ସ୍ୱତନ୍ତ୍ର ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତି

0
  • ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି


1ଏପ୍ରିଲ 1936 I

ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଆଜି ପବିତ୍ର ଜନ୍ମଦିବସ |

1892ମସିହା ଏପ୍ରିଲ 26ରେ ସେ ଜନ୍ମ ହୋଇ 1974 ମେ 25ରେ ପରଲୋକ ପ୍ରାପ୍ତ ହୋଇଥିଲେ |ତାଙ୍କ ପିତାମାତାଙ୍କ ନାମ ଥିଲା ଯଥାକ୍ରମେ ଗୌର ଚନ୍ଦ୍ର ନାରାୟଣ ଦେଵ ଓ ରାଧାମଣୀ ଦେଵୀ | ପାରଳାଖେମୁଣ୍ଡି ସ୍ଥିତ ମହାରାଜା ହାଇସ୍କୁଲରୁ ଶିକ୍ଷା ସମାପ୍ତ କରି ମାଡ୍ରାସ Newngton collegeରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ | ସେଠାରେ ପଢୁ ଥିବା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା |ତେବେ ଶିକ୍ଷା ସମାପ୍ତ କରି ସେ ନିଜ ଜମିଦାରୀ ପାରଳାଖେମୁଣ୍ଡି ଫେରିଆସି ନିଜ ଦାୟିତ୍ୱ ସମ୍ପାଦନରେ ନିଜକୁ ନିୟୋଜିତ କଲେ |1913 ମସିହାରେ ସେ ଖରସୁଆଁ ରାଜ କୁମାରୀଙ୍କୁ ବିବାହ କରିଥିଲେ |ସେ ନଳିନୀ ପାଟ ମହାଦେବୀ ନାମରେ ପରିଚିତ ହେଲେ |

ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ପାରଳାଖେମୁଣ୍ଡିରେ ଜୟପୁର ମହାରାଜା ବିକ୍ରମ ଦେବ ବର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ଓ ଏହି ଅଧିବେଶନରେ କୃଷ୍ଣଚନ୍ଦ୍ର ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ତାଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ |

“ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଥିଲେ ବିଦ୍ୟାନୁରାଗୀ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରେମୀ, ଉଦାର ହୃଦୟର ମଣିଷ”

ନିଜର ଦାବି ଉପସ୍ଥାପନ ପାଇଁ ଇଂଲଣ୍ଡରେ ଅନୁଷ୍ଠିତ ଗୋଲ ଟେବୁଲ ବୈଠକରେ ଯୋଗ ଦେଇ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଦୃଢ ଯୁକ୍ତି ଉପସ୍ଥାପନା କରିଥିଲେ |ତାଙ୍କ ଯୁକ୍ତି ଏତେ ଦୃଢ ତଥା ହୃଦୟ ସ୍ପର୍ଶି ଥିଲା ଯେ ଇଂଲଣ୍ଡର ସାଧାରଣ ଜନତାଙ୍କୁ ଛୁଇଁ ଥିଲା |ଏମିତି କି ଭାରତୀୟ ମାନେ ମଧ୍ୟ ସ୍ୱତନ୍ତ୍ର ଓଡିଶା ଗଠନ ଦାବିର ଯଥାର୍ଥତା ବୁଝି ପାରିଥିଲେ |


ଇଂଲଣ୍ଡରେ ପ୍ରଥମ ଗୋଲ ଟେବୁଲ ବୈଠକରେ ଯୋଗ ଦେବା ସମୟର କଥା ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଦର୍ଶ ତାହା ଏଠାରେ ନ ଲେଖିଲେ ସେ ମହାତ୍ମାଙ୍କ ପ୍ରତି ଅସମ୍ମାନ ହେବ ନିଶ୍ଚୟ |ସେ ଅନେକ ବିନିଦ୍ର ରଜନୀ ବିତେଇ ଥାନ୍ତି ନିଜକୁ ବୈଠକ ପାଇଁ ପ୍ରସ୍ତୁତ କରିବାକୁ |ସେ ରହୁଥିବା ବଙ୍ଗଳା ପରିସରରେ ଏକ ଗଛ ମୂଳରେ ବସି ଲେଖାରେ ବ୍ୟସ୍ତ ଥାନ୍ତି | ତାଙ୍କ ସହଯୋଗୀ ଶ୍ରୀରାମ ସ୍ୱାମୀ ମୁଦାଳିୟାର ତାଙ୍କୁ ପଚାରିଲେ “ଆପଣଙ୍କ ଭାଷଣ ଲେଖାରେ ସହାଯ୍ୟ କରିପାରିବି?

