tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆମ ସଂସ୍କୃତିରେ ପିତୃପକ୍ଷ

1 min read
Lorem ipsum dolor sit amet,sed diam nonumy eirmod tempor invidunt ut labore et dolore magna aliquyam erat, At vero eos et accusam et justo duo dolores et ea rebum. Lorem ipsum dolor sit amet, no sea takimata sanctus est Lorem ipsum dolor sit amet. Stet clita kasd gubergren, no sea takimata sanctus est Lorem ipsum dolor sit amet. no sea takimata sanctus est Lorem ipsum dolor sit amet. no sea takimata sanctus est Lorem ipsum dolor sit amet. sed diam voluptua.

ଆମ ସଂସ୍କୃତିରେ ପିତୃପକ୍ଷ

ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ8,

ପିତରି ପ୍ରୀତିମାପନ୍ନେ  ପ୍ରିୟନ୍ତେ  ସର୍ବ ଦେବତା |“

ଉପରୋକ୍ତ ଶ୍ଳୋକରୁ ଜଣାପଡେ ଯେ ପିତୃ ଉପାସନା ଆଗରେ ସମସ୍ତ ଦେବାଦେବୀଙ୍କ ଉପାସନା ମଳିନ ପଡ଼ିଯାଏ |

ଏହି ଶ୍ଳୋକର ଅର୍ଥ ହେଲା “ପିତା ମୋର ଧର୍ମ, ପିତା ମୋର ସ୍ୱର୍ଗ, ପିତା ମୋର ସମସ୍ତ ଜପ, ତପ, ଓ ଉପାସନାର କେନ୍ଦ୍ର | ପିତାଙ୍କର ସନ୍ତୁଷ୍ଟିରେ ସମସ୍ତ ଦେବୀ ଦେବତା ସନ୍ତୁଷ୍ଟ ହୁଅନ୍ତି |“

ପୁତ୍ରର ଭାବନା ସର୍ବଦା ଏହା ହେବା ଉଚିତ ଯେ, ମୋ ପିତା ଜଗତପିତା ପରଂବ୍ରହ୍ମ ପରମେଶ୍ୱରଙ୍କ ଅଂଶ ବିଶେଷ | ସେ ମୋର ପୂଜ୍ୟ, ଇଷ୍ଟ ଓ ପ୍ରେରଣାର ଉତ୍ସ | ମାତା ଜନ୍ମ ଦେଇ ଲାଳନ ପାଳନ କରି ଛୋଟରୁ ବଡ଼ କରନ୍ତି, କିନ୍ତୁ ପିତା ଶୈଶବ ଓ କୈଶୋର ଅବସ୍ଥାର ସମସ୍ତ ଆବଶ୍ୟକତା ପୂରଣ କରି ଦାଣ୍ଡରେ ଠିଆ କରାନ୍ତି |କଥାରେ ଅଛି, “ବାପା ଥିବା ପୁଅ ସଭାରେ ହାରେନା “ତାତ୍ପର୍ଯ୍ୟ ହେଲା ପିତାଙ୍କର ଆଶୀର୍ବାଦ ପୁଅ ଉପରେ ଥିବାରୁ ସେ କୌଣସି କ୍ଷେତ୍ରରେ ପରାଜୟ ଲଭେନି |ପୁତ୍ରକୁ ସୁପୁତ୍ର କରି ଗଢି ତୋଳିବା ଦକ୍ଷତା ପିତାଙ୍କର ହିଁ ଅଛି | ତାଙ୍କର ସାମାନ୍ୟତମ ଅସାବଧାନତାରୁ ପୁତ୍ର ବିପଥଗାମୀ ହୁଏ | ପୁତ୍ର ବିପଥଗାମୀ ହେଲେ କେବଳ ମାତା ପିତାଙ୍କର ଅପଯଶ ହୁଏନି, ବରଂ ବଂଶ ନଷ୍ଟ ହୁଏ ଓ ଓ ଏହା ସଂକ୍ରାମକ ରୋଗ ପରି ସମାଜ ଓ ଦେଶକୁ ମଧ୍ୟ ନଷ୍ଟ କରିଚାଲେ |

ଆମେ ବୁଝିବା ଦରକାର ଯେ ପିତୃତ୍ବ ଏକ ପରିଚୟ ନୁହେଁ, ଏହା ଏକ ସାଧନା ଓ ଏଥିରେ ସିଦ୍ଧିଲାଭ କରି ଉତ୍ତମ ପୁତ୍ର ପ୍ରାପ୍ତି କରିବାକୁ ହୁଏ |

