tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଏକାଦଶ ଶତାବ୍ଦୀରୁ ଅଣ ଲେଉଟାଣି ‘ରୁକୁଣା ରଥଯାତ୍ରା’

1 min read
  • ଅଶୋକାଷ୍ଟାମୀ:
    ଅଶୋକାଷ୍ଟାମୀ ମହାପ୍ର୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପ୍ରଧାନ ପର୍ବ |ମାର୍ଚ୍ଚ /ଏପ୍ରିଲ ଓଡ଼ିଆ ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ପଡେ | ଲିଙ୍ଗରାଜଙ୍କ ରଥର ନାଁ ରୁକୁଣା ରଥ|

35 ଫୁଟ ଉଚ୍ଚତା ବିଶିଷ୍ଟ ରଥର ବୈଶିଷ୍ଟ୍ୟ ହେଲା ଏହା ଅଣଲେଉଟା ଅର୍ଥାତ ଏହା ଶ୍ରୀକ୍ଷେତ୍ର ରଥ ଯାତ୍ରାରେ ତିନି ରଥ ଲେଉଟାଣି ଯାତ୍ରାରେ ବାହୁଡ଼ି ଆସିଲା ପରି ରୁକୁଣା ରଥ ଫେରେନି |

ଠାକୁରଙ୍କ ଆସନ ପଛକୁ ବୁଲେଇ ଦିଆଯାଏ ଓ ରଥ ଏପରି ନିର୍ମାଣ କରାଯାଇଥାଏ ଯେପରି ପଛ ଦ୍ୱାର ଖୋଲି ଦିଆଯାଏ ଯାହା ରଥର ସମ୍ମୁଖ ଭାଗ ରେ ପରିବର୍ତ୍ତିତ ହୁଏ |ଡାହୁକ, ଘୋଡା ଓ ଦଉଡି ଲାଗିବାର ବ୍ୟବସ୍ଥା ଥାଏ |ଏହି ରଥ ଯାତ୍ରା 11ଶ ଶତାବ୍ଦୀରୁ ଏକାମ୍ର କ୍ଷେତ୍ରରେ ଅନୁଷ୍ଠିତ ହୋଇ ଆସୁଛି |

ରଥରେ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ରୁକ୍ମିଣୀ ଓ ବାସୁଦେବ ବିଜେ କରନ୍ତି ଓ ଭକ୍ତ ମାନେ ରଥକୁ ଟାଣିନେଇ ମାଉସୀ ମା’ମନ୍ଦିର ପରିସରରେ ଥିବା ରାମେଶ୍ୱର ମନ୍ଦିରକୁ ନେଇଯା’ନ୍ତି | ସେଠାରେ ଦିଅଁ ମାନେ 5-7ଦିନ ରହି ବାହୁଡ଼ି ଆସନ୍ତି ଅଣଲେଉଟା ରୁକୁଣା ରଥରେ, ଅର୍ଥାତ ବିପରୀତ ଦିଗରେ ରଥ ଟଣାଯାଏ|


ଲିଙ୍ଗରାଜଙ୍କ ଏ ଯାତ୍ରକୁ ପାପ ବିନାଶିନୀ ଯାତ୍ରା ମଧ୍ୟ କୁହାଯାଏ | କୁହାଯାଏ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଶକ୍ତିଙ୍କୁ (ମା’ପାର୍ବତୀ)ଶୋକାତୁର ହୋଇ ପ୍ରାର୍ଥନା କରିଥିଲେ ଓ ରାବଣ ବିନାଶ ପାଇଁ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ | ଶୋକ ରୁ ଏହା ଅଶୋକାଷ୍ଟମୀ ବୋଲି ବିଶ୍ୱାସ କରାଯାଏ | ଅସତ୍ୟ ଉପରେ ସତ୍ୟ ର, ପାପ ଉପରେ ପୁଣ୍ୟର ବିଜୟ ଏହି ପର୍ବର ମହତ୍ତ୍ୱକୁ ପ୍ରତିପାଦନ କରେ |


ଏହି ଯାତ୍ରାରେ ପାର୍ବତୀଙ୍କୁ ଚନ୍ଦ୍ରଶେଖର ସାଥୀରେ ନେଇ ନ ଥିବାରୁ ଦେବି କ୍ରୋଧ ଓ ଅଭିମାନରେ ଯାତ୍ରାର ତୃତୀୟ ଦିନ ପାଲିଙ୍କିରେ ଯାଇ ରଥରୁ ଖଣ୍ଡେ କାଠ ଭାଙ୍ଗିଦେଇ ଆସନ୍ତି | ସ୍ୱାମୀ ସ୍ତ୍ରୀ ଙ୍କ ଦାମ୍ପତ୍ୟ ଜୀବନର ଏ ରୋଚକ ବ୍ୟବସ୍ଥା ପ୍ରଭୁ ସଂସାରକୁ ଜଣେଇ ଦିଅନ୍ତି |
ଏହି ଦିନ ଅଶୋକାଷ୍ଟାମୀ ବ୍ରତ ଧାରୀ ତଥା ସାଧାରଣ ଭକ୍ତ ଅଶୋକଗଛର କୋମଳ କଢି ସେବନ କରନ୍ତି କେହି କେହି ଏ ଫୁଲ ର ରସ ରେ ସର୍ବତ କରି ପିଇ ଥାନ୍ତି,|ଏହାଦ୍ୱାରା ରୋଗ, ଶୋକର ବିନାଶ ହୁଏ ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି |
ଏହି ପର୍ବରେ ଏକାମ୍ର କ୍ଷେତ୍ରରେ ଭକ୍ତଙ୍କ ସମାଗମ ହୁଏ, ଭକ୍ତିମୟ ପରିବେଶ ସୃଷ୍ଟି ହୁଏ | ଭଜନ, କୀର୍ତ୍ତନ ରେ ଏ କ୍ଷେତ୍ର ଚଳ ଚଞ୍ଚଳ ରହେ |
ତେବେ ଓଡିଶାରେ ପାଳିତ ହେଉଥିବା ଅନେକ ପର୍ବ ମଧ୍ୟରୁ ଅଶୋକାଷ୍ଟାମୀ ପର୍ବ ଅନନ୍ୟ | ଅଶୋକ କଢି ଖାଇ ନିରୋଗ ରିହିବାର ଏ ପର୍ବ ଆନନ୍ଦପ୍ରଦ ଓ ଅନନ୍ୟ

ଶ୍ରୀକାନ୍ତ ଦାଶ
ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ, ସଭାପତି,’ଅବି’
ମୋବାଇଲ ନମ୍ବର 9238304919

Share

Leave a Reply