ୍ୟବସ୍ତା ଥିଲେବି ଆୟୋଗ ତାହାକୁ କାର୍ଯ୍ୟକାରୀ କରିନାହାନ୍ତି।
ଆମର ଏପରି ସ୍ପଷ୍ଟ ମତାମତକୁ ଗ୍ରହଣକରି ୨୧ ବର୍ଷତଳେ ଜାରି କରିଥିବା ବିତରଣ କମ୍ପାନୀମାନଙ୍କର କାର୍ଯ୍ୟଦକ୍ଷତା ମାନଦଣ୍ଡ ଅଧିନିୟମ-୨୦୦୪କୁ ସଂଶୋଧନ କରିବା ପାଇଁ ଓଇଆରସି ଅଣ୍ଟା ଭିଡିଲେ। ତଦନୁଯାଇ ବିତରଣ କମ୍ପାନୀମାନଙ୍କ ପାଇଁ ନୂତନ କାର୍ଯ୍ୟଦକ୍ଷତା ମାନଦଣ୍ଡ ଅଧିନିୟମ-୨୦୨୫ର ଚିଠା ପ୍ରସ୍ତୁତ କରି ଓଡିଶା ଆୟୋଗ ସାଧାରଣ ବିଜ୍ଞପ୍ତି ମାଧ୍ୟମରେ ଏକକୋଟି ଉପଭୋକ୍ତାଙ୍କ ମତାମତ ଆହ୍ଵାନ କରିଥିଲେ।
ଧାର୍ଯ୍ୟ ସମୟର ଶେଷଦିନ ଅର୍ଥାତ ୨୨.୦୯.୨୦୨୫ରେ ଏହି ଲେଖକ ଉକ୍ତ ଚିଠା ଅଧିନିୟମ-୨୦୨୫ ଉପରେ ଏକ ବିସ୍ତ୍ରୁତ ସମୀକ୍ଷା ରିପୋର୍ଟ ଆୟୋଗରେ ଦାଖଲ କରିଥିଲେ। ବିଦ୍ୟୁତ ଆଇନ, ୨୦୦୩ରେ ଥିବା ବିଧିବ୍ୟବସ୍ତା ଅନୁସାରେ ଉପଭୋକ୍ତା ତଥା ଜନସାଧାରଣ ଦେଇଥିବା ମତାମତକୁ ବିଚାରକୁ ନେଇ ଆୟୋଗ ଆବଶ୍ୟକ ସ୍ଥଳେ ଚିଠା ଅଧିନିୟମକୁ ସଂଶୋଧନ କରି ତାହାକୁ ଚୁଡାନ୍ତ କରିବେ। ଚୁଡାନ୍ତ ଚିଠା ଅଧିନିୟମଟି ଓଡିଶା ବିଧାନସଭାରେ ଗୃହିତ ହେବାପରେ ଗଜେଟ ବିଜ୍ଞପ୍ତି ମାଧ୍ୟମରେ ଅଧିନିୟମ ଭାବେ ପ୍ରଣିତ କରାଯିବ।
ତେବେ ଓଇଆରସିଙ୍କ ଚିଠା ଅଧିନିୟମ, ୨୦୨୫ ଅନ୍ୟରାଜ୍ୟ ତୁଳନାରେ ଉନ୍ନତମାନର ବିଦ୍ୟୁତସେବାକୁ ସୁନିଶ୍ଚିତ କରିନାହି। ଭାରତର ଅନ୍ୟ ସମସ୍ତ ରାଜ୍ୟରେ ସରକାରୀ ବିଦ୍ୟୁତ ବିତରଣ କମ୍ପାନୀ ଦାୟିତ୍ଵରେ ଥିବାବେଳେ କେବଳ ଓଡିଶାରେ ଘରୋଇ ବିତରଣ କମ୍ପାନୀ ଦାୟିତ୍ଵରେ ଅଛନ୍ତି। ଓଡିଶା ଘରୋଇକରଣକୁ ଯଥାର୍ଥ ସାବ୍ୟସ୍ତ କରିବାପାଇଁ ଅନ୍ୟ ରାଜ୍ୟ ତୁଳନାରେ ଓଇଆରସିଙ୍କ ଚିଠା ମାନଦଣ୍ଡ ଅଧିନିୟମ ଅଧିକ ଉନ୍ନତ ହେବା ଆଶା କରାଯାଉଥିବା ବେଳେ ତାହା ହୋଇନାହି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପ୍ରଣିତ କରିଥିବା ବିଦ୍ୟୁତ (ଉପଭୋକ୍ତାଙ୍କ ଅଧିକାର) ନିୟମ, ୨୦୨୦ର ଆବଶ୍ୟକତା ଅନୁସାରେ ଓଇଆରସି ନିଜର ପୁରୁଣା ଅଧିନିୟମ-୨୦୦୪କୁ ବ୍ୟାପକ ସଂଶୋଧନ କରି ଏକ ନୂତନ କାର୍ଯ୍ୟଦକ୍ଷତା ମାନଦଣ୍ଡ ଅଧିନିୟମ-୨୦୨୫ର ଚିଠା ପ୍ରସ୍ତୁତ କରିଥିବା ସୂଚନା ପ୍ରାରମ୍ବରେ ଦିଆଯାଇଛି। କିନ୍ତୁ ବାସ୍ତବତା ହେଉଛି କେନ୍ଦ୍ରୀୟ ନିୟମରେ ଥିବା ଅନେକ ଗୁଡିଏ ସେବା ମାନଦଣ୍ଡ ଓ କ୍ଷତିପୂରଣ ବ୍ୟବସ୍ତା ଓଇଆରସିଙ୍କ ଚିଠା ଅଧିନିୟମରେ ନାହି।
ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଅଧୀନରେ ରୁଫଟପ ସୋଲାର ପ୍ଳାଣ୍ଟ ସ୍ଥାପନକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ସଂଶୋଧିତ ଉପଭୋକ୍ତା ଅଧିକାର ନିୟମ, ୨୦୨୧ ଓ ୨୦୨୪ରେ ଯେଉଁ କାର୍ଯ୍ୟଦକ୍ଷତା ମାନଦଣ୍ଡ ସ୍ଥିର କରାଯାଇଛି ତାହାକୁ ଓଇଆରସିଙ୍କ ଚିଠା ଅଧିନିୟମ-୨୦୨୫ରେ ସମ୍ପୂର୍ଣ ଅଣଦେଖା କରାଯାଇଛି। କେନ୍ଦ୍ରୀୟ ନିୟମ ଅନୁସାରେ ସୋଲାର ପ୍ଳାଣ୍ଟ ବସାଇଥିବା ଉପଭୋକ୍ତାଙ୍କ ନେଟ ମିଟରିଙ୍ଗ, ଗ୍ରସ ମିଟରିଙ୍ଗ, ବିଦ୍ୟୁତ କ୍ରୟ ଟାରିଫ ଓ ବିକ୍ରୟ ଟାରିଫ ଏବଂ ପ୍ଳାଣ୍ଟ ନିର୍ମାଣ ଗୁଣବତ୍ତା ଓ ସମୟ ଉପରେ ବିତରଣ କମ୍ପାନୀମାନଙ୍କ ପାଇଁ କାର୍ଯ୍ୟଦକ୍ଷତା ମାନଦଣ୍ଡ ସ୍ଥିର ହୋଇଥିବା ବେଳେ ଓଡିଶା ଆୟୋଗ ଚିଠା ଅଧିନିୟମରେ ତାହାକୁ ବିଚାରକୁ ନେଇନାହାନ୍ତି। ସେହିପରି କେନ୍ଦ୍ରୀୟ (ଉପଭୋକ୍ତା ଅଧିକାର) ସଂଶୋଧିତ ନିୟମ-୨୦୨୨ରେ କୁହାଯାଇଛିଯେ ୧୦୦,୦୦୦ ଏବଂ ତଦୁର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳଗୁଡିକରେ ବର୍ଦ୍ଧିତ ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି ବିତରଣ କମ୍ପାନୀଗୁଡ଼ିକ ସମସ୍ତ ଉପଭୋକ୍ତାଙ୍କୁ ୨୪x୭ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବେ ଯାହା ଦ୍ଵାରା ସେହି ଅଞ୍ଚଳର ଉପଭୋକ୍ତାଙ୍କୁ ଆଉ ଡିଜେଲ ଜେନେରେଟର ସେଟ୍ ସ୍ଥାପନ କରିବାର କୌଣସି ଆବଶ୍ୟକତା ପଡିବ ନାହି। ଏପରି ପରିବେଶ ଅନୁକୂଳ ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟ ଆୟୋଗଗୁଡିକ ବିତରଣ କମ୍ପାନୀର ନିର୍ଦ୍ଧିଷ୍ଟ ଅଞ୍ଚଳ ପାଇଁ ମାସିକ ହାରାହାରି ବିଦ୍ୟୁତ ବ୍ୟାହତ ସମୟ ଓ ସଂଖ୍ୟା ଧାର୍ଯ୍ୟ କରିବେ ଯାହାର ସଫଳ ପ୍ରତିକାର ବିତରଣ କମ୍ପାନୀ କରିପାରିଲେ ଉପଭୋକ୍ତାଙ୍କୁ ଆଉ ଡିଜେଲ ଜେନେରେଟର ସେଟ୍ ସ୍ଥାପନର ଆବଶ୍ୟକ ପଡିବ ନାହି।
କିନ୍ତୁ ଓଇଆରସି ପ୍ରକାଶ କରିଥିବା ଚିଠା ଅଧିନିୟମ-୨୦୨୫ରେ ସହରାଞ୍ଚଳରେ ହେଉଥିବା ପ୍ରବଳ ବିଦ୍ୟୁତ ବ୍ୟାହତ ସମସ୍ୟାକୁ ନିରାକରଣ କରିବାପାଇଁ ସେପରି ପରିବେଶ ଅନୁକୂଳ କାର୍ଯ୍ୟଦକ୍ଷତା ମାନଦଣ୍ଡ ଧାର୍ଯ୍ୟ କରାଯାଇ ନାହି। ତେଣୁ ଏକଥା ନିଶ୍ଚିତ ଭାବେ କୁହାଯାଇପାରେ ଯେ ଓଇଆରସିଙ୍କ ଚିଠା ଅଧିନିୟମ ସହରାଞ୍ଚଳରୁ ଡିଜେଲ ଜେନେରେଟର ସେଟ୍ ବିଲୁପ୍ତ କରିବାରେ ସକ୍ଷମ ହେବନାହି। ଓଇଆରସିଙ୍କ ଚିଠା ଅଧିନିୟମରେ ଓଡିଶାର ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଯଥା- ପୁରୀ, ବାଲେଶ୍ଵର, ବାରିପଦା, ଭଦ୍ରକ, ପାରାଦୀପ, ଢେଙ୍କାନାଳ, ବରଗଡ, ବ୍ରଜରାଜନଗର, ଝାରସୁଗୁଡା, ବଡ଼ବିଲ, କେନ୍ଦୁଝର, ବଲାଙ୍ଗିର, ଭବାନୀପାଟଣା, ରାୟଗଡା ଓ ଜୟପୁର- ଆଦି ପାଇଁ ବିଦ୍ୟୁତ ବ୍ୟାହତ ସମୟ ଓ ସଂଖ୍ୟା ମାସକୁ ୧୫ ଘଣ୍ଟା ଓ ୩୦ ଥର ଧାର୍ଯ୍ୟ ହୋଇଥିବାବେଳେ କ୍ଷତିପୂରଣ ରାଶି ମାତ୍ର ୫୦ ଟଙ୍କା ଧାର୍ଯ୍ୟ ହୋଇଛି। ଓଇଆରସିଙ୍କ ଏପରି ଦୁର୍ବଳ ମାନଦଣ୍ଡକୁ ନେଇ ପ୍ରସ୍ତୁତ ହୋଇଥିବା ଚିଠା ଅଧିନିୟମ ଉପଭୋକ୍ତାର ଡିଜେଲ ଜେନେରେଟର ସେଟ୍ ଆବଶ୍ୟକତାକୁ ବନ୍ଦ କରିପାରିବ ନାହି।
କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ସହରାଞ୍ଚଳ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବାପାଇଁ ଉପଭୋକ୍ତା ଅଧିକାର ସଂଶୋଧିତ ନିୟମ-୨୦୨୨ରେ ଯେଉଁ ବ୍ୟବସ୍ତା କରିଛନ୍ତି ତାହାର ପ୍ରତିଫଳନ ଓଇଆରସିଙ୍କ ଚିଠା ଅଧିନିୟମରେ ଦେଖିବାକୁ ମିଳୁନାହି। ଅର୍ଥାତ ପରିବେଶ ସୁରକ୍ଷା ପାଇଁ ଓଇଆରସି ଚିଠା ଅଧିନିୟମରେ ଆବଶ୍ୟକୀୟ ପଦକ୍ଷେପ ନେଇନାହାନ୍ତି। ଓଇଆରସିଙ୍କ ବିବୃତି ଓ ଚିଠା ଅଧିନିୟମ ଭିତରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୋଇଛି। କେନ୍ଦ୍ରୀୟ ନିୟମରେ ଶିଳ୍ପ ଓ ବାଣିଜ୍ୟ ଅନୁଷ୍ଠାନଗୁଡିକର ପ୍ରାରମ୍ଭିକ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଯୋଗାଣକୁ ସହଜରେ ଉପଲବ୍ଧ କରାଯାଇଛି, କିନ୍ତୁ ଓଇଆରସିଙ୍କ ଚିଠା ଅଧିନିୟମରେ ସେପରି ତତ୍ପରତା ପ୍ରକାଶ ପାଇନାହି। ଅତଏବ ଓଇଆରସିଙ୍କ ଚିଠା ଅଧିନିୟମ ଏକ ପ୍ରଗତିଶୀଳ ଶିଳ୍ପ ବତ୍ତାବରଣ ସୃଷ୍ଟି କରି ପାରିବ ନାହି।

ଓଡିଶାର ବିଦ୍ୟୁତ ବିତରଣ ବ୍ୟବସ୍ତାର ଘରୋଇକରଣକୁ ଯଥାର୍ଥ ସାବ୍ୟସ୍ତ କରିବାପାଇଁ ଓଡିଶା ବିଦ୍ୟୁତ ଉପଭୋକ୍ତା ଅନ୍ୟ ରାଜ୍ୟର ସରକାରୀ ବିତରଣ ବ୍ୟବସ୍ତା ଠାରୁ ଅଧିକ ଉନ୍ନତ ମାନର ବିଦ୍ୟୁତସେବା ଆଶା କରୁଥିବାବେଳେ ତାହାକୁ ଓଇଆରସି ଚିଠା ଅଧିନିୟମରେ ସୁନିଶ୍ଚିତ କରିନାହାନ୍ତି। ଏହାଛଡା ଚିଠା ଅଧିନିୟମରେ ଓଇଆରସି ଗ୍ରାମାଞ୍ଚଳ ବିଦ୍ୟୁତସେବାକୁ ଉପେକ୍ଷା କରିଛନ୍ତି। ବିଦ୍ୟୁତ ଲାଇନ ତ୍ରୁଟିପାଇଁ କୌଣସି ଗ୍ରାମାଞ୍ଚଳରେ ବିଦ୍ୟୁତ ପ୍ରବାହ ବ୍ୟାହତ ହେଲେ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବିଦ୍ୟୁତ ପ୍ରବାହ ପୁନଃସ୍ଥାପନ କରିବାପାଇଁ ଗୁଜୁରାଟ ଆୟୋଗ ବିତରଣ କମ୍ପାନୀକୁ ମାତ୍ର 12 ଘଣ୍ଟା