ମନୋଜ କୁମାର ମହାପାତ୍ରଙ୍କ ନୂଆ ଗଳ୍ପ-‘ଓଡ଼ିଆ ସାଆନ୍ତେ’
****************
ମନୋଜ କୁମାର ମହାପାତ୍ର
*****************
//ଓଡ଼ିଆ ସାଆନ୍ତେ//
ରାତ୍ରି ପ୍ରାୟ ବାରଟା ହେବ l କ୍ଷିପ୍ର ଗତିରେ ଲିଫ୍ଟ ତିରିଶ ମହଲାରୁ ଗ୍ରାଉଣ୍ଡ ଫ୍ଲୋର ଅଭିମୁଖେ ଆସୁଥିଲା l କ୍ଵାଣ୍ଟମ ଫିଜିକ୍ସର ସୁନାମଧନ୍ୟ ବୈଜ୍ଞାନିକ ମାର୍ଶାଲ ଇମର୍ଶନଙ୍କର ମୁହଁ ବିମର୍ଶ, ଚୁପଚାପ ଠିଆ ହେଇଥିଲେ ଲିଫ୍ଟ ଭିତରେ l ହଠାତ ଲିଫ୍ଟ କାନ୍ଥରେ ମରାଯାଇଥିବା ଛୋଟ ଗୋଲାକାର ଛବିଟି ଉପରେ ନଜର ପଡିବାରୁ ସେ ତାକୁ ନିଠେଇ ଚାହିଁଲେ l ଭିତରଟା ଧଳାରଙ୍ଗ ଓ ତାହା ଭିତରେ ଛୋଟ ଗୋଲେଇ କଳାରଙ୍ଗ,ପତାଶୂନ୍ୟ ଆଖି ଭଳି ଅବଶ୍ୟ ଦେଖାଯାଉଥିଲା କିନ୍ତୁ ଆଖି କହିଲେ ଭୁଲ ନିଶ୍ଚିତ ହେବ l
ତାଙ୍କର ଆଖି ଏମିତି ସେଇ ଚକାଆଖିରେ ଲାଖିଗଲା ଯେ ସେଥିରୁ ଫେରେଇ ଆଣିବା ଅସମ୍ଭବ ମନେହେଉଥିଲା ତାଙ୍କ ପାଇଁ l କି ଅଦ୍ଭୁତ ଚକା ଆଖି ! ଜୀବନରେ ଏଭଳି ଚକାଆଖି ଦେଖିବା ବୋଧେ ପ୍ରଥମ l ଘୋର ଭାବନାରେ ସେ ସ୍ଥିର କିନ୍ତୁ ଭିତରେ ଘାଣ୍ଟି ହେଉଥିଲେ ଅନିଶ୍ଚିତତାର ଦୁଃଖ ପାଇଁ l ସେ ଅତ୍ୟନ୍ତ ବିବ୍ରତ l ଇତ୍ୟବସରେ ଲିଫ୍ଟ ଗ୍ରାଉଣ୍ଡ ଫ୍ଲୋରରେ ପହଂଚିଗଲା l
ଚଞ୍ଚଳ ପାଦରେ ନିକଟସ୍ଥ ହସପିଟାଲ ଭିତରକୁ ପ୍ରବେଶ କଲେ ବୈଜ୍ଞାନିକ ମାର୍ଶାଲ l ଏକମାତ୍ର ଦଶବର୍ଷର ପୁଅ ୱାର୍ଡ ବେଡ଼ରେ ଶୋଇଛି ଏବଂ ପତ୍ନୀ ଅଶ୍ରୁଭରା ଆଖିରେ ପୁଅର କପାଳକୁ ଆଉଁସି ଦେଉଛନ୍ତି l
ପତ୍ନୀ ବାଷ୍ପରୁଦ୍ଧ କଣ୍ଠରେ ପଚାରିଲେ - ଚର୍ଚ୍ଚରେ ପ୍ରଭୁଙ୍କ ନିକଟରେ ପୁଅ ପାଇଁ ପ୍ରାର୍ଥନା ତୁମେ କଲ ତ ?
ମାର୍ଶାଲ କହିଲେ - ହଁ, ପ୍ରଭୁଙ୍କ ଇଛା l
ଏମନ୍ତ ସମୟେ ପୁଅ ଆଖି ଖୋଲିଲା l ବାପାଙ୍କୁ ଚାହିଁ ହସିଲା l ତାର ମୁହଁ ବେଶ ଦୀପ୍ତିବନ୍ତ l କ୍ଷୀଣ ସ୍ୱରରେ କହିଲା - ଡ଼ାଡ଼ି, କାଲି ମୁଁ ଆଖିବୁଜି ମନେମନେ ଯୀଶୁଙ୍କର କ୍ରସକୁ ଚାହିଁ ପ୍ରାର୍ଥନା କରୁଥିଲି l ହଠାତ ଆଖିରେ ପ୍ରବଳ ନିଦ ଘୋଟିଗଲା,ଶୋଇପଡ଼ିଲି, ଓହୋଃ.... ମାଇଁ ଗଡ଼,ଏମିତି ନିଦ !
ଏତକ କହି ପୁଅ ପୁଣି ହସିଲା l ଏଥର ହସ ଆଗ ଅପେକ୍ଷା ଖୁବ ସ୍ପଷ୍ଟ ଥିଲା l ଡ଼ାଡ଼ିଙ୍କୁ ଚାହିଁ ହସୁ ହସୁ କହିଲା - ଡ଼ାଡ଼ି, ନିଦ ମୋତେ କୋଳେଇ ନେଲା ସତ,କିନ୍ତୁ ପହଞ୍ଚାଇଦେଲା ଏମିତି ଏକ ସ୍ୱପ୍ନ ଜଗତରେ ଯେ ସେଠାରୁ ମୋତେ ଆସିବାକୁ ଇଛା ହେଉନଥିଲା l
ମାର୍ଶାଲ ଚିଈଁକି ଉଠିଲେ l ଏଇ ଚିଇଁକି ଉଠିବା ଭିତରେ ସେ ଅନୁଭବ କଲେ, ସତେ ଯେମିତି ତାଙ୍କର ସର୍ବାଙ୍ଗ ଶରୀରର ଲୋମକୂପ ଉଷ୍ଣ ପ୍ରଶ୍ରବଣ ପାଲଟି ଯାଉଛି ? ସେ ପୁଅ ଆଡକୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ କହିଲେ - ହ୍ବାଟ ନେକଷ୍ଟ ଫ୍ରେଡ଼୍ରିକ !!!!!
ପୁତ୍ର ଫ୍ରେଡ଼୍ରିକ ପୁଣି ହସିଲା କିନ୍ତୁ ଏଇ ହସ ଆଗ ଦୁଇଟି ହସ ଅପେକ୍ଷା ଖୁବ ପ୍ରଶାନ୍ତିରେ ପରିପୂର୍ଣ୍ଣ ଥିଲା l ସେ କହିଲା - ଡ଼ାଡ଼ି,ଯେଉଁ କ୍ରସକୁ ଚାହିଁ ମୁଁ ପ୍ରଭୁ ଯୀଶୁଙ୍କୁ ସ୍ମରଣ କରୁଥିଲି, ସେହି କ୍ରସଟି ହଠାତ ସରୁ ନାଲି ଦ୍ଵିତୀୟା ଜହ୍ନରେ ବଦଳି ଗଲା l ସତେକି ନାଲି ଜହ୍ନଟି ଦିଗହୀନ ନୀଳ ଆକାଶରେ ଲୁଚକାଳି ଖେଳ ଖେଳୁଥିଲା, ବେଳେ ଦେଖାଯାଉଥିଲା ପୁଣି ବେଳେ ଦେଖାଯାଉନଥିଲା l ଡ଼ାଡ଼ି, ସତରେ ତୁମେ ନ ଦେଖିଲେ ଏହି ଦୃଶ୍ୟକୁ ବୁଝିପାରିବନି l
ମାର୍ଶାଲଙ୍କର ଧୈର୍ଯ୍ୟଚ୍ୟୁତ ପ୍ରବଳ ବେଗରେ ଘଟୁଥିଲା l ସେ ବିକଳ ହେଇ କହୁଥିଲେ - ଆରେ ଫ୍ରେଡ଼୍ରିକ,କହନା ଶୀଘ୍ର, ଆଉ କଣ ଦେଖିଲୁ ?
ଏଥର ଫ୍ରେଡ଼୍ରିକର ହସ ଅତି ବିଚିତ୍ର ଥିଲା,ଯାହା ତାର ଗୋଟାକଯାକ କୈଶରିକ ମୁହଁକୁ ଆଲୋକିତ କରୁଥିଲା l ସେ କହିଲା - ଡ଼ାଡ଼ି..... ହଠାତ ଦେଖିଲି ନାଲି ଦା' ଭଳି ଦେଖାଯାଉଥିବା ଜହ୍ନଟା ଏକ ପ୍ରକାଣ୍ଡ ଗୋଲାକାର ଚକ ପାଲଟିଗଲା l ଚକ ଭିତରଟା ଧଳାରଙ୍ଗ,ତା'ର ମଝିରେ କଳାରଙ୍ଗର ବୃହତ ବିନ୍ଦୁ l ମୋତେ କିଏ ସେଇ କଳାବିନ୍ଦୁ ଭିତରକୁ ଠେଲିଦେଲା l ତାପରେ ସବୁ କଳା, ଯେଉଁ ଧଳାରଙ୍ଗ ଦେଖିଥିଲି ତାହା ଵି କିଟମିଟ କଳା ପାଲଟିଗଲା l ମୋତେ ଲାଗୁଥିଲା ସତେକି ମୁଁ ଗୋଟିଏ ବୃହତ ଘୁର୍ଣ୍ଣୟମାନ ଚକ ଭିତରେ କେବଳ ଘୁରୁଛି l କିନ୍ତୁ କଳା ଭିତରଟା ଆଦୌ କଳା ନୁହେଁ ବରଂ ଶୁଭ୍ର ଜ୍ୟୋତିର୍ମୟ l ତାପରେ ନିଦ ଭାଙ୍ଗିଗଲା l
ମାର୍ଶାଲ ଇମର୍ଶନ ହତବାକ,ଡିମା ଡିମା ଆଖିରେ ସିନା ପୁଅକୁ ଅନାଇଥିଲେ,କିନ୍ତୁ ଲିଫ୍ଟର କାନ୍ଥରେ ମରାଯାଇଥିବା ଚକାଆଖିର ରୂପ ବାରମ୍ବାର ଉଦ୍ଭାସିତ ହେଉଥିଲା ତାଙ୍କ ମାନସପଟରେ l
ଓହୋଃ.... ତାହାଲେ ବିଜ୍ଞାନ ଯାହା କହେ ତାହା ବୋଧେ ସତ୍ୟ - ସମଗ୍ର ବ୍ରହ୍ମାଣ୍ଡରେ ଯାହା ଦେଖାଯାଏ ତାହା କେବଳ ପାଞ୍ଚ ପ୍ରତିଶତ, ଆଉ ପଞ୍ଚାନବେ ପ୍ରତିଶତ ଘନ ଅନ୍ଧାର ଅର୍ଥାତ ବ୍ଲାକ ବସ୍ତୁ ଓ ଉର୍ଜାରେ ଭରପୁର l କିନ୍ତୁ ପୁଅ କଣ କହୁଛି ? ବ୍ଲାକ ଭିତରେ କଣ ଲାଇଟ ?
ଡାକ୍ତର ତ କହିସାରିଛନ୍ତି ପୁଅ ଫ୍ରେଡ଼୍ରିକର ଜୀବନ କାଳ କ୍ଷୀପ୍ର ବେଗରେ ସରିଆସୁଛି l ଦୁଇ ଦୁଇଟା ଅପରେସନ ସତ୍ୱେ ବଂଚିବାର ଆଶା ଆଉ ନାହିଁ, ଲିଭର ଖୁବ କ୍ଷତିଗ୍ରସ୍ତ l ଡାକ୍ତର ହାତ ଟେକିଦେଇ କହିଛନ୍ତି - ଈଶ୍ଵର ହିଁ ଭରସା l
ମାର୍ଶାଲ ପୁଅ ପାଖରେ ଠିଆ ହେଇପାରିଲେନି,ଏଭଳି ସ୍ୱପ୍ନ କଣ ମୃତ୍ୟୁ ପୂର୍ବର ସଂକେତ ନା କଣ !!!! ସେ ଡାକ୍ତରଙ୍କ ଚେମ୍ବରକୁ ଥରଥର ପାଦରେ ପ୍ରବେଶକଲେ,ପରାମର୍ଶ ପୁଣି ନେବେ l ତାଙ୍କ ପରାମର୍ଶ ଯୋଗୁ ତ ସେ ବାରମ୍ବାର ଚର୍ଚ୍ଚ ଯାଇ ପ୍ରାର୍ଥନା କରୁଛନ୍ତି l ପୁଅର କିଛି ଉନ୍ନତି ହେଉଛି କି ନାହିଁ ପୁଣି ତାଙ୍କୁ ପଚାରିବେ ବୋଲି ଧାଇଁ ଆସିଛନ୍ତି ତାଙ୍କ ଚେମ୍ବରକୁ l
ଯେଉଁ ଡାକ୍ତର ଫ୍ରେଡ଼୍ରିକକୁ ଟ୍ରିଟମେଣ୍ଟ କରନ୍ତି, ଦେଖିଲେ ଯେ ସେ ଚେମ୍ବରରେ ନାହାନ୍ତି l ହତାଶବୋଧରେ ତାଙ୍କର ଗଳା ଶୁଖିଗଲା, ଗଳା ଭିତରଟା ଅଠା ଅଠା ଲାଗିଲା l ଯେମିତିହେଲେ ଆଜି ଡାକ୍ତରଙ୍କୁ ଭେଟିବେ ବୋଲି ନିଷ୍ପତ୍ତି ନେଲେ l କଣ କରିବେ କିଛି ଭାବି ପାରୁନଥିଲେ କି ଚିନ୍ତା କରିପାରୁନଥିଲେ l ସବୁ ଚିନ୍ତାଗୁଡାକ ସତେକି କଳା ବାଦଲରେ ଢାଙ୍କି ହେଇଯାଇଛି !