ପ୍ରତ୍ୟେକ ବ୍ୟକ୍ତିର ପାଞ୍ଚଗୋଟି ପିତା ଅଛନ୍ତି :-

ଯଥା :-“ବନିତା ଚୋପନେତାଚ ଯସ୍ତୁବିଦ୍ୟା ପ୍ରୟଛତି,ଅନ୍ନଦାତା, ଭୟତ୍ରାତା, ପଞ୍ଚତେୟୀ ପିତରଃ ସ୍ମୃତଃ |

ଅର୍ଥାତ ଯେ ଜନ୍ମଦାତା, ଯେ ଉପନୟନ କରାନ୍ତି,ଯେ ବିଦ୍ୟାଦାନ କରନ୍ତି,ଯେ ଅନ୍ନ ଦାନ କରନ୍ତି, ଯେ ଅଭୟ ପ୍ରଦାନ କରି ବିପଦ ଆପଦରୁ ରକ୍ଷା କରନ୍ତି, -ସେମାନେ ସମସ୍ତେ ପିତା ପଦବାଚ୍ୟ |

ପିତୃ ହେଉଛନ୍ତି ଏପରି ଦେବତା ଯାହାଙ୍କୁ ଉଭୟ ଜୀବିତ ଅବସ୍ଥାରେ ଓ ମୃତ୍ୟୁ ପରେ ପୂଜା କରାଯାଏ | ସେ ତାଙ୍କର ଜୀବିତ ଅବସ୍ଥାରେ ଆମକୁ ସ୍ନେହ ପ୍ରଦାନ କରନ୍ତି ଓ ମୃତ୍ୟୁ ପରେ ଆମ ପାଇଁ ସମ୍ପତ୍ତି ଛାଡି ଯା’ନ୍ତି, ଯାହାକୁ ଆମେ ପୈତୃକସମ୍ପତ୍ତି କହୁ:

ପିତା ଧନୀ କିମ୍ବା ନିର୍ଦ୍ଧନ ହୁଅନ୍ତୁ, ସୁପୁତ୍ର ପାଇଁ ସେଥିରେ କିଛି ଫରକ ପଡ଼େନି | ସେ ଭୌତିକ ସମ୍ପତ୍ତି ହେଉ ବା ବୌଦ୍ଧିକ ସମ୍ପତ୍ତି, ପୁତ୍ର ପାଇଁ ସବୁ କିଛି ସମାନ | ମୃତ୍ୟୁ ପରେ ପିତା ପିତୃଲୋକ ଗମନ କରନ୍ତି, ଓ ସେଠାରୁ ପୁତ୍ର କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି, |ହିନ୍ଦୁ ଶାସ୍ତ୍ର ଅନୁସାରେ ମାନବର ଗୋଟିଏ ବର୍ଷ, ପିତୃଙ୍କର ଗୋଟିଏ ଦିନ |ସେ ଦିନରେ ତାଙ୍କୁ ପିଣ୍ଡ ଦାନ କଲେ ତାଙ୍କର ଆତ୍ମା ଶାନ୍ତି ଲାଭ କରେ |

ପ୍ରତି ବର୍ଷ ପିତୃ ପକ୍ଷର ଶେଷ ଦିନ ମହାଳୟା ତିଥିରେ ପିତୃ ପିତୃ ପୁରୁଷ ମାନେ ପିତୃ ଲୋକର ଅମୃତ ଧାମ ତ୍ୟାଗ କରି ମର୍ତ୍ତ୍ୟ ଲୋକକୁ ଆଗମନ କରନ୍ତି ଓ ନିଜ ପୁତ୍ର ପ୍ରଦତ୍ତ ପିଣ୍ଡ ଗ୍ରହଣ କରି ଆଶୀର୍ବାଦ ପ୍ରଦାନ କରନ୍ତି ଓ ନିଜ ଲୋକକୁ ଫେରି ଯା’ନ୍ତି | ମାସଯାକ ମର୍ତ୍ତ୍ୟଲୋକରେ ରହି ଦୀପାବଳିର ପ୍ରଜ୍ବଳିତ ଆଲୋକ ଶିଖାରେ ପୁତ୍ର ତାଙ୍କୁ ମେଲାଣି ଦିଏ |

ତେଵେ ପିତୃପକ୍ଷ କ’ଣ ପାଇଁ ?

