ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘କକ୍ଷଚ୍ୟୁତ ଉଲକା’
***************
- ଗଳ୍ପ: କକ୍ଷଚ୍ୟୁତ ଉଲକା
-------------
ମନୋଜ କୁମାର ମହାପାତ୍ର
ନୀଳମାଷ୍ଟ୍ରେ ଏକୁଟିଆ ନଡ଼ିଆ ଚଟେଇଟିଏ ବିଛାଇ ଗାଁ ଦାଣ୍ଡପିଣ୍ଡାରେ ବସିଥିଲେ l ଆଜିକାଲି ମୁହଁପୋଡା ବୈଶାଖୀ ଝାଂଜିଖରା ବୟାଳିସ ଡିଗ୍ରୀ ଉପରେ l ଦିନବେଳେ କିଏବା ଘରୁ ଗୋଡ଼ କାଢ଼ିବ ? ଦେଖୁନ କାମିନୀ ଗଛ ଛାଇରେ ଠିଆ ହେଇଥିବା ବୁଢ଼ା ଷଣ୍ଢଟା ପାଟିରୁ କେମିତି ଫେଣ ବାହାରୁଛି l ଖରାରେ ତା ହଂସା ଉଡିଯିବଣି l ଡାକ ପକାଇଲେ - ହଇରେ ହରିଆ, ପାଣି ବାଲ୍ଟିଟା ଷଣ୍ଢ ଆଗରେ ରଖନା l ହରିଆ ଅଛି ଯେ ଶୁଣିବ ! ସେ ତ ଏବେ ନିଛାଟିଆ ଖରାବେଳରେ ବଗିଚାରେ ଆମ୍ବ ଗୋଟାଉଥିବ l
ନୀଳମାଷ୍ଟ୍ରେ ଆଉ କରିବେ କଣ ? ଗୁହାଳ ପରସ୍ତକୁ ପଶି ବାଲ୍ଟିଏ ପାଣି ଆଣି ଷଣ୍ଢ ଆଗରେ ରଖିଲେ l ଆହାଃ କି ବିକଳ ଦୃଶ୍ୟ ସତେ ! ଏକା ନିଶ୍ୱାସକେ ପାଣିତକ ପିଇ ଷଣ୍ଢ ତାଙ୍କୁ ଅନାଇ ଗୋଟିଏ ପରିତୃପ୍ତ ହେକୁଟି ମାରିଲା,ଯେମିତି ଖରାଦିନେ ଗାଁ ପାଖ ଶୁଖିଲା ନଈରେ ପାଣି ବିକକରେ ଛୋଟ ଚୁଆଟିଏ ହାତରେ ଖୋଳୁ ଖୋଳୁ ଉଛୁଳି ପଡ଼େ କାନିଆଙ୍ଗୁଳି ସରୁ ଧାରାଟିଏ l
ଷଣ୍ଢଟି କୃତଜ୍ଞ ଆଖିରେ ଚାହିଁ ଥିବାବେଳେ ନୀଳମାଷ୍ଟ୍ରେ ସାମାନ୍ୟ ଚିଗୁଲେଈ କହି ଉଠିଲେ - ଆରେ ଅନେଉଛୁ କଣ l ବୁଢ଼ା ହେଲେ ସମସ୍ତଙ୍କର ଏମିତି କାକୁସ୍ଥ ଚାହାଁଣି ହୁଏ l ଦେଖୁନୁ ମୁଁ କେମିତି କାକୁସ୍ଥ ହେଇ ପ୍ରତି କ୍ଷଣ ବଞ୍ଚୁଛି l
ଆରେ ତୁ ତ ଶହେ କି ତଦୁର୍ଦ୍ଧ ସନ୍ତାନର ଜନକ ହେଇଥୁବୁ, ତଥାପି ପାଖରେ ତୋର ସ୍ତ୍ରୀ ନାହିଁ କି ପୁଅ ଝିଅ କେହି ନାହିଁ l ମୋର ଅବଶ୍ୟ ସ୍ତ୍ରୀ ଅଛି, ଦେଖିବୁ ଯାଆ ମୋ ବୁଢୀଟା ଏଇନେ କେମିତି ଛୁଞ୍ଚକନାରେ ଘର ଅଗଣାକୁ ଲିପୁଛି l ପୂରା ନଇଁ ଗଲେଣି, ଠୁକୁରି ବୁଢୀ, ମଝିରେ ମଝିରେ ଅଣ୍ଟା ସିଧା କରି ଲେପୁଛି l ଯେତେ କହିଲେ ସେ କଣ ମୋ କଥା ଶୁଣୁଛି l କହିବ କାଲି ପରା ଗ୍ରାମଦେବତୀ ମା କ୍ଷେତ୍ରପାଳଙ୍କର ଚଇତି ଘଟ ଗାଁ ସାରା ବୁଲିବେ, ଆମ ଘରକୁ ଆସି ବିରାଜିବେ l ଘରଟାକୁ ଗୋବରରେ ନ ଲିପିଲେ ଶୁଦ୍ଧ ହେବ କେମିତି ?
