କୋଣାର୍କ, ଧ୍ବଂସ ମୁଖରେ ଉପନୀତ: ନିଶ୍ଚଳ ଏଏସଆଇ

0

– ଅନିଲ ଦେ

++++++++++++++++++++++++++++++++

ଅନିଲ ଦେ I ପେଶାରେ ଜଣେ ଇଞ୍ଜିନିୟର I ମାତ୍ର ନିଶାରେ ସଂସ୍କୃତିପ୍ରେମୀ ଗବେଷକ, ଫଟୋଗ୍ରାଫର I  

ନିଜ  ଜୀବନର 60 ବର୍ଷରୁ ଅଧିକ ସମୟ ଓଡ଼ିଶାର ମନ୍ଦିର ଅଧ୍ୟୟନରେ ଉତ୍ସର୍ଗ କରିଛନ୍ତି। ସେ ମଧ୍ୟ ଜଣେ ଉତ୍ସାହୀ ଭ୍ରମଣକାରୀ I ହିମାଳୟରେ ଅନେକ ଲୁକ୍କାୟିତ ଘଟଣା ସହ ପାଞ୍ଚଟି ଭ୍ରମଣ କାହାଣୀ ରଚନା କରିଛନ୍ତି। ତାଙ୍କ ଦ୍ୱାରା ଲିଖିତ ଓ 2012ରେ ପ୍ରକାଶିତ ଓଡ଼ିଆ ଭାଷାରେ “ଅର୍କକ୍ଷେତ୍ର କୋଣାର୍କ” ପୁସ୍ତକ ବେଶ ଚହଳ ପକାଇଥିଲା। 

ଆସନ୍ତୁ ଦେଖିବା .. TATKAL ODISHAରେ ତାଙ୍କର ଗବେଷଣାତ୍ମକ ଓ ଉପାଦେୟ ଆଲେଖ୍ୟ…#ସମ୍ପାଦିକା#

++++++++++++++++++++++++++++++++++

ମନ୍ଦିର ସ୍ଥାପତ୍ୟ ଓ ଓଡ଼ିଆ ଅସ୍ମିତା I ଅସ୍ମିତାର ଅର୍ଥ ଅହଂଜ୍ଞାନ I ଅହଂକାର କରିବାର ପ୍ରଥମ କାରଣ, ଓଡିଶା ମନ୍ଦିର ସ୍ଥାପତ୍ୟ ରହି ଯାଇଛି ଶୁଦ୍ଧ ଇନ୍ଦୋ-ଭାରତୀୟ I ଭାରତରେ ଯୋଡିଏ ମୂଳ ଶିଳ୍ପ ଧାରା ପ୍ରଚଳିତ – ଇନ୍ଦୋ-ଭାରତୀୟ (Indo-Aryan) ଓ (Dravidian) ଦ୍ରାବିଡ଼ ଧାରା I ଓଡିଶା ମନ୍ଦିର ଇନ୍ଦୋ-ଭାରତୀୟ ଧାରାର ଅନ୍ତର୍ଗତ I ଉତ୍ତର ଭାରତରେ ଡୋମ’ର ଅନୁପ୍ରବେଶ ଘଟିଛି ଯାହା ମୂଳତଃ ଇଉରୋପୀୟ ସ୍ଥାପତ୍ୟ Iକର୍ଣ୍ଣାଟକରେ ଦୁଇଟି ମୂଳଧାରାର ସମ୍ମିଶ୍ରଣରେ ବେସର ଧାରାର ସୃଷ୍ଟି ହୋଇଛି I କିନ୍ତୁ ଓଡିଶା ରହିଯାଇଛି ତାହାର ରେଖ ଓ ପୀଢ଼ ମନ୍ଦିର ନେଇ ନିଷ୍କଳଙ୍କ I ସେ ମଧ୍ୟ କିଛି ପରୀକ୍ଷା ନିରୀକ୍ଷା କରିଛି କିନ୍ତୁ ଶେଷରେ ଫେରି ଆସିଛି ମୂଳ ଧାରାକୁ; ଏପରିକି ଅନ୍ୟ ଧାରାରୁ କିଛି ଆତ୍ମସ୍ଥ କରି ଓଡିଶୀ କରି ତୋଳିଛି I ଅପମିଶ୍ରଣ ନକରି ମଧ୍ୟ ନିଜସ୍ୱ ଚିନ୍ତା ଭାବନାର ପ୍ରତିଫଳନରେ ଓଡ଼ିଆ ଏ ଶିଳ୍ପକୁ ଏପରି ସ୍ତରକୁ ଉନ୍ନତ କରିଛି ଯାହାର ତୁଳନା ନାହିଁ I