ଭାଦ୍ରବ ମାସ ପୂର୍ଣ୍ଣମୀ ଠାରୁ ପିତୃ ପକ୍ଷ ଆରମ୍ଭ ହୋଇ ପିତୃ ମୋକ୍ଷ ଅମାବାସ୍ୟାରେ ସମାପ୍ତ ହୁଏ | ଏହି ପନ୍ଦର ଦିନରେ ଲୋକେ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଥାନ୍ତି | ଶାସ୍ତ୍ର ମତରେ ଏହି ଦିନରେ ଦିବଂଗତ ପୂର୍ବଜମାନେ ସୁକ୍ଷ୍ମ ଶରୀରରେ  ପୃଥିବୀକୁ ଆସିଥାନ୍ତି | ସେମାନଙ୍କ ସନ୍ତୁଷ୍ଟି ପାଇଁ ଲୋକମାନେ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ ଓ ଦାନ ଆଦି କରିଥାନ୍ତି |

ହିନ୍ଦୁ ରୀତିନୀତି ଅନୁଯାୟୀ ପିତୃ ପକ୍ଷର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି | ଏହି ଅବସରରେ ପିତୃଙ୍କ ମୁକ୍ତି ପାଇଁ ଶ୍ରାଦ୍ଧ ତର୍ପଣ, ଦାନ ଧର୍ମ କରାଯାଇଥାଏ | ଏହି ପକ୍ଷରେ ପୂର୍ବଜଙ୍କ ଆଶୀର୍ବାଦ ଭିକ୍ଷା କରାଯିବା ସହିତ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରାଯାଇଥାଏ | ସେମାନଙ୍କୁ ଶ୍ରଦ୍ଧା ପୂର୍ବକ ସ୍ମରଣ କରାଯାଏ ଓ ସେମାନଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଏ | ପିତୃପକ୍ଷ ପନ୍ଦର ଦିନ ରାଜସିକ ଓ ତାମସିକ ଭୋଜନ ବର୍ଜନ କରାଯାଏ ଓ  ସାତ୍ତ୍ଵିକ ଭୋଜନ ଗ୍ରହଣ କରାଯାଏ | ଏହି ସମୟରେ କୌଣସି ଉତ୍ସବ ପାଳନ କରା ଯାଇ ନ ଥାଏ | ଏହି ସମୟକୁ ଅଶୁଭ ମନେ କରାଯାଇ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରାଯାଏନି | ପିତୃ ପକ୍ଷ ପାଳନରେ  ନଖ, କେଶ କାଟିବାକୁ ନିଷେଧ କରାଯାଇଥାଏ |ଏହି ପିତୃ ପକ୍ଷରେ ଦେବତା, ଋଷି, ଦାନଵ,ମାନବ,ଗନ୍ଧର୍ବ, କିନ୍ନର, ଯକ୍ଷ, ନାଗ, ପର୍ବତ, ନଦୀ, ବନସ୍ପତି,ଜୀବ ଜନ୍ତୁ ଆଦିଙ୍କୁ ମଧ୍ୟ ତର୍ପଣ ଜଳ ଅର୍ପଣ କରାଯାଏ | ଗଙ୍ଗାପୁତ୍ର ଭୀଷ୍ମ ଙ୍କ ଉଦ୍ଦେଶ୍ୟ ରେ ମଧ୍ୟ ଜଳଦାନ କରାଯାଏ | ଏମିତି କି ନର୍କ ଯନ୍ତ୍ରଣା ଭୋଗୁଥିବା ପାପୀ ମାନଙ୍କ ଉଦ୍ଧାର ପାଇଁ ତିଳ ତର୍ପଣ କରାଯାଏ| ଗୋଟିଏ ବାକ୍ୟରେ କହିବାକୁ ଗଲେ ବିଶ୍ର ମଙ୍ଗଳ ପାଇଁ ଏ ତର୍ପଣ କରାଯାଏ |

ଅନେକ ସେମାନଙ୍କ ପିତରଙ୍କୁ ଗୟାରେ ପିଣ୍ଡ ଦାନ କରିଥାନ୍ତି |ପରିବାରରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି (ମହିଳା, ପୁରୁଷ ବା ଶିଶୁ )ଙ୍କୁ ପିତର କୁହନ୍ତି | ହିନ୍ଦୁ ଧର୍ମ ଅନୁସାରେ ଯେଉଁ ସନ୍ତାନମାନେ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ, ଦାନ ଆଦି ପୁଣ୍ୟ କାର୍ଯ୍ୟ କରନ୍ତି, ସେମାନେ ଅଖଣ୍ଡ ଶାନ୍ତିରେ ଜୀବନ ନିର୍ବାହ କରନ୍ତି | କେବଳ ସେତିକି ନୁହେଁ ପିତୃଙ୍କ ସନ୍ତୋଷରେ ଆମର ଅନେକ ଅସୁବିଧା, ଅଶାନ୍ତିର ଅନ୍ତ ଘଟିଥାଏ |

