‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ପ୍ରଥମ କିସ୍ତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
1 min read
- ମୋଟ ୧୯୪ କୋଟି ୭୭ ଲକ୍ଷ ୨୦ ହଜାର ଟଙ୍କା ବଣ୍ଟନ
- ରାଜ୍ୟର ୪୭୧ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର
- ନୂଆପଡ଼ା ଜିଲ୍ଲା, କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ବାଦ
- ଅବଶିଷ୍ଟ ୨୮ ଗୋଟି ଜିଲ୍ଲାର ୪୮, ୬୯୩ ଜଣ ହିତାଧିକାରୀ ଉପକୃତ
- ଅନ୍ତ୍ୟୋଦୟ ଗୃହ ଯୋଜନା’ ଉପରେ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ, ନିର୍ଦେଶିତ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶୀତ
ଭୁବନେଶ୍ୱର//TATKAL ODISHA//
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଜିଲ୍ଲା ଏବଂ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ବ୍ୟତୀତ ଅବଶିଷ୍ଟ ୨୮ ଗୋଟି ଜିଲ୍ଲାର ୪୮, ୬୯୩ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା’ ପ୍ରଥମ କିସ୍ତି ରାଶି ବାବଦକୁ ୪୦ ହଜାର ଟଙ୍କା ହିସାବରେ ମୋଟ ୧୯୪ କୋଟି ୭୭ ଲକ୍ଷ ୨୦ ହଜାର ଟଙ୍କା ବଣ୍ଟନ କରିଛନ୍ତି I ଏହି ଅବସରରେ ସେ ରାଜ୍ୟର ୪୭୧ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ବି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I
” ଅନ୍ତ୍ୟୋଦୟ ଗୃହ ଯୋଜନା’ ଉପରେ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ, ନିର୍ଦେଶିତ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଛି “
ରବିବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନ୍ତ୍ୟୋଦୟ ଗୃହ ଯୋଜନା’ ପ୍ରଥମ କିସ୍ତି ବଣ୍ଟନ ସମ୍ପର୍କିତ ଉତ୍ସବ ଅନୁଷ୍ଠିତ ହୋଇଛି I ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଗତ ସେପ୍ଟେମ୍ବର ୨୭ରେ ଝାରସୁଗୁଡ଼ା ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ ସେବା ପର୍ବ ପାଳନ ଅବସରରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ତୃତୀୟ ପର୍ଯ୍ୟାୟରେ ୫୦ ହଜାର ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ I ଏହା ପୂର୍ବରୁ ଅର୍ଥାତ ଗତ ୩୦ ମାର୍ଚ୍ଚ ୨୦୨୫ରେ ଐତିହାସିକ ‘ ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ ହୋଇଥିଲା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନା ଯୋଗୁଁ ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆସିଛି। ଅସହାୟ ଓ ଗରିବ ଲୋକଙ୍କ ଦୁଃଖ ପ୍ରତି ଯେ’ ସରକାର ସମ୍ବେଦନଶୀଳ ତାହା ପ୍ରମାଣିତ ହୋଇଛି। ଡବଲ ଇଞ୍ଜିନ ସରକାରଙ୍କ ଦୂରଦର୍ଶୀ ନିଷ୍ପତ୍ତି ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ବାସହୀନ କିମ୍ବା କଚ୍ଚା ଘରେ ରହୁଥିବା ପରିବାରକୁ ପକ୍କା ଘର ଯୋଗାଇବା ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନାର ପରିକଳ୍ପନା ହୋଇଛି। ସେଥିପାଇଁ ଭିନ୍ନକ୍ଷମ, ବିଧବା, ଶହୀଦ ପରିବାର,ଗୋତି ଶ୍ରମିକ ପରିବାର, ବିଭିନ୍ନ ଦୁରାରୋଗରେ ପୀଡ଼ିତ ପରିବାର, ଅନାଥ ଓ ନିରାଶ୍ରୟ ପରିବାର ଏବଂ ଆନ୍ତର୍ଜାତୀୟ ସ୍ତରର କ୍ରୀଡାବିତଙ୍କୁ ଅଗ୍ରାଧିକାର ଭିତ୍ତିରେ ଅନ୍ତ୍ୟୋଦୟ ଗୃହ ଯୋଗାଇ ଦିଆଯାଉଛି I ସେହିପରି ପ୍ରାକୃତିକ ଓ ମନୁଷ୍ୟକୃତ କ୍ଷତି ଏବଂ ବିସ୍ଥାପିତଙ୍କୁ ଯୋଜନାରେ ମଧ୍ୟ ସାମିଲ କରାଯାଇଛି I
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୋଜନା ବାବଦରେ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୭-୨୮ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୭ ହଜାର ୫୫୦ କୋଟି ଟଙ୍କାର ବ୍ୟବରାଦ କରାଯାଇଛି। ହିତାଧିକାରୀଙ୍କୁ ମିଳୁଛି ୧ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ରାଶି। ତିନୋଟି କିସ୍ତିରେ ତାହା ପ୍ରଦାନ କରାଯାଉଛି। ପ୍ରଥମ କିସ୍ତି ବାବଦରେ ୪୦ ହଜାର ଟଙ୍କା, ଦ୍ୱିତୀୟ କିସ୍ତି ବାବଦରେ ୬୫ ହଜାର ଟଙ୍କା ଏବଂ ତୃତୀୟ କିସ୍ତି ବାବଦରେ ୧୫ ହଜାର ଟଙ୍କା ଦେବାର ବ୍ୟବସ୍ଥା ହୋଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ହିତାଧିକାରୀ ୪ ମାସରେ ଘର ନିର୍ମାଣ ଶେଷ କରୁଛନ୍ତି ସେମାନଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସ ମଧ୍ୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରୁଥିବା ହିତାଧିକାରୀଙ୍କୁ ୧୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଉଛି।
ଆର୍ଥିକ ବର୍ଷ ୨୦୨୪-୨୫ରେ ମୋଟ୍ ୫୯ ହଜାର ୮୩ଗୋଟି ଅନ୍ତ୍ୟୋଦୟ ଗୃହ ମଞ୍ଜୁର ହୋଇଥିଲାବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୫୪ ହଜାର ୯୩ ଗୋଟି ଅନ୍ତ୍ୟୋଦୟ ଗୃହ ମଞ୍ଜୁର ହୋଇଛି ବୋଲି ଶ୍ରୀ ମାଝୀ ସ୍ପଷ୍ଟ କରିଛନ୍ତି ।
ଉକ୍ତ ଉତ୍ସବରେ ରାଜ୍ୟ ପଂଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପଞ୍ଚାୟତିରାଜ ବିଭାଗ ଶାସନ ସଚିବ ଗିରିଶ ଏସ ଏନ ପ୍ରମୁଖ ବହୁ ଅଧିକାରୀ ଉପସ୍ଥିତି ଥିଲେ I