tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଘଇତାମାରି ପାଟ

1 min read
Lorem ipsum dolor sit amet,sed diam nonumy eirmod tempor invidunt ut labore et dolore magna aliquyam erat, At vero eos et accusam et justo duo dolores et ea rebum. Lorem ipsum dolor sit amet, no sea takimata sanctus est Lorem ipsum dolor sit amet. Stet clita kasd gubergren, no sea takimata sanctus est Lorem ipsum dolor sit amet. no sea takimata sanctus est Lorem ipsum dolor sit amet. no sea takimata sanctus est Lorem ipsum dolor sit amet. sed diam voluptua.

ମନୋଜ କୁମାର ମହାପାତ୍ର

ଘରର ଉପର ତାଲା ବାଲକୋନିରୁ ଶୁଭୁଥିଲା ଇନ୍ଦ୍ର ଓ ମନୁଙ୍କର  ହୃଦୟଖୋଲା ହସର ପ୍ରତିଧ୍ୱନି l ଏ ଶତାବ୍ଦୀର ମଣିଷର ହସ ନିଶ୍ଚିତ ନୁହେଁ l ଆଜିକାଲି ଏପରି ହସ କିଏ ହସୁଛି ?  ହ୍ଵାଟ୍ସଆପ, ଫେସବୂକ, ୟୁଟ୍ୟୁବ,ଟୁଇଟର ତ ମଣିଷ ଓଠରୁ ହସକୁ ଚୋରେଇ ନେଇଛି ?

ଆଖି ଅପରେସନ ପାଇଁ କିଛିଦିନ ହେବ ଆସିଛନ୍ତି ଜେଜେଙ୍କର ପିଲାଦିନର ସାଙ୍ଗ ଇନ୍ଦ୍ର ଜେଜେ l ଆଉ ତାଙ୍କର ଗପସପ ଭିତରୁ ଉଛୁଳି ପଡୁଛି ଏଇ ଦୁର୍ଲଭ ହସ l ଏ କଥା ବୁଝିବାକୁ ଇଞ୍ଜିନିଅରିଂ ପଢ଼ୁଥିବା ନାତୁଣୀକୁ ବେଶୀ ସମୟ ଲାଗିଲାନି l

ସେ ତଳମହଲାକୁ ଓହ୍ଲାଇ  ଆସି ଚିଗୁଲେଇ କହିଲା – ଜେଜେ, ତୁମ ଦୁଇଜଣ ବୁଢାଙ୍କ ହସ କେବେ ବି ଏ ଶତାବ୍ଦୀର ମଣିଷର ହସ ହେବନି l

କଳା ଚଷମା ପିନ୍ଧା ଇନ୍ଦ୍ର ଜେଜେ କହିଲେ – ତୋର ଅନ୍ଦାଜ ଠିକ ଲୋ ଝିଅ l ଗତ ଶତାବ୍ଦୀର ହସ ଇଏ,ଷାଠିଏ ଦଶକର ହସ ଇଏ ,ଆମ ପିଲାଦିନର ଏକ ଅଭୁଲା ସ୍ମୃତିର ସଂଳାପ ଭିତରୁ ଉଛୁଳିପଡ଼ିଥିବା  ହସ ଇଏ l

ମୋ ଜେଜେ ମନୁଆଙ୍କର ପାକୁଆ ପାଟିରେ ହସ ଆଉ ଥୟ ଧରିପାରିଲାନି l ଫେଁ କିନା ହସି କହିଲେ – ଆଲୋ ଟୁଇଙ୍କିଲ ! ଆମ ହସ ଭୁଆଁ-ବୁଲେଇବାର ହସ l ଆଉ ଘଇତାମାରି ପାଟ ଲୋକକଥାର ହସ l

ଏଁ..ଏଁ .. ଘଇତାମାରି ପାଟ ? କଣ ସେଟା ମଃ ଜେଜେ ?????