ସମୟ ଦେଇଥିବାବେଳେ ଓଡିଶା ଆୟୋଗ ଚିଠା ଅଧିନିୟମରେ ଏଥିପାଇଁ ୨୪ ଘଣ୍ଟାର ସମୟ ସୀମା ଧାର୍ଯ୍ୟ କରିଛନ୍ତି। ସହରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ଟ୍ରାନ୍ସଫର୍ମର ତ୍ରୁଟି ହୋଇ ବିଦ୍ୟୁତ ପ୍ରବାହ ବ୍ୟାହତ ହେଲେ ତାହାର ପୁନଃସ୍ଥାପନ ପାଇଁ ଗୁଜୁରାଟ ଆୟୋଗ ନିଜ ସରକାରୀ ବିତରଣ କମ୍ପାନୀକୁ ମାତ୍ର ୬ ଘଣ୍ଟା ସମୟ ଦେଇଥିବା ବେଳେ ଓଡିଶା ଆୟୋଗ ଏଥିପାଇଁ ଯଥାକ୍ରମେ ୧୨ ଘଣ୍ଟା ଓ ୮ ଘଣ୍ଟା ଧାର୍ଯ୍ୟ କରିଛନ୍ତି। ସେହିପରି ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ମିଟରରେ ତ୍ରୁଟି ଦେଖାଦେଲେ ମିଟର ପରିବର୍ତ୍ତନ ପାଇଁ ଛତିଶଗଡ ଓ ଗୁଜୁରାଟ ଆୟୋଗ ବିତରଣ କମ୍ପାନୀକୁ ଯଥାକ୍ରମେ ମାତ୍ର ୧ ଦିନ ଓ ୩ ଦିନ ସମୟ ଦେଇଥିବାବେଳେ ଓଇଆରସି ବିତରଣ କମ୍ପାନୀକୁ ୨ ଦିନ ଓ ୫ ଦିନ ମଞ୍ଜୁର କରିବା ଆମର ଘରୋଇକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ନୂତନ ବିଦ୍ୟୁତ ସଂଯୋଗ ଉପଲବ୍ଧ କରାଇବା ଗୁଜୁରାଟ ଆୟୋଗ ବିତରଣ କମ୍ପାନୀକୁ ମାତ୍ର ୧୦ ଦିନ ସମୟ ଦେଇଥିବାବେଳେ ଚିଠା ଅଧିନିୟମରେ ଓଇଆରସି ୧୫ ଦିନ ସମୟ ଦେଇଛନ୍ତି। ଛତିଶଗଡର ସରକାରୀ ବିତରଣ କମ୍ପାନୀ ବିଦ୍ୟୁତସେବା ମାନଦଣ୍ଡ ଅଧିନିୟମକୁ ପାଳନ କରିବାରେ ବିଫଳ ହେଲେ ଉପଭୋକ୍ତାଙ୍କୁ କ୍ଷତିପୂରଣ ବାବଦକୁ ୫୦୦ ଟଙ୍କା ଜୋରିମନା ହେଉଛନ୍ତି। କିନ୍ତୁ ଓଇଆରସିଙ୍କ ଚିଠା ଅଧିନିୟମରେ ଘରୋଇ କମ୍ପାନୀଙ୍କ ପାଇଁ କୋହଳ ମନୋଭାବ ପୋଷଣ କରି କ୍ଷତିପୂରଣ ରାଶିକୁ ସେହି ୫୦ ଟଙ୍କାରେ ଅପରିବର୍ତ୍ତିତ ରଖିଛନ୍ତି। ଗତ ଦୁଇ ଦଶନ୍ଧି ମଧ୍ୟରେ ଟଙ୍କାର ଅବମୂଲ୍ୟାୟନକୁ ବିଚାରକୁ ନନେଇ ଓଇଆରସି ୨୦୦୪ରେ ଧାର୍ଯ୍ୟ କରିଥିବା ୫୦ ଟଙ୍କା କ୍ଷତିପୂରଣ ରାଶିକୁ ଚିଠା ଅଧିନିୟମ, ୨୦୨୫ରେ ଅପରିବର୍ତ୍ତିତ ରଖିବା ଉପଭୋକ୍ତା ମାନଙ୍କ ମନରେ ବିସ୍ମୟ ସୃଷ୍ଟି କରିଛି।