ଏତିକିବେଳେ ହରିଆଟା ପାଛିଏ କଞ୍ଚା ଆମ୍ବ ଧରି ପହଂଚି ଯାଇ କହିଲା - ମାଷ୍ଟ୍ରେ, ଆମ୍ବ ଏଠି ରହିଲା, ମୁଁ ଚାଲିଲି,ଆସୁ ଆସୁ ରାତି ଅଅଧ ହେବ l
ନୀଳମାଷ୍ଟ୍ରେ କହିଲେ - ତୁ କୁଆଡେ ଯିବୁ ?
ଆଉ କୁଆଡେ ଯିବି, ଏଇନେ ଇଲେକ୍ସନ ବଜାର ଜାଣିନ କି l ଖରା କମିଲା ମାତ୍ରେ ସବୁ ଦଳର ନେତା ବାହାରିବେ ପ୍ରଚାର ପାଇଁ l ଗୀତ ନାଚ ବାଜା ଗହଣରେ ନେତାମାନେ ଫୁଲମାଳ ବେକରେ ଝୁଲାଇ ଗାଁ ଗାଁ ବୁଲିବେ l ଢୋଲ କି ଢୋଲିକି ବଜାଇବା ପାଇଁ ବିଜେଡି, ବିଜେପି ଦଳ ପାଖରୁ ଆଡ଼ଭାନ୍ସ ନେଇଛି l ଆଜି କଂଗ୍ରେସର ପାଳି ଅଛି l
ଏଇ ସମୟରେ କାମିନୀ ଗଛ ମୂଳରେ ଠିଆ ହେଇଥିବା ଷଣ୍ଢଟା ଗୋଟେ ଜବରଦସ୍ତ ବୋବାଳି ଛାଡିଲା l ହରିଆ କହିଲା - ଶଃ... ବୁଢ଼ା ହେଲେଣି, ଦେଖୁନ କେମିତି ତାର ଦର୍ପ ମଉଳିନି ! ବୁଝିଲ ମାଷ୍ଟ୍ରେ, ଏ ଶଳା ଷଣ୍ଢ ବିଲରେ ଗୋଟେ ଵି ବୋଇତାଳୁ ଡଙ୍କ କି ଫୁଲ ଫଳ ରଖୁନି l ଚୁପ କିନା ରାତିରେ କିଆରୀରେ ପଶି ବୋଇତାଳୁ କିଆରୀକୁ ଉଜାଡି ଦେଉଛି l ତୁମେ କଣ ୟାର କରାମତି ଜାଣିନ ? ଜଵାନୀ ବୟସରେ ଇୟେ ପରା ପାଢ଼ୀଘର ବାଡ଼ିଦୁଆର ବାଟେ ହାଣ୍ଡିଏ ପଖାଳ ଲାଳସାରେ ଘରକୁ ପଶିଗଲା ଯେ ଆଉ ଘରୁ ବାହାରି ପାରିଲାନି,ଶେଷରେ ଦୁଆର ବନ୍ଧ ଭଙ୍ଗା ଗଲା, ତାପରେ ବାବୁ ବାହାରିଲେ l
ମାଷ୍ଟ୍ରେ କହିଲେ - ଓହୋଃ,,,,, ଏବେ ବୁଝିଲି l ମୁଁ ଜାଣିଛି ଇଏ ପରା ଉମବାବୁଙ୍କ ଷଣ୍ଢ ?.ଆମ ଇଲାଜାରେ ଯେତେ ଷଣ୍ଢ ଏଇନେ ରାସ୍ତା ଘାଟରେ ବୁଲନ୍ତି, ଆମର ଏଇ ଉମବାବୁଙ୍କ ଷଣ୍ଢ ସହିତ କେହି ତୁଳନା ହେଇପାରିବେନି l ଚାଲି ଏହାର ରାଜକୀୟ, ହମ୍ବାରଢ଼ି ଏହାର ଗମ୍ଭୀର ଓ ଘଡଘଡି ଶବ୍ଦ ଭଳି ସୁଦୂରପ୍ରଶାରୀ, ତୁଷାରବୃତ ହିମାଳୟ ପରି ଦେହର ରଙ୍ଗ,କାଜଲ ପିନ୍ଧା ଆଖି, ଇଷତ କଳା ହୁଙ୍କା, ଦୁଇଟି ସିଂଘ ଦ୍ଵିତୀୟା ଜହ୍ନ ପରି ବକ୍ରାକୃତି l ପୁଣି ଷଣ୍ଢ ଲଢେଇରେ ଜଗତଜିତା l ବାପରେ ବାପରେ ବାପ ତାର କି ଅପ୍ରମେୟ ବଳ l
