tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଦିଗହରା ବିଦ୍ୟୁତ ସଂସ୍କାର,ଶୋଷିତ ଉପଭୋକ୍ତା

1 min read

। 

  • ଆନନ୍ଦ ମହାପାତ୍ର
  • +++++++++++

ଓଡିଶା ସରକାର ସର୍ବପ୍ରଥମେ ୧୯୯୫ ମସିହାରେ ବିଦ୍ୟୁତ କ୍ଷେତ୍ରର ସଂସ୍କାର ଓ ପୁନଃଗଠନ ପାଇଁ ଆଇନି ପ୍ରଣୟନ କରି କାର୍ଯ୍ୟ ଆରମ୍ଭ କରିଥିଲେ। କେନ୍ଦ୍ରସରକାରଙ୍କ ଦ୍ଵାରା ବିଦ୍ୟୁତ ଆଇନି, ୨୦୦୩ ପ୍ରଣିତ ହେବାପରେ ଓଡିଶା ସମେତ ଅନ୍ୟ ଆଠଟି ରାଜ୍ୟ ପ୍ରଣିତ କରିଥିବା ରାଜ୍ୟ ବିଦ୍ୟୁତ ସଂସ୍କାର ଆଇନିଗୁଡିକ ଅଚଳ ହୋଇ ସାରାଭାରତରେ ବିଦ୍ୟୁତ କ୍ଷେତ୍ରର ସଂସ୍କାର ଓ ପୁନଃଗଠନ ପ୍ରକ୍ରିୟା କେନ୍ଦ୍ରୀୟ ଆଇନି ଅନୁସାରେ ସମ୍ପାଦନ ହେଲା। ଫଳସ୍ଵରୂପ ରାଜ୍ୟ ସ୍ତରରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗଠନ ହୋଇଥିବା ବେଳେ କେନ୍ଦ୍ର ସ୍ତରରେ କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗ ଗଠନ ହୋଇ କାର୍ଯ୍ୟକାରୀ ହେଲା।

ବିଦ୍ୟୁତ ବୋର୍ଡକୁ ଅପସାରଣ କରି ବିଦ୍ୟୁତ ବିତରଣ, ପରିବହନ, ବ୍ୟବସାୟ ଓ ଉତ୍ପାଦନ ପାଇଁ ପୃଥକ ପୃଥକ ଭାବେ ଚାରୋଟି ସଂସ୍ଥା ବିଦ୍ୟୁତ ଆଇନି, ୨୦୦୩ ଅନୁସାରେ ଗଠନ କରାଗଲା। ବିଦ୍ୟୁତ ବିତରଣ ସଂସ୍ଥାଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ନିୟମ ପ୍ରଣୟନ କରିବାର କ୍ଷମତା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଦିଆଯାଇଥିବା ବେଳେ ବିଦ୍ୟୁତ ପରିବହନ, ବ୍ୟବସାୟ ଓ ଉତ୍ପାଦନ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ ପାଇଁ ନିୟମ ପ୍ରଣୟନ କରିବାର କ୍ଷମତା କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଦିଆଗଲା।

କେନ୍ଦ୍ରୀୟ ଆୟୋଗ ଓ କେନ୍ଦ୍ର ସରକାର ପ୍ରଣିତ କରିଥିବା ନୀତି ଓ ନିୟମଗୁଡିକୁ ରାଜ୍ୟ ଆୟୋଗ ଅନୁପାଳନ କରିବାପାଇଁ ବିଦ୍ୟୁତ ଆଇନି, ୨୦୦୩ରେ ବିଧି ରହିଛି।  