// ମନ୍ଦିର ସ୍ଥାପତ୍ୟ ଓ ଓଡ଼ିଆ ଅସ୍ମିତା //

ସ୍ଥାପତ୍ୟ ଶବ୍ଦଟିର ଅର୍ଥ ଅତି ବ୍ୟାପକ I ଏହା କେବଳ ନିର୍ମାଣ ଓ ଅଳଂକରଣର ମୁନ୍ସିଆନା ଅର୍ଥାତ craftmanship ନୁହେଁ/ ମୂର୍ତ ବସ୍ତୁ ମାଧ୍ୟମରେ ଅମୂର୍ତର ସଂଯୋଜନ I Presenting the intangible through the ଟାଙ୍ଗିବଳେ I ଏ ଅଧରା ପରିକଳ୍ପନା କେଉଁଠାରୁ ଆସିଲା? ଏହା ବୁଝିବାକୁ ହେଲେ ସେ ସମୟର ସ୍ଥପତି ମାନଙ୍କର ଜ୍ଞାନ ଓ ଜୀବନ ଦର୍ଶନ କଣ ଥିଲା ବୁଝିବାକୁ ହେବ I ମନୁସ୍ମୃତିର ବିଭିନ୍ନ ପାଠ ଅନୁଯାୟୀ ସେ ସମୟର ସ୍ଥପତି କେବଳ ଉଚ୍ଚକୋଟୀର ଗଣିତଜ୍ଞ ଏବଂ ସର୍ବ ଶିଳ୍ପଶାସ୍ତ୍ର ବିଶାରଦ ହେଉ ନଥିଲେ, ବେଦ ଓ ପୁରାଣ ମାନଙ୍କରେ ରହୁଥିଲା ଗଭୀର ଜ୍ଞାନ I ବିସ୍ତୃତ ଆଲୋଚନା କରିଛନ୍ତି ରାମରାଜ ଓ ଦୁର୍ଗାଚରଣ I

ଏପରି ସ୍ଥପତି ନିକଟରୁ କଣ ଶସ୍ତା ମନଭୂଲାଣିଆ ପ୍ରଦର୍ଶନ ଆଶା କରାଯାଏ?

ଶିଳ୍ପୀ ସୁନ୍ଦରର ପୂଜାରୀ I କିନ୍ତୁ ଇଉରୋପୀୟ ଚିନ୍ତାଧାରା ଓ ଭାରତୀୟ ଚିନ୍ତାଧାରା ମଧ୍ୟରେ ଫରକ ଅଛି I ଭାରତୀୟ ମନନରେ ଓଡିଶା କେଉଁ ସ୍ତରକୁ ଉଠିଥିଲା ତାହାର ନିଦର୍ଶନ ସ୍ୱରୂପ ଏଠାରେ Venus – de – Milo ଓ କୋଣାର୍କ ପୀଢ଼-କାନ୍ତି ମଧ୍ୟସ୍ଥ ବାଜେଣି କନ୍ୟାକୁ ଆଲୋଚନା ମଧ୍ୟକୁ ଆଣିବି I ପ୍ରେମର ଦେବୀ Venus, Greco-Roman ଭାସ୍କର୍ଯ୍ୟ I ଇଉରୋପୀୟ ଶିଳ୍ପୀ Physiological accuracy ମାଧ୍ୟମରେ ଅତି ଉଚ୍ଚ କୋଟିର ସୌନ୍ଦର୍ଯ୍ୟ ଫୁଟାଇଛି I ଓଡ଼ିଆ ଶିଳ୍ପୀ ବହିରଙ୍ଗ ତଳେ ଯେଉଁ ଛନ୍ଦ, ଭାବ ଓ ଆନନ୍ଦ ଲହରୀ କାର୍ଯ୍ୟ କରୁଛି, ତାହାହିଁ ଅବିଶ୍ବାସ୍ୟ ଦକ୍ଷତା ସହିତ ଫୁଟାଇଛ I