ହସପିଟାଲରୁ ସଅଳ ପାଦରେ ବାହାରିଆସିଲେ l ଡାକ୍ତରଙ୍କ ଭିଜିଟିଂ କାର୍ଡରେ ଲେଖାଥିବା ଘର ଠିକଣା ଦେଖି,କାର ଡ୍ରାଇଭିଂ କଲେ l ସେ ଏବେ ଅନେକ ଆଶା ଓ ଆଶଙ୍କା ଜାଲରେ ଛଟପଟ l
ଫାଟକ ଖୋଲି ଡାକ୍ତରଙ୍କ ଘର ସାମ୍ନା ଛୋଟ ଲନରେ ଚାଲୁ ଚାଲୁ ଦେଖିଲେ ଜଣେ ଭାରତୀୟ ବୃଦ୍ଧା ମୁଣ୍ଡରେ ଓଢଣା ଟାଣି ଘର ବାରଣ୍ଡାରେ ଚୌକିରେ ବସିଛନ୍ତି ଏବଂ ହାତରେ ରୁଦ୍ରାକ୍ଷ ମାଳା ଗଡାଉଛନ୍ତି l
ମାର୍ଶାଲ ପହଞ୍ଚି କହିଲେ - ମାଡାମ ଗୁଡ଼ ଇଭନିଂ l ଡାକ୍ତର ମିଶ୍ର ଅଛନ୍ତି ?
ବୃଦ୍ଧା କହିଲେ - ହଁ, ସେ ଠାକୁର ଘରେ ପ୍ରାର୍ଥନା କରୁଛନ୍ତି l ଆପଣ ବୈଜ୍ଞାନିକ ମାର୍ଶାଲ ନା ?
ହଁ ହଁ l ଏତକ କହି ସେ ହେଲେ ତତକ୍ଷଣାତ ବିସ୍ମୟ ବିମୁଢ଼...... ଇୟେ କେମିତି ମୋ ନାଁ ଜାଣିଲେ ?
ଇତ୍ୟାବସରେ ବୃଦ୍ଧା ବାଡ଼ି ଠୁକ ଠୁକ କରି, ସାମାନ୍ୟ କୁଜେଇ ଚାଲି ଚାଲି,ଦାଣ୍ଡ ଦୁଆର ଖୋଲି, ଡ୍ରଇଂ ରୁମରେ ତାଙ୍କୁ ବସାଇଲେ ଏବଂ ସେ ତାଙ୍କ ସାମ୍ନାରେ ପଡ଼ିଥିବା ଚେୟାରରେ ବସି ମୁରୁକି ମୁରୁକି ହସିବାକୁ ଲାଗିଲେ l
ମାର୍ଶାଲ ବୃଦ୍ଧାଙ୍କ ଭଦ୍ରୋଚିତ ବ୍ୟବହାରରେ ମୁଗ୍ଧ,ସେ ତାଙ୍କୁ ବାରମ୍ବାର ଚାହୁଁଥିଲେ l ଅସ୍ଥି କଙ୍କାଳ ସାର ଦେହ, ଚମ ଧୁଡୁ ଧୁଡୁ, ଉତଫୁଲ୍ଲିତ ପାକୁଆ ପାଟି, ହାଡୁଆ ମୁଖ ଅଧରରେ ଲହରୀତ ସ୍ମିତ ହାସ୍ୟ l ପକ୍ଵ କେଶୀ, ତଥାପି ହାତରେ ଗଡୁଥିଲା ରୁଦ୍ରାକ୍ଷ ମାଳା l ନିଶ୍ଚିତ ସେ ହେଇଥିବେ ଶତାୟୁ l
ବୃଦ୍ଧାଙ୍କ ବାତ୍ସଲ୍ୟ-ଭରା ଚାହାଁଣି ଓ ଆପଣାର-ଭାବ ଭିତରେ ମାଡାମ ସମ୍ବୋଧନଟି ଅପ୍ରତ୍ୟାଶିତ କେଉଁଠି ହଜିଗଲା ଯେ ବୈଜ୍ଞାନିକ ପ୍ରବର ଜାଣି ପାରିଲେନି l ସେ କୌତହଳ ବଶତଃ ବୃଦ୍ଧାଙ୍କୁ ପଚାରିଲେ - ମଦର, ମୋ ନାଁ ଏବଂ ମୋର ଆସିବା ବିଷୟରେ ଆପଣ କେମିତି ଜାଣିଲେ ?
"ଡାକ୍ତର ମିଶ୍ର ଠାକୁରଘରକୁ ପ୍ରାର୍ଥନା କରିବାକୁ ଯିବା ପୂର୍ବରୁ ମୋତେ କହିଥିଲେ ଯେ ବୈଜ୍ଞାନିକ ମାର୍ଶାଲ ଆସିବେ ଏବଂ ତାଙ୍କୁ ଡ୍ରଇଂ ରୁମରେ ବସାଇବ" l
"ଆପଣ କଣ ତାଙ୍କର ମଦର ?"