କେନ୍ଦ୍ରୀୟ ଆଇନି, ୨୦୦୩ ଆସିବାର ଆଠବର୍ଷ ପୂର୍ବରୁ ଆମ ରାଜ୍ୟର ୧୯୯୫ ବିଦ୍ୟୁତ ସଂସ୍କାର ଆଇନି ବଳରେ ୧୯୯୬ ମସିହାରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଗଠନ କରାଗଲା। ଆମର ବିଦ୍ୟୁତ ବୋର୍ଡକୁ ଭାଙ୍ଗି ଓଏଚପିସି (ଜଳ ବିଦ୍ୟୁତ) ସହିତ ଗ୍ରୀଡ୍କୋ ଗଠନ ହେଲା।

ପୁଣି ୧୯୯୯ ମସିହାରେ ଗ୍ରୀଡ୍କୋ ଭାଙ୍ଗି ଚାରୋଟି ବିତରଣ କମ୍ପାନୀ ଗଠନ କରିବା ସହିତ ତାଙ୍କର ପରିଚାଳନା ଦାୟିତ୍ଵ ଘରୋଇ କମ୍ପାନୀ (ବିଏସଇଏସ, ଏଇଏସ ଓ ରିଲାଏନ୍ସ) ଉପରେ ନ୍ୟସ୍ତ କରାଗଲା। ତେଣୁ ଓଡିଶା ବିଦ୍ୟୁତ ବିତରଣ ଘରୋଇକରଣ ହୋଇଛି ୧୯୯୫ ମସିହା ଆଇନି ବଳରେ। କିନ୍ତୁ ୨୦୦୩ ମସିହା ବିଦ୍ୟୁତ ସଂସ୍କାର ଆଇନିରେ ବିଦ୍ୟୁତ ସଂସ୍ଥାକୁ ବିକ୍ରୟ ଓ ଲାଇସେନ୍ସ ପ୍ରତ୍ୟାହାର କରିବା ବ୍ୟବସ୍ତା ଥିଲେବି ବିଦ୍ୟୁତ ବିତରଣ ସଂସ୍ଥାକୁ ସମ୍ପୂର୍ଣ ଘରୋଇକରଣ କରିବା ପାଇଁ କୌଣସି ବ୍ୟବସ୍ତା ନାହି। ତେଣୁ ୨୦୦୩ କେନ୍ଦ୍ରୀୟ ବିଦ୍ୟୁତ ଆଇନି ଅନୁସାରେ ଅନ୍ୟ କୌଣସି ରାଜ୍ୟ ତାଙ୍କର ବିଦ୍ୟୁତ ବିତରଣ ବ୍ୟବସ୍ତାକୁ ଓଡିଶା ଭଳି ଘରୋଇକରଣ କଲେନାହି ସତ କିନ୍ତୁ ବିଦ୍ୟୁତ ସଂସ୍କାର ଜାରି ରଖିଲେ। 

ଘରୋଇକରଣ ବିଦ୍ୟୁତ ସଂସ୍କାର ନୁହେଁ, ଏବେ ଆମର ରାଜ୍ୟସରକାର ଭଲ ଭାବରେ ବୁଝିଗଲେଣି। ବିଦ୍ୟୁତ ଆଇନି, ୨୦୦୩ ପ୍ରଣିତ ହେବାପରେ କେନ୍ଦ୍ରସରକାର ଏପିଡ଼ିଆରପି, ଆଇପିଡ଼ିଏସ, ଉଜ୍ଵଳ, ଆରଡ଼ିଏସଏସ ସ୍କିମ ଓ ଯୋଜନା ଜରିଆରେ ହଜାର ହଜାର କୋଟିଟଙ୍କାର କେନ୍ଦ୍ରୀୟ ଅନୁଦାନ, ସବସିଡି ଓ ରୁଣ ବିଦ୍ୟୁତ ସଂସ୍କାରକୁ ସଫଳ ରୂପାୟନ ଦେଇଥିବା ରାଜ୍ୟଗୁଡିକୁ ପ୍ରଦାନ କରିଥିଲେବି ଓଡିଶା ପ୍ରାୟ ୩୦,୦୦୦ କୋଟିଟଙ୍କା କେନ୍ଦ୍ରୀୟ ଅନୁଦାନ ପାଇବାରୁ ବଞ୍ଚିତ ହୋଇଛି।