ରାସ୍ତାଉପରେ ଯାଇଥିବା ଦୁଇ ତାର ବିଶିଷ୍ଟ ୨୨୦ ଭୋଲ୍ଟେ ଲାଇନ ହେଉ କିମ୍ବା ଚାରି ତାର ବିଶିଷ୍ଟ ୪୦୦ ଭୋଲ୍ଟେ ଲାଇନ ହେଉ ଉଭୟରେ ଗୋଟିଏ ଗୋଟିଏ ଗୋଟିଏ ନିଉଟ୍ରାଲ ଭୋଲ୍ଟେ ବା ସୁନ ଭୋଲ୍ଟେର ତାର ରହିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଲାଇନ ନିର୍ମାଣ ଓ ବିଦ୍ୟୁତ ସଂଯୋଗ ତ୍ରୁଟିପାଇଁ ନିଉଟ୍ରାଲ ଭୋଲ୍ଟେ ତାରରେ ମଧ୍ୟ ବିଦ୍ୟୁତ ପ୍ରବାହ ହେଉଛି। ଫଳସ୍ୱରୂପ ଲାଇନ ବ୍ୟାହତ ସମସ୍ୟାକୁ ତାହା ବହୁଗୁଣିତ କରିବାସହ ବହୁ ଧନଜୀବନ ହାନି ହେଉଛି। ସେଥିପାଇଁ ବିତରଣ କମ୍ପାନୀମାନଙ୍କର ବୈଷୟିକ କ୍ଷତି ବୃଦ୍ଧିପାଇବା ସହିତ ଉପଭୋକ୍ତା ଟାରିଫ ବୃଦ୍ଧି ପାଉଛି। ଏପରି ଏକ ସ୍ପର୍ଶକାତର ସମସ୍ୟାକୁ ନିୟନ୍ତ୍ରଣ କରିବାପାଇଁ ଚିଠା ଅଧିନିୟମରେ ଓଇଆରସି କୌଣସି ବ୍ୟବସ୍ତା କରିନାହାନ୍ତି। କିନ୍ତୁ ଗୁଜୁରାଟ ଆୟୋଗ ଉକ୍ତ ଗୁରୁତ୍ତର ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ବଡ ପଦକ୍ଷେପ ନେଇଛନ୍ତି। ଗୁଜୁରାଟ ଆୟୋଗ ପ୍ରଣିତ କରିଥିବା କାର୍ଯ୍ୟଦକ୍ଷତା ମାନଦଣ୍ଡ ଅଧିନିୟମ ଅନୁସାରେ ନିଉଟ୍ରାଲ ଭୋଲ୍ଟେଜ ତାରରେ ବିଦ୍ୟୁତ ପ୍ରବାହ ହେଲେ ଅତିବେଶିରେ ୨% ଭୋଲ୍ଟେଜ ଭିତରେ ସୀମିତ ରହିବ। ଯଦି ବିତରଣ କମ୍ପାନୀ ନିଉଟ୍ରାଲ ଭୋଲ୍ଟେଜ ସମସ୍ୟାକୁ ନିଜଆଡୁ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ନିୟନ୍ତ୍ରଣ କରିବାରେ ବିଫଳ ହୁଅନ୍ତି ତେବେ ସମ୍ପୃକ୍ତ ଉପଭୋକ୍ତମାନଙ୍କୁ ଦିନକୁ ୨୫୦ ଟଙ୍କା ହିସାବରେ କ୍ଷତିପୂରଣ ରାଶି ପ୍ରଦାନକରିବା ପାଇଁ ଅଧିନିୟମରେ ବ୍ୟବସ୍ତା କରିଛନ୍ତି। ଗୁଜୁରାଟ ଆୟୋଗ ନିଜ ରାଜ୍ୟର ବିଦ୍ୟୁତସେବାକୁ ନିରନ୍ତର, ଗୁଣାତ୍ମକ ଓ ସୁଲଭ କରିବା ପାଇଁ କେତେ ବିଜ୍ଞ ଓ ତତ୍ପର ଅଛନ୍ତି ତାହା ତାଙ୍କର ଏହି ଅଧିନିୟମରୁ ସ୍ପଷ୍ଟ ଅନୁମେୟ ହେଉଛି। କିନ୍ତୁ ଚିଠା ଅଧିନିୟମରେ ଓଇଆରସିଙ୍କ ସେପରି କୌଣସି ତତ୍ପରତା ଓ ବିଜ୍ଞତା ଥିବା ଆଦୌ ଜଣା ପଡୁନାହି।