ହଁ ପରା ରାସ୍ତାରେ ଯାଉଥିବା ବେଳେ କାହାର ଅନିଷ୍ଟ କରେନି l ପ୍ରଚଣ୍ଡ ବଳବାନ ହେଇକି ଅଯଥାରେ କାହାକୁ ହଇରାଣ ହରକତ କରେନି l କିନ୍ତୁ ଯେତେବେଳେ ଖୁବ ରାଗିଥିବ, ସେତେବେଳେ ତାକୁ ସମ୍ଭାଳିବା କାଠିକର ପାଠ l ସେତେବେଳେ ତୁମକୁ ଡକା ଯାଏ l ତୁମର ଢୋଲିକି ବାଜା ଶୁଣି ଖୁବ ଶାନ୍ତ ହେଇଜିବାର ମୁଁ ବହୁତ ଥର ଦେଖିଛି ବୋଲି ହରିଆ କହିଲା
ଏତକ କହି ହରିଆ ହୁଁ ଟିଏ ମାରି କାନ୍ଧରେ ଢୋଲ ଝୁଲାଇ ଚାଲିଗଲା l
ନୀଳମାଷ୍ଟ୍ରେ ଇତ୍ୟବସରେ ଦେଖିଲେ - ଷଣ୍ଢ ତାଙ୍କୁ ନିର୍ନିମେଷ ନୟନରେ ଚାହିଁଛି l ସେ ଵି ତାକୁ ଏକ ଲୟରେ ଚାହିଁଲେ l କିନ୍ତୁ ତାଙ୍କୁ ଲାଗିଲା ସତେ ଯେପରି ଷଣ୍ଢ ହସୁଛି ? ଷଣ୍ଢ ତ କେବେ ହସିପାରିବନି, ତେବେ ହସୁଛି କାହିଁକି ? ଓହୋଃ ଏଇଥିପାଇଁ ସେ ହସୁଛି ବୋଧେ l ବଳଦ ହେବାର ସମ୍ଭାବନାରୁ ତାକୁ ବଞ୍ଚାଇ ଷଣ୍ଢ ହେବାର ପଥରେ ଯାତ୍ରୀ କରାଇଥିଲି ବୋଲି ତାର ହସରୁ ମୋତେ ଜଣାପଡୁଛି l
ହଁ, ବୋଧେ ଦଶ କି ପନ୍ଦରବର୍ଷ ତଳେ ଢୋଲିକି କାନ୍ଧରେ ଝୁଲାଇ ଏକଦା ତାଳପଡା ଯାଉଥିଲି, ସେଠାରେ ଗୋଟିଏ ଚାଠଶାଳୀରେ ଦଶ ବାର ଜଣ ପିଲାଙ୍କୁ ଢୋଲିକି ବଜାଇବା ଶିଖାଏ l ହଠାତ ଉମବାବୁଙ୍କ ସାଙ୍ଗରେ ଦେଖା ହେଇଗଲା ବାଟରେ l ସେ କହିଲେ - ଆରେ ନୀଳ, ମୋ ଅଣ୍ଡିରା ବାଛୁରୀ କି ଟିକେ ବରେଇ ଦେବୁ l ତାର ବୟସ ଵି ହେଇଗଲାଣି l ଆଜି ସୋମବାର l ଭଲ ଦିନ l
ଯେହେତୁ ଅଣ୍ଡିରା ବାଛୁରୀକୁ ଆମ ଅଂଚଳରେ ବ୍ରତ କରି ଦି'ପଇସା ରୋଜକାର କରେ, ମୁଁ ତାଙ୍କ ପ୍ରସ୍ତାବରେ ରାଜି ହେଇଗଲି l ଯେତେବେଳେ ବାଛୁରୀଟିକୁ ବ୍ରତ କରାଇବାର ଉପକ୍ରମ ଆରମ୍ଭ କଲି, ଦେଖିଲି ତାର ଆଖିରେ ଉଙ୍କି ମାରୁଛି ଅସାଧାରଣ ଜ୍ୟୋତିପୁଞ୍ଜ ଏବଂ ଧୋବ ଫର ଫର ଦେହରେ ହୁଙ୍କାର ଉଚ୍ଚତା ଗିରୀସୃଙ୍ଗ ଭଳି ସିଧା ଦଣ୍ଡାୟମାନ l ଉପଚାର ସାମଗ୍ରୀ ମୋ ହାତରୁ ଆପେ ଖସିପଡ଼ିଲା ତଳେ l ମନରେ ହଠାତ ଏକ ଦିବ୍ୟ ଆବେଗ ଦ୍ୱାରା କିଛି କ୍ଷଣ ଆଚ୍ଛନ୍ନ ହେଲି l ଭାବବିହ୍ୱଳ ହେଇ ଗୁଣୁଗୁଣୁ ସ୍ୱରରେ କହିଉଠିଲି - ନା ନା ୟାକୁ କିଏ ବଳଦ କରିବଲୋ ମା ଇୟେ ତ ଆଜନ୍ମ ନନ୍ଦୀ ବୃଷଭ l
ଉମବାବୁଙ୍କୁ କହିଲି - ଆଜ୍ଞା ମୋ ପରାମର୍ଶ ଟିକେ ଶୁଣିବେ l
ଉମବାବୁ ହସି କହିଲେ - କଣ କହୁଛ ନୀଳ ?