" ନୋ ନୋ ବୈଜ୍ଞାନିକ ଆଇ ଏମ ହିଜ ଗ୍ରାଣ୍ଡ-ମଦର l ଏତକ କହି ସେ ଖୁବ ଜୋରରେ ହସି ଉଠିଲେ "l
ମାର୍ଶାଲ ଅବାକ ହେଇ ଗ୍ରାଣ୍ଡମଦରଙ୍କ ଉଛୁଳା ହସକୁ ଚାହିଁ ଅନୁଭବ କରୁଥିଲେ - ସତେକି ଏଇ ହସ ଅସାଧାରଣ ! କେତେ ଆପଣାପଣ ଭରି ରହିଛି ହସରେ !! ତାଙ୍କୁ ଚାହିଁଥିବା ସମୟରେ ମାର୍ଶାଲଙ୍କ ଦୃଷ୍ଟି ହଠାତ ପଡିଲା ଗ୍ରାଣ୍ଡମଦରଙ୍କ ମୁଣ୍ଡ ଉପରକୁ କାନ୍ଥରେ ଟଙ୍ଗା ହେଇଥିବା ଚକାଆଖି ଉପରେ l ସେ ଚମକି ଉଠିଲେ - ଲିଫ୍ଟ ଭିତରେ ମରାଯାଇଥିବା ଚକାଆଖି ତ ଠିକ ଏମିତି !! ସେ ଏଥର ନିଠେଇ ଚାହିଁଲେ ଚକା ଆଖିକୁ ଆପଲକ ନୟନରେ l ଏକାଗ୍ରତା ଯେତିକି ଦୃଢ଼ ହେଉଥିଲା, ଚକ ସେତିକି ଜୋରରେ ଘୁରୁଥିଲା l କ୍ରମଶଃ ଚକ ଭିତରସ୍ଥ ଧଳା ଓ କଳା ରଙ୍ଗ ଏକାବାରେ ରଙ୍ଗଶୂନ୍ୟ ହେବାକୁ ଲାଗିଲା l କେବଳ ଶୂନ୍ୟ..... ମହାଶୂନ୍ୟ !! ସତେକି ତାଙ୍କର ଅସ୍ତିତ୍ୱ ନାହିଁ l
ଇୟା ଭିତରେ କେତେ ସମୟ ଅତିକ୍ରାନ୍ତ ତାଙ୍କୁ ଜଣା ନାହିଁ l ଆଗରେ ଯେଉଁ ସୋଫାରେ ଗ୍ରାଣ୍ଡମଦର ବସିଥିଲେ, ସେଠି ସେ ନାହାନ୍ତି l କେବଳ ଘରଭିତରୁ ମୃଦୁ ସଂଗୀତର ସ୍ୱର ଭାସି ଆସୁଥିଲା - ଚାଲ ସଖି ଆମ୍ଭେ ଦର୍ଶନ କରିବା ନୀଳାଚଳ କାଳିଆକୁ........ l
ଅବଶ୍ୟ ଗୀତଟା ଦୁର୍ବୋଧ୍ୟ ତାଙ୍କ ପାଇଁ କିନ୍ତୁ ସ୍ୱରର ସୁମଧୁର ଲାଳିତ୍ୟ ରେ ଆତ୍ମହରା ହେଉଥିଲେ l ଇତ୍ୟାବସରେ ତାଙ୍କର ମୋବାଇଲ ରିଙ୍ଗ ହେଲା l ତାଙ୍କର ପତ୍ନୀ କହୁଥିଲେ - ମାର୍ଶାଲ ତୁମକୁ କହିବାକୁ ଭୁଲି ଯାଇଥିଲି ଯେ ଡାକ୍ତର ମିଶ୍ର ମୋତେ କହିଥିଲେ, ତାଙ୍କ ରେସିଡେନ୍ସରେ ତୁମେ ଯାଇ ତାଙ୍କୁ ଆଜି ସନ୍ଧ୍ୟାବେଳେ ଭେଟିବ l
ମାର୍ଶାଲଙ୍କ ମନ ଭିତରେ ଯେଉଁ ବିସ୍ମୟକର ପ୍ରଶ୍ନର କୁହେଳିକା କିଛି ସମୟ ପୂର୍ବରୁ ସୃଷ୍ଟି ହେଇଥିଲା, ତାହାର ପରିସମାପ୍ତି ଘଟିଲା ପତ୍ନୀଙ୍କର ଫୋନକଲ ଯୋଗୁ l
ଇୟାଭିତରେ ପରିଚାରିକ କୋଲଡ଼ କଫି ଓ ସ୍ନାକ୍ସ ଟି-ପୟ ଉପରେ ରଖି ଚାଲିଗଲା l ପୁଣି ଗ୍ରାଣ୍ଡମଦର ବାଡ଼ି ଠୁକ ଠୁକ କରି ଆସି ସୋଫାରେ ବସି କହିଲେ - ସାର, କଫି ପିଅନ୍ତୁ l
ବୈଜ୍ଞାନିକ ମହାଶୟ କଫି ପିଇବେ କଣ ? ସେ ତ କାନ୍ଥରେ ଟଙ୍ଗା ଯାଇଥିବା ଦୁଇଟି ଗୋଲାକାର ଚକାଆଖି ମାୟାରେ ଏକ୍ଷଣି ବାୟା l କିମ୍ଭୁତକିମାକାର ଯୋଡିଏ ରହସ୍ୟମୟ ଚକାଆଖି ସେତେବେଳକୁ ତାଙ୍କୁ ସମ୍ମୋହିତ କରିସାରିଲେଣି l ସତେକି ସେ ବାକରୁଦ୍ଧ ! ଆଗରେ ବସିଥିବା ଗ୍ରାଣ୍ଡମଦରଙ୍କୁ କିଛି ପଚାରିପାରୁଛନ୍ତି ନା କୋଲଡ଼ କଫି ପିଇବାକୁ ହାତ ଯାଉଛି ?
ଗ୍ରାଣ୍ଡମଦର ବୋଧେ ବୁଝିଗଲେ ବୈଜ୍ଞାନିକ ମହାଶୟଙ୍କର ଵିଵସତା,କାହିଁକି ନା ସେ ଦେଖିଲେ ଯେ ମାର୍ଶାଲଙ୍କ ଦୃଷ୍ଟି ବାରମ୍ବାର କାନ୍ଥରେ ଝୁଲୁଥିବା ସେହି ଫଟୋ ଆଡକୁ ଧାଉଁଛି l ସ୍ମିତ ହସି କହିଲେ - ଆପଣ ଖୁବ ବିବ୍ରତ l କଣ ପୁଅ ପାଇଁ ?