ଏହା କହିବା ଠିକ ହେବନାହିଁ, ଓଡ଼ିଆ ଶିଳ୍ପୀ ଶରୀର ଗଠନଗତ ବିଜ୍ଞାନ (Physiology) ଅବଗତ ଥିଲା ନାହିଁ I ଗବେଷକ ମନମୋହନ ଗାଙ୍ଗୁଲି ଶୁକ୍ର ନୀତି ନାମକ ପୁରାତନ ଶାସ୍ତ୍ରରୁ ଦୀର୍ଘ ଅନେକ ଗୁଡିଏ ସଂସ୍କୃତ ଶ୍ଳୋକ ଓ ତାହାର ଇଂରାଜୀ ଅନୁବାଦ Orissa and Her Remains ଗ୍ରନ୍ଥରେ ରଖିଛନ୍ତି I ସେଥିରେ, କେଉଁ ଯୁଗରେ ଦେହର ଉଚ୍ଚତା ତୁଳନାରେ ଦେହର ଅଙ୍ଗ ପ୍ରତ୍ୟଙ୍ଗ କେଉଁ ମାପର ହେବ ତାହା ପୁଙ୍ଖାନୁପୁଙ୍ଖ ଲିପିବଦ୍ଧ ହୋଇଛି I ଗାଙ୍ଗୁଲି ଓଡ଼ିଶାର ବିଭିନ୍ନ ମନ୍ଦିରର ଅନେକ ମୂର୍ତ୍ତିର ମାପ ନେଇ ସିଦ୍ଧାନ୍ତକୁ ଆସିଛନ୍ତି ଓଡ଼ିଆ ଶିଳ୍ପୀ ଶୁକ୍ର-ନୀତି ବର୍ଣିତ ସପ୍ତତାଳ ମୂର୍ତି ଗଢ଼ିଛନ୍ତି ଯାହା କଳିଯୁଗରେ ପ୍ରଯୋଜ୍ୟ I କିନ୍ତୁ ସେ ପ୍ରକାଶ ଦେହର ଗଣ୍ଡି ଟପି ଦେହାତୀତ ମାଧୁରୀରେ ଭାସ୍ୱର I

ଏଠାରେ ରେଖ ଦେଉଳକୁ ପୁରୁଷ ଓ ସମ୍ମୁଖସ୍ଥ ପିଢ ଦେଉଳକୁ ନାରୀ ରୂପେ କଳ୍ପନା କରା ଯାଏ Iମାନବ ଦେହକୁ ରଥ ରୂପେ ମଧ୍ୟ କଳ୍ପନା କରା ଯାଇଛିI ମାନବ ମାନବିର ଯୌଥ ଦେହରଥ ଆଗେଇ ଚାଲିଛି, ଦିବସ, ରଜନୀ,ମାସ ବର୍ଷ ଅତିକ୍ରମ କରି ଜନ୍ମ ଠାରୁ ଜନ୍ମାନ୍ତର; ଯେଉଁ ଜୀବନ ଧାରାର ମୃତ୍ୟୁ ନାହିଁ – ଅମୃତ I ଏ ରଥ ପରିକଳ୍ପନା ଆସିଛି କଠୋପନିଷଦରୁ (I/iii/2)I ଅନନ୍ତ ଯାତ୍ରାର କଳ୍ପନା ଆସୁଛି ବେଦ ଅନ୍ତର୍ଗତ ଐଁତ୍ରେୟ-ବ୍ରାହ୍ମଣ ସୁକ୍ତରୁ – ଚରେଇବେତି, ଚରେଇବେତି I ଏପରିକି ବହୁ ଚର୍ଚିତ ଯୌନଚର୍ଚ୍ଚାର ବ୍ୟାଖ୍ୟା ମିଳୁଛି ବ୍ରହଦାରଣ୍ୟକ ଉପନିଷଦରୁ (IV/iii/21) – ଆତ୍ମା ଓ ପରମାତ୍ମାର ମିଳନ I