ଦିବ୍ୟ ଭାବନାରେ ନିମଗ୍ନ ହେଇ କହି ଉଠିଲି - ଆଜ୍ଞା, ୟାକୁ ବୃଷଭ ହେବାଜୁ ଦିଅନ୍ତୁ l ଇଏ ଯାଇତାଇ ଅଣ୍ଡିରା ବାଛୁରୀ ନୁହେଁ ବରଂ ଆଜନ୍ମ ବୃଷଭ ନନ୍ଦୀ l
ଉମବାବୁ ଖୁବ ଜୋରରେ ହସି କହିଲେ - ହଁ ହଁ ଜନ୍ମ ଠାରୁ ବାଛୁରୀଟି ଭିତରେ ଏକ ପ୍ରକାର ଭିନ୍ନତା ଲକ୍ଷ୍ୟ କରିଛି l ହଉ ହେଲା, ତୁମେ ତ କେତେ ବାଛୁରୀକୁ ବ୍ରତ କରିଛ, ଯଦି ଏଇଟି ତୁମକୁ ଅସାଧାରଣ ଲାଗୁଛି, ତେବେ ସେ ଷଣ୍ଢ ହେଉ lବଳଦର କଷଣ ତାକୁ ଆଉ ଭୋଗିବାକୁ ପଡ଼ିବନି lସେଇ ଦିନରୁ ଏଇ ଷଣ୍ଢଟି ଯେଉଁଠି ଦେଖେ,ମୁଣ୍ଡ ହଲାଇ ମୋତେ ଚାଟିବାକୁ ଭୁଲେନି l
ନୀଳମାଷ୍ଟ୍ରେ ଭାବନା ଜଗତରୁ ଓଲ୍ହାଇ ଆସି ପ୍ରକୁତିସ୍ଥ ହେଲାବେଳକୁ ଦେଖିଲେ ଯେ ଷଣ୍ଢଟି ମନ୍ଥର ଗତିରେ ଆସି ପ୍ରାୟ ପିଣ୍ଡା ଠାରୁ ପାଞ୍ଚହାତ ଦୂରରେ ଠିଆ ହେଇଛି l ମୁଣ୍ଡକୁ ହଲାଉଛି l
ଓହଃ... ବୁଝିଲି l ଶିବ ତାଣ୍ଡବ ଧ୍ଵନି ଶୁଣିବୁ ? ଆଗରୁ ବହୁବାର ମଝିରେ ମଝିରେ ଷଣ୍ଢ ଏମିତି ତାଙ୍କ ପାଖରେ ଆସି ଛିଡା ହୁଏ, ମୁଣ୍ଡକୁ ବିଚିତ୍ର ଢଙ୍ଗରେ ହଲାଏ, ଶିବ ତାଣ୍ଡବ ବାଜା ବାଜିଲେ, ଧୀର ସ୍ଥିର ହେଇ ଶୁଣେ, ପୁଣି ଚାଲିଯାଏ ତା ବାଟରେ l
ନିଜ ବସିଥିବା ଜାଗାରେ କାନ୍ଥକୁ ଲାଗି ଥୁଆ ଢୋଲିକି ଆଣି ନୀଳମାଷ୍ଟ୍ରେ କୋଳରେ ଥୋଇ ବଜାଇଲେ ଶିବ ତାଣ୍ଡବ ଧ୍ଵନିର ତାଳ l ବୁଢ଼ା ହେଲେ ଵି ତାଙ୍କର ହାତ ଶିଥିଳ ନ ଥିଲା l ବାଜାର ତାଳେ ତାଳେ ଷଣ୍ଢ ବୁଢ଼ା ହେଲେ ଵି ଖୁରା ଛାଟି ଧୂଳି ଉଡାଇବାରେ ପ୍ରଚଣ୍ଡତା କମି ନ ଥିଲା l କିଛି ସମୟ ଅତିକ୍ରାନ୍ତେ ବାଜା ବନ୍ଦ ହେଲା, ଷଣ୍ଢ କୃତଜ୍ଞତାର ମୁଣ୍ଡ ହଲାଇ ଚାଲିଗଲା ତା ବାଟରେ l
ନୀଳମାଷ୍ଟ୍ରେ ଭାବିଲେ - ଦେଖ ହୋ ପଶୁ ହେଲେବି ତାର ରହିଛି ମୋ ପ୍ରତି ଭଲପାଇବା ଓ ସେ ମୋ ଠାରେ କୃତଜ୍ଞ ମଧ୍ୟ l ବଳଦ ଭଳି ଏକ ଯନ୍ତ୍ରଣାଦାୟକ ଜୀବନରୁ ମୁକ୍ତି ଦେଇଛି ବୋଲି ସେ ମୋତେ ଏବେ ସୁଦ୍ଧା ଭୁଲି ପାରୁନି l କିନ୍ତୁ ମୋର ଏକମାତ୍ର ପୁଅ ବିଶୁଆ ମୋ ଠୁଁ ଦୂରେଇଗଲା ଯେ ଦୂରେଇଗଲା l ତାର ଆଉ ଖୋଜ ଖବର ନାହିଁ l
ବିଶୁଆଟାକୁ କେତେ ସରାଗରେ ଶିଖାଇଥିଲି ଢୋଲିକି, ଡୁବି ତବଲା ଭଳି କେତେପ୍ରକାର ବାଦ୍ୟଯନ୍ତ୍ର l ସବୁଥିରେ ତାକୁ ବେଶ ସୁନାମ ମିଳିଲା l ଆମ ଗାଁ ସମେତ ଆଖପାଖ ଅଂଚଳରେ ବାଜା ବଜାଇ ଭଲ ରୋଜଗାର କଲା l ଭାବିଥିଲି ବୁଢ଼ା କାଳଟା ମୋର ଭଲରେ କଟିବ l ହାତକୁ ଦିହାତ କରିବା ପୂର୍ବରୁ ଗୋଟିଏ ମେଲୋଡି ପାର୍ଟି ସହିତ ସାମିଲ ହେଇ ଚାଲିଗଲା ମୁମ୍ବାଇ l ଆଉ କଣ ସେ ଫେରିଲକି ?