ବୈଜ୍ଞନିକଙ୍କର ଆଖିର ଡୋଳା ଅଟକିଗଲା, ସେ ବିସ୍ଫାରିତ ନୟନରେ ବୃଦ୍ଧାଙ୍କୁ ଚାହିଁ କହିଲେ - ହଁ ପୁଅ ପାଇଁ ତ ନିଶ୍ଚିତ କିନ୍ତୁ ଆପଣଙ୍କ ମୁଣ୍ଡ ଉପରେ ଝୁଲନ୍ତ ଚକ ଭଳି ଗୋଲାକାର ଆଖି ଦୁଇଟି ମୋତେ ବାରମ୍ବାର କାହିଁକି କେଜାଣି ବିସ୍ମୟ ବିମୁଢ଼ କରିଦେଉଛି l ସେ କିଏ ?
ଗ୍ରାଣ୍ଡମଦରଙ୍କ ଶୁଖିଲା ଅଧରରୁ ଉଛୁଳି ଉଠିଲା ହସର ଜୁଆର l ଓହୋଃ..... ଏଇ କଥା l ସେ ପରା ଆମର ଓଡ଼ିଆ ସାଆନ୍ତ l
" ବୁଝିପାରୁନି ଆଜ୍ଞା,ମାର୍ଶାଲ କହିଲେ" l
" ତେବେ ଶୁଣ କହୁଛି ସଂକ୍ଷେପରେ l ଇଣ୍ଡିଆରେ ଗୋଟେ ଷ୍ଟେଟ ଅଛି ଯାହାର ନାଁ ଓଡିଶା l ସେଠିକାର ବାସିନ୍ଦା ଓଡ଼ିଆ, ସେମାନଙ୍କର ଯୁଗ ଯୁଗ ଧରି ଗ୍ରାଣ୍ଡଫାଦର ହେଉଛନ୍ତି ଏଇ ଓଡ଼ିଆ ସାଆନ୍ତ ଯିଏ ସେମାନଙ୍କର ଦୁଃଖ ସୁଖ, ଜୟ ପରାଜୟ, ଜନ୍ମ ମୃତ୍ୟୁ ଭଳି ସମସ୍ତ ସାଂସାରିକ କାର୍ଯ୍ୟର ସାଥୀ" l
ସବୁକିଛି ଅବୁଝା ଲାଗୁଥିଲା ମାର୍ଶାଲଙ୍କୁ l ସେ କେବଳ ବୃଦ୍ଧାଙ୍କୁ ଚାହିଁଥିଲେ କିନ୍ତୁ କିଛି କହିପାରୁନଥିଲେ l
ଗ୍ରାଣ୍ଡମଦର କହିଲେ - ମୁଁ ଜାଣୁଛି, ଆପଣ ମୋ କଥା ବୁଝିବାକୁ ଅକ୍ଷମ l ତଥାପି ବୁଝାଇ ଦେଉଛି l ସେ କହିଲେ - ଆପଣଙ୍କ ଯୀଶୁଖ୍ରୀଷ୍ଟଙ୍କ ଫାଦର କିଏ ? ସେ କେଉଁଠି ଅଛନ୍ତି ?
"ଈଶ୍ଵର,l ସେ ହେଭେନ୍ସ ଅର୍ଥାତ ସ୍ୱର୍ଗରେ ରହନ୍ତି "l
"ଆପଣ ତାଙ୍କୁ ଦେଖିଛନ୍ତି "?
ବୈଜ୍ଞାନିକ କହିଲେ - ନା, ସମ୍ଭବ ନୁହେଁ l ସେ ନିରାକାର ନିର୍ଗୁଣ l ମନୁଷ୍ୟ ପକ୍ଷରେ ଦେଖିବା ଏକବାରେ ଅସମ୍ଭବ l
"ତେବେ ତାଙ୍କୁ କିଏ ଦେଖିଛି" ?
"ତାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟ "l
"ଆପଣ ଦେଖିନାହାନ୍ତି, ତଥାପି କାହିଁକି ତାଙ୍କୁ ପ୍ରାର୍ଥନା କରନ୍ତି "?
"ବିଶ୍ୱାସ "l
ବୃଦ୍ଧା ହସି ହସି ଗଡିଗଲେ l ସେ କହିଲେ - ଠିକ ସେମିତି ଆମ ଓଡ଼ିଆ ସାଆନ୍ତ ହେଉଛନ୍ତି ଆମର ଈଶ୍ୱର l
ମାର୍ଶାଲ କହିଲେ - ଆପଣଙ୍କ ଈଶ୍ଵର ପରା ଶ୍ରୀରାମ, ଶ୍ରୀକୃଷ୍ଣ ଏବଂ ଆହୁରି ଅନେକ, କାଳେ ତେତିଶକୋଟି ଦେବଦେବୀ ଈଶ୍ଵର ହିନ୍ଦୁଧର୍ମରେ ?
ବୃଦ୍ଧା କହିଲେ - ନା ନା ହେ ବୈଜ୍ଞନିକ l ଏକଦମ ଭୁଲ କଥା କହୁଛ l ଈଶ୍ଵର ତ ଏକ ଓ ଅଦ୍ୱୈତ, ସେ ବହୁ କେମିତି ହେବେ "?
ମାର୍ଶାଲ ପଚାରିଲେ - ତେବେ ଆପଣଙ୍କର ଓଡ଼ିଆ ସାଆନ୍ତେ କିଏ ?