କୋଣାର୍କ ଏ ଶିଳ୍ପର ତୁଙ୍ଗକୁ ଉଠିଥିଲା କେବଳ ଏହାର ଦୃଶ୍ୟମାନ ସୌନ୍ଦର୍ଯ୍ୟ ଓ ଦୃଶ୍ୟାତୀତ ଉପନିଷଦୀୟ ଦର୍ଶନ ପାଇଁ ନୁହେଁ I ମଣିଷ ମନ୍ଦିର ଯାଇଥାଏ ନିଜର ସୁଖ ଦୁଃଖ ଭଲ ମନ୍ଦ ନେଇ ଠାକୁରଙ୍କ ନିକଟରେ ଅଳି କରିବାକୁ I ଏଇ ପ୍ରଥମ; ଗୋଟିଏ ମନ୍ଦିରରେ ବ୍ୟକ୍ତି ସ୍ୱାର୍ଥ ଉପରେ ସମାଜ ସ୍ୱାର୍ଥକୁ ସ୍ଥାନ ଦିଆ ଗଲା I ସେ ସମୟରେ ଶୈବ-ବୈଷ୍ଣବ କଳହରେ ସମାଜ ଥିଲା ମଥିତ I ରାଜା ବୁଝିପାରିଥିଲେ ସାମାଜିକ ସ୍ଥିରତା ବିନା ଦେଶର କୌଣସି ଉନ୍ନତି ହେବ ନାହିଁ – “ସବକା ସାଥ, ସବକା ବିଶ୍ୱାସ” I ସେ ଗୋଟିଏ ଧାଡିରେ ବିବଦମାନ ତିନି ଗୋଷ୍ଠୀର ପ୍ରତୀକ, ଲିଙ୍ଗ, ଜଗନ୍ନାଥ ଓ ମା ଭବାନୀଙ୍କୁ ବସାଇ ନିଜେ ହେଲେ ଯୋଡ଼ ହସ୍ତ I ଯେଉଁ ଧର୍ମ-ସମନ୍ୱୟ ଚେଷ୍ଟା କରିଥିଲେ ରାଜା, ସେଥିରେ ସୂର୍ଯ୍ୟ ଥିଲେ ଉଚିତ ମଧ୍ୟସ୍ଥି I ସୂର୍ଯ୍ୟ ଏକମାତ୍ର ଦେବତା ଯାହାଙ୍କ କରୁଣା ଜାତି, ଧର୍ମ, ଦେଶ, କାଳର ବିଭାଜିକା ଅମାନ୍ୟ କରି ସମସ୍ତଙ୍କ ଉପରେ ସମଭାବେ ଵିତରିତ ହୋଇ ଥାଏ I ବିଶ୍ୱରେ ପ୍ରଥମ, ଗୋଟିଏ ମନ୍ଦିର ମାଧ୍ୟମରେ ସର୍ବ ଧର୍ମ ସମନ୍ୱୟ ଚେଷ୍ଟା ହୋଇଥିଲା, ଯାହା ଆଜି ମଧ୍ୟ ହିଂସାକ୍ଷୂବ୍ଧ ବିଶ୍ୱରେ ପ୍ରଯୁଜ୍ୟ I

ମୁଁ ଏ ଶିଳ୍ପ ବ୍ୟାଖ୍ୟା ନେଇ ଘଣ୍ଟାପରେ ଘଣ୍ଟା ବିତେଇ ଦେଇ ପାରେ କିନ୍ତ ମନ ମାନୁନାହିଁ କେବଳ ବୌଦ୍ଧିକ ଆଲୋଚନାରେ ମଗ୍ନ ରହିବାକୁ, ଯେତେବେଳେ ଆମର ସର୍ବ ଶ୍ରେଷ୍ଠ ଜାତୀୟ ଅସ୍ମିତା ଭୁଲୁଣ୍ଠିତ I ଓଡ଼ିଶାର ଏକମାତ୍ର ବିଶ୍ୱ ପରିଚିତି – World Heritage Site – କୋଣାର୍କ, ଧ୍ବଂସ ମୁଖରେ ଉପନୀତ; କାହାରି ନିଦ ଭାଙ୍ଗୁ ନାହିଁ – ନା ଐତିହ୍ୟପ୍ରେମୀ ଓଡ଼ିଆଙ୍କର ନା ସରକାରଙ୍କର I ଏ ଅଭିଯୋଗ କେବଳ ଆବେଗର ଆତିଶଯ୍ୟରୁ ନୁହେଁ; ପ୍ରମାଣ ଦେବି I