ମାସକୁ ମାସ କେଇଟା ଟଙ୍କା ପଠାଇଲା, କିଛି ବର୍ଷ ପରେ ତାହା ଵି ବନ୍ଦ କରିଦେଲା l ଶୁଣିଲି ଯେ ବାହାଚୁରା ହେଇ ସେଠି ବେଶ ଭଲ ପଇସା କମଉଛି, ହେଲେ ଦଶବର୍ଷ ହେଲା ତାର ଆଉ ଖୋଜ ଖବର ନାହିଁ l
କେତେପିଲାଙ୍କୁ ମୁଁ ଢୋଲକି, ତବଲା ନ ଶିଖାଇଛି ହୋ l ଆମ ଗାଉଁଲି ଅଞ୍ଚଳରେ ଏମିତି ଜଣେ ଢୋଲିକି ବାଦକ କି ତବଲା ବାଦକ ନାହିଁ ଯିଏ ମୋର ଛାତ୍ର ନୁହେଁ l ହେଲେ କଣ ହେବ ? ଏଇ ଛାତ୍ରମାନେ ବାଟରେ ଘାଟରେ କେବେ କେମିତି ଦେଖା ହେଇଗଲେ ମାଷ୍ଟ୍ରେ କହି ଲମ୍ବା ଚଉଡା ଜୁହାରଟିଏ ପକାନ୍ତି,କିନ୍ତୁ ମୋର ଦାରିଦ୍ର୍ୟ ଦେଖି ପଇସାଟିଏ ଦିଅନ୍ତିନି l ତାବାଦେ ଆଜିକାଲି ବୁଢ଼ା ହେଇଯିବାରୁ କେହି ମୋତେ ବଜାଇବାକୁ ଡାକନ୍ତିନି l ଆଉ କଣ ବୟସ ଅଛି ଯେ ବଜାଇ ପାରିବି l
ହରିଆଟା ମୋ ପାଖରୁ ଢୋଲିକି ଶିଖୁଛି ବୋଲି କେତେବେଳେ କେମିତି ମୋର ବୋଲହାକ ଶୁଣୁଛି l ତାବାଦେ ବୁଢ଼ୀକି ବଡ଼ମା ଡାକି ତାହା ହାତରେ ଧରାଇଦିଏ କେତେବେଳେ କେମିତି ଟଙ୍କା ଶହେ ଦୁଇଶହ l ଶିଖି ସାରିବା ପରେ ସେ ଵି ଅନ୍ୟଛାତ୍ର ଭଳି ଉଡିଯିବ l ଏଇ କେତେଦିନ ତଳେ କଣ କହୁ ଥିଲା ତ ହରିଆ, କଳାକାର ପାଇଁ ପେନସନ ମିଳିବ l ଫର୍ମ ପୂରଣ କରି ମୋର ଦସ୍ତଖତ ନେଇଛି, ତା ସାଙ୍ଗକୁ ମୋ ଫଟୋ, ଆଧାର କାର୍ଡ, ଇନକମ ସାର୍ଟିଫିକେଟ ଇତ୍ୟାଦି ସେଥିରେ ଗୁନ୍ଥି ବ୍ଲକ ଅଫିସରେ ଜମା କରିଛି l ଯଦି ହେଇଯାନ୍ତା, ମାସକୁ କାଳେ ଚାରିହଜାର ପେନସନ ମିଳିବ ବୋଲି ସେ କହୁଥିଲା l ଦେଖାଯାଉ କଣ ହେଉଛି ?
