ଗାଳ୍ପିକ ଅରବିନ୍ଦ ଦାସଙ୍କ ନୂଆ ଗପ -“ମା’ର ବେପାର”

0

ମା’ର ବେପାର
★★★★★★

ଅରବିନ୍ଦ ଦାସ

ତୃତୀୟ ଥର ପାଇଁ ତାଙ୍କ ଘରକୁ ଆସିଥିବା ପ୍ରିୟା ମହାନ୍ତିକୁ ,ଦେଖି ସୁନିତା ବେନ୍ କେଵଳ ଆଶ୍ଚର୍ଯ୍ୟ ହେଲେନି, ବରଂ ଦୁଃଖିତ ବି ହେଲେ।
କାରଣ ତାକୁ ଦେଖି ଲାଗିଲା, ଗତ ବର୍ଷ ଦ୍ବିତୀୟ ଥର ଆଇ ଭି ଏଫ ଉପାୟରେ ସନ୍ତାନ ଧାରଣ ଚେଷ୍ଟା ବିଚାରୀର ଅସଫଳ ହୋଇଥିଲା।ପ୍ରିୟାର ସ୍ୱାମୀ ଜିଘ୍ନେଷ୍ ପାରେଖ ,ଗୁଜୁରାଟୀ ପିଲା।
ଏଇ ସହରକୁ କୁତ୍ରିମ ଗର୍ଭଧାରଣ ପାଇଁ ଆସୁଥିବା ଦମ୍ପତ୍ତିମାନଙ୍କୁ ନିଜ ଘର ଅନେକ ବର୍ଷ ହେଲାଣି ଭଡା ଦେଇ ଆସୁଛନ୍ତି ସୁନିତା ବେନ୍।ଯଦିଓ ସେ ଗୁଜୁରାଟୀ ଲୋକ,ତେବେ ଏଠାରେ ରହୁଥିବା ବହୁତ ଓଡ଼ିଆ ଲୋକଙ୍କ ସଂସ୍ପର୍ଶରେ ଆସି ଭଲ ଓଡ଼ିଆ କୁହନ୍ତି ଓ ବୁଝନ୍ତି ବି।ଗତ ଦୁଇଥର ପ୍ରିୟା ତାଙ୍କ ଘରେ ଭଡ଼ାରେ ଥିଲା।
-ହାଲୋ ବେଟା ,କେମିତି ଅଛୁ ?ତୋ ଦେହ ଭଲ ଅଛି ତ ?ମୋ ଫୋନଟା
ହଜିଯାଇଥିବାରୁ କଣ୍ଟାକ୍ଟ ଲିଷ୍ଟ ସବୁ ଚାଲିଗଲା।ତୋ କଥା ବୁଝିବା ପାଇଁ ଆଉ ଫୋନ୍ କରିପାରିଲିନି।”
ପ୍ରିୟାକୁ ଗୋଡ଼ ଠୁ ମୁଣ୍ଡ ପର୍ଯ୍ୟନ୍ତ ନିରୀକ୍ଷଣ କରୁକରୁ ତାକୁ କୁଣ୍ଢାଇ ଧରି ପଚାରିଲେ ସୁନିତା।
ଆହା ବିଚାରୀ ପୁଣି ଥରେ ଆଇ ଭି ଏଫ ପାଇଁ ଆସିଛି ତାହାଲେ।କିନ୍ତୁ ଗତ ଥର ତ ପ୍ରିୟା ପୁରା ସିଅର ବୋଲି ଡାକ୍ତର କହିଥିଲା।
-ଫୋନ୍ ନକରି ସିଧା ଚାଲିଆସିଲୁ ଆଣ୍ଟି ।ଆପଣଙ୍କୁ ସରପ୍ରାଇଜ ଦେବାପାଇଁ।ଆପଣଙ୍କ ଘରକୁ ପୁଣି ଆସିବା ପାଇଁ ବୋଧେ ଭଗବାନଙ୍କ ବରାଦ ଥିଲା।ରୁମ ଖାଲି ଅଛି ତ?”
-ଦୁଇ ଦିନ ତଳେ ଖାଲି ହୋଇଛି। ଭଲ କଲୁ।ମନଦୁଃଖ କରନା।ଭଗବାନ ଚାହିଁଲେ ଏଥର ପୁଣିଥରେ….
ମୁଣ୍ଡକୁ ତଳକୁ ପୋତିଲା ପ୍ରିୟା।ପାଖରେ ସ୍ୱାମୀ ଜିଘ୍ନେଷ୍।ବେଶ ଭଦ୍ର ଓ ମେଳାପୀ ପିଲା।ତେବେ ଦୁହିଁଙ୍କର ଓଜନ ଏବେବି ଅଧିକ।