କୋଣାର୍କର ସୂର୍ଯ୍ୟ ମନ୍ଦିର ଗୋଟିଏ ପଞ୍ଚ-ପୁଞ୍ଜ ମନ୍ଦିର ଗୋଷ୍ଠୀ/ ମୂଳ ମନ୍ଦିର ସହିତ ତିନିଟି ନିଶ ଦେଉଳ ଓ ବିଶାଳ plinthର ଅର୍ଦ୍ଧାଧିକ ଧ୍ବଂସ ହୋଇ ଯାଇଛି I ଏ ଧ୍ବଂସ କିନ୍ତୁ ଦିନକରେ ଘଟି ନଥିଲା; ସମୟ ଲାଗିଥିଲା ପ୍ରାୟ ୩୦୦ ବର୍ଷ/ ସେ ଦୀର୍ଘ ଇତିହାସ ତିକ୍ତତାରେ ଭରା I ସେ ଲୁଣ୍ଠନର ଭାଗିଦାର କେବଳ ମୁସଲମାନ ନୁହନ୍ତି, ହିନ୍ଦୁ ରାଜାମାନେ ମଧ୍ୟ I ଆଜି ସେ ପ୍ରସଙ୍ଗକୁ ଯିବି ନାହିଁ I ଯବନିକା ଉତ୍ତୋଳନ ହେଲା ୧୯୦୦ ଠାରୁ ୧୯୧୦ ମଧ୍ୟରେ ଯେତେବେଳେ ବାଲି ତଳୁ ଉଦ୍ଧାର କରାଯାଏ କୋଣାର୍କର ଧ୍ୱଂସାବଶେଷ I

  • ସେ ବିଶାଳ ସଂରକ୍ଷଣ କାର୍ଯ୍ୟ ମଧ୍ୟରେ ବଂଚିଯାଇଥିବା ଜଗମୋହନ, ସିଲ କରି ବାଲି ଭରିଦେବା ଥିଲା ହିମାଳୟ ସଦୃଶ ଗୋଟିଏ ବିରାଟ ଭୁଲ ସିଦ୍ଧାନ୍ତ I ‘ଉନ୍ନତ ଟେକ୍ନୋଲୋଜି ନଥିଲା’, ଏ ସିଦ୍ଧାନ୍ତ ଅଚଳ I ତତ୍କାଳୀନ ଚିଫ ଇଂଜିନିୟର R.G.Kennedy ଗୋଟିଏ ମଡେଲ ସାହାଯ୍ୟରେ ଦେଖାଇଥିଲେ ଭିତରୁ ଠେକା ଦେବା ଏ ମନ୍ଦିରର corbelling ନିର୍ମାଣ କୌଶଳର ପରିପନ୍ଥୀ/ ଫଳ ବିପରୀତ ହେବ I ସଂରକ୍ଷଣରେ ନିଯୁକ୍ତ ଇଂଜିନିୟର ବିଶନ ସ୍ୱରୂପ, ଏ ତଥ୍ୟ ରଖିଛନ୍ତି ତାଙ୍କ ଲିଖିତ ,Konaraka The Black Pagoda of Orissa’ ପୁସ୍ତକରେ କିନ୍ତୁ କହିନାହାନ୍ତି କାହିଁକି ଚିଫ ଇଂଜିନିୟରଙ୍କ ମତ ଅମାନ୍ୟ କରାଗଲା I
  • ବାଲି କିନ୍ତୁ ତୁଙ୍ଗ ସ୍ପର୍ଶ କରିନଥିଲା I ସେଇଥିପାଇଁ ଜଗମୋହନ ଏତେଦିନ ତିଷ୍ଠି ଅଛି I କିନ୍ତୁ ଏହା ଅନ୍ୟ ବିପଦ ଡାକି ଆଣିଲା I ଅନ୍ଧାରିଆ, ସନ୍ତସନ୍ତିଆ, ଉଷ୍ଣ କୋଣ ମାନଙ୍କରେ କ୍ଷତିକାରକ ଗୁଳ୍ମ ଜାତ ହୋଇ ପ୍ରସ୍ତର କ୍ଷୟ କରୁଛି I CBRI କୃତ endoscopic photographରୁ ଜଣାପଡୁଛି ମାଳ ମାଳ ପଥର ବାଲି କୁଢ଼ ଉପରେ ପଡ଼ିଲାଣି I ଆଉ କିଛି ପଡିଲେ Pyramidal ଛାତର corbelling ନଷ୍ଟ ହୋଇ ଛାତ ଭୁଷୁଡ଼ିବ I ASI ନିଶ୍ଚଳ I