ଗଜପତି କୃଷ୍ଣଚନ୍ଦ୍ର ଉତ୍ତର ଦେଲେ,”ତୁମେ ନିଶ୍ଚୟ ଭଲ ଭାଷାରେ ଭାଷଣ ଲେଖି ପାରିବ, ହେଲେ ତୁମେ ମୋ ଓଡ଼ିଆ ହୃଦୟର ଭାବନା କିପରି ପାଇପାରିବ?” ଏଭଳି ଓଡ଼ିଆ ଭାଷା ପ୍ରେମ ଆଜି କାହିଁ? 1937ମସିହା ଏପ୍ରିଲ 1ତାରିଖରେ ସେ ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ସେହି ବର୍ଷ ଜୁଲାଇ 19ପର୍ଯ୍ୟନ୍ତ ଦାୟିତ୍ୱ ସମ୍ପାଦନ କରିଥିଲେ | 1941ନଭେମ୍ବର 29ରେ ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ କାର୍ଯ୍ୟ କରିଥିଲେ | ତାଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ, ଉଚ୍ଚ ନ୍ୟାୟାଳୟ, ବିଦ୍ୟାଧର ପୁର ଧାନ ଗବେଷଣା କେନ୍ଦ୍ର ଆଦି ସ୍ଥାପିତ ହୋଇଥିଲା |
ସେ ଥିଲେ ବିଦ୍ୟାନୁରାଗୀ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରେମୀ, ଉଦାର ହୃଦୟର ମଣିଷ |

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ଉନ୍ନତି ପାଇଁ ସେ ପାରଳାଖେମୁଣ୍ଡିରେ ଏକ theatre ଗୃହ ନିର୍ମାଣ କରିଥିଲେ |ସେ ଥିଲେ ଲକ୍ଷ୍ମୀ ଓ ସରସ୍ବତୀଙ୍କ ବରପୁତ୍ର | ଓଡ଼ିଶାରେ ବିଦ୍ୟାର ପ୍ରସାର ପାଇଁ ଉତ୍କଳ ବିଶ୍ଵ ବିଦ୍ୟାଳୟ ଗଠନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଓ ଆଜୀବନ ଏହାର ସଭ୍ୟ ଥିଲେ |ସେ ଯେତେବେଳେ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିଲେ ସେ କେବେ ବି ଗସ୍ତ ଖର୍ଚ୍ଚ ନେଉନଥିଲେ |

ଜଣେ ବନ୍ଧୁଙ୍କ ପରାମର୍ଶରେ ସେ ଗସ୍ତ ଖର୍ଚ୍ଚ ନେବାକୁ ରାଜିହେଲେ, ସର୍ତ୍ତ ଥିଲା ସେ ଏହି ଅର୍ଥକୁ ଆର୍ଥିକ ଅନାଟନରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦାନ କରିବେ |ତାହା ହିଁ ହେଲା | କିନ୍ତୁ କେତେକ ଚକ୍ରାନ୍ତକାରୀଙ୍କ ଶିକାର ହେଲେ ଏହି ସ୍ୱାଭିମାନୀ ଓଡ଼ିଆ |ପରିଣତ ବୟସରେ କୃଷ୍ଣଚନ୍ଦ୍ର ଗଜପତି ଏକ ସରକାରୀ ପତ୍ର ପାଇଲେ |

ଓଡିଶା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଏ ପତ୍ର ଦେଇଥିଲେ | ସେଥିରେ ଲେଖାଥିଲା, “ଆପଣ ଗସ୍ତ ଖର୍ଚ୍ଚ ବାବଦରେ ଅଧିକ ଅର୍ଥ ନେଇଥିବାରୁ ତାହା ସରକାରଙ୍କୁ ଫେରେଇ ବାକୁ ପଡିବ |”ଏକଥା ସ୍ୱାଭିମାନୀ କୃଷ୍ଣଚନ୍ଦ୍ରଙ୍କୁ ବାଧିଲା | ସେ ଏକ ” ବ୍ଲାଙ୍କ ଚେକ’ ସହିତ ସରକାରୀ ଅଧିକାରୀଙ୍କୁ ଚିଠି ଦେଇଥିଲେ |ସେଥିରେ ଲେଖି ଥିଲେ, “ମୁଁ ଯେଉଁ ଅଧିକ ଟଙ୍କା ଗସ୍ତ ଖର୍ଚ୍ଚ ବାବଦରେ ନେଇଛି ସେହି ପରିମାଣ ଏଥିରେ ଲେଖି ସରକାରଙ୍କୁ ଫେରସ୍ତ ଦିଅନ୍ତୁ | ଅନୁରୋଧ କରୁଛି ଦ୍ଵିତୀୟ ଥର ପାଇଁ ଏଭଳି ଚିଠି ପ୍ରେରଣ ନ କରନ୍ତି | ସତରେ ଏ ଜାତି କେତେ ଅକୃତଜ୍ଞ! ଏଭଳି ପତ୍ର ଦେବା ପୁର୍ବରୁ ଭୁଲିଗଲା ଯେ ଏହା ସ୍ୱତନ୍ତ୍ର ଓଡିଶା ଗଠନର ଅନ୍ୟତମ ବିନ୍ଧାଣିଙ୍କୁ ଲେଖା ଯାଉଛି ଯିଏ ନିଜ ରାଜକୋଷରୁ ଅଜସ୍ର ଟଙ୍କା ଖର୍ଚ୍ଚ କରି ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ବହୁବାର ଲଣ୍ଡନ, ଦିଲ୍ଲୀ, ସିମଳା, କଲିକତା, ପାଟନା ଗସ୍ତ କରିଥିଲେ |