ଏଇଠି ବୃଦ୍ଧଦ୍ୱୟଙ୍କର ହସ ବିରାମ ନେଉ,ହସର ଉପାଖ୍ୟାନ ଆଗେଇ ଯାଉ l

ଅନେକ ବର୍ଷ ତଳର ଲୋକସ୍ମୃତିଟିଏ l ସେ ସମୟରେ ସ୍ଥାନଟି ଥିଲା- ଖାଲି ବିଲ ହିଁ ବିଲ l ଦିଗ ବାରିବା କଷ୍ଟ l ଆକାଶ ପ୍ରକାଣ୍ଡ ଢାଙ୍କୁଳି ଭଳି ଚାରିଦିଗକୁ ଆବୋରି, ଦିଗବଳୟକୁ ସତେକି କରିଛି ଗର୍ଭସାତ ! ଗଛବୃକ୍ଷ ଥିଲେ ସିନା ଜାଣିହୁଅନ୍ତା କେଉଁଟା କେଉଁ ଦିଗ l ଆଜି ପୁଣି ବୈଶାଖି ସୂର୍ଯ୍ୟ ମୁଣ୍ଡ ଉପରେ ମାର୍ତଣ୍ଡ ସାଜି ଶହଶହ ସୂର୍ଯ୍ୟକୁ ବିଛାଡି ଦେଇଛି ଧାନ ଅମଳ ହେଇସାରିଥିବା ଟାଙ୍ଗରା ଜମି ଉପରେ l ଖରାର ଟାଇଁ ଟାଇଁ ଦଂଶନ ଛାଲ ଉତାରି ଦେବନା କଣ ? କେଉଁଠି ଛାଇ ନାହିଁ, କେବଳ ନିଜର ଏକମାତ୍ର ଛାଇ ଚାରିପଟେ ବୁଲୁଛି l

ଠେକିର ସବୁତକ ପାଣି ଶେଷ l ଦି’ଟା ବଳଦ ପାଟିରୁ ଫେଣ ବାହାରିଲାଣି l ବେକରୁ ଜୁଆଳି ଖୋଲିଦେବା ମାତ୍ରେ ଦି’ଟା ବଳଦ ଠେକିଫନ୍ଦରେ ଲାଗିଥିବା ଟୋପା ଟୋପା ଜଳକୁ ବିକଳରେ ଚାଟି ଚାଟି,ଶେଷରେ ଠେକିକୁ ଭାଙ୍ଗିଦେଲେ l ଲଙ୍ଗଳଟା ଜୁଆଳି ପାଖରେ ପଡିରହିଥାଏ ତତଲା ମାଟିରେ l

ମଙ୍ଗଳିଆର ହଂସା ଉଡିଗଲାଣି l ମୁଣ୍ଡରେ ଠେକା ମାରି କିଆରୀ ଭିତରେ ପାଞ୍ଚଣ ଧରି ବାତୁଳ ପରାୟେ ଟଳ ଟଳ ପାଦରେ ଘୁରି ବୁଲୁଥାଏ l ଗୋଟେ ଗୋଟେ ମୁହୂର୍ତ୍ତର ଅପେକ୍ଷା ଯୁଗ ଭଳି ଲାଗୁଥାଏ l ସକାଳେ ଯେଉଁ ଦାଣ୍ଡିହିଡ଼ରେ ଗାଁରୁ ଆସିଥିଲା ନିଜର  କିଆରୀକୁ ସେଇ ଆଡ଼େ ବିକଳରେ ବାରମ୍ବାର ଚାହୁଁଥିଲା l