୧୯୧୦ ପରେ ମଧ୍ୟ ଭାରତ ସରକାର ଚିନ୍ତିତ ଥିଲେ I ବିଶେଷଜ୍ଞ ମାନେ ହୁଏତ କିଛି ଲକ୍ଷ କରିଥିଲେ I ଫଳତଃ ୧୯୫୦ର ବିଶ୍ୱନାଥ କମିଟୀ ଠାରୁ ଆରମ୍ଭ କରି ୨୦୨୦ ଯାଏଁ ୧୫ଟି ଆଲୋଚନା ସଭା ବସି ସାରିଲାଣି I ୧୯୮୭ ରେ ଏବଂ ତତ୍ପରବର୍ତୀ ବହୁ ଆଲୋଚନା ସଭାରେ UNESCO ପ୍ରେରିତ ବିଶେଷଜ୍ଞ ମାନେ ବାର ବାର ଚେତାଇ ଦେଇଛନ୍ତି, ଯଥା ଶୀଘ୍ର ବାଲି କାଢି ଭିତରୁ ସଂରକ୍ଷଣ କର/ କିନ୍ତୁ ASI ନାନା ଛଳରେ ଆଗେଇନାହିଁ I

୨୦୨୦ ଫେବୃଆରୀ ୨୮, ୨୯ ତାରଖରେ ଗଠିତ ଜାତୀୟ କର୍ମଶାଳା କଥା ଉଲ୍ଲେଖ କରିବାର ବିଶେଷ ପ୍ରୟୋଜନ ଅଛି I ସେତେବେଳକୁ ଗୋଟିଏ PIL ଫଳରେ କୋଣାର୍କ ପ୍ରସଙ୍ଗ, ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟରେ ପହଞ୍ଚି ସାରିଲାଣି I କର୍ମଶାଳାଟି ଆୟୋଜିତ ହୋଇଥିଲା ହାଇକୋର୍ଟ ନିର୍ଦେଶରେ I ଉପସ୍ଥିତ ଥିଲେ ବହୁ ବିଶେଷଜ୍ଞ, ASI ତଥା ଓଡିଶା ଓ କେନ୍ଦ୍ର ସରକାରଙ୍କର ତୁଙ୍ଗ ବ୍ୟକ୍ତିତ୍ବ ମାନେ I ଥିଲେ କେନ୍ଦ୍ରୀୟ ସଂସ୍କୃତି ଓ ଟୁରିଜିମ ବିଭାଗର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ I ଅନୁପସ୍ଥିତ ଥିଲେ UNESCO ବିଶେଷଜ୍ଞ ମାନେ I ସେମାନଙ୍କୁ ନିମନ୍ତ୍ରିତ କରାଗଲା ନାହିଁ କାହିଁକି? ତଥାପି ପ୍ରବଳ ଚାପରେ ପଡିଲେ ASI, ଭାରତୀୟ ବିଶେଷଜ୍ଞ ମାନଙ୍କ ଦ୍ୱାରା I ମନ୍ତ୍ରୀ ପଟେଲ ମଧ୍ୟ ଜୋର ଦେଇ କହିଲେ ବାଲି ଶୀଘ୍ର କାଢ଼ିବାକୁ ପଡିବ ଏବଂ ଲୁପ୍ତ ଅଙ୍ଗ ମୂର୍ତ୍ତିଗୁଡିକର ଅଙ୍ଗ ସଂଯୋଜନ କରିବାକୁ ପଡିବ I ଯେବେ ASIର ବିଭାଗୀୟ ରୁଲରେ କିଛି ବାଧା ଥାଏ, ତାହା ଅପସାରିତ ହେବ I ଆଶ୍ଚର୍ଯ୍ୟର ବିଷୟ 6 ମାସ ପରେ ଵିତରିତ Minutes of Meetingରେ, ମନ୍ତ୍ରୀ ମହୋଦୟଙ୍କ ବକ୍ତବ୍ୟ ଉଲ୍ଲେଖ ହେଲା ନାହିଁ I ବାଲି କାଢ଼ିବାର ନିର୍ଣ୍ଣୟ ଅବଶ୍ୟ ଲିପିବଦ୍ଧ ହେଲା କିନ୍ତୁ ବିଶେଷଜ୍ଞ ନିୟୋଜିତ ହେଲେ ପୁଣି CBRI, ଯିଏ ବାଲି କଢ଼ା ବିରୋଧରେ ଥିଲେ! ଏହା ପରେ ପ୍ରାୟ ଚାରି ବର୍ଷ ବିତି ଗଲାଣି ଗୋଟିଏ ମଞ୍ଚ ବାନ୍ଧିବା ବ୍ୟତୀତ ASI କିଛି କରିନାହିଁ I