ସେ ସବୁ ଈଶ୍ଵର ଓ ଦେବତାଙ୍କ ଗ୍ରାଣ୍ଡଫାଦର ଅର୍ଥାତ ପୁରାଣପୁରୁଷ l ଶ୍ରୀକୃଷ୍ଣ, ଶ୍ରୀରାମଙ୍କ ଭଳି ଅନେକେ ବିଭିନ୍ନ ଗୁଣ ଓ ଶକ୍ତି ନେଇ ମାନବଦେହୀ ଅବତାର, ମହାପୁରୁଷ ଓ ଦିବ୍ୟଦେହୀ ଦେବଦେବୀ ତାଙ୍କ ପାଖରୁ ଆସନ୍ତି, ପୁଣି ଫେରନ୍ତି ତାଙ୍କ ପାଖକୁ, ଏପରିକି ଆପଣଙ୍କର ଯୀଶୁଖ୍ରୀଷ୍ଟ ମଧ୍ୟ l ଏମାନେ ଯୁଗକୁ ଯୁଗ ଆସନ୍ତି ଓ ଫେରନ୍ତି କିନ୍ତୁ ଇୟେ ସବୁବେଳେ ଥାଆନ୍ତି l
ମାର୍ଶାଲ ଜଣେ କ୍ଵାଣ୍ଟମ ଫିଜିକ୍ସର ବୈଜ୍ଞାନିକ ସତ କିନ୍ତୁ ତାଙ୍କର ବିଶ୍ଵର ସବୁଧର୍ମ ସମ୍ବନ୍ଧରେ ସମ୍ୟକ ଜ୍ଞାନ ଅଛି l ବିଶେଷକରି ସେ ଉପନିଷଦର ତତ୍ତ୍ୱ ଦ୍ୱାରା ବେଶୀ ପ୍ରଭାବିତ l ବୃଦ୍ଧାଙ୍କର ତାତ୍ପର୍ଯ୍ୟର ରହସ୍ୟକୁ ଠଉରେଇ କହିଲେ - ଗ୍ରାଣ୍ଡମା, ଈଶ୍ଵର ତ ନିରାକାର ନିର୍ଗୁଣ ପରଂବ୍ରହ୍ମ କିନ୍ତୁ ଆପଣଙ୍କର ଓଡ଼ିଆ ସାଆନ୍ତଙ୍କର ରୂପ ଅଛି ସେ କେମିତି ସର୍ବଶ୍ରେଷ୍ଠ ଈଶ୍ଵର ହେବେ ?
ଗ୍ରାଣ୍ଡମଦର କହିଲେ - ନାହିଁ ହେ ବୈଜ୍ଞାନିକ,କଥାଟା ସେମିତି ନୁହେଁ l ଆମର ଓଡ଼ିଆ ସାଆନ୍ତ ଵି ନିରାକାର ନିର୍ଗୁଣ ପରଂବ୍ରହ୍ମ, ତାଙ୍କର ଟେର କେହି ପାଇବେନି କିନ୍ତୁ ଓଡ଼ିଆମାନେ ତାଙ୍କୁ ସଗୁଣ ଦାରୁବ୍ରହ୍ମ ଭାବରେ ପୂଜା କରନ୍ତି l ଏହି ଜାତିର ଉତ୍ପତ୍ତି ଠାରୁ ସେ ଆମ ପାଖେ ପାଖେ ଅଛନ୍ତି l ଓଡ଼ିଆଙ୍କ ଠାକୁର ସେ, ତେଣୁ ସେ ହିଁ ପ୍ରଥମ ଓଡ଼ିଆ l ଈଶ୍ଵର ଫିଶ୍ଵର ଆମେ ଜାଣୁନା, ସେ ହିଁ ଆମର ଓଡ଼ିଆ ଯିଏ ସର୍ବବିଦ୍ୟମାନ,ସର୍ବଶକ୍ତିମାନ ଓ ସର୍ବଜ୍ଞ l ହଁ ଆଉ ଗୋଟିଏ କଥା ଶୁଣନ୍ତୁ - ଯିଏ ଯେଉଁ ରୂପରେ ତାଙ୍କୁ ଡ଼ାକିବ ସେ ସେହି ରୂପରେ ତାଙ୍କୁ ଦେଖାଦେବେ l
ମାର୍ଶାଲଙ୍କ ମୁହଁ ଦିପ୍ତିମନ୍ତ ହେଇଉଠିଲା l ସେ ଏକାନିଶ୍ୱାସେ ପଚାରିଲେ - ମୁଁ ତାଙ୍କୁ ଯଦି ପ୍ରଭୁ ଯୀଶୁ ଭାବେ ଡାକେ,ସେ କଣ ସେଇ ରୂପରେ ମୋତେ ଦେଖାଦେବେ ?
ହଁ ହଁ ନିଶ୍ଚୟ l ଅନେକେ ଖ୍ରୀଷ୍ଟିଆନ ତାଙ୍କୁ ଯୀଶୁ ରୂପରେ ଦେଖିଛନ୍ତି, ଅନେକେ ମୁସଲମାନ ଵି ତାଙ୍କୁ ଆଲ୍ଲା ରୂପେ ଦେଖିଛନ୍ତି l କହିଲି ପରା ଯିଏ ତାଙ୍କୁ ଯେଉଁ ରୂପରେ ଡ଼ାକିବ ସେ ସେହି ରୂପରେ ଦେଖାଦେବେ l
ମାର୍ଶାଲ କେବଳ ତାଙ୍କୁ ଚାହିଁଲେ, ହୃଦୟରେ ଉଠୁଥିବା ଅନିଶ୍ଚିତତାର ଲହରୀ ଧୀରେ ଧୀରେ ନିଶ୍ଚିତତାରେ ପରିଣତ ହେବାକୁ ଲାଗିଲା l ସେ ତ ଓଡ଼ିଆ ଠାକୁର, ଅନ୍ୟମାନଙ୍କର ଠାକୁର କଣ ସେ ହେଇପାରିବେ ?
ବୃଦ୍ଧା ଫେ କିନା ହସି ପଚାରିଲେ - ଆପଣଙ୍କ ନାଁ କଣ ?
"ଆଜ୍ଞା ମୋ ନାଁ ମାର୍ଶାଲ ଇମେର୍ଶନ l "
"ଠିକ ଅଛି l ଯେହେତୁ ଆପଣ ଏଇ ଆମେରିକାର ଖ୍ରୀଷ୍ଟିଆନ ପରମ୍ପରାରେ ଜନ୍ମ,ତେଣୁ ଆପଣଙ୍କ ନାଁ ଏଇୟା ହେଇଛି l ଆପଣ ଏଠି ଯାହାଙ୍କୁ ଗଡ଼ କହନ୍ତି, ଇଣ୍ଡିଆର ଖ୍ରୀଷ୍ଟିଆନ ତାଙ୍କୁ ଈଶ୍ୱର କହନ୍ତି l ଆପଣ ଯଦି ଇଣ୍ଡିଆରେ ଜନ୍ମ ହେଇଥାନ୍ତେ ଆପଣଙ୍କ ନାଁ ଇଣ୍ଡିଆନ ନାଁ ହେଇଥାନ୍ତା l ଆମେରିକାନ ଗଡ଼ କଣ ଇଣ୍ଡିଆନ ପ୍ରଭୁଙ୍କ ଠାରୁ ଅଲଗା କି ?