କିନ୍ତୁ ଦୂରରେ ଖରାଗୁଡାକ ଢଳ ଢଳ ନାଚୁଥିଲେ,ସତେକି ସମୁଦ୍ରଟେ ଝିଲିମିଲ୍ଲି ଢେଉରେ ଦୋଳି ଖେଳୁଛି ! ମଝିରେ ମଝିରେ ଝିଲମିଲି ଭିତରୁ କେହି ଜଣେ ଆସିବାର ଛାଇଟେ ଦେଖି ଭାବିନେଉଥିଲା ଯେ ଚେମି-ବୋଉ ବୋଧେ ଆସୁଛି l ସେ ଶୁଖିଲା କଣ୍ଠରେ ଚିତ୍କାର କରି ଡାକୁଥିଲା – ଆଲୋ ଝଅଟ ଆସେ, ମୋ ହଂସା ଉଡିଲାଣି l

ପୁଣି ଛାଇଟି ନାଚୁଥିବା ଝିଲିମିଲି ଖରା ଭିତରେ କେଉଁଠି ଲୁଚିଯାଉଥିଲା l ଏମନ୍ତ ଆଶା ଓ ନିରାଶାର ଲୁଚକାଳିର ପ୍ରହଳିକା ଭିତରେ କଅଁଳି ଉଠୁଥିଲା ଚେମିବୋଉ ଆସୁଥିବାର ଆଶା l

ଇଏ କି ଦୃଶ୍ୟ !!! ଦି’ଟା ବଳଦ ଖୁରାରେ ଜମିର ମାଟିକୁ ଆମ୍ପୁଡ଼ି ଆମ୍ପୁଡ଼ି,ଆଖି ତରାଟି ଚିତପଟାଙ୍ଗ ହେଇଗଲେ l ଆହାଃ…. ଆହାଃ ମୋ ଭେଳା ବୁଡ଼ିଲା ହୋ l କଉଠି ଗଲୁ ଲୋ ଚେମିବୋଉ l ଏମିତି ନିଛାଟିଆ ଭୂଇଁ, ଆକାଶ ଓ ବାୟୁର ଉତ୍ତପ୍ତତା ଭିତରେ ଡହଳ ବିକଳ ହେଇ ଚାହୁଁଥିଲା ବାରମ୍ବାର ଚେମିବୋଉର ଆସିବା ବାଟକୁ l

ହଁ ହଁ ସେ ଆସୁଛି…. ଝିଲମିଲିର ପର୍ଦାକୁ ପଛ କରି ମୁଣ୍ଡରେ ଓଢଣା ଟାଣି ସେ ଆସୁଛି l ହଁ ପରା ଠେକି ଓ କଂସାବେଲା ହାତରେ ଧରିଛି !

ଝିଲିମିଲି ଖରା ଚେମିବୋଉ ପଛପଟରେ ରହିଗଲାଣି l ତାର କଂସେ ପଖାଳ ମୋର ଡହଳ ବିକଳ ଆତ୍ମାକୁ ଥଣ୍ଡା କରିଦେବ l ମଙ୍ଗଳିଆ ତାର ତାତିଲା ଦେହ ଭିତରେ ଆଶାର ମାଙ୍କଡ଼ ନାଚରେ ଏବେ ଉଲ୍ଲସିତ l ମଙ୍ଗଳିଆ ପାଞ୍ଚଣ ଧରିଥିବା ହାତକୁ ବାରମ୍ବାର ଚେମିବୋଉ ଆଡକୁ ହଲାଇ ହଲାଇ କହୁଥିଲା – ଆ… ଆ l

ଚେମିବୋଉ ଡରରେ ହାଉଳି ଖାଇଲା l ଡେରି ହେଇଗଲା ବୋଲି  ବୋଧେ ରାଗିଗଲେଣି,ଏଇନେ ମୋ ପିଠିକୁ ପାଞ୍ଚଣରେ ସେକି ଦେବ  ପୋଡ଼ାମୁହାଁ l ଦାଣ୍ଡିହିଡ଼ରେ ସେ ଦପ କିନା ଠିଆ ହେଇଗଲା, ହଁ ହଁ ଭୟରେ l ଗୋଡ଼ ଆଗକୁ ପାଦେ ବଢିଲାନି l

