ବାଲେଶ୍ୱର ଲୋକସଭା: କାହା ମୁଣ୍ଡରେ ଶିରିପା? 

0

  • ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ,ଆଗରେ ଶ୍ରୀକାନ୍ତ
  • ରବୀନ୍ଦ୍ର ଜେନାଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ଭିନ୍ନ ମହଲରେ ଦାବି
  • ବାଲେଶ୍ୱର, ଭୁବନେଶ୍ୱର//TATKAL ODISHA//

ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଓ ଗୁରୁତ୍ୱପୂର୍ଣ୍ଣ ଲୋକସଭା କ୍ଷେତ୍ର  ବାଲେଶ୍ବରରୁ ଏଥର କିଏ ହେବେ ନୂଆ ସାଂସଦ? କାହା ମୁଣ୍ଡରେ ଭୋଟର ଢାଳିବେ ଶିରିପା?ପଛରେ କାହିଁକି କଂଗ୍ରେସ ଓ ବିଜେଡି??

ଏହି ପ୍ରଶ୍ନର ଉତ୍ତର ଲୋକେ ଖୋଜୁଥିଲାବେଳେ ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି କଂଗ୍ରେସ ଓ  ବିଜେଡି I ବର୍ତ୍ତମାନ ସୁଦ୍ଧା କାହାକୁ ପ୍ରାର୍ଥୀ କରାଯିବ ତାହା ସ୍ପଷ୍ଟ କରି ପାରୁ ନାହାନ୍ତି I ଯଦିଓ ବିଜେପି ଗୋଟିଏ ପାଦ ଆଗକୁ ପକାଇ ନନା ଓରଫ ପ୍ରତାପ ଷଡ଼ଙ୍ଗୀଙ୍କୁ ସାଂସଦ ପ୍ରାର୍ଥୀ କରିଛି, ହେଲେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ବିଦ୍ରୋହ ଯୋଗୁଁ ହରଡ଼ଘଣାରେ ପଡ଼ିଛି ଦଳ I 

  ୨୦୧୯ ନିର୍ବାଚନରେ ଏହି ଆସନରୁ ନିର୍ବାଚିତ ହୋଇଥିଲେ ବିଜେପି ନେତା ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ। ଓଡ଼ିଶା ରାଜନୀତିରେ ବେଶ ଜଣାଶୁଣା ଶ୍ରୀ ଷଡ଼ଙ୍ଗୀ ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କର ନିରାଡ଼ମ୍ବର ଜୀବନଶୈଳୀ ଓ ବହୁଭାଷାରେ ପାଣ୍ଡିତ୍ୟ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ନିଜର ଦ୍ବିତୀୟ ପାଳି ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ମତ୍ସ୍ୟ, ପଶୁସମ୍ପଦ, ଦୁଗ୍ଧ ପ୍ରକ୍ରିୟାକରଣ, ଏମ୍‌ଏସ୍‌ଏଇ ମନ୍ତ୍ରୀ ଭାବେ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ମଧ୍ୟ ଦେଇଥିଲେ। ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ଅପସାରଣ କରିଥିଲେ ପ୍ରଧାନମନ୍ତ୍ରୀ। ତେବେ ୨୦୨୪ରେ ବିଜେପି ତାଙ୍କୁ ଏହି ଆସନରୁ ପୁଣି ପ୍ରାର୍ଥୀ କରିଛି I ମାତ୍ର ପ୍ରଥମରୁ ଚାଳରେ ମୁଣ୍ଡ ବାଜିଛି I

‘ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡ଼ିବା ପରେ ଶାସକ ଦଳ ପାଇଁ ସୁବିଧା ହୋଇଛି’

ଅନ୍ୟପକ୍ଷରେ ଶାସକ ଦଳ ବିଜେଡି ପାଇଁ ପ୍ରାର୍ଥୀ ଚୟନ ବଡ଼ ସମସ୍ୟା ସୃଷ୍ଟି କରିଛି I କାହାକୁ ପ୍ରାର୍ଥୀ କଲେ ଦଳ ବିଜୟୀ ହେବ ସେଇ ଅଙ୍କ କଷି ଚାଲିଛି ଦଳ I

2009-2014 ମଧ୍ଯରେ ଶ୍ରୀକାନ୍ତ ଜେନା ସାଂସଦ ଥିଲେ I ତାଙ୍କୁ 2014-2019 ମଧ୍ୟରେ ରବୀନ୍ଦ୍ର ଜେନା ଶ୍ରୀକାନ୍ତ ବାବୁଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲେ I ସଂସଦରେ ଜେନାଙ୍କ ପାରଦର୍ଶିତା ବହୁତ ଭଲ ଥିଲା I ମାତ୍ର 2019 ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ମାତ୍ର 10 ହଜାରରୁ ସାମାନ୍ୟ ଅଧିକ ଭୋଟରେ ହାରି ଯାଇଥିଲେ I ଏଥର ବାଲେଶ୍ୱରରୁ ପୁଣି ତାଙ୍କୁ ପ୍ରାର୍ଥୀ କରିବାକୁ ଦଳ ଚାହୁଁଥିବା ଚର୍ଚ୍ଚା ହେଉଛି I

ଏଥର ବିଜେଡି ପାଇଁ ଭଲ ସ୍ଥିତି ରହିଛି I ବିଜେପିରେ ଖାରବେଳ ଓ ନନା ମଧ୍ୟରେ ବିବାଦ ଥିଲା ବେଳେ କଂଗ୍ରେସରେ ଶ୍ରୀକାନ୍ତ ଜେନାଙ୍କ ପୂର୍ବ ସଂଗଠନ ଆଉ ନାହିଁ I ତେଣୁ ସବୁ ଦୃଷ୍ଟିରୁ ଦେଖିଲେ ରବୀନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କଲେ ଭଲ ଟକ୍କର ଦେଇ ଜୟଯୁକ୍ତ ହେବେ I ହେଲେ ସେ କେତେଦୂର ଛିଡା ହେବାକୁ ଚାହିଁବେ ତାହା ଦେଖିବା କଥା I ତେବେ ତାଙ୍କୁ ପ୍ରାର୍ଥୀ କରିବାକୁ ଭିନ୍ନ ମହଲରେ ଦାବି ହୋଇଛି I

Leave A Reply

Your email address will not be published.