ହରିଆର ଆଠଦିନ ହେବ ଦେଖାନାହିଁ l କୁଆଡ଼େଗଲା, ଇଲେକ୍ସନ ପ୍ରଚାରରେ ମାତିଛି ନା କଣ l ଏମିତି ଭାବୁଭାବୁ ହରିଆର ପାଟି ଶୁଭିଲା ଘର ଅଗଣାରେ l ସେ ବୁଢୀକୁ କହୁଥିଲା - ଆଲୋ ବଡ଼ମା, ନେଲୁ ପାଁଶହ ଟଙ୍କା l ଘର ଖର୍ଚ୍ଚ କରିବୁ l ଏଇ ଆଠଦିନ ଭିତରେ ଭଲ ପଇସା କମେଇଛି l
ନୀଳମାଷ୍ଟ୍ରେ ଟିକେ ଆଶ୍ଵସ୍ଥ ହେଲେ, ଟଙ୍କାଟିଏ ଘରେ ନ ଥିଲା ତ l ହରିଆଟା ଢୋଲିକି ଓ ତବଲା ବାଦ୍ୟ ଶିଖୁଛି, ଯାହାହେଉ ତା ପାରୁପର୍ଯ୍ୟନ୍ତ କିଛି ଦେଉଛି ବୋଲି ଘର ଚାଲିଛି l ନହେଲେ ଚୁଲି ଜଳନ୍ତାନି l
ଇତ୍ୟାବସରେ ହରିଆ ପହଂଚି କହିଲା - ମାଷ୍ଟ୍ରେ ଏଇ ଝାଡ଼ପଟା ଗାଁର ହୁତାସନ ଜେନା ଯିଏ ଆଗରୁ ସରପଞ୍ଚ ଥିଲା, ଏବେ ବ୍ଲକ ଚେୟାରମେନ, ସେ ତୁମର ଛାତ୍ର ନା ?
ମାଷ୍ଟ୍ରେ ଆଖି ପିଛୁଳାକେ କହିଲେ - ହଁ ହଁ ସେ ପରା ମୋ ଠୁଁ ହରମୋନିୟମ ଶିଖିଛି, ଭାରୀ ପାରଙ୍ଗମ ବଜାଳି l ମୋତେ ଯେଉଁଠି ଦେଖେ ଓଳକି ହୁଏ l କଣ ହେଲା କି ?
ତୁମର କଳାକାର ପେନସନ ଦରଖାସ୍ତଟା ବ୍ଲକ ଅଫିସରେ ପଡିଛି l ଅଫିସଵାଲା ପାଞ୍ଚହାଜର ଘୁସ ମାଗୁଛନ୍ତି l ଚାଲ ନା ଟିକେ ତାଙ୍କୁ କହିବ ଦରଖାସ୍ତକୁ ସୁପାରିଶ କରି ସରକାରଙ୍କର ଉପର ଅଫିସକୁ ପଠାଇଦେବ l
ହଉ ଚାଲୁନୁ ଥରେ ଯିବା l ମୁଁ କହିଲେ ମୋ କଥା ନିଶ୍ଚୟ ଶୁଣିବ, ନୀଳମାଷ୍ଟ୍ରେ ଦୃଢ଼ ସ୍ୱରରେ କହିଲେ l
ସୋମବାର ଶୁଭବେଳାରେ ହରିଆ ସହିତ ନୀଳମାଷ୍ଟ୍ରେ ବ୍ଲକ ଅଫିସ ଅଭିମୁଖେ ଗୋଡ଼ କାଢ଼ିବା କ୍ଷଣି ଦେଖିଲେ ଘର ଆଗ କାମିନୀ ଗଛମୂଳରେ ଷଣ୍ଢ ଶୋଉଛି l ଖୁସିରେ ତା ପାଖକୁ ଯିବା କ୍ଷଣି ଷଣ୍ଢ ଧଡ଼ପଡ଼ ହେଇ ଠିଆ ହେଲା l ମାଷ୍ଟ୍ରେ ତାର ମୁଣ୍ଡ, ସିଂଘ ଓ ଗଳାକୁ ଆଉଁସି କହିଲେ - ଆରେ ନନ୍ଦୀ, ଗୋଟେ ଶୁଭ କାମରେ ଯାଉଛି, ନେ ଏଇ ଫେଣେ କଦଳୀ ଖାଆ l ଯଦି କାର୍ଯ୍ୟଟା ସଫଳ ହେବ, ତେବେ ତୁ ସବୁଦିନେ କୁଣ୍ଡା ତୋରାଣି ମାଧ୍ୟାନ୍ନ ଭୋଜନ ଆମ ଘରେ କରିବୁ l ଚିନ୍ତା କରନା l ଷଣ୍ଢ ମୁଣ୍ଡ ହଳାଇଲା l
ନୀଳମାଷ୍ଟ୍ରେ ସଅଳ ପାଦରେ ଆଗକୁ ଚାଲିଲେ l ବାଟରେ ଚାଲୁ ଚାଲୁ କହିଲେ - ଆରେ ହରିଆ ଜାଣିଛୁ, ଉମବାବୁଙ୍କ ଦେହାନ୍ତ ପରେ ତାଙ୍କ ବଂଶରେ ଇନ୍ଦ୍ରମଣି ବାବୁ ଯିଏ ଜଣେ ବିଚକ୍ଷଣ ଗଣିତ ଶିକ୍ଷକ ଥିଲେ, ସେ ଗାଁରେ ବିଶ୍ଵନାଥ ଶିବ ମନ୍ଦିରଟିଏ ପ୍ରତିଷ୍ଠା କରିଥିଲେ l କେବଳ ସେତିକି ନୁହେଁ, ଷଣ୍ଢକୁ ମହାଦେବଙ୍କର ନନ୍ଦୀ ଭାବରେ ଅନ୍ତା କରି ଛାଡି ଦେଇଥିଲେ l
