ଭବାନୀପାଟଣା ସଟଡାଉନ
କଳାହାଣ୍ଡି, (ତତ୍କାଳ ଓଡିଶା ବ୍ୟୁରୋ): କଳାହାଣ୍ଡି ଜିଲ୍ଲାରେ ପୁଣି ୧୨ କରୋନା ପଜିଟିଭ ରିପୋର୍ଟ ଆସିଥିବା ବେଳେ ଦଶ ଜଣ କରୋନା ଯୋଦ୍ଧାଙ୍କ ପଜିଟିଭ ବାହାରିଛି I ସେଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରକୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି I
ଭବାନୀପାଟଣା ସହର ମଧ୍ୟରେ ଘରକୁ ଘର ବୁଲି କରୋନା ଲକ୍ଷଣ ପରୀକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳ ଭବାନୀପାଟଣା ସହରକୁ ଆଦେଶ ନଂ.୯୭୦ ତା.୨୪.୦୭.୨୦୨୦ ଅନୁସାରେ ସଟଡାଉନ ଘୋଷଣା କରିଛନ୍ତି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଡାକ୍ତରଖାନା ଏବଂ ଦାୟୀତ୍ୱରେ ଥିବା ପଦାଧିକାରୀଙ୍କୁ ବାଦ ଦିଆଯାଇଥିବା ପ୍ରକାଶ ।
ଏଥିପୂର୍ବରୁ ଜୟପାଟଣା ବ୍ଲକର ମୁଖିଗୁଡା ଓ ବାନେର ପଂଚାୟତ ତଥା କଲମପୁର ବ୍ଲକର ବିଜମରା ଗ୍ରାମପଂଚାୟତକୁ ସଂପୃକ୍ତ ସରପଂଚମାନେ ସଟଡାଉନ ଘୋଷଣା କରିଥିବା ଜଣାପଡିଛି ।
ଏଭଲି କ୍ରମାଗତ ଭାବେ ପଜିଟିଭ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଅନ୍ୟ ହଟ ସ୍ପଟ ଜିଲ୍ଲାରୁ କଳାହାଣ୍ଡିକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପାଇଁ କ୍ୱାରେନଟାଇନରେ ରହିବା ବାଧ୍ୟତା ମୂଲକ ବୋଲି ପୂର୍ବରୁ କଳାହାଣ୍ଡି ଜିଲ୍ଲାପାଳ କଡା ନିଦେ୍ର୍ଦଶ ଜାରି କରିଥିଲେ । ସେଥିପାଇଁ ସଂପୃକ୍ତ କୋଭିଡ ପରିଚାଲନା କମିଟୀ, ଗ୍ରାମପଂଚାୟତ ନୋଡାଲ ଅଧିକାରୀ ତଥା ସରପଂଚ ମାନଙ୍କୁ ସଜାଗ ରହିବାକୁ ନିର୍ଦେଶନାମାରେ କୁହାଯାଇଛି । ସେହିପରି ଜନସାଧାରଣଙ୍କ ଭିଡ ହେଉଥିବା ଦୃଷ୍ଟିରୁ ଜିଲ୍ଲାସାରା ସମସ୍ତ ସାପ୍ତାହିକ ବଜାରକୁ ମଧ୍ୟ ବାରଣ କରାଯାଇଛି ।ରିପୋର୍ଟ : ଦୁଷ୍ମନ୍ତ ପଣ୍ଡା