ସେ ଦେଖିଲା ଆଖି ପାଉନଥିବା ବିଲ ମଝିରୁ ଗେରସ୍ତ ପାଞ୍ଚଣ ଧରି ତା ଆଡକୁ କ୍ଷେପି ଆସୁଛି l ସେ ଭୟରେ ସଅଳ ପାଦରେ ପୁଣି ଝିଲିମିଲି ଖରା ପଛପଟକୁ ପଳାଇଲା l

ଦାଣ୍ଡିହିଡ଼ରୁ ହଠାତ ଚେମିବୋଉର ଅନ୍ତର୍ଦ୍ଧାନ,ମଙ୍ଗଳିଆ ଆଖିରେ ସହସ୍ର ସୂର୍ଯ୍ୟର ଉଦୟ ଘଟେଇ ଦେଲା,ତାର ଶେଷ ଆଶା ଟିକକ ଜଳିପୋଡି ପାଉଁଶ ହେଲା l ମଙ୍ଗଳିଆ ଶେଷରେ ବିଲ ମଝିରେ ମୁହଁ ମାଡି, ତତଲା ଡହ ଡହ ମେଞ୍ଚାଏ ମାଟିକୁ କାମୁଡି ପକାଇଲା l ସହସ୍ର ସୂର୍ଯ୍ୟର ଜ୍ୱଳନ୍ତ ଆଲୋକ ଭିତରେ ଘୋର ଅନ୍ଧକାର ତାକୁ ମାଡ଼ିବସିଲା l ସେ ଆଉ ଉଠିଲାନି l.

ପରେ ଚେମିବୋଉ ମୁଣ୍ଡ ପିଟି ଯେତେ କାନ୍ଦିଲେ କଣ ହେବ ? ? ?

କଥାଟି ଏଇଠି ଥାଉ, ସମୟ ଟିକେ ପଛଘୁଞ୍ଚା ଦେଉ l

ମେଟ୍ରିକ ପରୀକ୍ଷା ଜଷ୍ଟ ସରିଥାଏ,ଫଳ ବାହାରିବାକୁ ପାଖାପାଖି ତିନିମାସ ଲାଗିବ l ଆମେ ତିନିଜଣ ସାଙ୍ଗ ଚୁଡା,ଗୁଡ଼ ଇତ୍ୟାଦିରେ ଭର୍ତି ଝୁଲା ଗୋଟିଏ ଲେଖାଏଁ କାନ୍ଧରେ ଝୁଲାଇ ଆରଡ଼ି ଆଖଣ୍ଡଳମଣି ଦର୍ଶନ ପାଇଁ ବାହାରିପଡିଲୁ l ବାଟ ଅବଶ୍ୟ ଜଣାନଥିଲା କିନ୍ତୁ ଲୋକଙ୍କୁ ପଚାରି ପଚାରି ଗାଁ, ବିଲ,ତୋଟା, ନଈ, ନାଳ ଅତିକ୍ରମ କରି କୋଡିଏ କିଲୋମିଟର ଦୂରସ୍ଥ ଆରଡ଼ିରେ ସନ୍ଧ୍ୟା ପୂର୍ବରୁ ପହଂଚି ଯାଇଥିଲୁ l ବାଟସାରା ବିଲରୁ ଖେସାରି,ମୁଗ ଛୁଇଁ ତୋଳି ଖାଉଥିଲୁ,ତା ସାଙ୍ଗକୁ ଆଖୁ ଖଣ୍ଡେ ଖଣ୍ଡେ ପାଟିରେ ପୁରାଇ ମଉଜ କରି ବାଟ ଚାଲିବାର ଥକ୍କାପଣକୁ ପାସୋରି ଯାଉଥିଲୁ l