  • ଆରେ ତମେ ଦୁହେଁ ଆଉ ଡାଏଟିଙ୍ଗ କରୁନ କି ?ଡାକ୍ତର ପରା କହିଥିଲା।
    -ଆମ ଦୁହିଁଙ୍କ ସଫ୍ଟୱେର ଚାକିରୀ ରେ ବସିକି କାମ କରିବା, ଟେନ୍ସନ, ଜଙ୍କ ଫୁଡ଼ ଖାଇବା ଓ ଅବେଳ ଡ୍ୟୁଟି ଓଜନ ପାଇଁ ଦାୟୀ। ଏଥରକ ଓଜନ କମାଇବାକୁ ପଡିବ ଆଣ୍ଟି।ଏଇଟା ଲାଷ୍ଟ ଟ୍ରାଏ।” କହିଲା ପ୍ରିୟା।
    ସୁନିତାଙ୍କ ଛାତି ଭିତରଟା କଣ ଯେମିତି ହୋଇଗଲା।ଗୋଟେ ନିସନ୍ତାନ ମା ‘ର ଦୁଃଖ ତାଙ୍କଠୁ ଅଧିକ କିଏ ଜାଣିଛି ?
    ମନେମନେ ନିଜକୁ ପ୍ରସ୍ତତ କରୁଥିଲା ପ୍ରିୟା,ପୁଣି ସେଇ ସବୁ କଷ୍ଟକର ପ୍ରୟୋଗ ପାଇଁ।ମା ହେବାକୁ ସବୁ କଷ୍ଟକୁ ସହିବ ସେ।
    ଦୁଇମାସ ବିତିଯାଇଥିଲା।ସୁନିତା ଆଣ୍ଟି ମା ଭଳି ଯତ୍ନ ନିଅନ୍ତି ,ମନକୁ ଖୁସି ରଖିବାକୁ ତାକୁ କୁହନ୍ତି।ସକାଳେ ସନ୍ଧ୍ୟାରେ ତା ସହିତ ବୁଲନ୍ତି।
    ଘରେ କାମଦାମ ଓ ରୋଷେଇ ପାଇଁ ଏଥର ନୂଆ କାମବାଲୀ ମଞ୍ଜୁ ଆସୁଛି।ତଥାପି ସୁନିତା ବେନ୍ ଆଣ୍ଟି, ଭଲମନ୍ଦ ଆଣି ତାକୁ ଜବରଦସ୍ତି ଦେଇଯାଆନ୍ତି।
    ସେଦିନ ସକାଳେ ମନ୍ଦିର ଯାଇଥିଲେ ସୁନିତା।ମଞ୍ଜୁ ଆସି ପ୍ରିୟା’ର ମୁଣ୍ଡରେ ତେଲ ମାଲିସ କରୁଥିଲା।
    -ସୁନିତା ଆଣ୍ଟି କେତେ ଭଲ ? ଭଡ଼ାଟିଆ ଲୋକଙ୍କର ପ୍ରତ୍ୟେକଟି ଛୋଟ ବଡ଼ ଜିନିଷ ପ୍ରତି ଯତ୍ନବାନ ଓ ଧ୍ୟାନ ବି ରଖନ୍ତି।କେତେ ସ୍ନେହୀ ;ପୁରା ଦେବୀ।”
    -ଦେବୀ ନୁହେଁ, ପୋଖତ ବ୍ୟବସାୟୀ ମହିଳା ବୋଲି କୁହ।ଭଡ଼ାଟିଆଙ୍କ ଖିଆଲ ନରଖିଲେ,ସେମାନେ ଫେରିବେ କାହିଁକି ଅଥବା ଅନ୍ୟମାନଙ୍କୁ କାହିଁକି କହିବେ ? ।ଟଙ୍କା ଆଦାୟ ପାଇଁ,ଓ ଦୁଇ ପଇସା ବଞ୍ଚେଇବା ପାଇଁ ତମର ଏଇ ଆଣ୍ଟି କିଛି ବି କରିପାରେ।ନିଜକୁ ପରା ଭଡ଼ାରେ ଲଗାନ୍ତି।ଏକଦମ ନଷ୍ଟ ଚରିତ୍ର ସ୍ତ୍ରୀ ଲୋକ।”