ସ୍ପଷ୍ଟତଃ ASI ଭୟ ପାଉଛି ବାଲି କାଢ଼ିବାକୁ I ବର୍ତମାନ ପରିସ୍ଥିତିରେ ସର୍ବାଗ୍ରେ ପ୍ରୟୋଜନ, ଓଡିଶା ସରକାର କେନ୍ଦ୍ର ସରକାରଙ୍କ ସହିତ କଥା ହୋଇ କାର୍ଯ୍ୟଟି ୟୁନେସ୍କୋ ହାତକୁ ଟେକି ଦିଅନ୍ତୁ I ଯେଉଁ ୟୁନେସ୍କୋ ଆବୁସିମ୍ବଲ ଓ ବୋରାବଦୁର ଭଳି ଅବିଶ୍ବାସ୍ୟ ସଂରକ୍ଷଣ କରି ପାରିଛନ୍ତି ସେମାନଙ୍କ ନିକଟରେ ଏ ବାଲି କଢ଼ା, ସମସ୍ୟା ନୁହେଁ I ଇଜିପ୍ଟରେ ଅଵୁସିମ୍ବଲ ନାମକ ଗୋଟିଏ ପିରାମିଡ଼ ତଥା ସୂର୍ଯ୍ୟମନ୍ଦିରକୁ ଖଣ୍ଡ ଖଣ୍ଡ କରି କାଟି, ନୀଳ ନଦୀ ଅବବାହିକାରୁ ୨୦୦ ମିଟର ଦୂରରେ, ୬୫ ମିଟର ଉଚ୍ଚରେ ମୂଳ ଭଳି ଯୋଡ଼ିଦେଲେ; ଯୋଡ଼ ଦାଗଟିଏ ମଧ୍ୟ ଦିଶିଲା ନାହିଁ I ଇଣ୍ଡୋନେସିଆର ଅରଣ୍ୟ ଗ୍ରାସ କରିଯାଇଥିଲା ବୋରବୁଦୁର ନାମକ ଆଠମହଲା ମଠ I ତାହାର ୮ଲକ୍ଷ ପଥର, ଗୋଟି ଗୋଟି କରି ଉଦ୍ଧାର କରି ପ୍ରୟୋଜନୀୟ ସଂସ୍କାର ପରେ ମୂଳ ଭଳି ଯୋଡି ଦିଆ ଗଲା I ଅଧିକ କହିବା ନିଷ୍ପ୍ରୟୋଜନ I