ଉକ୍ତ ବୃହତ ପରିମାଣର କେନ୍ଦ୍ରୀୟ ଅନୁଦାନକୁ ଓଡିଶା ହାତଛଡା କରିବା ପଛର କାରଣ କୁହାଯାଉଛି ଘରୋଇକରଣ। ଯେହେତୁ ଓଡିଶା ଭାରତର ଏକମାତ୍ର ରାଜ୍ୟ ଭାବେ ବିଦ୍ୟୁତ ବିତରଣ ବ୍ୟବସ୍ତାକୁ ସମ୍ପୂର୍ଣ ଘରୋଇକରଣ କରିଛି, ତେଣୁ ଅନ୍ୟରାଜ୍ୟ ଗୁଡିକ କେହି ବିରୋଧ କରୁନାହାନ୍ତି ଓ ଆରମରେ ଓଡିଶା ଭାଗ ଅର୍ଥକୁ ନିଜ ନିଜ ଭିତରେ ବାଣ୍ଟି ନେଉଛନ୍ତି।

ଓଡିଶା ଆଜିପର୍ଯ୍ୟନ୍ତ ବିଦ୍ୟୁତ ସଂସ୍କାରର ସୁଫଳ ପାଇନଥିବା ବେଳେ ପ୍ରାୟ ଅନ୍ୟ ସମସ୍ତ ରାଜ୍ୟ ବିଦ୍ୟୁତ ସଂସ୍କାରକୁ ସଫଳ କରି ଲାଭବା ସଙ୍ଗେ ସଙ୍ଗେ ଭରପୁର କେନ୍ଦ୍ରୀୟ ଅନୁଦାନ ପାଉଛନ୍ତି। 

ତେଣୁ ଓଡିଶା ବିଦ୍ୟୁତ ସଂସ୍କାର ଆଜି ଦିଗହରା ହୋଇଯାଇଛି ଓ ଏହାର କୁପ୍ରଭାବରେ ଭରସାଯୋଗ୍ୟ ବିଦ୍ୟୁତସେବାକୁ ନିଶ୍ଚିତ କରାଯାଇ ପାରିନାହି। ଓଡିଶାରେ ସମସ୍ତ ଅନୁକୂଳ ପରିସ୍ଥିତି ଥାଇ ଓଡିଶା ବିଦ୍ୟୁତ ଉପୋଭୋକ୍ତା ଜାତୀୟ ହାର ବିଦ୍ୟୁତମୂଲ୍ୟ ଠାରୁ ଅଧିକ ୮୦ ପଇସା ପରିଶୋଧ କରୁଛନ୍ତି। ବିଡମ୍ବନାର କଥା ଜାତୀୟ ହାରାହାରି ବିଦ୍ୟୁତ କ୍ରୟ ମୂଲ୍ୟ ଠାରୁ ଓଡିଶାର ବିଦ୍ୟୁତ କ୍ରୟମୁଲ୍ୟ ୟୁନିଟ ପିଛା ହାରାହାରି ୧ ଟଙ୍କା ୬୦ ପଇସା କମ ଥିଲେବି ଓଡିଶା ଉପୋଭୋକ୍ତା ଅଧିକ ବିଦ୍ୟୁତମୂଲ୍ୟ ପଇଠ କନ୍ତି। ତେଣୁ ବାସ୍ତବରେ ଦେଖିବାକୁ ଗଲେ ଓଡିଶା ବିଦ୍ୟୁତ ଉପୋଭୋକ୍ତା ୟୁନିଟ ପିଛା ହାରାହାରି ୨ ଟଙ୍କା ୪୦ ପଇସା ଅଧିକ ପଇଠ କରୁଛନ୍ତି।

  • ଆନନ୍ଦ ମହାପାତ୍ର, ବିଦ୍ୟୁତ ସମୀକ୍ଷକ

Share

Leave a Reply