ସୁକ୍ଷ୍ମ ଶରୀରରେ ରହି ସେମାନେ ଆମର ସହାୟତା କରିଥାନ୍ତି | ଏଣୁ ପିତୃ ପକ୍ଷରେ  ଶ୍ରାଦ୍ଧ, ତର୍ପଣ କରିବା ଉଚିତ |   ମହାଭାରତ କଥା ଅନୁସାରେ ମହାଦାନୀ କର୍ଣ୍ଣ ତାଙ୍କ ଜୀବିତ ଅବସ୍ଥାରେ ଅନେକ ଧନ ରତ୍ନ ଦାନ କରିଥିଲେ |ତାଙ୍କ ମୃତ୍ୟୁପରେ ଯମଲୋକରେ ତାଙ୍କୁ ଅନ୍ନ ଦିଆ ନ ଯାଇ ସୁନା, ରୁପା, ମଣି ମାଣିକ୍ୟ ଆଦି ପରସା ଗଲା |ଏଥିରେ କର୍ଣ୍ଣ ବିସ୍ମିତ ହୋଇ କାରଣ ପଚାରିବାରୁ ପରିଚାରକ ମାନେ ଜଣେଇ ଦେଲେ ଯେ ସେ ମର୍ତ୍ତ୍ୟରେ ଏସବୁ ରତ୍ନ ଦାନ କରିଛନ୍ତି, ଅନ୍ନ ଦାନ ଦେଇ ନାହାନ୍ତି | ଏହା ପରେ କର୍ଣ୍ଣ ଯମରାଜଙ୍କୁ ଅନୁରୋଧ କରି ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ପିତୃ ପକ୍ଷରେ ଶ୍ରାଦ୍ଧ ତର୍ପଣ ପୂର୍ବକ ପିତୃଙ୍କୁ ସନ୍ତୁଷ୍ଟ କରିଥିଲେ |ଏହି ସମୟରେ ସେ ଅନ୍ନ ଦାନ ଦେଇ ମହାଳୟା ତିଥିରେ ଯମଲୋକ ପ୍ରତ୍ୟାବର୍ତ୍ତନ କରିଥିଲେ | ଏଥିରୁ ମହାଳୟା ଓ ପିତୃପକ୍ଷ ର ମହତ୍ତ୍ୱ ଜଣାଯାଏ |

କେବେ ଶ୍ରାଦ୍ଧ ଦିଆଯାଏ?

ଭାଦ୍ରବ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଆଶ୍ୱିନ ଅମାବାସ୍ୟାରେ ପିତୃପକ୍ଷ ସମାପ୍ତ ହୁଏ |ପୂର୍ଣ୍ଣମୀରେ ଶ୍ରାଦ୍ଧ ଦିଆଯାଇପାରେ | ପରିବାରରରେ  ମୃତ୍ୟୁ ଲାଭ କରିଥିବା ବ୍ୟକ୍ତିର ମୃତ୍ୟୁ ତିଥିରେ ଶ୍ରାଦ୍ଧ କରାଯିବାର ଵିଧି ରହିଛି |ତେବେ ଅସୁବିଧା ହେଲେ ପିତୃମୋକ୍ଷ ଅମାବାସ୍ୟାରେ ଏହା କରାଯାଇଥାଏ |ଏହାକୁ ମହାଳୟା ବୋଲି ମଧ୍ୟ କୁହାଯାଏ |

ଯେଉଁମାନେ ପିତରଙ୍କ ମୃତ୍ୟୁ ତିଥି ଭୁଲି ଯାଇଥାନ୍ତି,  ଓ ବାର୍ଷିକ ଶ୍ରାଦ୍ଧ ଦେଇପାରନ୍ତିନି ସେମାନେ ମହାଳୟା ତିଥିରେ ତର୍ପଣ, ଶ୍ରାଦ୍ଧଦାନ ଓ ଦାନ ଧର୍ମକଲେ ପିତରଙ୍କ ସନ୍ତୋଷ ଲାଭ ହୁଏ ବୋଲି ବିଶ୍ୱାସ ରହିଛି |🙏🙏

ଶ୍ରୀକାନ୍ତ ଦାଶ, ସଭାପତି ‘ଅବି ‘ ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |

Share

Leave a Reply