ତା'ବାଦେ ଯୀଶୁଖ୍ରୀଷ୍ଟ ତ ଆମେରିକାବାସୀ ନଥିଲେ, ସେ ଥିଲେ ଇହୁଦି ଜେରୁଜେଲମ ବାସିନ୍ଦା, ତଥାପି ସେ ସମଗ୍ର ବିଶ୍ଵର ବନ୍ଦନୀୟ ପ୍ରଭୁ l ସେହିଭଳି ଆମର ଓଡ଼ିଆ ସାଆନ୍ତ, ଓଡିଶାରେ ଆବିର୍ଭୁତ ଓ ପୂଜିତ ହେଲେ ଵି ସମଗ୍ର ଜଗତର ସେ ନାଥ ଓ ପ୍ରଭୁ l
ବୃଦ୍ଧା ପୁଣି ହସି ହସି କହିଲେ - ଦେଖୁନ, ଏଇ ସାଆନ୍ତଙ୍କର କୌଣସି ରୂପ ଅଛି କି ? ଯାହା ଦେଖୁଛନ୍ତି ତାହା କଣ ରୂପ ପଦବାଚ୍ୟ କି ? ଦୁଇଟି କେବଳ ଚକାଆଖି l ସମଗ୍ର ବ୍ରହ୍ମାଣ୍ଡକୁ କେବଳ ସାକ୍ଷୀ ଭାବରେ ଦେଖନ୍ତି l କେବଳ ବିଶ୍ୱାସ ଦରକାର l ସେ ଭାବଗ୍ରାହୀ, ଭାବରେ ବନ୍ଧା l
ଇତ୍ୟବସରେ ଡାକ୍ତର ଜଗନ୍ନାଥ ମିଶ୍ର ପହଂଚି କହିଲେ - ମିଷ୍ଟର ମାର୍ଶାଲ - ଆଇ ଏମ ସରୀ, ସାନ୍ଧ୍ୟ ପ୍ରାର୍ଥନା ମୋର ଘଂଟାଏ ଲାଗିଲା l କ୍ଷମା କରିବେ l
ମାର୍ଶାଲ କହିଲେ - ନୋ ପ୍ରୋବ୍ଲେମ ଡକ୍ଟର l ଗ୍ରାଣ୍ଡମଦର ମୋର ପ୍ରତିକ୍ଷିତ ସମୟର ସଦୁପଯୋଗ କରିଛନ୍ତି l ତାଙ୍କ ନିକଟରେ ମୁଁ କୃତଜ୍ଞ l
ଡକ୍ଟର ମିଶ୍ରଙ୍କ ମୁହଁରେ ଉଙ୍କି ମାରିଲା ଏକ ଆଶ୍ୱାସନାର ଚିହ୍ନ l ସେ କହିଲେ - ମିଷ୍ଟର ମାର୍ଶାଲ,ଆପଣ ପ୍ରାର୍ଥନା କଲେ ତ ?
ହଁ, ଅନେକ ଥର ମୁଁ ଓ ମୋର ପତ୍ନୀ ଚର୍ଚ୍ଚରେ ପ୍ରାର୍ଥନା କରୁଛୁ l
ବେଶ ଭଲ କଥା l ମୋର ଡାକିବାର କାରଣ ଯେ ପୁଅର ସାମାନ୍ୟ ଉନ୍ନତି ଦେଖୁଛି l ଭାବିଛି କାଲି ଗୋଟିର ଛୋଟ ଧରଣର ଅପରେସନ କରିବି l ଭାବୁଛି ପୁଅ ଠିକ ହେଇଯିବ l ଆପଣଙ୍କର ମତ ଦରକାର l
ଆଜ୍ଞା ମୋର ମତ କଣ ଦରକାର ? ଆପଣ ଡକ୍ଟର ଯାହା ଭଲ ତାହା କରନ୍ତୁ l
ଡକ୍ଟର ମିଶ୍ର କହିଲେ - ଓକେ l ମାର୍ଶାଲ କହିଲେ - ତେବେ ମୁଁ ଯାଉଛି l ଡକ୍ଟର ମିଶ୍ର ତାଙ୍କୁ ବିଦାୟ ଦେବା ପାଇଁ ଫାଟକ ପର୍ଯ୍ୟନ୍ତ ଯାଉଥିବା ସମୟରେ ମାର୍ଶାଲ ବୁଲିପଡ଼ି କହିଲେ - ଡକ୍ଟର ଆପଣଙ୍କ ଠାକୁରଘର ମୁଁ ଦେଖିପାରିବି ?
ଓ ୟେସ l ଆସନ୍ତୁ l ମାର୍ଶାଲଙ୍କୁ ସାଥିରେ ନେଇ ଡକ୍ଟର ନିଜ ଠାକୁର ଘରେ ପହଂଚି ଦେଖନ୍ତି - ଚକାଡୋଳା ଖଟୁଲି ଉପରେ ବସିଛନ୍ତି, ଦୁଇଟି ଚକାଆଖି, ତା'ତଳେ ଖେଳୁଛି ନାଲି ଦ୍ଵିତୀୟା ଜହ୍ନ l ମହ ମହ ଧୂଆଁ ବାସ୍ନାରେ ସାରା ଘର ମହକିତ l ଚକାଆଖି ତାଙ୍କୁ ଅନାଇଛନ୍ତି l ନାଲି ଦ୍ଵିତୀୟା ଜହ୍ନ ହସୁଛନ୍ତି l ମାର୍ଶାଲ ହାତଯୋଡି ପ୍ରଣାମ କରିବା ସମୟରେ ଗ୍ରାଣ୍ଡମଦର ବାଡ଼ି ଠୁକ ଠୁକ କରି ସେଠାରେ ପହଂଚି କହିଲେ - ହଇଏ ବୈଜ୍ଞାନିକ, ନିଅ ଏଇ ଛଡାତୁଳସୀ, ପୁଅକୁ ଖୁଆଇଦେବ l ଆମର ଓଡ଼ିଆ ସାଆନ୍ତ ସାହା ହେବେ ତାକୁ ନିଶ୍ଚୟ l
ବୈଜ୍ଞାନିକ ଏକ ଅବ୍ୟକ୍ତ ଆନନ୍ଦରେ ଶିହରିତ ହେଇ ଛଡା ତୁଳସୀଙ୍କୁ ସାର୍ଟର ଉପର ପକେଟରେ ରଖିଲେ l ଏବଂ ଆଶ୍ବସିତ ମନରେ ବିଦାୟ ନେଇ ଚାଲିଗଲେ l