ତା ପରଦିନ ବାବା ଆଖଣ୍ଡଳମଣିଙ୍କ ଭାଙ୍ଗ-ମିଶା ଘର୍ଷଣ ଆକଣ୍ଠ ପାନ କରି,ଖରା ଲେଉଟାଣି ବେଳକୁ ଆରମ୍ଭ ହେଲା ଆମର ଫେରନ୍ତା ଯାତ୍ରା l

ଖରା ଦିନ, ଜହ୍ନ ରାତି l ତା ସାଙ୍ଗକୁ ମଜା ଗପସପ l ବାଟ ଚାଲୁଥିଲୁ କିନ୍ତୁ ଚାଲିବାଟା ମୋତେ ଉଡିବା ଭଳି ଲାଗୁଥିଲା l ଇୟା ଭିତରେ ବାଟ ହୁଡ଼ି ଆମେ କେତେବେଳେ ଦିଗନ୍ତ ବିସ୍ତାରି ଟାଙ୍ଗରା ମାଳମାଳ ବିଲ ମଝିରେ ପଶି ଗଲୁଣି ଜଣା ନ ଥିଲା l ତିନି ଜଣଯାକ କିଏ କେଉଁ ଦିଗକୁ ଯାଉଥିଲେ ତାର ଠିକଣା ନ ଥିଲା l କିନ୍ତୁ କିଛି ସମୟ ପରେ ପୁଣି ଗୋଟିଏ ଜାଗାରେ ଭେଟ ହେଉଯାଉଥିଲା l

ଭକ୍ତ କହିଲା – ଆମକୁ ବୋଧେ ଭୁଆଁ ବୁଲାଇଲେଣି l ଚାଲ ଏଇଠି ଏକାଠି ସିନ୍ଦୁରା ଫାଟିବା ପର୍ଯ୍ୟନ୍ତ ବସିବା l

ଆଉ ଜଣେ ସାଙ୍ଗ ଇନ୍ଦ୍ର କହିଲା – ନା ମଃ l ହେଇପାରେ ଆମେ ବାଟ ହୁଡ଼ି ଘଇତାମାରି ପାଟ ଭିତରକୁ ପଶି ଆସିଛେ l

ଘଇତାମାରି ପାଟ ନାଁ ମୋ ଛାତିକୁ ଧଡ଼ପଡ଼ କଲା l ଧାନ କଟା ପରେ କଳେଇ,କଚଡ଼ା ବିଲରୁ ଉଠିଯିବା ପରେ ଟାଆଁସିଆ ଧାନମୂଳିଗୁଡାକ ଆମର ପାଦକୁ ସେତେବେଳକୁ ରକ୍ତାକ୍ତ କରିସାରିଲେଣି l ହିଡ଼ର କୋଇଲି କଣ୍ଟା ଏପରି ପାଦକୁ ଫୋଡି ଦେଉଥାଏ ଯେ ଖଣ୍ଡିଆ ଘାଆରେ ସତେକି କିଏ ଲୁଣ ବିଞ୍ଚି ଦେଉଛି ? ବାପରେ ବାପ କି ଯନ୍ତ୍ରଣା l ବିଲ ମଝିରେ ରାତିଟା କଟେଇ ଦେବାକୁ ଇଛା ଥିଲେ ବି ଘଇତାମାରି ପାଟ ନାଁ ମୋର କ୍ଷତାକ୍ତ ପାଦର ଯନ୍ତ୍ରଣା ଜର୍ଜରିତ ମନ ଭିତରେ ଆଙ୍କି ଦେଉଥିଲା ଚାଷୀ ବାପୁଡ଼ାର ଭୟଙ୍କର ବିକଳ ଦୃଶ୍ୟ l

ପୁଣି ଚାଲିଲୁ ଆଗକୁ l ଏଥର  ବି କେଉଁ ଆଡେ କିଏ ଯାଉଥିଲା ଢ଼ୋଲେଇ ଢ଼ୋଲେଇ, କିଏ କାହାକୁ ବୁଝିପାରୁନଥିଲେ l ଭୁଆଁ-ବୁଲା ଭିତରେ ଜହ୍ନଟା ଦାଉ ସାଧିଲା,ଦୂର ଦିଗବଳୟରେ ହୁତ କିନା ଲିଭିଗଲା l ଚାରିଆଡେ ଅନ୍ଧାର l