ଆଜି ଯେତେବେଳେ ଏ ଜାତୀୟ ଅସ୍ମିତାର ସଂରକ୍ଷଣ କଥା ଉଠୁଛି ସେତେବେଳେ ଭାବିବାକୁ ପଡିବ ପୁରାତନ ଧ୍ଵଂସାବଶେଷର ସଂରକ୍ଷଣ ଯେତିକି ଜରୁରୀ ଗୋଟିଏ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣର ପ୍ରୟୋଜନ ତତୋଧିକ I ଶତ ଚେଷ୍ଟା କରିଲେ ମଧ୍ୟ ମୂଳ ସୂର୍ଯ୍ୟ ମନ୍ଦିରର ଦୃଶ୍ୟମାନ ଐଶ୍ୱର୍ଯ୍ୟ ଏବଂ ଅମୂର୍ତ ଐତିହ୍ୟ, ଏ ଧ୍ଵଂସାବଶେଷକୁ ଫେରିବ ନାହିଁ I ତଥାପି ଏହାର ବର୍ତ୍ତମାନ ଦିଶୁଥିବା ଐଶ୍ୱର୍ଯ୍ୟର ସଂରକ୍ଷଣ ପ୍ରୟୋଜନ ଏଇଥିପାଇଁ, ଏହା ଗବେଷକ ମାନଙ୍କ ପାଇଁ ଗୋଟିଏ ସ୍ବର୍ଣ୍ଣ ଖଣି ଓ ଜାତୀୟ ସ୍ମୃତି ଫଳକ I ଏ ସଂରକ୍ଷଣ ପାଇଁ ବର୍ତମାନ ପ୍ରୟୋଜନ ଏଠାରେ ପର୍ଯ୍ୟଟକ ସଂଖ୍ୟା ନବଢ଼େଇ ହ୍ରାସ କରିବା; କାରଣ ବର୍ଦ୍ଧିତ Carbon foot print ଏ ରୁଗ୍ଣ ସ୍ଥାପତ୍ୟ ପାଇଁ କ୍ଷତିକାରକ I ସେଦିଗରେ ମଧ୍ୟ, ନୂତନ ସୂର୍ଯ୍ୟ ମନ୍ଦିର ସହାୟକ ହେବ I

ପ୍ରସ୍ତାବିତ ନୂତନ ସୂର୍ଯ୍ୟ ମନ୍ଦିର ପୁରାତନର କାର୍ବନ କପି ହୋଇପାରିବ ନାହିଁ ଦୁଇଟି କାରଣରୁ I ପ୍ରଥମ କାରଣ କପି କରିବାର ମଡ଼େଲଟି ଧ୍ବଂସ ହୋଇ ଯାଇଛି I ଦ୍ଵିତୀୟ କାରଣ ବିଶ୍ୱରେ କୌଣସି ମହତ ସୃଷ୍ଟିର ନକଲ – ଯେତେ ଅବିକଳ ହେଲେ ମଧ୍ୟ – ମୂଳର ଆଦର ପାଇଁ ନାହିଁ I ଯାହା ସମ୍ଭବ, ମୂଳର ନିର୍ଯାସରେ ଯୁଗୋପଯୋଗୀ ପ୍ରତିବେଦନ I ତାହା ମଧ୍ୟ ହୋଇ ପାରିବ ଗୋଟିଏ ବିଶ୍ୱଜୟୀ ସୃଷ୍ଟି ଏବଂ ନୂତନ ସୂର୍ଯ୍ୟ ମନ୍ଦିର ହୋଇ ପାରିବ ବିଶ୍ୱର ଅନ୍ୟତମ International Tourist ହୂବ I

ସୋମନାଥ ମନ୍ଦିର ୮ଥର ଭଙ୍ଗାଯାଇଥିଲେ ମଧ୍ୟ ପ୍ରତି ଥର ପୁନର୍ନିର୍ମାଣ ହୋଇଛି – ପୁରାତନ ସ୍ଥାନରେ ମଧ୍ୟ ନୁହେଁ କି ପୁରାତନର ନକଲରେ ନୁହେଁ I ସଦ୍ୟ ନିର୍ମିତ ଅଯୋଧ୍ୟା ରାମମନ୍ଦିରର ମୂଳ ରୂପରେଖା କଅଣ ଥିଲା ତାହାର କୌଣସି ନକ୍ସା ମଧ୍ୟ ନାହିଁ I ତଥାପି ଆଜିକାର ସୋମନାଥ ଓ ରାମମନ୍ଦିର ଜାତୀୟ ଅସ୍ମିତାର ପ୍ରତିଫଳନ I

ଓଡ଼ିଆ ଅସ୍ମିତା କଣ ଗୁଜରାଟୀ ଅସ୍ମିତା ଅଥବା ଉତ୍ତର ପ୍ରଦେଶ ଅସ୍ମିତା ଠାରୁ ନ୍ୟୁନ? ଓଡ଼ିଆ ଅସ୍ମିତାର ଟେକ ରଖୁଥିବା ସରକାର ଭାବି ଦେଖନ୍ତୁ I

Leave A Reply

Your email address will not be published.