କୃଷିକ୍ଷେତ୍ରକୁ ଗୁଣାତ୍ମକ ମାନର ଆବଶ୍ୟକୀୟ ବିଦ୍ୟୁତସେବା ଯୋଗାଣ ପାଇଁ ଛତିଶଗଡ, ଆନ୍ଧ୍ର, ରାଜସ୍ଥାନ, ଗୁଜୁରାଟ ଭଳି ରାଜ୍ୟର ବିଦ୍ୟୁତ ଆୟୋଗମାନେ ବିତରଣ କମ୍ପାନୀଙ୍କ କାର୍ଯ୍ୟଦକ୍ଷତା ମାନଦଣ୍ଡରେ ନିର୍ଦ୍ଧିଷ୍ଟ ସମାସୀମା ଓ କ୍ଷତିପୂରଣ ରାଶି ଧାର୍ଯ୍ୟକରି କୃଷିକ୍ଷେତ୍ରକୁ ଉତ୍ତମ ବିଦ୍ୟୁତସେବା ଯୋଗାଣକୁ ନିଶ୍ଚିତ କରିପାରିଛନ୍ତି। କିନ୍ତୁ ଓଡିଶା ଆୟୋଗ କୃଷିକ୍ଷେତ୍ରକୁ ଆବଶ୍ୟକୀୟ ଉତ୍ତମ ବିଦ୍ୟୁତସେବା ଉପଲବ୍ଧ କରାଇବା ପାଇଁ ଚିଠା ଅଧିନିୟମରେ କିଛି ଦଣ୍ଡବିହିନ ସମୟସୀମା ଧାର୍ଯ୍ୟ କରିଛନ୍ତି, ଯାହା ଉତ୍ତମ ବିଦ୍ୟୁତସେବା ନିଶ୍ଚିତ କରାଇବାରେ ଆଦୌ ସକ୍ଷମ ହେବନାହି।
ଓଇଆରସି ୨୦୦୪ରେ ପ୍ରଣିତ କରିଥିବା ବିତରଣ କମ୍ପାନୀଙ୍କ କାର୍ଯ୍ୟଦକ୍ଷତା ମାନଦଣ୍ଡ ଅଧିନିୟମକୁ ୨୦୧୦ରେ ପ୍ରଥମ ସଂଶୋଧନ କରି ଉପଭୋକ୍ତାଙ୍କ ଅଭିଯୋଗକୁ ତୁରନ୍ତ ପଞ୍ଜୀକରଣ ଓ ସମାଧାନ କରିବା ପାଇଁ ୨୪ ଘଣ୍ଟିଆ କଲସେଣ୍ଟର ସ୍ଥାପନ ସହିତ ଉପଭୋକ୍ତା ସୂଚୀକରଣ କାର୍ଯ୍ୟକୁ ସମାପନ କରିବା ପାଇଁ ପ୍ରାୟ ୧୮ ମାସ ସମୟ ଦେଇଥିଲେ। ଜାନୁୟାରୀ, ୨୦୧୩ରୁ ବିତରଣ କମ୍ପାନୀମାନଙ୍କର ୨୪ ଘଣ୍ଟିଆ କଲସେଣ୍ଟର କାର୍ଯ୍ୟକ୍ଷମ ହେବାସହ ଉପଭୋକ୍ତା ସୂଚୀକରଣ କାର୍ଯ୍ୟ ସମାପ୍ତ ହୋଇଛି। ସେବେଠାରୁ ଓଡିଶାର ବିତରଣ କମ୍ପାନୀମାନେ ୨୪ ଘଣ୍ଟିଆ କଲସେଣ୍ଟର କାର୍ଯ୍ୟକ୍ଷମ କରି ଉପଭୋକ୍ତାଙ୍କ ସମସ୍ୟା ସମାଧାନ କରିଆସୁଛନ୍ତି। ଓଡିଶା ବିଦ୍ୟୁତ ବିତରଣ ଦାୟିତ୍ଵ ଟାଟାକୁ ହସ୍ତାନ୍ତର ହେବାପରେ ପୂର୍ବରୁ କାର୍ଯ୍ୟକ୍ଷମ ଥିବା