  • କଣ ଏମିତି କହୁଛୁ ? ସୁନିତା ଆଣ୍ଟିଙ୍କ ବିଷୟରେ ମିଛ କହିବାକୁ ଖରାପ ଲାଗୁନି ?
  • କିଛି ମିଛ ନୁହେଁ ।ତମ ଆଣ୍ଟି, ଅନ୍ୟ ପାଇଁ ଛୁଆ ଜନ୍ମ କରନ୍ତି ।ଅନ୍ୟ ପାଇଁ କଲ ଠିକ୍ ଅଛି, ହେଲେ ନିଜ ନାତିକୁ….. ଘୋର କଳିଯୁଗ ଏଇଟା।”କହି ପ୍ରିୟା କାନରେ ଯାହା କହିଲା,ତା ଶୁଣି ଆବାକାବା ହୋଇଗଲା ପ୍ରିୟା।
    ହାଠାତ୍ ପଛପଟୁ କିଛି ଶବ୍ଦ ଶୁଣି ଦୁହେଁ ବୁଲିପଡ଼ି ଦେଖିଲେ ସୁନିତା ବେନ୍ କବାଟ ପାଖରେ ଠିଆ ହୋଇଛନ୍ତି।
    ତରବର ହୋଇ ବାହାରକୁ ଚାଲିଗଲା ମଞ୍ଜୁ।ଅପ୍ରସ୍ତୁତ ଲାଗୁଥିଲା ପ୍ରିୟାକୁ।
    -ଏଇ ନୂଆ କାମବାଲୀଟା ଇଆଡୁ ସିଆଡୁ ମିଛ କଥା ଗପୁଥିଲା ଆପଣଙ୍କ ନାଁ ରେ।
    ଗମ୍ଭୀର ସ୍ୱରରେ ସୁନିତା ବେନ୍ ଜହିଲେ,
    -“ମୋତେ ମିଛ କହିବାକୁ ଭଲ ଲାଗେନା।ତେବେ ଏସବୁ ମୋର ବ୍ୟକ୍ତିଗତ ବିଷୟ ।ତମେ ମୋ ଝିଅ ଭଳି ପ୍ରିୟା।ଜୀବନ ସଂଘର୍ଷ ରେ ବହୁତ ଜିନିଷ ଅନିଚ୍ଛାରେ ତ କେବେ ଚ୍ୟାଲେଞ୍ଜ ଭାବେ କରିବାକୁ ହୁଏ ।ପ୍ରେମରେ ପଡି ମୁଁ, ଯେଉଁ ପିଲା ହାତ ଧରି ଘରୁ ଲୁଚି ଏଇ ସହରକୁ ଚାଲି ଆସିଥିଲି, ସେ ଧୋକା ଦେଲା ମୋତେ।ଗୋଟେ ନର୍ସିଂ ହୋମ ରେ ରେସେପ୍ସନିଷ୍ଟ ଭାବେ କାମ ମିଳିଲା।ନିଜକୁ ସମ୍ଭାଳିଲି।ତୋ ଅଙ୍କଲ ସହ ଦେଖା ଓ ସମ୍ପର୍କ।ପରେ ବାହାଘର ର ଚାରିବର୍ଷ ପରେ ତୋ ଅଙ୍କଲଙ୍କ ଦେହ ଖରାପ ଯୋଗୁଁ ବହୁତ ଟଙ୍କା ଦରକାର ପଡ଼ିଲା।”
    ଟିକେ ନିଶ୍ବାସ ନେଇ ସୁନିତା କହିଲେ,
