ଦୁର୍ଗାଦେବୀରେ ପ୍ରାଗ୍ ଐତିହାସିକ ସଭ୍ୟତା: ଖୋଳି ଦେଇ ଭୁଲିଗଲେ, କୀର୍ତ୍ତିରାଜି ଖୋଜୁଛି ପରିଚୟ
1 min read
- ସମୟକାଳ ଥିଲା ଖ୍ରୀପୂ ୪ର୍ଥ ଶତାବ୍ଦୀରୁ ପ୍ରାୟ ଏକ ହଜାର ବର୍ଷ
- ରାଧାନଗର, ଶିଶୁପାଳଗଡ଼, ଅସୁରଗଡ଼ ଓ ଜଉଗଡ଼ ଭଳି ପ୍ରାଚୀନ
- ଭୁବନେଶ୍ୱର,ବାଲେଶ୍ୱର//TATKAL ODISHA//
- ରିପୋର୍ଟ : ସଂଗୀତା ମହାନ୍ତି
- ++++++++++++++++++++++++++++++
ଦୁର୍ଗାଦେବୀରେ ପ୍ରାଗ୍ ଐତିହାସିକ ସଭ୍ୟତା। ରାଧାନଗର, ଶିଶୁପାଳଗଡ଼, ଅସୁରଗଡ଼ ଓ ଜଉଗଡ଼ ଭଳି ପ୍ରାଚୀନ ସଭ୍ୟତା। ଏହାର ସମୟକାଳ ଥିଲା ଖ୍ରୀପୂ ୪ର୍ଥ ଶତାବ୍ଦୀରୁ ପ୍ରାୟ ଏକ ହଜାର ବର୍ଷ।
ପ୍ରାଚୀନ ସହର ଥିଲା, ଲୋକେ ଚାଷ କରି ଜୀବନ ବିତାଉଥିଲେ। ରାଜ୍ୟ ସଂସ୍କୃତି ବିଭାଗ ଅଧିନସ୍ଥ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ଏହାର ପ୍ରତ୍ନତାତ୍ତ୍ୱିକ ଉତ୍ଖନନ ଓ ସର୍ବେକ୍ଷଣ କଲେ। ମାତ୍ର ଅଧାରୁ ଛାଡ଼ି ଛୁ ମାରିଲା ଉକ୍ତ ସଂସ୍ଥା। ଖୋଳି ଦେଇ ଭୁଲି ଗଲେ। ଫଳରେ ସେଇ ଐତିହାସିକ କୀର୍ତ୍ତିରାଜି ନିଜର ପରିଚୟ ଖୋଜୁଛି ।
ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହୋଇଥିବା ପୂର୍ବରୁ ପ୍ରତ୍ନତାତ୍ତ୍ୱିକ ଭତ୍ଖନନ ଓ ସର୍ବେକ୍ଷଣରେ ବହୁ ସହର ଓ ସଭ୍ୟତାର ଅନୁସନ୍ଧାନ ମିଳିଛି। ସେଗୁଡିକ ମଧ୍ୟରେ ଯାଜପୁର ଜିଲ୍ଲାର ରାଧାନଗର, ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼, ଗଞ୍ଜାମ ଜିଲ୍ଲାର ଜଉଗଡ଼ ଓ ଲାଠି ଏବଂ ପଶ୍ଚିମ ଓଡ଼ିଶାର ଅଶୁରଗଡ଼, ବୁଦ୍ଧିଗଡ଼, ତାରପୁରଗଡ଼।
“ରାଜ୍ୟ ସଂସ୍କୃତି ବିଭାଗ ଅଧିନସ୍ଥ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ପ୍ରତ୍ନତାତ୍ତ୍ୱିକ ଉତ୍ଖନନ ଓ ସର୍ବେକ୍ଷଣ କରିଥିଲା। ମାତ୍ର ଅଧାରୁ ଛାଡ଼ି ଛୁ ମାରିଲା ଉକ୍ତ ସଂସ୍ଥା। ଖୋଳି ଦେଇ ଭୁଲି ଗଲେ। ଫଳରେ ଐତିହାସିକ କୀର୍ତ୍ତିରାଜି ନିଜର ପରିଚୟ ଖୋଜୁଛି “

କିନ୍ତୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ପ୍ରାଗ୍ଐତିହାସିକ ସଭ୍ୟତା ଠାରୁ ଆରମ୍ଭ କରି ବୌଦ୍ଧ ଜୈନ୍ ଓ ନୌବାଣିଜ୍ୟର ବହୁ ପ୍ରମାଣ ମିଳିଥିଲେ ହେଁ ଅଦ୍ୟାବଧି ଉତ୍ତର ଓଡ଼ିଶାରୁ କୌଣସି ସମୃଦ୍ଧ ପ୍ରତ୍ନତାତ୍ତ୍ୱିକ ଅବଶେଷର ସନ୍ଧାନ ମିଳିନଥିଲା। ଖ୍ରୀପୂ ୪ର୍ଥ ଶତାବ୍ଦୀ ଠାରୁ ପ୍ରାୟ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଏସବୁ କିର୍ତ୍ତୀରାଜି ପ୍ରାଚୀନ ଓଡ଼ିଶାରେ ବହୁ ସମୃଦ୍ଧ ନଗରୀ ଭାବେ ମାନ୍ୟତା ପାଇଥିଲା।
ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ୨୦୧୯-୨୧ରେ ବୁଢ଼ାବଳଙ୍ଗ ଓ ସୋଣ ନଦୀ ଅବବାହିକା ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସମୟରେ ବାଲେଶ୍ୱର ସହର ଠାରୁ ୨୦ କିମି ଦୂରରେ ଅବସ୍ଥିତ ରେମୁଣା ବ୍ଲକ୍ ଅଞ୍ଚଳରେ ଦୁର୍ଗାଦେବୀ ଓ ବାଲେଶ୍ୱର ସହର ସନ୍ନିକଟ ରଣସାହିରେ ସହରୀ ସଭ୍ୟତାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଉପଲବ୍ଧ ହୋଇଥିଲା।
ପ୍ରତ୍ନତାତ୍ତ୍ୱିକ ଅବଶେଷର ପର୍ଯ୍ୟାଲୋଚନା ପରେ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଠାରୁ ଉତ୍ଖନନ ନିମନ୍ତେ ସ୍ୱୀକୃତି ପତ୍ର ମିଳିଥିଲା। ଉତ୍ଖନନ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହୋଇ ମଇ ୫ ଯାଏ ଚାଲିଥିଲା। ଆଜକୁ ପ୍ରାୟ ୨୫୦୦ ବର୍ଷ ତଳର ଦୁର୍ଗାଦେବୀ ପ୍ରାଚୀନ ସହର ବୁଢ଼ାବଳଙ୍ଗ ଓ ସୋଣ ନଦୀ ଅବବାହିକାର ମଧ୍ୟଭାଗରେ ପ୍ରାୟ ୫ କିଲୋମିଟର ପରିଧି ବିଶିଷ୍ଟ ମାଟି ନିର୍ମିତ ପ୍ରାଚୀର ଦ୍ୱାରା ପରିବେଷ୍ଟିତ ଥିଲା। ଉଭୟ ପାର୍ଶ୍ୱରେ ଗଙ୍ଗାହାର ଓ ପ୍ରସନ୍ନ ନାଳ ଗଡ଼ଖାଇ ଭାବରେ ଅଦ୍ୟାବଧି ରହିଛି। ଉତ୍ଖନନରୁ ଏହି ସମୟର ପ୍ରାଚୀନ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର, ମାଳି ନିର୍ମିତ ଖେଳଣା, ଲୁହା କଣ୍ଟା ଇତ୍ୟାଦି ଖନନରୁ ପ୍ରାପ୍ତ ହୋଇଥିଲା। ପରବର୍ତ୍ତୀ ଲୌହ ଯୁଗ ସମୟର ଲୁହାର ସ୍ମାଗ, ଭାଲାର ଅଗ୍ରଭାଗ, କଣ୍ଟା ସହ କଳା ଓ ଲାଲ ରଙ୍ଗର ମାଟିପାତ୍ର ସହ ଚିକ୍କଣ କଳା ରଙ୍ଗ ଥିବା ମାଟିପାତ୍ର ମିଳିଥିଲା।
ଦୁର୍ଗାଦେବୀ ପ୍ରତ୍ନତାତ୍ତ୍ୱିକ ଉତ୍ଖନନର ପ୍ରଥମ ପର୍ଯ୍ୟାୟରେ ଆଜକୁ ପ୍ରାୟ ୪୦୦୦ ବର୍ଷ ପୁର୍ବ ବୋଲି ପ୍ରତ୍ନତତ୍ତ୍ୱବିତ୍ ମତ ଦେଇଥିଲେ। ମାତ୍ର ଖନନରୁ ପ୍ରାପ୍ତ ଏସବୁ ସାମଗ୍ରୀ କୁଆଡ଼େ ରହିଲା ତାହା ଜଣାପଡ଼ୁନାହିଁ।

ପ୍ରତ୍ନବିତ୍ଙ୍କ ଖନନ ପରେ ମିଳିଥିବା ତଥ୍ୟାନୁସାରେ ଓଡ଼ିଶାର ପ୍ରାଚୀନ ସଂସ୍କୃତିର ବିକାଶର ପ୍ରାମାଣିକ ତଥ୍ୟ ବିଶେଷ ଭାବେ ମୃଣ୍ମୟପାତ୍ର, ଲୌହ ସାମଗ୍ରୀ ଏବଂ ତାମ୍ରଯୁଗୀୟ ଘରର ନକ୍ସା ଆଦି ଉପଲବ୍ଧ ହୋଇସାରିଥିଲା।
ତାମ୍ର-ପାଷାଣ ଯୁଗ ସମସାମୟିକ। ଏଠାରୁ ଖ୍ରୀଷ୍ଟ ପୂର୍ବ ୨୧୦୦ ରୁ ୧୦୦୦ ସମୟ କାଳ ମଧ୍ୟରେ ଓଡ଼ିଶା ଉନ୍ନତ କୃଷି ସଭ୍ୟତାର ବିକାଶ ଏବଂ ପରେ ପରେ ଖ୍ରୀଷ୍ଟ ପୂର୍ବ ୧୫୦୦ ରୁ ୬୦୦ ବର୍ଷ ସମୟର ଲୌହ ଯୁଗର ବିକାଶ ଏବଂ ଉନ୍ନତ ଗୌର ସାମଗ୍ରୀର ବହୁଳ ବ୍ୟବହାର ଏବଂ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟ ପୂର୍ବ ୪୦୦ ଦଳକୁ ସହରୀ ସଭ୍ୟତାର ବିକାଶ ହୋଇଥିବାର ପ୍ରମାଣ ବି ମିଳିଛି। ମାତ୍ର ଖନନ ହେଉନି କି ଗବେଷଣା ହେଉନି।
ଅଧପନ୍ତିଆ ଭାବେ ପଡ଼ିରହିଛି ଐତିହ୍ୟ ସ୍ଥଳ। ତେଣୁ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେବେ ବୋଲି ସଚେତକ ମହଲରେ ମତ ପ୍ରକାଶ ପାଇଛି।