ଅନ୍ଧକାର ଭିତରେ ମୁଁ ଭୟରେ ଦୁଇଜଣ ସାଙ୍ଗକୁ ଡାକ ଛାଡୁଥିଲି  – “ଅଖିଆ”, “ଇନ୍ଦ୍ର” ବୋଲି l କିଛି ଉତ୍ତର ନାହିଁ, କେବଳ ପ୍ରତିଧ୍ୱନି,ବଡ଼ ଭୟଙ୍କର l କିନ୍ତୁ ମୋ ନାଁର ଡାକ “ମନୁଆ “ବୋଲି ଏକ ଅନୁ୍ଚ୍ଚ ସ୍ୱର ଖୁବ ଦୂରରୁ ଶୁଭୁଥିଲା l ତାପରେ କଣ ହେଲା ଜାଣିନି l

ସିନ୍ଦୁରା ଫାଟିବାର ଫର୍ଚ୍ଚା ଭିତରେ ଚେମିବୋଉର ମୁଣ୍ଡ ପିଟି ବାହୁନୁଥିବାର କରୁଣ ବିଳାପ ଦପ କିନା ହଜିଗଲା l ଧଡ଼ପଡ଼ ଛାତିରେ ଉଠି ଦେଖେତ ଖଣ୍ଡେ ଦୂରରେ ଇନ୍ଦ୍ର ହିଡ଼ କଡରେ ଚିତ ହେଇ ଶୋଇଛି ତ ଆଉ ଗୋଟିଏ କିଆରୀ ମଝିରେ  ଅଖିଆ ଶୋଇଛି l

ମୋ ଡାକରେ ସେ ଦୁହେଁ ଉଠିପଡିଲେ l ଦୌଡ଼ି ଆସି ଅଖିଆ କହିଲା – ଶଃ… ଦୁନିଆ ସାରା ଡାକି ଡାକି ତତେ ହନ୍ତାଳି ସାରିଲିଣି, ତୁ ଏଇ ପାଖରେ ଶୋଇଛୁ, ଜବାବ ଦେଉନୁ ?

ଇନ୍ଦ୍ର କହିଲା – ତୁ ଏଠି ଭଦ୍ରଲୋକି ଦେଖାନା l ଅଖିଆ ଅଖିଆ କେତେ ନ ଡାକିଛି ତତେ, ତୁ  ଏଇଠି ଶୋଇଛୁ, ଟିକେ ଜବାବ ଦଉନୁ ?

ସେ ଦୁହେଁ ପରସ୍ପରକୁ ଅନେଇ କହିଲେ – ଏବେ ବୁଝିଲୁ ତ ? ଆମକୁ ଭୁଆଁବୁଲା ରାକ୍ଷସ ଘୋଟିଥିଲା l ଦେଖୁନୁ ମନୁଆଟା ବି କିଛି ଦୂରରେ ଆମ ପାଖରେ ପଡିଛି, କେତେ ତାକୁ ମୁଁ ନ ଖୋଜିଛି ହୋ ?

ଅଖିଆ କହିଲା – ତିନିହେଁ ଯାକ ପାଖାପାଖି ଶୋଇଛନ୍ତି ଅଥଚ ପରସ୍ପରକୁ ପୁଣି ଖୋଜୁଛନ୍ତି, ବାପରେ ବାପ କି ଘର୍ଷଣ  ନିଶା ହୋ ସତେ !  ବୋଧେ ବାବାମଣି ଆମ ଉପରେ ସବାର ହେଇଗଲେ ?