    -“ଅଧିକ ଟଙ୍କା ର ଲୋଭ ଦେଖାଇ ନର୍ସିଂ ହୋମ ର ଡାକ୍ତରାଣୀ ଗୋଟେ ବିଦେଶୀ ନିସନ୍ତାନ ଦମ୍ପତ୍ତି ପାଇଁ ମୋତେ ସରୋଗେଟ ମଦର ହେବାକୁ ରାଜି କରାଇଲା।ଟଙ୍କା ଲୋଭରେ ପରେ ପୁଣି ସରୋଗେଟ ମା ବନିଲି। ନିଜ ସ୍ୱାମୀ ପରିବାର ପାଇଁ ଗୋଟେ ନାରୀ କିଛି ବି କରିପାରେ।ପରିବାରକୁ ସଜାଡି ନେଲି।ପୁଅ ପଢିଲା,ଚାକିରୀ କଲା, ଦୁଇଟା ଫ୍ଲାଟ କିଣିଲି।ଆଉ ଭଗବାନଙ୍କ ବରାଦ ଦେଖେ,ଶତ ଚେଷ୍ଟା ସତ୍ୱେ ମୋ ନିଜ ବୋହୁ ମା ହୋଇପାରିଲାନି।ସବୁଆଡୁ ଫେଲ ମାରିଲା ପରେ ଡାକ୍ତର କହିଲା ସରୋଗେସି ପାଇଁ।ପୁଅ ବୋହୁ ଏତେ ପଇସା କେଉଁଠୁ ଯୋଗାଡ଼ କରିବେ ବୋଲି ଚିନ୍ତାରେ ଥିଲେ ।ନିଜେ ମୁଁ ସରୋଗେଟ ମା ହେବି ବୋଲି କହିଲି।ନିଜ ନାତିକୁ ମୋ ଜରାୟୁରେ ରଖି ଜନ୍ମଦେଲି।ନିଜ ପୁଅ ବୋହୂଙ୍କ ଖୁସି ପାଇଁ, ମୋ ପରିବାର ର କୂଳପ୍ରଦୀପ ପାଇଁ ଏସବୁ କରିବା କଣ ଭୁଲ ?କିଏ ମୋତେ ଭଡ଼ାଟିଆ ମା କହିଲେ କହୁ।”
    ସ୍ତମ୍ଭୀଭୁତ ହୋଇଗଲା ପ୍ରିୟା।
    -ମା ବନିବା ଖୁସି ଓ ଗର୍ବର ବିଷୟ ପ୍ରତ୍ୟେକ ମହିଳା ପାଇଁ।କିନ୍ତୁ ଯେଉଁ ନାରୀ ନିଜ ଜରାୟୁ ରେ ନ ମାସ ଅନ୍ୟର ସନ୍ତାନ ଧାରଣ କରି ତାକୁ ମା ହେବାର ସୌଭାଗ୍ୟ ପ୍ରଦାନ କରେ ସେ ଅନନ୍ୟା।ଆପଣ ଯେଉଁ ପୁଣ୍ୟ କାମ କରିଛନ୍ତି ,ସେଥିପାଇଁ ଆପଣ ଚିର ନମସ୍ୟ।ଏଥର ଡାକ୍ତର ଆମକୁ ବି କହୁଥିଲେ ତୃତୀୟ ଥର ଫେଲ ମାରିଲେ, ସରଗେସି ଟ୍ରାଏ କରିବାକୁ।ଯଦି ଦରକାର ପଡ଼େ ଆପଣ ଏଇ ଝିଅଟା ପାଇଁ…..
    -ବ୍ୟସ୍ତ ହଅନା।ମୋ ମନ କହୁଛି ତୁ ମା ବନିବୁ।ଏଇ ମା’ର ଆଶୀର୍ବାଦ ।”
    ସୁନିତା ବେନଙ୍କୁ କୁଣ୍ଢାଇ ପକାଇଲା ପ୍ରିୟା।
  • (©️ଅରବିନ୍ଦ ଦାସ)

Leave A Reply

Your email address will not be published.