କଲସେଣ୍ଟର ଗୁଡିକୁ ଆହୁରି ପ୍ରଗତିଶୀଳ କରାଇ ଟୋଲଫ୍ରି ନମ୍ବର ଜାରିକରିଛନ୍ତି ଯାହା ଉପଭୋକ୍ତାଙ୍କ ମାସିକ ବିଦ୍ୟୁତବିଲରେ ସୂଚିତ କରାଯାଇଛି। କିନ୍ତୁ କୌତୁହଳର ବିଷୟ ହେଉଛି ଓଇଆରସି ନିଜର ପୁରୁଣା ନିଷ୍ପତି ଓ ଅଧିନିୟମକୁ ଯଥାର୍ଥ ଭାବେ ସମୀକ୍ଷା ନକରି ଚିଠା ଅଧିନିୟମ-୨୦୨୫ରେ ପୁଣି ୨୪ ଘଣ୍ଟିଆ କଲସେଣ୍ଟର ସ୍ଥାପନ ଓ ଉପଭୋକ୍ତା ସୂଚୀକରଣ କାର୍ଯ୍ୟକୁ ଦୋହରାଇବା ପାଇଁ ବିତରଣ କମ୍ପାନୀଗୁଡ଼ିକୁ ଅତିରିକ୍ତ ୬ ମାସ ସମୟ ପ୍ରଦାନ କରିଛନ୍ତି। ବିଦ୍ୟୁତସେବା ଯୋଗାଣ ତଥା ଉପଭୋକ୍ତାଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ୨୪ ଘଣ୍ଟିଆ କଲସେଣ୍ଟର ଓ ଉପଭୋକ୍ତା ସୂଚୀକରଣର ଉପଯୋଗୀତା ସମ୍ପର୍କରେ ବହୁଳ ପ୍ରଚାର ଓ ପ୍ରସାର ଆବଶ୍ୟକ ଥିବାବେଳେ ଓଡିଶା ଆୟୋଗ ଚିଠା ଅଧିନିୟମରେ କୌଣସି ବ୍ୟବସ୍ତା କରିନାହାନ୍ତି।
ନିମ୍ନମାନର ବିଦ୍ୟୁତସେବା ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଗୋଟିଏ ବଡ ପ୍ରତିବନ୍ଧକ। ଏହାର ନିରାକରଣ ଏକାନ୍ତ ଆବଶ୍ୟକ। ଓଡିଶାରେ ଉନ୍ନତମାନର ବିଦ୍ୟୁତସେବାକୁ ସୁନିଶ୍ଚିତ କରିବା ପାଇଁ ଅନ୍ୟରାଜ୍ୟ ଆୟୋଗ ପ୍ରଣିତ କରିଥିବା ଅଧିନିୟମକୁ ଓଇଆରସି ଆନ୍ତରିକତା ସହିତ ବିଚାର କରି ଚିଠା ଅଧିନିୟମରେ ଆବଶ୍ୟକୀୟ ସଂଶୋଧନ ଆଣନ୍ତୁ। ଆମର ଆଶା ଓ ବିଶ୍ଵାସ, ବିଜ୍ଞପିତ ହୋଇଥିବା ଓଇଆରସିଙ୍କ କାର୍ଯ୍ୟଦକ୍ଷତା ମାନଦଣ୍ଡ ଚିଠା ଅଧିନିୟମ-୨୦୨୫ ଉପରେ ସମାଜର ବିଭିନ୍ନ ବର୍ଗର ଉପଭୋକ୍ତା ତଥା ଏହି ଲେଖକ ଦାଖଲ କରିଥିବା ମତାମତକୁ ବିଚାରକୁ ନେଇ ଆୟୋଗ ଚୁଡାନ୍ତ ଅଧିନିୟମ ପ୍ରଣୟନ ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ସମାପନ କରିବେ।
- ଆନନ୍ଦ ମହାପାତ୍ର।ଶକ୍ତି ସମୀକ୍ଷକ
- ଦୁରଭାସ: ୮୮୯୫୪୧୮୧୬୯