ପୁରୀରେ ଟାଗୋର୍ଙ୍କ ବାସଗୃହ ହେବ ମ୍ୟୁଜିଅମ୍: ବିଭିନ୍ନ ମହଲରୁ ସ୍ୱାଗତ
1 min read
ଭୁବନେଶ୍ୱର,ପୁରୀ//TATKAL ODISHA//
ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କର ଏବେବି ପୁରୀରେ ଏକ ଘର ରହିଛି। ପୂର୍ବରୁ ତା’ର ନାଁ ଥିଲା “ପାଥେରପୁରୀ’। ପରେ ତାହା ଅପଭ୍ରଂଶ ହୋଇ ପାତ୍ରପୁରୀ ହୋଇଛି। ଏହି ଘରେ ରବିନ୍ଦ୍ର ନାଥ ବହୁ କାଳଜୟୀ ପୁସ୍ତକ ରଚନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର “ପାଥେରପୁରୀ’ର ଜରାଜୀର୍ଣ୍ଣ କୋଠାକୁ ସଂରକ୍ଷିତ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ। ତାହାକୁ ବିଚାର କରି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଉକ୍ତ ବାସଗୃହକୁ ରବୀନ୍ଦ୍ର ସଂଗ୍ରହଳୟ କରିବାକୁ ଘୋଷଣା କରାଯାଇଛି।
ଖୁବ୍ଶୀଘ୍ର ଏହି ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସେଥିପାଇଁ ବିଭିନ୍ନ ମହଲରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ ଭଳି ନୋବେଲ ବିଜୟୀ ସାହିତ୍ୟିକ ରବୀନ୍ଦ୍ରନାଥଙ୍କ ଓଡ଼ିଶାରେ ସାମାଜିକ ଓ ସାହିତ୍ୟଗତ ସଂପୃକ୍ତି ଓ ଅବଦାନ ଉପରେ ଭାରତ ସରକାରଙ୍କର ବରିଷ୍ଠ ଫେଲୋସିପ ପାଇ ଗବେଷଣା କରୁଥିବା ସୋମା ପୃଷ୍ଟି ରବିନ୍ଦ୍ରନାଥଙ୍କର ପୁରୀରେ ଘର ଥିବା କଥା ଜାଣିବାକୁ ପାଇଥିଲେ। ପରେ ୧୫୦ ତମ ରବୀନ୍ଦ୍ର ଜୟନ୍ତୀ ଅବସରରେ ଅର୍ଥାତ ୨୦୧୦ରେ ଉତ୍କଳ ବିକାଶ ଯୁବ ପରିଷଦ ଜରିଆରେ ସେ ଏକ ପ୍ରାମାଣିକ ଚିତ୍ର ବା ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ ହୋଇଥିଲା।
ପରିଷଦ ପକ୍ଷରୁ ଉପଦେଷ୍ଟା ଦେବୀପ୍ରସାଦ ପୃଷ୍ଟି ପ୍ରଯୋଜନା କରିଥିଲାବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ସ୍ୱର୍ଗତଃ ଦୀପକ ଦାସ। ସଙ୍ଗୀତରେ ସୋମା ନିଜେ କଣ୍ଠ ଦାନ କରିଥିଲେ। ତାହାକୁ ପୁର୍ବତନ ମନ୍ତ୍ରୀ ବିଶ୍ୱ ଭୂଷଣ ହରିଚନ୍ଦନ, ପୁର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ସଙ୍ଗୀତଜ୍ଞ ଅର୍ଜୁନ ଚରଣ ସାମଲ, କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ତତ୍କାଳୀନ କୁଳପତି ପ୍ରଫେସର ସୁରଭି ବାନାର୍ଜୀ ଲୋକାର୍ପିତ କରିଥିଲେ। ତାହା ଉଭୟ ବଂଗଳା ଓ ଓଡ଼ିଆ ଦୂରଦର୍ଶନରେ ପ୍ରସାରିତ ହେବା ପରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଚ୍ଚ ପ୍ରଶଂସା କରିଥିଲେ। ସେବେଠାରୁ ପରିଷଦ ସମେତ ବହୁ ସଂଗଠନ ଓ ବ୍ୟକ୍ତିବିଶେଷ ପୁରୀ ଘାରକୁ ସ୍ମାରକୀ ସଂଗ୍ରହାଳୟ ପାଇଁ ଦାବି କରି ଆସୁଥିଲେ। ହେଲେ କିଛି ପଦକ୍ଷେପ ନିଆଯାଇନଥିଲା।
ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ହସ୍ତକ୍ଷେପ ଯୋଗୁଁ ସଂଗ୍ରହାଳୟ ସ୍ଥାପନା ସମ୍ଭବ ହୋଇପାରିଛି। ଏହା ସ୍ୱାଗତଯୋଗ୍ୟ ବୋଲି ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ ଉପଦେଷ୍ଟା ଦେବୀପ୍ରସାଦ ପୃଷ୍ଟି ପ୍ରକାଶ କରିବା ସହ ଉଭୟଙ୍କୁ ସାଧୁବାଦ ଜଣାଇଛନ୍ତି।