ଡାକ୍ତର ମିଶ୍ର ପରବର୍ତୀ ଦିନ ନିର୍ଦ୍ଧାତିତ ସମୟରେ ଫ୍ରେଡ଼୍ରିକର ଅପରେସନ ସମାପ୍ତ କଲେ l ନୂଆ ସଂଚରିତ ଆଶାରେ ବିମୋହିତ, ଆଗଭଳି ନୈରାଶ୍ୟ ତାଙ୍କୁ ମାଡ଼ି ବଶୁନି,ଏଇଥିପାଇଁ ଯେ ପିଲାଟି ଆସନ୍ନ ମୃତ୍ୟୁରୁ ଅତି ଆଶ୍ଚର୍ଯ୍ୟ ଭାବେ ବର୍ତ୍ତିଯିବାର ସମ୍ଭାବନା ରହିଛି l ଯାହାହେଉ ଅପରେସନ ସଫଳ ହେବାରୁ ଡକ୍ଟର ମିଶ୍ର ନିଜ ଚେମ୍ବରକୁ ଫେରିଆସିଲେ l
ମାର୍ଶାଲ ଆକୁଳ ଚିତ୍ତରେ ଇତିମଧ୍ୟରେ ଚେମ୍ବରକୁ ପ୍ରବେଶ କରିବାମାତ୍ରେ ଡାକ୍ତର ମିଶ୍ର ହସି ହସି ମାର୍ଶାଲଙ୍କର କରମର୍ଦ୍ଦନ କରି କହିଲେ - ମାର୍ଶାଲ ! ଫ୍ରେଡ଼୍ରିକ ଇଜ ଅଲରାଇଟ l ଆପଣଙ୍କର ପ୍ରାର୍ଥନା ଈଶ୍ଵର ଶୁଣିଛନ୍ତି l ବିଶ୍ୱାସର ବିଜୟ ଘଟିଛି l
ବୈଜ୍ଞାନିକ ମାର୍ଶାଲ ନିଜ ଆଖିରୁ ବୋହୁଥିବା ଆନନ୍ଦାଶ୍ରୁ ରୁମାଲରେ ପୋଛି କହିଲେ - ଡକ୍ଟର,ଆପଣଙ୍କର ଗ୍ରାଣ୍ଡମଦର ସତରେ ସେଣ୍ଟ କାଥେରିନ ଅଫ ଆଲେକଜାଣ୍ଡ୍ରିଆଙ୍କ ଭଳି ଜଣେ ସନ୍ଥ ଏବଂ ଈଶ୍ଵରଙ୍କର ସିଦ୍ଧିପ୍ରାପ୍ତ ନାରୀ l
ଠିକ କହିଛ ବୈଜ୍ଞାନିକ l ବାଲ୍ୟକାଳରେ ଉଭୟ ପିତା ମାତାଙ୍କୁ ହରାଇବା ପରେ ସେ ମୋତେ କୋଳେଇ ନେଇଥିଲେ l ଆଜି ପର୍ଯ୍ୟନ୍ତ ସେ ମୋ ପାଖେ ପାଖେ ଅଛନ୍ତି l ଜାଣିଛ ମାର୍ଶାଲ, ତାଙ୍କୁ ଏଇନେ ଶହେଦୁଇ ବର୍ଷ l ମହାପ୍ରଭୁ ଚକାଡୋଳାଙ୍କର ସେ ଜଣେ ପରମ ଭକ୍ତ l ଏଇ ଆମେରିକାରେ ସେ ମୋ ସହିତ ପ୍ରାୟ ତିରିଶବର୍ଷ ହେଲା ରହୁଛନ୍ତି l ଶ୍ରୀ ଜଗନ୍ନାଥଙ୍କୁ ଓଡ଼ିଆ ସାଆନ୍ତେ ବୋଲି ସେ ପୂଜା କରନ୍ତି l
ପୁତ୍ର ଫ୍ରେଡ଼୍ରିକ ଗୋଟିଏ ସପ୍ତାହ ପରେ ସୁସ୍ଥ ହେଇ ହସପିଟାଲରୁ ଡ଼ିସଚାର୍ଜ ହେବା କ୍ଷଣି ମାର୍ଶାଲ ଫ୍ରେଡ଼୍ରିକକୁ ସାଙ୍ଗରେ ଧରି ଗ୍ରାଣ୍ଡମଦରଙ୍କ ପାଖକୁ ନେଇଆସିଲେ l ସାଥିରେ ଥିଲେ ତାଙ୍କର ପତ୍ନୀ କାରଲିନା l
ଗ୍ରାଣ୍ଡ ମଦର ପୁତ୍ର ଫ୍ରେଡ଼୍ରିକ ମୁଣ୍ଡକୁ ଆଉଁସି ଗାଲରେ ଚୁମା ଦେଇ ଅନାଇଲେ ବୈଜ୍ଞାନିକ ମାର୍ଶାଲଙ୍କ ଆଡକୁ ଏବଂ କହିଲେ - ଆଉ ମାତ୍ର ଛଅମାସ ରହିଲା ଗୁଣ୍ଡିଚା ଯାତ୍ରା l ଫ୍ରେଡ଼୍ରିକକୁ ସାଙ୍ଗରେ ନେଇ ପୁରୀରେ ଓଡ଼ିଆ ସାଆନ୍ତେଙ୍କୁ ଭେଟି ଆସିବ l ଭୁଲିବ ନାହିଁ l
ଭୁଲିବନି ବୈଜ୍ଞାନିକ, ଏହା ମୋର ତାଗିଦ l ଏବେ ଯାଅ ଚର୍ଚ୍ଚକୁ, ସେଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରି ଈଶ୍ୱରଙ୍କୁ କୃତଜ୍ଞତା ଜଣାଇବ l ହଁ ମନେରଖ ଯିଏ ଓଡ଼ିଆ ସାଆନ୍ତେ ସେ ହିଁ ଈଶ୍ଵର, ଭେଦଭାବ ରଖିବନି l ଈଶ୍ୱର ଏକ ଓ ଅଦ୍ୱୈତ, କିନ୍ତୁ ବିଭିନ୍ନ ନାମ ଓ ରୂପରେ ସେ ସର୍ବତ୍ର ବିଦ୍ୟମାନ l
ଛଡା ତୁଳସୀ ପୁଣି ଥରେ ଫ୍ରେଡ଼୍ରିକକୁ ଖୁଆଇ ଦେଇ ଗ୍ରାଣ୍ଡମଦର ପୁଣି ଠାକୁରଘରକୁ ବାଡ଼ି ଠୁକ ଠୁକ କରି ଚାଲିଗଲେ l
———0000000———
© ମନୋଜ କୁମାର ମହାପାତ୍ର
23.04.2025