ଇନ୍ଦ୍ର ଓ ଅଖିଆ ଆଉ କଣ କହିବାକୁ ଯାଉଥିଲେ, କିନ୍ତୁ ମନୁଆର ଛଳଛଳ ଆଖି ଓ କାନ୍ଦୁରା ଶୁଖିଲା ମୁହଁ ଦେଖି ସେ ଦୁହେଁ ପଚାରିଲେ – ଆବେ ତୁ କଣ ଆମକୁ ନ ପାଇବାରୁ କାନ୍ଦୁଥିଲୁ ନା କଣ ?

ମନୁଆ କହିଲା – ନା ରେ ସାଙ୍ଗ !!! ମଙ୍ଗଳିଆର ପାଣି ମୁନ୍ଦେ ପାଇଁ ପ୍ରତୀକ୍ଷାର ବିକଳ ମରଣ ଏବଂ ତା’ର ଛାତି ଉପରେ ମୁଣ୍ଡ କୋଡ଼ି ଚେମିବୋଉର କାନ୍ଦର କରୁଣ ଛବି ମୋତେ ରାତିସାରା ସ୍ୱପ୍ନରେ ଏମିତି ଦହଗଞ୍ଜା କରିଛି ଯେ ଏ ପର୍ଯ୍ୟନ୍ତ ବି ଭୁଲି ପାରୁନି l

ଅଖିଆ ଓ ଇନ୍ଦ୍ର ଏକ ସ୍ୱରରେ କହିଉଠିଲେ — ଓହୋଃ…..ତା’ହେଲେ ଆମେ ଭୁଲରେ ଘଇତାମାରି ପାଟ ଭିତରକୁ ପଶି ଆସିଛେ !!!!!

ମନୁଆ ବାଷ୍ପରୁଦ୍ଧ କଣ୍ଠରେ କହିଲା –  ମଙ୍ଗଳିଆ ଓ ତାର ସ୍ତ୍ରୀ ଚେମିବୋଉ ନାଁକୁ ଲୋକେ ଆଜ ଭୁଲିଗଲେଣି କିନ୍ତୁ ଘଇତାମାରି ପାଟ ଛାତିରେ ସେ ଦୁହେଁ ଏବେ ବି ଜୀବନ୍ତ l

ଏତକହି ଦୁଇ ସାଙ୍ଗ ଟୁଇଙ୍କିଲକୁ ଚାହିଁଲେ l ସେ ଖୁବ ହସୁଥିଲା l

ଏପରିକି ଟୁଇଙ୍କିଲ ହସି ହସି ବେଦମ ହେଇଗଲା l ଜେଜେଙ୍କୁ କୁଣ୍ଢାଇ ପକାଇ କହିଲା – ଜେଜେ, ରିଅଲି ଫାଣ୍ଟାଷ୍ଟିକ ଷ୍ଟୋରି l

ଆଲୋ ଝିଅ ତୋର ଏ ହସ କେଉଁ ଶତାବ୍ଦୀର କହତ ? ଇନ୍ଦ୍ର ଜେଜେ ମୁରୁକି ହସି ପଚାରିଲେ l

ଟୁଇଙ୍କିଲ କହିଲା – ବିଗତ ଷାଠିଏ ଦଶକର ହଜିଲା ହସର ଏହା ମୋର ଆଜିର ଏକବିଂଶ ଶତାବ୍ଦୀର ଏକ ନୂଆ ରୂପାନ୍ତରିତ ହସ l  ସତରେ ଜେଜେ,ତୁମେମାନେ ଅଛ ବୋଲି ଆମେ ଜୀବନ୍ତ-ହସ ଶୁଣିପାରୁଛୁ ଏବଂ ହସିପାରୁଛୁ ବି ଜୀବନ୍ତ ହସଟିଏ l

ଆଉ ତୁମ ଅନ୍ତେ…….????

————-000000—————

© ମନୋଜ କୁମାର ମହାପାତ୍ର

Share

Leave a Reply