ବ୍ଲକ ଅଫିସରେ ପହଞ୍ଚି ଦେଖନ୍ତି ଯେ ଚେୟାରମେନ ଆସିନାହାନ୍ତି l ବଡ଼ବାବୁ କହିଲେ - ସାର ଅଧଘଣ୍ଟା ଭିତରେ ଆସିବେ l ଯାହାହେଉ ଚେୟାରମେନ କିୟତ ସମୟ ଅତିକ୍ରାନ୍ତେ ପହଁଚି ସିଧା ନିଜ ଚେମ୍ବରକୁ ପଶିଗଲେ l ଜୁହାର ହେବା ଦୂରର କଥା ନୀଳମାଷ୍ଟ୍ରେଙ୍କ ଆଡକୁ ନଜର ଦେଲେନି l କିନ୍ତୁ ନୀଳମାଷ୍ଟ୍ରେ ତାଙ୍କ ଚେମ୍ବର ଭିତରକୁ ପଶି ଯାଇ ସବୁ କଥା ଜଣାଇଲେ l
ଚେୟାରମେନ ସାମାନ୍ୟ ଋକ୍ଷ କହିଲେ - ଦେଖ ମାଷ୍ଟ୍ରେ, କଳାକାର ଭାବରେ ନିଜକୁ ପ୍ରମାଣ କରିବା ପାଇଁ କୌଣସି ସାର୍ଟିଫିକେଟ ତୁମ ପାଖରେ ନାହିଁ l କେମିତି ପେନସନ ପାଇବ ? ମୁଁ କଣ ଆକାଶରୁ ସାର୍ଟିଫିକେଟ ତୋଳି ଆଣିବି ?
ନୀଳମାଷ୍ଟ୍ରେ ଗର୍ଜି ଉଠିଲେ - କଣ ହେଲା ? ଆମ ଅଂଚଳରେ ତୁମ ଭଳି କେତେ ଛାତ୍ର ମୋର ଅଛନ୍ତି l ତୁମେମାନେ କଣ ଜାଣନି ମୁଁ ଜଣେ ବାଦ୍ୟ କଳାକାର ଯିଏ ଏଇ କଳାରେ ସାରା ଜୀବନ ବିତାଇ ବୁଢ଼ା ହେଲେଣି l ଅଥଚ ତୁମେ ଏତେ ବଡ଼ ପଦବୀରେ ବସିଛ, ଗୋଟେ ସାର୍ଟିଫିଜେଟ ମୋତେ ଦେଇପାରିବନି କି କେଉଁଠୁ ମିଳିବ ତାର ପଦ୍ଧତି ବତାଇ ପାରିବନି ? ଏଣେ ସାର୍ଟିଫିକେଟ ଦବା ପାଇଁ ତୁମ ଅଫିସ ବାବୁ ମାଗୁଛନ୍ତି ପାଞ୍ଚ ହାଜର ଟଙ୍କା ଘୁସ ମୋ ପାଖରୁ ?
ହୁତାସନ ବାବୁ ହଠାତ ରାଗରେ ହୁତାସନ ହେଇ ଠିଆ ହେଇପଡିଲେ l ତାଙ୍କ ଦେହଟା କଟା ଛେଳି ଫଡ଼ିଆ ଭଳି ପ୍ରବଳ ଥରୁଥିଲା l ସେ କହିଲେ - ମାଷ୍ଟ୍ରେ ମୁହଁ ସମ୍ଭାଳି କଥା କୁହ, ଘୁସ ଫୁସ ମୁଁ କିଛି ଜାଣିନି l ସାମାନ୍ୟ ଗାଉଁଲି ବାଜା ବଜାଳି, ମୋତେ କହୁଛି ଘୁସଖୋର l ଶଃ....ଏଠୁ ଗେଟ ଆଉଟ l
ହରିଆର ଟୋକାଳିଆ ଛାତିଟା ସେତବେଳକୁ ରାଗ ଓ ଘୃଣାରେ ଫୁଲି ଉଠୁଥିଲା ଓ ଅଣଚାସ ପବନ ତାର ଦୁଇ ନାକରୁ ଭୁସ ଭୁସ ବାହାରୁଥିଲା l ସେ ଥର ଥର କଣ୍ଠରେ କହିଲା - ମୁଁ ଜାଣିଛି ପରା ତୁମ ଭଳି ରାଜନୀତିଆ ନେତାମାନେ ଭୋଟ ବେଳେ ଲୋକଙ୍କ ଗୋଡ଼ ଧରିବେ, ଆଉ ଭୋଟ ପାଇ ଗାଦିରେ ବସିଲେ ଆମ ଭଳି ଗରିବ, ଖଟିଖିଆ ମେହେନତି ମଣିଷର ଚୁଟି ଧରିବ l