ସ୍ୱାଧୀନତା ପୁର୍ବବର୍ତ୍ତୀ ଓଡିଶା ରାଜନୀତିରେ ଧୃବିକରଣ ହେଲା | ଓଡିଶାରେ ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିବା କୃଷ୍ଣଚନ୍ଦ୍ର ଗଜପତି ସ୍ୱାଧୀନତା ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ବିଧାୟକ ହେବାକୁ ନାମାଙ୍କନ ପତ୍ର ଦାଖଲ କରିଥିଲେ | ତାଙ୍କର ବିଜୟ ସୁନିଶ୍ଚିତ ଥିଲା |

ସ୍ୱତନ୍ତ୍ର ଓଡିଶା-କୋଣାର୍କର ମୁଣ୍ଡି ମାରିଥିବା ଏହି ଧର୍ମପଦଙ୍କୁ କିଏ ବା ହରାଇଥାନ୍ତା? ମାତ୍ର ରାଜନୀତିରେ କୂଟନୀତି ପଶିଗଲା | ନିୟତିର ଚରମ ଉପହାସରେ ନିର୍ବାଚନ ଅଧିକାରୀ ଗଜପତିଙ୍କ ପ୍ରାର୍ଥପତ୍ର ରଦ୍ଦ କରିଦେଲେ | କାରଣ ଦିଆଗଲା ମହାରାଙ୍କ ବାଣିଜ୍ୟ ବ୍ୟବସାୟ ମାନ୍ଦ୍ରାଜ ମହାନଗରୀ ରେ ଚାଲୁଛି | ଜଣେ ବିଧାୟକ ବ୍ୟବସାୟ କରିପାରିବେ ନାହିଁ | ଏହା ସମ୍ବିଧାନ କଥା, ଯେଉଁ ସମ୍ବିଧାନ ନିଜେ କୃଷ୍ଣଚନ୍ଦ୍ର ଗଜପତି ନିଜେ ଅନ୍ୟ ସମ୍ବିଧାନ ପ୍ରଣୟନ କାରୀ ସଭ୍ୟଙ୍କ ସହିତ ମିଶି ଲେଖିଛନ୍ତି!ଏହା ସତ୍ୟର ଅପଳାପ ଥିଲା |ଗଭୀର ଅଭିମାନରେ ଗଜପତି ପଙ୍କିଳ ରାଜନୀତିରୁ ଓହରିଗଲେ ଏବଂ ଭଗବାନଙ୍କ ପରି ନୀରବ ରହିବାକୁ ପସନ୍ଦ କଲେ | ଓଡିଶା ସ୍ୱାଧୀନତା ପରେ ଏକ ମୂଲ୍ୟବୋଧ ଭିତ୍ତିକ ଶାସନ ବ୍ୟବସ୍ଥାରୁ ବଞ୍ଚିତ ହୋଇ ରହିଗଲା |


ଆଜି ଆମର ପରିଚୟ ଆମ ଓଡ଼ିଆ ଭାଷା, ତା ପରିଚୟ ଖୋଜୁଛି | ଭାଷା ଭିତ୍ତିକ ପ୍ରଥମ ରାଜ୍ୟରେ ଭାଷା, ସୀମା, ଅସୁରକ୍ଷିତ |ଏସବୁ ଦେଖି ଗଜପତି କୃଷ୍ଣଚନ୍ଦ୍ରଙ୍କ ଆତ୍ମା ବିଳାପ କରୁଥିବ!
ଭାଷା, ସଂସ୍କୃତିର ସୁରକ୍ଷା ପାଇଁ ଆମକୁ ଆଜିର ଦିନରେ ଶପଥ ନେବାକୁ ହେବ ଆଉ ତାହା ହେବ ଗଜପତିଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି 🙏
(ସହାୟକ ଗ୍ରନ୍ଥ “ବିଧାତାର ଚରମ ରସିକତା ଭାଗ-4)

ବନ୍ଦେ ଉତ୍କଳ ଜନନୀ

  • ଶ୍ରୀକାନ୍ତ ଦାଶ
    ସଭାପତି,”ଅବି “ଓ ସାଧାରଣ ସମ୍ପାଦକ,ଓଡ଼ିଆ ଜାତୀୟ ସମ୍ମିଳନୀ 🙏ଦୂରଭାଷ 9238304919

Leave A Reply

Your email address will not be published.