କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପାଇବେ ଭଞ୍ଜଭାରତୀ ଜୟଦେବ ଷଡଙ୍ଗୀ ସ୍ମୃତିସମ୍ମାନ-୨୦୨୫

0

ସାହିତ୍ୟ ସମାରୋହ ମାର୍ଚ୍ଚ ୨୪ରୁ୨୮

ଭୁବନେଶ୍ୱର//TATKAL ODISHA//

ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ‘ଭୁବନେଶ୍ୱର ଭଞ୍ଜଭାରତୀ’ ପକ୍ଷରୁ ଆଗାମୀ ମାର୍ଚ୍ଚ ୨୪ରୁ ୨୮ତାରିଖ ପାଞ୍ଚଦିନ ବ୍ୟାପୀ ଓଡିଆ ସାହିତ୍ୟ ସମାରୋହ ଅନୁଷ୍ଠିତ ହେବ ।

ଚଳିତବର୍ଷ ଭଞ୍ଜଭାରତୀର ରୌପ୍ୟଜୟନ୍ତୀ ଉପଲକ୍ଷ୍ୟେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ପ୍ରଥମଦିବସରେ ‘ଭଞ୍ଜନିକୁଞ୍ଜ’ ଶୀର୍ଷକରେ ଭଞ୍ଜସାହିତ୍ୟ, ଦ୍ୱିତୀୟଦିବସରେ ‘କୃଷ୍ଣକଲ୍ଲୋଳ’ରେ ଦୀନକୃଷ୍ଣସାହିତ୍ୟ, ତୃତୀୟଦିବସରେ ‘ସୂର୍ଯ୍ୟବିଭା’ ଶୀର୍ଷକରେ କବିସୂର୍ଯ୍ୟ ବଳଦେବସାହିତ୍ୟ, ଚତୁର୍ଥଦିବସରେ ‘ସିଂହାରଶୃଙ୍ଗାର’ରେ ଅଭିମନ୍ୟୁସାହିତ୍ୟ ଓ ପଞ୍ଚମ ତଥା ଉଦ୍ ଯାପନ ଦିବସରେ ‘ରଙ୍ଗାଜୀବ ଗଙ୍ଗାଧର’ ଶୀର୍ଷକରେ ମେହେରସାହିତ୍ୟ ଚର୍ଚ୍ଚା କରାଯିବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମ ତିନିଦିନ ଅର୍ଥାତ୍ ୨୪ରୁ ୨୬ମାର୍ଚ୍ଚ ସଂଧ୍ୟାରେ ଏହି ସମାରୋହ ଜୟଦେବ ଭବନରେ ପାଳିତ ହେବ ଓ ଶେଷ ଦୁଇଦିନ ଅର୍ଥାତ୍ ୨୭ ଓ ୨୮ମାର୍ଚ୍ଚ ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବ ।

ପ୍ରତ୍ୟେକ ସନ୍ଧ୍ୟାରେ ସଂପୃକ୍ତ କବିମାନଙ୍କ ରଚନାର ସଂଗୀତବିତିତ୍ରା ‘ନାଦବ୍ରହ୍ମ’ ଅନୁଷ୍ଠାନପକ୍ଷରୁ ବିଶିଷ୍ଚ କଣ୍ଠଶିଳ୍ପିନୀ ମହାପାତ୍ର ମିନତି ଭଞ୍ଜ ଓ ପ୍ରଫେସର ଜଗନ୍ନାଥ କୁଅଁରଙ୍କ ଦ୍ୱାରା ପରିବେଷିତ ହେବା ସହ ମାର୍ଚ୍ଚ ୨୪ ଉଦ୍ ଘାଟନ ଦିବସରେ ବ୍ରହ୍ମପୁରନିବାସୀ ବର୍ଷୀୟାନ୍ କବି ତଥା ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ମର୍ଯ୍ୟାଦାଜନକ ‘ଭଞ୍ଜଭାରତୀ ଜୟଦେବ ଷଡଙ୍ଗୀ ସ୍ମୃତିସମ୍ମାନ-୨୦୨୫’ ପ୍ରଦାନ କରାଯିବ । ଏଥିରେ ବହୁ ଗବେଷକ ଓ ବିଶେଷଜ୍ଞ ଯୋଗଦେଇ ସାହିତ୍ୟ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହି ଉତ୍ସବରେ ବହୁସଂଖ୍ୟାରେ ସାହିତ୍ୟପ୍ରେମୀ ଯୋଗ ଦେବାକୁ ଭଞ୍ଜଭାରତୀର ସଭାପତି ଡାକ୍ତର କୃଷ୍ଣକେଶବ ଷଡଙ୍ଗୀଙ୍କ ସମେତ ସମସ୍ତ ସଦସ୍ୟ ନିବେଦନ କରିଛନ୍ତି ।

              

Leave A Reply

Your email address will not be published.