ନୀଳମାଷ୍ଟ୍ରେ ନୀରବରେ ଚେମ୍ବରରୁ ବାହାରି ଆସିଲେ l ଜଣେ ଉଚ୍ଚ ପଦବୀସିକ୍ତ ପୁରାତନ ଛାତ୍ର ଦ୍ୱାରା ଏପରି ଅପମାନିତ ହେବେ ବୋଲି ସ୍ୱପ୍ନରେ ଭାବି ନଥିଲେ l ନିଜର ବାଦ୍ୟ କଳା ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରନ୍ତି, ସମ୍ମାନ ଦିଅନ୍ତି କିନ୍ତୁ କାହାଠାରୁ ଏମିତି ଅପମାନ ପାଇ ନ ଥିଲେ ଜୀବନ କାଳରେ , ପୁଣି ଜଣେ ଛାତ୍ର ଠାରୁ l
ବାଟରେ ହରିଆ ଆଶ୍ୱାସନା ଦେଇ କହୁଥିଲା - ମାଷ୍ଟ୍ରେ ଚିନ୍ତା କରନି, ଏଇ ହୁତାସନକୁ ଦଳ ଏଥର ନିର୍ବାଚନ ଲଢ଼ିବା ପାଈଁ ଟିକେଟ ଦେଇନି, ବରଂ ଜଣେ ଭଲ ପ୍ରାର୍ଥୀକୁ ଟିକେଟ ଦେଇଛି l ନିଶ୍ଚୟ ଏଥର ଜିତି ସେ ବିଧାୟକ ହେବେ l ଯେମିତି ହେଲେ ତୁମର କଳାକାର ପେନସନ କରାଇବି l
ଭଙ୍ଗା ହୃଦୟ ଓ ସନ୍ତାପିତ ମନରେ ନୀଳମାଷ୍ଟ୍ରେ ଘର ଆଗରେ ପହଂଚି ଦେଖନ୍ତି ଯେ ଷଣ୍ଢ ସେମିତି କାମିନୀ ଗଛମୂଳରେ ଚାରକାତ ହେଇ ଶୋଇଛି, ବାହାରୁଛି ତା ମୁହଁରୁ ଫେଣର ଧାରା l ଏମନ୍ତ ଦୃଶ୍ୟରେ ମାଷ୍ଟ୍ରେଙ୍କ ହଂସା ଉଡ଼ିଗଲା l ତାର ମୁଣ୍ଡକୁ ଆଉଁସିଲେ l ସେ ଆଖି ଖୋଲି ଚାହିଁଲା l ଚାହିଁବାଟା ଥିଲା ତାର ଅତି କରୁଣ l
ତରବର ହେଇ ହରିଆକୁ ମାଷ୍ଟ୍ରେ କହିଲେ ଢୋଲିକି ଓ ପାଣି ଲୋଟାଏ ଆଣିବାକୁ l
ତାର ପାଟିରେ ମୁନ୍ଦାଏ ମୁନ୍ଦାଏ ପାଣି ଦେବାକୁ ହରିଆକୁ କହି ନୀଳମାଷ୍ଟ୍ରେ ବେକରେ ଢୋଲିକି ଝୁଲାଇ ବଜାଇଲେ ଶିବ ତାଣ୍ଡବ ତାଳ l ଷଣ୍ଢ ଶତୃଷ୍ଣ ନୟନରେ ବାଜାର ତାଳ ଶୁଣି ଶୁଣି ଆଖି ଧୀରେ ଧୀରେ ବୁଝିବାକୁ ଲାଗିଲା l କିୟତ ମୁହୂର୍ତ୍ତ ଅନ୍ତେ ଚିର ଦିନ ପାଇଁ ସେ ଶୋଇପଡ଼ିଲା l
ନୀଳମାଷ୍ଟ୍ରେ ଷଣ୍ଢ ପେଟ ଉପରେ ମୁଣ୍ଡ ରଖି ବାହୁନି ବାହୁନି କାନ୍ଦି କହୁଥିଲେ - ତୁ ପଶୁ ନ ଥିଲୁରେ ବାବା, ତୁ ଥିଲୁ ଆମ ଅଂଚଳର ନନ୍ଦୀ l କକ୍ଷଚ୍ୟୁତ ଚମକପ୍ରଦ ଉଲାକା ପରି ଦିନେ ଆମ ଅଂଚଳକୁ ଆସିଥିଲୁ,ପୁଣି ଆଜି କୃତଜ୍ଞତାର ବାସ୍ନା ମହକାଇ ବାହୁଡ଼ି ଗଲୁ ତୋର ଅଫେରା ଜଗତକୁ l ମୋ ପାଖରୁ ବୁନ୍ଦାଏ ଉପକାର ପାଇ,ଭସାଇ ଦେଲୁ ତୁ ମୋତେ ତୋର କୃତଜ୍ଞତାର ସାଗରରେ ଜୀବନ ଯାକ l ଆଉ ମଣିଷ ???????
————0000———-
© ମନୋଜ କୁମାର ମହାପାତ୍ର
30.04.2024