ମାଲକାନାଗିରିରେ ପ୍ଲାଜମା ଦାନ : ପ୍ରସ୍ତୁତ ହେବ ବ୍ଲକ ୱIରୀ ତାଲିକା
ଭୁବନେଶ୍ୱର/ମାଲକାନାଗିରି, (ତତ୍କାଳ ଓଡିଶା ବ୍ୟୁରୋ): ମାଲକାନାଗିରିରେ ପ୍ଲାଜମା ଦାନ ପାଇଁ ବ୍ଲକ ୱIରୀ ତାଲିକା ପ୍ରସ୍ତୁତ କରିବାକୁ ହେବ I ସଚେତନତା ବି ଜରୁରୀ I ଏହି ନିର୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାର କୋଭିଡ-19 ପରିଚାଳନା ଓ ପ୍ଲାଜମା ଦାନ କାର୍ଯ୍ୟକ୍ରମର ଦାୟିତ୍ୱ ଗ୍ରହଣ ପରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା I
ଓକାକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଭିଡିଓ କନଫରେନ୍ସ ଯୋଗେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ, ବ୍ଲକ ପ୍ରଶାସନ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ସେ ଆଲୋଚନା କରିଛନ୍ତି I ଉକ୍ତ ବୈଠକରେ କୋଭିଡ-19 ପରିଚାଳନା ସ୍ଥିତି, କରୋନା ମହାମାରୀ ଏବଂ ପ୍ଲାଜମା ଦାନ ସମ୍ପର୍କିତ ଜନ ସଚେତନତା କାର୍ଯ୍ୟକ୍ରମ, କୋଭିଡ-19 ରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ବ୍ଲକୱାରି ସବିଶେଷ ବିବରଣୀ, ଆଗାମୀ ଦିନରେ ଆସିବାକୁ ଥିବା ସମ୍ଭାବ୍ୟ ପରିସ୍ଥିତି ଓ ଆହ୍ୱାନ, ପ୍ଲାଜମା ଦାନ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଯୋଜନା ପ୍ରସ୍ତୁତି ସହ ଅନ୍ୟାନ୍ୟ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା I
ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ଜିଲ୍ଲାର ସମସ୍ତ ଡାକ୍ତର, ନର୍ସ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି, ଆଶା କର୍ମୀ, ପୋଲିସ ଓ ସରକାରୀ କର୍ମଚାରୀଙ୍କ ଉଦ୍ୟମ ବଳରେ ଜିଲ୍ଲାର ସଂକ୍ରମଣ ହାରକୁ ଯଥେଷ୍ଟ କମ କରିବାରେ ଆମେ ସକ୍ଷମ ହୋଇ ପାରିଛୁ I ଆଗାମୀ ଦିନରେ କୋଭିଡ-19 ମହାମାରୀ ବିରୋଧରେ ଚାଲିଥିବା ଏହି ଯୁଦ୍ଧରେ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି I ତାହାକୁ ସଫଳ କରିବା ପାଇଁ ସମସ୍ତଙ୍କ ନିଷ୍ଠାପର ଉଦ୍ୟମ ନିହାତି ଆବଶ୍ୟକ I
ଏହି ଭିଡ଼ିଓ କନଫରେନ୍ସରେ ମାଲକାନଗିରି ଜିଲ୍ଲାପାଳ, ଏସପି, ସିଡିଏମଓ., ଜିଲ୍ଲାର ସମସ୍ତ ତହସିଲଦାର, ସମସ୍ତ ବିଡିଓ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I