ନୂଆ ରୁପ ନେବ ଲିଙ୍ଗରାଜ ଟେମ୍ପଲ୍ ରୋଡ୍ ଷ୍ଟେସନ: ୧୯.୫୩ କୋଟି ବ୍ୟୟ
- ୩୧ ଅକ୍ଟୋବର ୨୦୨୫ ସୁଦ୍ଧା ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇ ଲୋକାର୍ପଣ: ସାଂସଦ ଅପରାଜିତା
ଭୁବନେଶ୍ୱର,//TATKAL ODISHA//
ନୂଆ ରୂପ ପାଇବାକୁ ଯାଉଛି ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପଲ୍ ରୋଡ୍ ରେଳ ଷ୍ଟେସନ। ପ୍ରକଳ୍ପ ବାବଦକୁ ମୋଟ୍ ୧୯.୫୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି।
ପ୍ରସ୍ତାବିତ ପ୍ରକଳ୍ପରେ ୭୬୫ ବର୍ଗ ମିଟରର ଗ୍ରାଉଣ୍ଡ ପ୍ଲସ୍ ୨ର ଏକ ନୂତନ ଷ୍ଟେସନ ବିଲ୍ଡିଂ ନିର୍ମାଣ କରାଯାଉଛି। ୧୨ ମିଟର ଓସାରର ଏକ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ। ୨୬୦ ବର୍ଗ ମିଟରର ଅଞ୍ଚଳରେ ଉଭୟ ଦୁଇ ଚକିଆ ଓ ତିନି ଚକିଆ ଯାନ ପାଇଁ ପୃଥକ୍ ପୃଥକ୍ ପାର୍କିଂସ୍ଥଳ ସହ ୧୩୦ ବର୍ଗ ମିଟରର ଏକ ପ୍ରତୀକ୍ଷାଳୟ ମଧ୍ୟ ନିର୍ମାଣ ହେବ। ଉଭୟ ପୁରୁଷ ଏବଂ ମହିଳାଙ୍କ ଲାଗି ୬୫ ବର୍ଗମିଟରର ପ୍ରିମିୟମ୍ ମଡ୍ୟୁଲାର ଟଏଲେଟ୍ ସାଙ୍ଗକୁ ୧, ୨ ଓ ୩ ନମ୍ବର ପ୍ଲାଟ୍ଫର୍ମରେ ଗ୍ରାନାଇଟ୍ ଓ ମୋଜାଇକ୍ ଚଟାଣ ଲାଗି ମଧ୍ୟ ଯୋଜନା ରହିଛି। ଆଗାମୀ ୩୧ ଅକ୍ଟୋବର ୨୦୨୫ ସୁଦ୍ଧା ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇ ଲୋକାର୍ପଣ କରିବାକୁ ଲକ୍ଷ୍ୟ ରହିଛି।

ମଙ୍ଗଳବାର ଲିଙ୍ଗରାଜ ଟେମ୍ପଲ ରୋଡ଼୍ ରେଳ ଷ୍ଟେସନର ଉନ୍ନତିକରଣ ଏବଂ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ।
ପୂର୍ବତଟ ରେଳବାଇର ଡିଆର୍ଏମ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନିଜେ ଅପରାଜିତା ଷ୍ଟେସନ ପରିସରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଟିକିନିଖି ବୁଝିଛନ୍ତି। ଏହାସହ କାର୍ଯ୍ୟର ମାନ ତର୍ଜ୍ଜମା କରିବା ସହ ଯେମିତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପନ ହୁଏ ସେନେଇ ବିଭାଗୀୟ ଅଧିକାରୀଙ୍କ ସମେତ ଠିକାଦାରଙ୍କୁ ମଧ୍ୟ ତାଗିଦ୍ କରିଛନ୍ତି। ପରେ ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ଯେ, ଲିଙ୍ଗରାଜ ଟେମ୍ପଲ ରୋଡ଼୍ ରେଳ ଷ୍ଟେସନର ଉନ୍ନତିକରଣ ଏବଂ ନବୀକରଣ ଲାଗି ଅନେକ ଦିନରୁ ଦାବି ହୋଇଆସୁଥିଲା। ଏହାକୁ ନେଇ ଏକିଧିକବାର ରେଳ ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରକଳ୍ପରେ ମୋହର ବାଜିଥିଲା। ବର୍ତ୍ତମାନ ଷ୍ଟେସନର ସମ୍ମୁଖ ୧୧ଶହ ବର୍ଗ ମିଟରର ପ୍ରାସାଦର ନବୀକରଣ ଓ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି। ସେହିପରି ୨୯ ବେଜ୍ର ଅତିରିକ୍ତ ପ୍ଲାଟଫର୍ମ ସେଲ୍ଟର ନିର୍ମାଣ କରାଯିବ। ଏହି ୨୯ ବେଜ୍ ମଧ୍ୟରେ ୧୩ ବେଜ୍ର ସେଲ୍ଟର ୧ ନଂବର ଏବଂ ୨ ନଂବର ପ୍ଲାଟଫର୍ମ ଲାଗି ଆଉ ୧୬ ବେଜ୍ର ସେଲ୍ଟର ୩ ନଂବର ପ୍ଲାଟଫର୍ମ ଲାଗି ନିର୍ମାଣ କରାଯିବ। ଏହି ସହିତ କୋଚ୍ ଇଣ୍ଡିକେସନ ବୋର୍ଡ଼, ଟ୍ରେନ୍ ଇଣ୍ଡିକେସନ ବୋର୍ଡ଼ ଓ ସାଇନେଜ୍ ଲାଗି ମଧ୍ୟ ଅନୁଦାନ ଦେଇଛି ରେଳ ମନ୍ତ୍ରାଳୟ। ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ପରେ କାର୍ଯ୍ୟର ଅଗ୍ରଗତି ଓ ମାନଠିକ ଥିବା ଦେଖାଯାଇଛି।
ଅନ୍ୟପକ୍ଷରେ ଇଷ୍ଟକୋଷ୍ଟ ଡିଆରଏମ ଏଚ୍ଏସ୍ ବାଜୱା କହିଛନ୍ତି ଯେ, ରେଳ ଷ୍ଟେସନଟିର କାମ ସମ୍ପୂର୍ଣ୍ଣ ହେଲେ ତୀର୍ଥଯାତ୍ରୀଙ୍କୁ ବେଶ୍ ସହାୟକ ହେବ। ଏକାମ୍ର କ୍ଷେତ୍ରର ରେଳ ପ୍ରବେଶ ଦ୍ୱାରରେ ଯାତ୍ରୀ ନୂଆ ଅନୁଭୂତି ପାଇବେ।
ବର୍ତ୍ତମାନ ଏହି ରେଳ ଷ୍ଟେସନରେ ୧୪ଟି ଟ୍ରେନ ରହଣି ହେଉଛି। ଏଥିରେ ୧୧ଟି ପାସେଞ୍ଜର ଓ ୩ଟି ଏକ୍ସପ୍ରେସ । ପ୍ରତ୍ୟକ ଦିନ ଏହି ଷ୍ଟେସନ ଦେଇ ୮ ଶହ ଲୋକ ଯାଆ ଆସ କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ। ଉକ୍ତ ସମୀକ୍ଷା ବୈଠକରେ ଏକାମ୍ର କ୍ଷେତ୍ର ବିଧାୟକ ବାବୁ ସିଂ ଉପସ୍ଥିତ ରହିଥିଲେ।